Unknown

 

 

 

 

 

 

 

 

 

 

ଶବ ଓ ସବାରି

ରଘୁନାଥ ସେନାପତି

 

 

 

 

 

 

 

 

 

 

 

 

ପୂଜ୍ୟପାଦ ବାପା

ଶ୍ରୀଯୁକ୍ତ ଅର୍ଜୁନ ସେନାପତିଙ୍କ

ହାତରେ................

 

ସୂଚୀପତ୍ର

 

୧.

ସୀମନ୍ତିନୀର ଶୋକ

୨.

ସର୍ବନାମ

୩.

ଅନ୍ଧ ସୀମନ୍ତ

୪.

ନୂତନ ସଂସ୍କରଣ

୫.

ଗହନ ବନର ତଳେ

୬.

ବୁମେରାଂ

୭.

ସେ ସିଏ ଓ ମୁଁ

୮.

ସ୍ୱାତୀର ନାମ ସାନ୍ତ୍ୱନା

୯.

ଚତୁର୍ଥ ଛିନ୍ନ ପୃଷ୍ଠା

୧୦.

କକ୍ଷଚ୍ୟୁତ

୧୧.

ମଲାଜହ୍ନ ସେ ନଷ୍ଟ ସ୍ୱର୍ଗର

୧୨.

ଛାଇର ଡେଣା

୧୩.

ଶବ ଓ ସବାରି

Image

 

ସୀମନ୍ତିନୀର ଶୋକ

 

ଗତରାତିର ଘଟଣା ସୁସ୍ମିତାଙ୍କ ମନରେ ବିଷ ଭରି ଦେଉଥିଲା । କୁଆଡ଼ୁ ଆସିଥିଲା ଅପର୍ଚ୍ଛନୀ, ଅଲକ୍ଷଣୀଟାଏ ଏତେ କାଣ୍ଡ ଭିଆଇବାକୁ ? ଛିଃ, ପର ନାରୀର ଛାଇ ପଡ଼ିଲେ ତାଙ୍କ ନାହି ଡିଏଁ । ସେ କ’ଣ ଏମିତି ଅକ୍ଷମଣୀୟ ପାପ କରିପାରନ୍ତି ! ଗୋଟିଏ ନିରୀହା ଆଦିବାସୀ ଝିଅକୁ ରାସ୍ତାର ଭିକାରୁଣୀ କରେଇ ପାରନ୍ତି ? ନାଃ...ନାଃ...ଏସବୁ ମିଛ ! ଅଭିନୟ ! ଅସମ୍ଭବ ! ସେ ଏତେ ତଳକୁ ଖସି ପାରନ୍ତିନି...ସୁସ୍ମିତା ଉତ୍ତେଜିତ ହୋଇଉଠିଲେ ।

 

ସେ ଧନେଶ୍ୱର (ସୁସ୍ମିତାଙ୍କ ସ୍ୱାମୀ) ଏଇ ସାଇଟ୍‍କୁ ଚାଲିଗଲେ । ତାଙ୍କ ଗଣ୍ଡଦେଶରେ ଏଯାଏଁ ବି ସ୍ୱାମୀଙ୍କ ପାନଖିଆ ଓଠର ଦାଗ ଲିଭିନି । ଜିନୁ, କୁନୁମା ସ୍କୁଲକୁ ଗଲେଣି । ତାଙ୍କୁ ଭାରି ନିଛାଟିଆ ମନେହେଲା । ଯେମିତି ଦୁନିଆର ପ୍ରତ୍ୟେକ ସ୍ୱର ଆଜି ପ୍ରତିଜ୍ଞାବଦ୍ଧ–ସ୍ମିତା ! ଧନେଶ୍ୱର ଲମ୍ପଟ, ମଦ୍ୟପ...ତୁ ତା’ର ସ୍ତ୍ରୀ ହୋଇ ବି ତାଙ୍କୁ ଚିହ୍ନିପାରିଲୁନି ? ତୋର ସିନା ସିଏ ଅନ୍ତରଙ୍ଗ ଦେବତା...କିନ୍ତୁ ତୋ’ଭଳି ଅନେକ ତରୁଣୀମାନଙ୍କର ସିଏ ଆଦିମ ଦାନବ...ସେ ଦେବତା ନୁହେଁ, ଦାନବ...ଦାନବ...ସୃଷ୍ଟିର ସମସ୍ତ ଶବ୍ଦ କାନଫଟା ଚିତ୍କାର କରୁଛନ୍ତି । ସେ ଦି’ ହାତରେ କାନକୁ ଚାପି ଧରିଲେ । ତଥାପି ଶବ୍ଦ ଲେଉଟାଣି ଖେଳୁଛି–ଧନେଶ୍ୱର ମଦ୍ୟପ, ଲମ୍ପଟ, ଶବ୍ଦର ଏତେ ଦହନ । ସେ ଆଉ ସହିପାରିଲେନି । ଗଛ କାଟିଲା ଭଳି ମୋଜାଇକ୍‍ ଚଟାଣ ଉପରେ ଭୁଷୁଡ଼ି ପଡ଼ିଲେ । ହାତର ଦି’ଚାରିପଟ ପାଣିକାଚ ଟୁକୁରା ଟୁକୁରା ହେଲା ।

 

ତଥାପି...ଗତରାତି...କାଳରାତ୍ରି...

 

ଧନେଶ୍ୱର ହାଲିଆ ହୋଇ ସାଇଟ୍‍ରୁ ଫେରିଲେ । ସୋଫା ଉପରେ ରିଲାକ୍‍ସିଙ୍ଗ୍ କରୁ କରୁ ବାହାରେ କାହାର ପାଦଶବ୍ଦ ଶୁଣି ବାରଣ୍ଡାକୁ ଲେଉଟି ଆସିଲେ । ନିଷ୍ପ୍ରଭ ଆଲୋକର ଅଭ୍ୟନ୍ତରରେ ଲିପିଟି–ସାଇଟ୍‍ର ଯୁବତୀ କୁଲିଟିଏ ଠିଆ ହୋଇଛି ।

 

କୁଆଡ଼େ ? –ଧନେଶ୍ୱର ହଠାତ୍‍ ଗର୍ଜି ଉଠିଲେ–ଏତେ ରାତିରେ ! ଏଠି ତୋର କି କାମ-! ଯା ନିକଲ୍‍ ଯା ଏଠୁ...

 

ବାବୁ...ଲିପିଟିର ଭୟାର୍ତ୍ତ ସ୍ୱର ।

 

ବାବୁ କ’ଣ ? ସ୍କାଉଁଡ୍ରାଲ୍‍–ଗେଟ୍‍ ଆଉଟ୍‍...

 

ସୁସ୍ମିତା ହଠାତ୍‍ ରୋଷାଇଶାଳାରୁ ଦୌଡ଼ି ଦୌଡ଼ି ଆସିଲେ । କିଛି ବୁଝିପାରୁନାହାନ୍ତି ।

 

ଆଚ୍ଛା, ତୁ ଏଠିକି କାହିଁକି ଆସିଛୁ ? ପ୍ରବୋଧିଲା ଗଳାରେ ସୁସ୍ମିତା ଜିଜ୍ଞାସା କଲେ ।

 

ମା’ ଏଇ ବାବୁଟା ମୋର ସବ୍‍ ନେଲା....ଇନେ ମୁଁ କାଣ୍‍ କର୍‍ମି ? ମୋର ଛୁଆ ନି ଦରକାର...ମତେ ଉଷ ଦେ...ମୁଁ ତାକେ ମାର୍‍ମି... ମୋର ବୁଆ ଜାନଲେ...

 

ସୁସ୍ମିତା ବିଶ୍ୱାସ କରିପାରୁନାହାନ୍ତି । ଟଙ୍କାର ତାଡ଼ାଟିଏ ଲିପିଟି ହାତରେ ଗୁଞ୍ଜିଦେଇ ତାକୁ ବିଦା କରିଦେଲେ ।

 

ତମେ ଫେର ଏତେ ତଳକୁ ଖସିଯାଇ ପାରିଲ ? ସାମାନ୍ୟ ଗୋଟିଏ ଆଦିବାସୀ ଯୁବତୀର ପ୍ରଲୋଭନ ତମେ ଏଡ଼େଇଦେଇ ପାରିଲନି ? ଧିକ୍‍ ମୋ’ ଜୀବନ...ସୁସ୍ମିତା ଦୁଃଖରେ ଗୁମୁରି ଉଠିଲେ । ଅଭିମାନରେ ସୋଫା–ଆର୍ମ ଉପରେ ମୁଣ୍ଡ କଚାଡ଼ିଲେ ।

 

କପାଳର ବ୍ୟଥା ଏଯାଏଁ ବି ଉପଶମ ହୋଇନି । ସେଇ ବ୍ୟଥାର ସ୍ଥିତି ଗତ କାଳରାତ୍ରିର କଦର୍ଯ୍ୟ ଉପକଥାର ସ୍ଥପତି ।

 

ଡିସେମ୍ୱର ଶୀତାକ୍ତ ଅପରାହ୍ନରେ ବି ସୁସ୍ମିତାଙ୍କ ବ୍ଲାଉଜ୍‍ ଝାଳରେ ଭିଜି ଯାଉଥିଲା । ତୋଟି ଅଠା ଅଠା ଧରିଲାଣି । ଅସ୍ତବ୍ୟସ୍ତ ଶାଢ଼ିକୁ ସଜାଡ଼ି ସଜାଡ଼ି ପାଣି ଟବ୍‍ ଦିଗରେ ଗୋଡ଼ କାଢ଼ିଲେ ।

 

କ୍ରିଂ...କ୍ରିଂ...ତାଙ୍କ ମୋହ ତୁଟିଗଲା । ସେ ନିଜକୁ ଯଥାସମ୍ଭବ ପ୍ରକୃତିସ୍ଥ କରେଇନେଲେ-। ଦ୍ୱାର ଖୋଲିଲେ । ସାମ୍ନାରେ ଠିଆହୋଇଛନ୍ତି ଅଧ୍ୟାପକ ସମୀର ଦାସଙ୍କ ଧର୍ମପତ୍ନୀ ଯୁଥିକା, ଯୁଥିକା ଦାସ, ଯୁଥି ।

 

ଅପା ! କ’ଣ କରୁଥିଲ କି ଏମ୍‍ତି ଝାଳରେ ଭିଜିଯାଇଛ ?

 

ନାଃ...କିଛି ନୁହେଁ–ଏମ୍‍ତି...

 

କ’ଣ ମ ଏମ୍‍ତି...ମଥାର ସିନ୍ଦୂର ପାଣି ହୋଇ ନାକତଳକୁ ବହି ଗଲାଣି–ଏଥର ଯୁଥିକା କୁରୁଳି କୁରୁଳି ହସିବାରେ ଲାଗିଲେ । ହସର ଲହରାୟିତ ତରଙ୍ଗରେ ଶବ୍ଦ ଫେର୍‍ ଫେରି ଆସିଲା–

 

ଧନେଶ୍ୱର...

 

ଯୁଥି ! ଆ ବେଡ଼୍‍ରୁମ୍‍କୁ ଆ...ଯା ହେଉ ତୁ ଆସିଗଲୁ । ଏକଲା ଏଠି ଏତେ ବୋର୍‍ ଲାଗୁଥିଲା...ପାଣି ଢୋକେ ପିଇ ସୁସ୍ମିତା ଦମ୍‍ ନେଲେ । ଗପର ଖିଅ ଯୋଡ଼ିଲେ–ସେ ଏଡ଼ିକି ଅଜବ୍‍ ଲୋକ ! କେଉଁଥିରେ ଭଲା ତାଙ୍କର ନିଘା ଥାଏ ? ଡ୍ରଇଂ ରୁମ୍‍ର ଅବସ୍ଥା ଯା’ ହୋଇଥିଲାନା...ଏଡ଼ିକି କ୍ୟାରଲେସ୍‍ !

 

କଥା ଛଡ଼େଇ ନେଲା ଭଳି ଯୁଥିକା ହସର ପ୍ଳାବନୀ ବୁହେଇ ଦେଇ ଇଙ୍ଗିତ ପ୍ରକାଶ କଲେ–କ୍ୟାରଟେକର୍‍ ତ ଅଛନ୍ତି । ଆଉ ସେ କ୍ୟାରଲେସ୍‍ ହେଲେ କ’ଣ ବା ଭାସିଗଲା ?

 

ଏଥର ସୁସ୍ମିତା ହସିଲେ । ତାଙ୍କ ମୁହଁ ଉପରେ ଯେମିତି ଚନ୍ଦ୍ର ଉଦୟ ହେଲା । ଆତ୍ମ-ତୃପ୍ତିରେ ତାଙ୍କ ଆଖି-ଅଭ୍ୟନ୍ତର ସମୁଦ୍ରର ପ୍ରଶାନ୍ତ ନୀଳିମାରେ ଭରିଗଲା ।

 

ଯୁଥି ! ସାର୍‍ ଫେରି ନାହାନ୍ତି କି ?

 

ସାର୍‍ ? ସିଏ କ’ଣ ଏଇନେ ଫେରିବେ ? ତାଙ୍କର ତ ଦୁନିଆ ଯାକର ଧନ୍ଦା । କେଉଁଠି କବିତା ପାଠ ତ ଆଉ କେଉଁଠି ସଙ୍ଗୀତ ଆସର । ଲାଜ ନାହିଁ ତାଙ୍କୁ ! ଘର କଥା ଟିକେ ମୁଣ୍ଡକୁ ନିଅନ୍ତେ ଭଲା ! ଏଇ ଅଧ୍ୟାପକ ଜାତିଟା...

 

ଖରାପ ? ନୁହେଁ ଲୋ ଯୁଥି ? ଘରେ ଗୋଟାଏ ତ ବାହାରେ ଗଣ୍ଡାଏ !

 

ଠିକ୍‍ କଥା କହିଲ ଅପା । କଲେଜ ତ ପାଞ୍ଚଟା ନ ବାଜୁଣୁ ବନ୍ଦ । ଆଉ ତମେ କିଆଁ ରାତି ଦଶ, ବାରରେ ଘରକୁ ଲେଉଟିବ ? ଏଇ କଥା ପରା ମୁଁ ସେଦିନ ପ୍ରଶ୍ନ କଲାରୁ ତମ ସାର୍‍ କ’ଣ ଉତ୍ତର ଦେଲେ ଜାଣିଛ ?

 

କ’ଣ ? –ସୁସ୍ମିତାଙ୍କ ଉତ୍କଣ୍ଠା ବଢ଼ିଲା ।

 

କ’ଣ ! କହିଲେ–ଯୁଥି ମତେ ନେଇ କ’ଣ ଗର୍ବ କରିବାପାଇଁ ତମର କିଛି ନାହିଁ ? ଆଉ ୟାଡ଼ୁସ୍ୟାଡ଼ୁ କବିତା ଆବୃତ୍ତି ! ଆଉ ଦିନେ–କହିଲେ, ମୁଁ ଆଜି ଫେରୁ ଫେରୁ ରାତି ହୋଇପାରେ...ମୁଁ ତ ଚିଡ଼ି ଉଠିଲି–କେଉଁ ଦିନ ଭଲା ରାତିରେ ନ ଫେରୁଛ ଯେ...

 

ଆଚ୍ଛା ଯୁଥି, ଏତେ ରାତିଯାଏଁ ସେ ବାହାରେ କ’ଣ କରନ୍ତି ? ତା’ ଘରେ ଥାଆନ୍ତି...ଯୁଥିକା ନାଟକୀୟତା ପ୍ରକାଶ କଲେ । କା’ ଘରେ ମ ?

 

ସେଇ ଉଷା ନାୟକ ଘରେ । ଏଡ଼ିକି ନିର୍ଲଜ୍ଜୀ ଯେ ସେ ଝିଅଟା ସବୁ ଜାଣିଶୁଣି ସେ ଭଲା ୟାଙ୍କୁ... ?

 

ଛିଃ...ଛିଃ...ଦି’ ଦି’ଟା ଛୁଆର ବାପା ହୋଇ ସେ ଫେର୍‍ ଏଡ଼ିକି ଅପକର୍ମ କରି ବସନ୍ତି ? ମୁଁ ହୋଇଥିଲେ ସିଧା ଡାଇଭର୍ସ କରି ସାରନ୍ତିଣି । ତୁ ସିନା ସୋବର୍ ବୋଲି ସବୁ ମୁଣ୍ଡପାତି ସହି ନେଉଛୁ । କିନ୍ତୁ ମୁଁ ?

 

ଯୁଥିକା ଅନୁତାପ କଲେ–ସତରେ ସେ ଏଡ଼ିକି ମିଛ କହିପାରନ୍ତି ? ଏମ୍‍ତି ମନଗଢ଼ା କାହାଣୀ ଅନ୍ୟକୁ ଶୁଣେଇ ପାରନ୍ତି ? ସମୀର୍‍ ତ ଠିକ୍‍ ପାଞ୍ଚଟାରେ ଘରକୁ ଫେରନ୍ତି...ଚା’ ଜଳଖିଆ ଖାଇ ବଜାର ଯାଆନ୍ତି ସଉଦାପାଇଁ–ବଜାରୁ ଫେରି ରଞ୍ଜୁ ଓ ଅଞ୍ଜୁ ସହିତ ପିଲାଳିଆ ଗପରେ ମଜ୍ଜିଯାନ୍ତି...ଯୁଥିକା କିଛି ବୁଝିପାରୁନଥିଲେ କି ନିଜ ସ୍ୱରକୁ ବିଶ୍ୱାସ ବି କରିପାରୁନଥିଲେ । ତଥାପି ତୃପ୍ତି, ମିଥ୍ୟାର ଛଳନାର ସୁରାରେ ଅବଶୋଷର ତୃଷ୍ଣା ମେଣ୍ଟି ଯାଉଥିଲା । ଅସହ୍ୟ ମଧ୍ୟାହ୍ନର ରୌଦ୍ରତାପ ଅନୁଭବ ନ କଲେ ରାତ୍ରିର ଶୀତଳ ଜ୍ୟୋତ୍ସ୍ନା ବା କେମିତି ଉପଭୋଗ୍ୟ ହେବ ? ଦ୍ୱିତୀୟ ପୃଥିବୀର ଦହନ ନଥିଲେ ପ୍ରଥମ ପୃଥିବୀ କେମିତି ଶାନ୍ତ ହେବ ? ତେବେ ଯୁଥିକା ନିଜର ଆତ୍ମତୃପ୍ତି ପାଇଁ ନିଜ ପୁରୁଷର ଚରିତ୍ରରେ କଳଙ୍କ ବୋଳି ପାରନ୍ତି ? ସେ ନିଜକୁ ଘୃଣା କଲେ । ନିଜକୁ ସନ୍ଦେହ କଲେ–ଏଇ ସେଇ ଯୁଥିକା ନା ଯିଏ ପ୍ରତ୍ୟେକ ରାତ୍ରିରେ ଆତ୍ମହରା ହୋଇ ସମୀରଙ୍କ ଚଉଡ଼ା ଛାତିରେ ଲୋଟିଯାନ୍ତି...ତାଙ୍କ କାନ ମୁଣ୍ଡ ଲାଲହୁଏ–ଛାତିର ସ୍ପନ୍ଦନ ବଢ଼ିଯାଏ–ନିଃଶ୍ୱାସ ଗରମ ହୋଇଉଠେ–ଦେହରେ ବେପଥୁ ଜାଗେ । କିନ୍ତୁ ଯୁଥିକା ଅନେକ ପ୍ରଶ୍ନବାଚୀର ଶରବ୍ୟା ହୁଅନ୍ତି–ପୁରୁଷର ଜନ୍ମ କ’ଣ ଗୋଟିଏ ତୀର୍ଥରେ ପବିତ୍ର ହେବାପାଇଁ ? ତାଙ୍କ ସ୍ୱାମୀଙ୍କ ତୃପ୍ତିର ସମ୍ପୂର୍ଣ୍ଣତା କ’ଣ ଗୋଟିଏ ପକ୍ଷୀର କୂଜନରେ ? ସେ ସିନା ତାଙ୍କ ଦେବତା । କିନ୍ତୁ ସେ କ’ଣ ଅନ୍ୟ କେଉଁ ତରୁଣୀର ଦାନବ ପାଲଟି ପାରିବେନି ?

 

ଆଚ୍ଛା, ଯୁଥି, ତୁ ଏଣିକି ତାଙ୍କୁ ଚେକ୍‍ କର ।

 

ମିଥ୍ୟାର ଘୂର୍ଣ୍ଣି ଫେର୍‍ ଲେଉଟି ଆସିଲା । ତାଙ୍କ ସ୍ୱାମୀଙ୍କ ଅସମ୍ମାନ ସେ ସହିପାରିବେନି-। ଅସମ୍ମାନ...

 

ଭାଉଜ ସେଦିନ ଯୁଥିଙ୍କୁ ଥଟ୍ଟା କଲେ–ତମର ସେ ଏଡ଼ିକି ଓଲ୍‍ଡ଼ ଫ୍ୟାସେନ୍‍ଡ଼ ! ତାଙ୍କୁ ଟିକେ ମଡ଼େର୍ଣ୍ଣ କରୁନା ଯୁଥି...ଠିକ୍‍ ଅଜବ୍‍ ଜୀବଟିଏ...ତାଙ୍କୁ ତମେ ସେଇ ବିଉଟି ସାଲୁନ୍‍କୁ ପଠାଇ ଦିଅ ଯେ ଠିକ୍‍ ମନଲାଖି ମଣିଷଟିଏ ତମର ହେବେ...

 

ଯୁଥି ଆଘାତ ସହିପାରନ୍ତି । ଆଘାତ ଦେଇ ଜାଣନ୍ତିନି । ସେ ସେ’ଦିନ ଗୁମୁରି ଗୁମୁରି କାନ୍ଦିଥିଲା । ନିଜକୁ ଘୃଣା କରିଥିଲା । ନିଜ ବାପା-ମା’ଙ୍କ ଉପରେ ବିରକ୍ତ ହୋଇଥିଲା–କେମିତି ଭଲା ସେମାନେ ୟାଙ୍କୁ ଚଏସ୍‍ କରିଥିଲେ କ’ଣ ଦେଖି ?

 

ତା’ପରେ ରାତି ନ ପାହୁଣୁ ଅଡ଼ି ବସିଲେ–ବୋଉ, ମୁଁ ଚାଲିଯିବି । ମତେ ଏଠି ରହିବାପାଇଁ ଜମା ଭଲଲାଗୁନି...

 

କାହିଁକି ମା’ ? କ’ଣ ହେଲା କି ? କିଏ କ’ଣ କହିଲା ? ମା’ ତାଙ୍କୁ ଅନେକ ବୁଝାଇଥିଲେ-। କିନ୍ତୁ ସେ ଅବୁଝା ହେଲେ । ମା’ ଘରୁ ଶାଶୁଘରକୁ ଲେଉଟି ଆସିଲେ । ସେସବୁ ଅନେକ ଦିନର କଥା–ରଞ୍ଜୁ ଓ ଅଞ୍ଜୁ ଜନ୍ମ ହୋଇନଥିଲେ ।

 

ଆଜି । ଅସମ୍ମାନ–

 

ଯୁଥିକା ସହିପାରିବେନି । ସମୀର କ’ଣ ଡାକ୍ତର ଅରୂପପରି ସୌମ୍ୟକାନ୍ତ ନୁହଁନ୍ତି ? ଅରୂପ ପଛରେ କୁଆଡ଼େ କେତେ ତରୁଣୀ ନର୍ସମାନେ ନିଜ ନିଜ ଭିତରେ ବେଟ୍‍ ମରାମରି ହୁଅନ୍ତି ! ତାଙ୍କର ହଠାତ୍‍ ମନେ ପଡ଼ି ଯାଉଥିଲା ଅରୂପଙ୍କ ସହଧର୍ମିଣୀ ସରସୀଙ୍କ କଥା କେଇପଦ–

 

ବୁଝିଲ ଯୁଥି ! ଡାକ୍ତରଙ୍କ ପାଇଁ କେତେ କିନ୍‍ କମ୍ପିଟେସନ ! ସେ ଗତ ରାତିସାରା ମତେ ଯାହା ହସେଇଲେ–ସରସୀ ସେଦିନ ମଧ୍ୟ ହସରେ ଲୋଟି ଯାଉଥିଲା, ଗର୍ବରେ ତାଙ୍କ ଛାତି ଫୁଲି ଉଠୁଥିଲା ।

 

ମଲା, କାଲିର ହସ ଆଉରି ସରିନି ? କାହିଁକି ଏମିତି ହସି ହସି ଗଡ଼ିଯାଉଛ, ଶୁଣେ ? ଯୁଥିକା ଘୃଣାରେ ପେଷି ହୋଇଯାଇଥିଲେ । ଏକ ବ୍ୟଥାରେ ଭାଙ୍ଗି ପଡ଼ିଥିଲେ । ସେ କୃତ୍ରିମ ହସର ଖୋଳପା ଭିତରେ ନିଜର ଅସୂୟାକୁ ଲୁଚେଇବା ପାଇଁ ଚେଷ୍ଟା କରିଥିଲେ । ତଥାପି ବ୍ୟଥାର ଆଘାତରେ ସେ କାନ୍ଦ କାନ୍ଦ ହୋଇଥିଲେ ।

 

ଶୁଣିବ ତାଙ୍କ ହସର କାହାଣୀ ? ତାଙ୍କ ହସ୍‍ପିଟାଲରେ ସେଇ ଯେଉଁ ନର୍ସଟା ଯିଏ ଅଞ୍ଜୁ ଜନ୍ମବେଳକୁ ତୁମ ଘରକୁ ଆସିଥିଲା, ସେଇ, ସେଇ ନର୍ସଟି ତା’ ସାଙ୍ଗ ନର୍ସକୁ କହୁଛି–ଆଜି ସନ୍ଧ୍ୟାରେ ସାର୍‍ଙ୍କ ସାଙ୍ଗରେ ମୋର ଡେଟିଂ ଅଛି–ଇୟେ ଆମର ରାଉଣ୍ଡ ଦେଇ ଫେରୁଥାନ୍ତି । ସେ ସେଇ ଦି’ଜଣଙ୍କ କଥା ଶୁଣି ମନେ ମନେ ହସିଲେ । ତାଙ୍କର ଦୟା ହେଲା–ବେଚାରୀ...କିନ୍ତୁ ଯୁଥି, ଡାକ୍ତର ତ ଅଜବ ଲୋକ । ସେକ୍‍ସ ମ୍ୟାଟେରରେ ସେ ଭାରି ରିଜିଡ଼୍‍, ପୂରାପୂରି ପ୍ୟୁରିଟାନ୍‍ କହିଲେ ଚଳେ....

 

ଯୁଥିକା ସେ’ଦିନ ଆତ୍ମ-ଦହନରେ ଦଗ୍‍ଧ ହୋଇଥିଲେ । ସରସୀ କ’ଣ ଜାଣେନି–ତା’ ସ୍ୱାମୀ ବିରୁଦ୍ଧରେ ରାସ୍ତା ଘାଟରେ ଦୁର୍ନାମର ଯେଉଁ ଡିଣ୍ଡିମ ବାଜୁଛି ? କିନ୍ତୁ ଯୁଥିକା ନିଜ ଉପରେ ଅଭିମାନ କରି ସଙ୍କୁଚିତ ହୋଇଯାଇଥିଲେ–କାହିଁ ସମୀରଙ୍କ ବିରୁଦ୍ଧରେ ଦିନେ ହେଲେ ଅପବାଦର ନାଗରା ବାଜିଲାନି, ଦୁର୍ନାମର ବିଷପାତ୍ର ଚହଲି ଗଲାନି ? –ଅଧ୍ୟାପକ ସମୀର ଦାସ ଆଜି ଅମୁକ ଝିଅ ସହିତ ପାପ ପ୍ରଣୟରେ ଲିପ୍ତ ! ସତରେ, ତାଙ୍କର ପ୍ରତିଷ୍ଠା, ବ୍ୟକ୍ତିତ୍ୱ, କାବ୍ୟିକତା କାହାକୁ ହେଲେ ଆକର୍ଷିପାରୁନି ? ସେ କ’ଣ ଦିନେବି ନିଜ ସ୍ୱାମୀଙ୍କ ଦୁର୍ନାମକୁ ନେଇ ଗର୍ବିତା ହେବାର ସୁଯୋଗ ପାଇବେନି ? ସମୀରଙ୍କ ନଷ୍ଟ ଚରିତ୍ରକୁ ଅନ୍ୟମାନଙ୍କ ଆଗରେ ବଖାଣି ଅନ୍ତର୍ଦହନର ଜ୍ୱାଳାରେ ନିଜକୁ ସନ୍ତୁଳି ପାରିବେନି ? କିମ୍ୱା ସେମାନଙ୍କଠାରୁ ସାନ୍ତ୍ୱନାର କଥା ପଦିଏ ଶୁଣିବେନି ?

 

ଦୀର୍ଘ ସମୟର ଆଳାପନୀରେ ସରସୀ ଓ ଯୁଥିକାଙ୍କ ହୃଦୟର ସାଗରରୁ ହସର ଢେଉମାନେ ସେଇ–ସେ’ ଦିନର–ନିସ୍ତରଙ୍ଗ ମଧ୍ୟାହ୍ନର ଉପକୂଳରେ ବାରମ୍ୱାର ଆଘାତ କଲେ । ସେ ଆଘାତ ଆଜି ବି ମନେପଡ଼ୁଛି ସୁସ୍ମିତାଙ୍କ ପ୍ରଶ୍ନରେ । ଯୁଥିକା କ୍ୱାଟରସ୍‍କୁ ଲେଉଟି ଆସିଲେ ।

 

ସୁସ୍ମିତା ଓ ପ୍ରଶ୍ନ–ତାଙ୍କୁ ଟିକେ ଚେକ୍‍ କରୁନା...ସେଇ ପ୍ରଶ୍ନ ବାରମ୍ୱାର ଲେଉଟି ଆସୁଛି । ଯୁଥିକା ମନେ ମନେ ଭାବି ଚାଲିଲେ–ତା’ ପୁରୁଷ କ’ଣ ସୁସ୍ମିତା ସ୍ୱାମୀ ଭଳି ମଦ୍ୟପ, ଲମ୍ପଟ ! ସମୀର ବୁଦ୍ଧ, ପବିତ୍ର, ଶୁଦ୍ଧ । କିନ୍ତୁ ସେ ନିଜକୁ ବୁଝେଇ ପାରନ୍ତିନି । ସେ କାହିଁକି ସରସୀର ସ୍ୱାମୀପରି କ୍ଲବ୍‍କୁ ଯାଆନ୍ତିନି ? ସମ୍ପେନ୍‍ ନିଶାରେ ମାତାଲ ହୋଇ ଲେଟ୍‍ ନାଇଟରେ ଘରକୁ ଲେଉଟନ୍ତିନି କିମ୍ୱା ଅନ୍ୟମାନଙ୍କ ପରି ତରୁଣୀମାନଙ୍କ ସହ ଡେଟିଂ କରିପାରନ୍ତିନି ? ସେ କ’ଣ ପୁରୁଷ ନୁହଁନ୍ତି ? ଅନ୍ୟ ନଈ ପାଇଁ ତାଙ୍କଠି କ’ଣ ପୁରୁଷର ସେ ଆଦିମ ତୃଷ୍ଣା ନାହିଁ ? ତାଙ୍କର କ’ଣ ବ୍ୟକ୍ତିତ୍ୱ ନାହିଁ କିସମ୍‍ କିସମ୍‍ ଚଢ଼େଇମାନଙ୍କୁ ଅକ୍ତିଆର କରିବାପାଇଁ ? ସେ କ’ଣ ଏଡ଼େ କଦାକାର-! ଏଡ଼ିକି ଉଦାସ ? ଏଡ଼ିକି ନିର୍ଲିପ୍ତ ? ଏଡ଼ିକି ଇମ୍ପୋଟେଣ୍ଟ୍ ? ତାଙ୍କର ସ୍ପର୍ଶରେ କ’ଣ ଅଗ୍ନି ନାହିଁ ଅନ୍ୟ ତରୁଣୀମାନଙ୍କୁ ତରଳେଇ ଦେବାପାଇଁ ? ତେବେ ତା’ ସ୍ୱାମୀ–ଅଧ୍ୟାପକ ସମୀର ଦାସ–କ’ଣ ? ସେ କେଉଁ ବସ୍ତୁମାନଙ୍କର ସମାହାର ?

 

କଲେଜ ଛାତ୍ରୀ ସୁଷମାର ମନ୍ତବ୍ୟ ମନେପଡ଼ିଯାଉଥିଲା–ଭାଉଜ ! ସାର୍‍ ଭାରି ଭଲ ଲୋକ । କିନ୍ତୁ ଟିକେ କଥାରେ ରାଗି ଯାଆନ୍ତି । ଜମା କ୍ଲାସରେ ହସନ୍ତିନି କି ଝିଅମାନଙ୍କ ପଟକୁ କ୍ଲାସରେ ଲେକ୍‍ଚର ଦେଉଥିଲାବେଳେ ମୋଟେ ଚାହାନ୍ତିନି...ତାଙ୍କୁ ଦେଖିଲେ ଭାରି ଭୟ ମାଡ଼େ-। ଆଚ୍ଛା, ଭାଉଜ, ସାର୍‍ କ’ଣ ଘରେ ହସନ୍ତି ? ତମ ଉପରେ ଚିଡ଼ି ଚିଡ଼ି ହୁଅନ୍ତି ? ରଞ୍ଜୁ ଅଞ୍ଜୁ ଉପରେ ବିରକ୍ତ ହୁଅନ୍ତି... ?

 

ଯୁଥିକା କି ଉତ୍ତର ଦେବେ ? ସେ ଖାଲି ହସିଥିଲେ, ମନେ ମନେ ସମୀରଙ୍କୁ ଘୃଣା କରିଥିଲେ–ଏମ୍‍ତି ଗମ୍ଭୀର ହେଲେ କିଏ ଭଲା ୟାଙ୍କୁ ଲାଇକ୍‍ କରିବ ? ପ୍ରେଇଜ୍‍ କରିବ ? ମୁଁ ତାଙ୍କୁ କେତେ କହିଛି–ମୁହଁକୁ ହସହସ କରିବାପାଇଁ ? କିନ୍ତୁ ସମୀର ଯୁକ୍ତି ବାଢ଼ନ୍ତି–ଯୁଥି, ନିଜକୁ ଖୋଲିଦେଲେ ସ୍ୱରୂପ ପଦାରେ ପଡ଼ିଯିବ, ମୁଖା ଖୋଲିଗଲେ ଦୁନିଆ ଘୃଣା କରିବ....

 

ଯୁଥିକା ନିଜକୁ ତାଡ଼ା ତାଡ଼ା ପ୍ରଶ୍ନ ପଚାରିଲେ । ଉତ୍ତର ପାଇଲେନି । ସେ ଶୂନ୍ୟ ଦୃଷ୍ଟି ଦେଇ ପଲଙ୍କ ଉପରେ ଚିତ୍‍ ହୋଇ ପଡ଼ିରହିଲେ, ଛାତର କଡ଼ି ବରଗା ଗଣି ଚାଲିଲେ । କିନ୍ତୁ ପ୍ରଶ୍ନବାଚୀର ଗୋଲକଧନ୍ଦାରୁ ମୁକୁଳି ପାରିଲେନି କି ଆତ୍ମ-ବିଶ୍ଳେଷଣରୁ ମୁକ୍ତି ପାଇଲେନି ଆଜି ।

 

ସୁସ୍ମିତାଙ୍କ ତାଚ୍ଛଲ୍ୟ–ଆମର ସେ ସମୀରବାବୁଙ୍କ ପରି ଏଡ଼ିକି ଅଭଦ୍ର ନୁହଁନ୍ତି । ସେ ଭାରି ଫ୍ରିଜିଡ଼୍‍–

 

ଯୁଥିକା ଥଟ୍ଟା କରିଥିଲେ ଅଭିନୟରେ, ମୁଖା-ପିନ୍ଧା ମୁହଁରେ ଧନେଶ୍ୱରବାବୁ ତ ଫ୍ରିଜିଡ଼୍‍, ଆଉ ତମେ ଜିନୁ, କୁନୁମାର ମା’ ହେଲ କେମ୍‍ତି ମ ଅପା ?

 

ତୁ ଯେମ୍‍ତି ମା’ ହେଲୁ...ସୁସ୍ମିତା ହସର ବନ୍ୟା ଆଜିର ନୀରସ ମଧ୍ୟାହ୍ନରେ ଛୁଟାଇ ଦେଇଥିଲେ । ଯୁଥିକା ନିଜକୁ ଅସହାୟ ମନେକଲେ–ସେ କେମ୍‍ତି ତାଙ୍କ ଦୁର୍ନାମ ରଚିପାରୁନି ? ସେ ଅନୁତାପରେ ଦଗ୍‍ଧୀଭୂତ ହୋଇଯାଇଥିଲେ । ସେ ଆସିଲେ ତାଙ୍କରି ପାଦତଳେ ପଡ଼ି ଲୁହ ଢାଳିବ, ମିନତି କରିବ–ତମେ ଦାନବ ହୁଅ । ତେବେ ଯାଇ ମୁଁ ମାନବୀ ହେବି...

 

ହଠାତ୍‍ ତାଙ୍କ ଭାବନାର ଜୁଆରରେ ଭଟ୍ଟା ପଡ଼ିଲା । ବାହାରେ କଲିଂବେଲ୍‍ ବାଜି ଉଠିଲା । ସେ ଦରଜା ଖୋଲିଲେ । ଆଡ଼ ହୋଇ ଠିଆ ହେଲେ । ଲାଜରେ ନୁହେଁ, ଅଭିମାନରେ । ସମୀର ତାଙ୍କୁ ଦି’ହାତରେ ଛାତି ଉପରକୁ ଗୋଟାଇ ନେଲେ ।

 

ଯୁଥି ! ମୁହଁ ଏମ୍‍ତି ମଉଳି ଯାଇଛି କାହିଁକି ? କ’ଣ କାନ୍ଦୁଥିଲ ? ଆରେ, ରଞ୍ଜୁ–ଅଞ୍ଜୁ, ଶୁଣ–ତମ ବୋଉ କାନ୍ଦୁଛି । ସ୍ୱାମୀଙ୍କ ସୋହାଗରେ ଯୁଥିକାଙ୍କ ଅନୁରାଗ ଜନ୍ମିଲା, ଅନୁକମ୍ପା ବଢ଼ିଲା–ମୁଁ କାହିଁକି କାନ୍ଦିବି ମ ? ମୋର କ’ଣ ହୋଇଛି କି ? –ଯୁଥିକା ଫିକ୍‍କିନା ହସି ଦେଲେ ।

 

ଆଚ୍ଛା, ତମେ କାନ୍ଦିବନି କେମ୍‍ତି ? ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର, ଯୁଥିରାଣୀ କାନ୍ଦୁଛନ୍ତି ଦେଖି ବୁଢ଼ା ବର...ଯୁଥି, ସତରେ ମୁଁ ବୁଢ଼ା ହୋଇଗଲି ! ନା ?–ଉତ୍ତର ଆଶାରେ ସମୀର ତାଙ୍କ ଆଖିକୁ ଚାହିଁରହିଲେ ।

 

ବୁଢ଼ା ନୁହଁ ତ ଆଉ କ’ଣ ପିଲା ! ଯୁଥିକା ଲାଜରେ ମୁହଁ ତଳକୁ କଲେ ।

 

ଶୁଣିଲଣି ଯୁଥି ! ଅରୂପବାବୁ ସିରିୟାଶ୍‍ ଏକ୍‍ସିଡ଼ାଣ୍ଟରେ...

 

କ’ଣ ହେଲା ? କେମିତି ?

 

ସେଇ ଉଷା ନାୟକ ତାଙ୍କୁ ଖାଇଲା । ଅରୂପବାବୁଙ୍କୁ ମୁଁ କେତେ ଥର ନ ବୁଝାଇଛି । ତଥାପି ସେ କ’ଣ ଭ୍ରୂକ୍ଷେପ କଲେ ? ସେଇ ଝିଅଟା ପିଛା ସହରରେ କେତେ ଯେ ପାଗଳ–ତା’ର ଇୟତ୍ତା ନାହିଁ । ବିଚାରା ଶେଷରେ....

 

ସେ ଭଲ ହୋଇଯିବେ ତ ?

 

ଭଲ ହେବେ ଯେ, କିନ୍ତୁ ତା’ଲାଗି ତାଙ୍କୁ ଗୋଟିଏ ଗୋଡ଼ ହରେଇବାକୁ ପଡ଼ିବ....

 

ଯୁଥିକା ବିଶ୍ୱାସ କରିପାରୁନାହାନ୍ତି ଯେ ସରସୀ ସେଦିନ ତାଙ୍କ ଆଗରେ ଏତେ କେମ୍‍ତି ଭଲେଇ ହୋଇପାରିଲା–ଡାକ୍ତରଙ୍କ ପାଇଁ ଯେଉଁ କିନ୍‍ କମ୍ପିଟିସନ୍‍ ! କିନ୍ତୁ ଆଜି ? ଯୁଥିକା ହୃଦୟ ଦୟାରେ ତରଳି ଯାଉଥିଲା–ତାଙ୍କର ପ୍ରାଣ କାନ୍ଦିଉଠିଲା–ପ୍ରଭୁ ! ଅରୂପବାବୁଙ୍କୁ ବଞ୍ଚେଇ ଦିଅ, ତାଙ୍କୁ ସଦ୍‍ବୁଦ୍ଧି ଦିଅ, ସରସୀର ସଂସାରକୁ ରକ୍ଷାକର...ଯୁଥିକା କାନି ପଣତରେ ଆଖି ପୋଛି ନେଲେ ।

 

ଯୁଥି, ଆଜି ମୋ’ପାଇଁ ଗୋଟିଏ ଭାରି ସୁନ୍ଦର ଜିନିଷ ପାଇଛି । ନେବ ତ ନିଶ୍ଚୟ, ତେବେ ପ୍ରତିଦାନରେ ଦେବ କ’ଣ ?

 

ଯୁଥିକା ନୀରବ ରହିଲେ ।

 

ନାହିଁ ମ, ଆକ୍‍ସିଡ଼ାଣ୍ଟ୍ ନିହାତି ମାଇନର୍‍ । ମୁଁ ପରା ଏଇ ହସ୍‍ପିଟାଲରୁ ଫେରୁଛି । ସରସୀ ତା’ ବାପାଘରକୁ ଯାଇଛି । ତା’ ପାଖକୁ ମଧ୍ୟ ମୁଁ ଟେଲିଗ୍ରାମ୍‍ ପଠାଇଛି ।

 

ତେବେ ସେ କ’ଣ ହସ୍‍ପିଟାଲରେ ଏକେଲା !

 

ନା, ଅନେକ ବନ୍ଧୁ ଅଛନ୍ତି । ମୁଁ ମଧ୍ୟ ୟା’ପରେ ଯିବି । କିନ୍ତୁ ତମକୁ ଏଇ ଖୁସିର ଖବରଟା ଦେବାପାଇଁ ଚାଲି ଆସିଲି । ଆଚ୍ଛା, ନେବ ? କିନ୍ତୁ କ’ଣ ଦେବ ?

 

ଯାହା ଚାହିଁବ, କିନ୍ତୁ ଅବିକା ନୁହେଁ । ରାତିରେ...

 

ରାତିରେ ! କ’ଣ ଦେବ ?

 

ତମେ ମୋର ମୁଣ୍ଡ ଉପରୁ ପାଦ ତଳଯାଏଁ ଖୋଜିଯାଅ । ଯାହା ପାଇବ ଓ ଯେତିକି ଚାହିଁବ–ଯୁଥିକା ଲାଜେଇ ଗଲେ ।

 

ସମୀର ଯୁଥିକା ସାମ୍ନାରେ ନିଜର ସଦ୍ୟ ପ୍ରକାଶିତ ଗଳ୍ପ ସଂକଳନ ‘ସୀମନ୍ତିନୀର ଶୋକ’କୁ ଖୋଲି ଦେଲେ । ଉତ୍ସର୍ଗ ପୃଷ୍ଠାଟି ତାଙ୍କୁ ପଢ଼େଇ ଶୁଣେଇଲେ–ଯିଏ ମୋର ଅନ୍ଧାରରେ ଆଲୋକର ଦିହୁଡ଼ି । ସକାଳ-ସନ୍ଧ୍ୟା-ରାତିରେ ସଙ୍ଗିନୀ, ସାଧନାରେ ବି ସହଗାମିନୀ–ସେଇ ମୋର, ଖାସ୍‍ ମୋର ଯୁଥିକା ରାଣୀ...ଯୁଥିକା ସ୍ୱପ୍ନାବିଷ୍ଟ ହୋଇଉଠିଲେ । ତାଙ୍କ ଆଖିରୁ ଦି’ଟୋପା ସଂତୃପ୍ତିର ଲୁହ ସମୀର ଛାତିରେ ଲୋଟିଗଲା । ଲୁହଭରା ଆଖିରେ ସେ ସମୀରଙ୍କୁ ଚାହିଁ ରହିଲେ । ସେ ଏତେ ସୌମ୍ୟକାନ୍ତ ! କିନ୍ତୁ ସରସୀର ସ୍ୱାମୀପରି ନୁହଁନ୍ତି ଲମ୍ପଟ ! ସେ ପ୍ରତିଷ୍ଠିତ, କିନ୍ତୁ ସୁସ୍ମିତାର ସ୍ୱାମୀପରି ନୁହଁନ୍ତି ମଦ୍ୟପ, ନଷ୍ଟଚରିତ୍ର ! ସେ ଶୁଦ୍ଧ, ପବିତ୍ର !

 

ଯୁଥିକା ଏଥର ଗର୍ବ କରିବେ । ସେ ସୁସ୍ମିତା ଓ ସରସୀଠାରୁ ଊର୍ଦ୍ଧ୍ୱରେ । ତାଙ୍କ ସ୍ୱାମୀ ଧନେଶ୍ୱର ଓ ଅରୂପବାବୁଙ୍କ ଅପେକ୍ଷା ଢେର ଉଚ୍ଚରେ । ଯୁଥିକାପାଇଁ ଆଜି ସମସ୍ତ ଦୁନିଆ ସୁନ୍ଦର-। ଆଜି ସତେକି ପୂର୍ବଜନ୍ମ ତାଙ୍କର । ମନଟା କାହିଁକି ଆତ୍ମହରା ହୋଇଉଠୁଛି । ତାଙ୍କୁ ହାଲ୍‍କା ଲାଗୁଛି-। ସତେ ଯେମ୍‍ତି ଏକ ବିରାଟ ବୋଝ ଚାଲିଗଲା ।

 

ଯୁଥିକା ଗୋଡ଼ହାତ ଧୋଇଲେ, ଶାଢ଼ି ବଦଳାଇଲେ । ଠାକୁରଙ୍କ ପାଦତଳେ ସଞ୍ଜବତି ବାଢ଼ି ଗୁଣୁଗୁଣୁ ପ୍ରାର୍ଥନା କଲେ–ପ୍ରଭୁ ! ଦୁନିଆର ମଙ୍ଗଳ କର, ମଣିଷର ମଙ୍ଗଳ କର...

 

ଯୁଥି ! ମୁଁ ହସ୍‍ପିଟାଲକୁ ଯାଉଛି । ଫେରୁ ଫେରୁ ଡେରି ହେବ । ମତେ ଅପେକ୍ଷା କରିବନି...

 

ମୁଁ ବି ତମ ସହିତ ଯାଆନ୍ତି–ହସନ୍ତ ମୁହଁରେ ମୁରୁଜ । ଠିକ୍‍ ଅଛି । ଶୀଘ୍ର ପ୍ରସ୍ତୁତ ହୁଅ ।

Image

 

ସର୍ବନାମ

 

ଆଉରି ପାହାଚ ଚଢ଼ିବାକୁ ହେବ । ପାହାଡ଼ ଶୀର୍ଷରେ ଶିବ-ମନ୍ଦିର । ଅନେକ ବେଳ ସାବିତ୍ରୀ ପାହାଚ ପରେ ପାହାଚ ଚଢ଼ି ଚାଲିଛି । ହାଲିଆ ଲାଗୁଥିଲେ ବି ସେ ପାହାଚ ଚଢ଼ିବ, ଶିବଙ୍କ ମନ୍ଦିର-ଗମ୍ଭୀରାକୁ ଯିବ । ଏମିତି ପାହାଡ଼–ପାହାଚ ଚଢ଼ୁ ଚଢ଼ୁ ତା’ର ଯଦି ଅଦିନ-ମୃତ୍ୟୁ ହୁଏ ତା’ପାଇଁ କାହା ଆଖିରୁ ଲୁହ ଝରିବନି ।

 

ଆଉ ଉପରକୁ ଉଠି ହେବନି । ପାହାଚ ଉପରେ ସେ ଥକ୍‍କା ମାରି ବସିଲା । ଦଳକୁ ଦଳ ଯାତ୍ରୀ ତା’ ସାମ୍ନାରେ ଚାଲି ଯାଉଛନ୍ତି । ତା’ପାଇଁ କେହି ଅଟକୁ ନାହାନ୍ତି । ସେ ଉପରକୁ ଚାହିଁଲା । ପାହାଚ ଉପରେ ଯୁଗ ଯୁଗ ଧରି ପୂଜା ପାଉଥିବା ଭଗ୍ନ ମନ୍ଦିର । ସେଠି କୁଆଡ଼େ ଈଶ୍ୱର ଅଛନ୍ତି । ଆଉ ଏଇ ମଣିଷମାନେ ସେଇ ଈଶ୍ୱରଙ୍କ ପାଖକୁ ଯାଉଛନ୍ତି । ସେମାନେ ଯା’ନ୍ତୁ । ସାବିତ୍ରୀ ହିଂସ୍ର ହୋଇ ଉଠିଲା । ଏ ମଣିଷ ସିନ୍ଦୂରବୋଳା ପଥର ପାଖରେ ପ୍ରାର୍ଥନା କାହିଁକି ବାଢ଼େ ? ଆଲୋକରେ, ଅନ୍ଧାରରେ ମଣିଷ ଅନେକ ଜଘନ୍ୟ ପାପ କରୁଛି । ତଥାପି କେଉଁ ପୁଣ୍ୟ ଆଶାରେ ସେ ମନ୍ଦିରକୁ ଯାଏଁ ! ତା’ ମୁଣ୍ଡ କ’ଣ ହୋଇଯାଉଛି ଏସବୁ ଭାବି ବସିଲା ବେଳକୁ । ନାଃ, ସେ ଏଥର ଭାବିବନି, ପାହାଡ଼ର ପାହାଚ ଉପରେ ଧାଡ଼ି ବାନ୍ଧି ଯାଉଥିବା ମଣିଷର ଶୋଭାଯାତ୍ରା ଦେଖିପାରିବନି । ସେ ଯଦି ସେଦିନ ଈଶ୍ୱର ସାମ୍ନାରେ ମଣିଷ ହାତରେ ପରାଜିତା ହୋଇନଥାନ୍ତା ସେ ବି ଆଜି ଯାଇଥାନ୍ତା ଏ ମଣିଷ ଗହଳିରେ । ତା’ର ଏ ଦୁର୍ଦ୍ଦିନପାଇଁ କିଏ ଦାୟୀ ? ମଣିଷ ? ଈଶ୍ୱର ? ସାବିତ୍ରୀ ବୁଝିନି ଦାୟୀ କିଏ । ବୁଝି ବା ଲାଭ କ’ଣ ? ପକ୍ଷୀ ତ ପଞ୍ଜୁରୀ ଖାଲି କରି ଉଡ଼ିଗଲାଣି, ନଈ ସମୁଦ୍ରରେ ଲୀନ ହେଲାଣି ।

 

ବ୍ୟତିକ୍ରମ ! ହଁ, ସେ ନିଜେ ଏକ ନୂତନ ବ୍ୟତିକ୍ରମ ! ଯଦିଚ ତା’ଠି ଆଶା ଅଛି । କିନ୍ତୁ ସେ ଆଶାର ରୂପାୟନ ପାଇଁ ଜୀବନ କାହିଁ ? ସେ ବଞ୍ଚିଛି କେବଳ ମୃତ୍ୟୁକୁ ସଙ୍ଖୋଳିବା ପାଇଁ । ସେ ଖୁସି ହେବ, ଈଶ୍ୱରଙ୍କୁ ବଧେଇ ଜଣେଇବ ଯଦି ଆଜି ଏଇ ପାହାଡ଼ ଉପରେ ତା’ ପାଖକୁ ବହୁ ଈପ୍‍ସିତ ମୃତ୍ୟୁ ଆଗେଇ ଆସିବ । ଯେହେତୁ ସେ ସେଇ ପରମ ଶକ୍ତି ଈଶ୍ୱରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିନି, ସେ ତେବେ କେମିତି ଜାଣୁ ଜାଣୁ ଆତ୍ମଘାତୀ ହେବ, ଈଶ୍ୱରଙ୍କ ଇଚ୍ଛାର ବିରୁଦ୍ଧାଚରଣ କରିବ ? ସେ ଜୀବନରେ ଅନେକ ପାପ ଅର୍ଜିଛି । ଆଜି ଫେର ଆତ୍ମହତ୍ୟା କରିବ କାହିଁକି ? ଭଗବାନ ତାକୁ ମୃତ୍ୟୁ ଦିଅନ୍ତୁ, ସେ ଗ୍ରହଣ କରିନେବ । କିନ୍ତୁ ଭଗବାନଙ୍କ ଆଖିଆଗରୁ ମୃତ୍ୟୁକୁ ଚୋରାଇ ଆଣି ନିଜର କରିବନି ।

 

ତା’ ନିଜ ଭାବନାରେ ସେ ଥରି ଉଠିଲା । ପଛକୁ ବୁଲି ଦେଖିଲା–କେହି ନାହାନ୍ତି । ସେମାନେ ବହୁତ ଉପରକୁ ଉଠି ଗଲେଣି । ସେଇ ଝଙ୍କାଳିଆ ବରଗଛ ଛାଇରେ ଦଳେ ଟୋକା ବସି ରହି ତା’ରି ଆଡ଼କୁ ଚାହିଁ ରହିଛନ୍ତି । ତା’ କାନରେ ଟାଇଁ ଟାଇଁ ବାଜୁଛି, ହେଇ ଦେଖରେ, ସାବି କୁଆଡ଼େ ହମ୍ପାଳିଛି ? ଶାଳି, ଆଜି ପରା ସାବିତ୍ରୀ ଅମାବାସ୍ୟାରେ । ତା’ପରେ ମୁଠାଏ ପୈଶାଚିକ ହସରେ ପାହାଡ଼ର ନିର୍ଜନ ବାୟୁମଣ୍ଡଳ ଥରି ଉଠୁଥିଲା । ସେ ଆଉ ଶୁଣିପାରିବନି । ଆଗକୁ ଯେମିତି ସେ ଦୌଡ଼ୁଥିଲା । କାରଣ ସାମ୍ନାରେ ତା’ ପଳାୟନ, ମଣିଷର ମନ୍ଦିର, କୋଳାହଳ, ଈଶ୍ୱର...

 

ଆଗକୁ ଆଗକୁ ବଢ଼ିବାକୁ ତା’ର ବଳ ଅଣ୍ଟୁନି । ତାକୁ ସେଇ ଛୋଟ ପିଲାଟିର ବିକଳ କାନ୍ଦଣା ବାରଣ କରୁଛି । ତା’ ଆଖି ଲୁହରେ ଓଦା ହେଉଥିଲା । ପିଲାଟି ତା’ କାନି ଟାଣି ସେମିତି ଅଳି କରୁଛି । ସେ ସେମିତି କାନ୍ଦୁ । ସେଇ ପିଲାଟିକୁ ଛାତିରେ ଚାପିଧରି ସାବିତ୍ରୀ ବୋକ ଦେଇପାରିବନି । କାରଣ, ତା’ରି ସ୍ପର୍ଶରେ ଏ ନିଷ୍ପାପ ଫୁଲଟି କଳଙ୍କିତ ହେବ । ହଠାତ୍‍ ଛୁଆଟି ତା’ ସ୍ୱର୍ଗ ପାଇଗଲା । ତା’ ବୋଉ ତାକୁ କୋଳେଇ ନେଲା । ମାତାର ନିର୍ବାଣ ! କିନ୍ତୁ ସାବିତ୍ରୀର ନିର୍ବାଣ କାହିଁ-? ତା’ର ଏଇ ନର୍କକୁ କ’ଣ କେଉଁ ଶିଶୁ ଆସିପାରେ ? ସେ ଛୁଆ ଭଳି କାନ୍ଦିଲା । ଆଖି ପୋଛି ପୋଛି ଆଗକୁ ଆଗେଇଲା ।

ସେ ନିଜକୁ ବହୁତ ଧିକ୍‍କାରିଲା–କେତେ ଦିନ, କେତେ ଦିନ ଏ ଆଖିରୁ ଏମିତି ଲୁହ ଗଡ଼ୁଥିବ ? କେତେ ଦିନ ତାକୁ ଏମିତି ଅନିଚ୍ଛାସତ୍ତ୍ୱେ ଆଗକୁ ଆଗକୁ ଯିବାକୁ ହେବ ମୃତ୍ୟୁ ସହ ଭେଟ ହେବାପାଇଁ ? ଈଶ୍ୱରଙ୍କ ପାଦ ତଳର ପଥର ଉପରେ ମୁଣ୍ଡ ପିଟି ଗୁହାରି ବାଢ଼ିବାପାଇଁ ? ସେ ନିଜକୁ ଅତିଶୟ ଘୃଣା କଲା–କେଉଁ କୀର୍ତ୍ତି ଆଶାରେ ବା କେଉଁ ସୁଖର ନିଶାରେ ସେ ଏତେ ଦିନ କଳୁଷିତ ଆତ୍ମା, ଶତ ପୁରୁଷର ହାତ, ଦାନ୍ତ, ନଖ ଦାଗ ବାଜିଥିବା ଅଇଁଠା ଦେହ ନେଇ ଏ ପୃଥିବୀ ମାଟିରେ, ମଣିଷର ହିଂସ୍ର ଦୃଷ୍ଟିରେ ଜୀଇଁ ରହିଥିବ ? ବରଂ ମୃତ୍ୟୁ ହିଁ ବନ୍ଦନୀୟ । କିନ୍ତୁ ମୃତ୍ୟୁ କାହିଁ ?

ଶିବମନ୍ଦିର ପାଖରେ ପହଞ୍ଚିବାକୁ ଆହୁରି ଥୋଡ଼ାଏ ବାଟ ବାକି । ପାହାଚ ଉପରେ ଜନଗହଳି ପାହାନ୍ତା ପ୍ରହରପରି ପାଣିଚିଆ ହେଲାଣି । ସମସ୍ତେ ବେଢ଼ା ଭିତରେ ପହଞ୍ଚି ସାରିବେଣି, ସେ କେମିତି ପାରୁନି ? ମୁଣ୍ଡ ଭିତରେ ଭାବନାର ବାବନାଭୂତ ରାଜୁତି କରୁଛି । ଅତୀତକୁ ନେଇ ତାକୁ କ’ଣ ଏମିତି ସର୍ବଦା ବଞ୍ଚିବାକୁ ପଡ଼ିବ ? ଇଏ କ’ଣ ଈଶ୍ୱରଙ୍କ ଅଭିସମ୍ପାତ ? ହୋଇପାରେ । ତମ ସାମ୍ନାରେ ଏତେ କାଣ୍ଡ ଘଟିଗଲା । ତମେ କେମିତି ଦାରୁ ପାଲଟି ଗଲ ? ତମର କ’ଣ ଗୋଡ଼ ଚଳିଲାନି ସେଇ ଲୋକକୁ ଶାସ୍ତି ଦେବାପାଇଁ ? ନା ତମର ହାତ ଉଠିଲାନି ଲୋକଟିର ତୋଟି କଣା କରି କଞ୍ଚା ରକ୍ତ ପିଇଯିବା ପାଇଁ ? ତମେ କ’ଣ ସତରେ ପଥର ! ତମର ପୃଥିବୀ ବିଶ୍ୱାସଶୂନ୍ୟ ? ତମେ ଆଉ ମଣିଷର ମାଟିରେ ଜୀଇଁ ରହି ଲାଭ କ’ଣ ? ଖାଲି ପୂଜା ପାଇବାପାଇଁ ? ମଣିଷର ଲୁହ ଦେଖି ପଥର ଗମ୍ଭୀରା ଭିତରେ ନିଃଶବ୍ଦ ହସ ହସିବା ପାଇଁ ? ସାବିତ୍ରୀ ଅଭିମାନରେ ଈଶ୍ୱରଙ୍କୁ ଅଭିଶାପ ଦେଇଛି । କିନ୍ତୁ ମଣିଷର ଅଭିଶାପ ଭଗବାନଙ୍କର କିଛି କ୍ଷତି କରିପାରେନା ।

–ତା’ପରେ ସାବିତ୍ରୀର କ’ଣ ପରିବର୍ତ୍ତନ ହେଲା ସେ ନିଜେ ଜାଣିପାରିନି । ତା’ ଈଶ୍ୱରଙ୍କୁ ନେଇ ସେ ଅନେକ ନିଶାର୍ଦ୍ଧରେ ସ୍ୱପ୍ନ ଦେଖିଛି, ସ୍ୱପ୍ନରେ ଶିହରି ଉଠି କଇଁ କଇଁ ହୋଇ କାନ୍ଦିଛି । ଅଜଣାରେ ସେଇ ଲୋକଟି ପ୍ରତି ତା’ର ପ୍ରତିଶୋଧ ନେବା ନିଶା ତୀବ୍ରତର ହୋଇ ଉଠିଛି-। କିନ୍ତୁ ଧନ ଆଗରେ, ପ୍ରତିପତ୍ତି ସାମ୍ନାରେ ଦୁର୍ବଳ ମଣିଷର ଚାରା କ’ଣ ? ସେ ଶୁଣିଛି ଯୁଗ ଯୁଗ ଧରି ଏ ମଣିଷ ଏମିତି ହାରିଯାଇଛି । ହାରିଯିବା ତା’ର ଯେମିତି ରକ୍ତସୁହା ହୋଇ ଗଲାଣି ।

ଆଗରେ ଶିବମନ୍ଦିର । ଠିକ୍‍ ସେଇ ଭଙ୍ଗାରୁଜା ଅପୂଜା ମନ୍ଦିର ଭଳି ମନ୍ଦିରଟିଏ ଠିଆ ହୋଇଛି । ଫେର୍‍...ଅଭିମାନ...ପ୍ରଭୁ, ତମେ ଖାଣ୍ଟି ମିଛ । ତମେ ଦୁର୍ବଳ ମଣିଷକୁ ଆଶ୍ୱାସନା ଦେବାହିଁ ଜାଣ । କିନ୍ତୁ ଜାଣନି ତମେ ଦୁଷ୍ଟ ନଷ୍ଟ ସଂହାରି ସାଧୁସନ୍ଥକୁ ପାଳିବାପାଇଁ କିମ୍ୱା ଧର୍ମର ପ୍ରତିଷ୍ଠାପାଇଁ ? ତା’ ଅଭିମାନ ସାଥିରେ ଅତୀତଟା ଚକ୍ରବତ୍‍ ତା’ ଚାରିପାଖରେ ଭଉଁରୀ କାଟିଲା–

 

ତା’ ଭିଟାମାଟି ନିମିପୁର । ଯେଉଁଠି ସବୁଜିମାର ହସ ଖେଳେ, ମଣିଷର ସୁଖ ଦୁଃଖରେ ମଣିଷ ଭାଇ-ବନ୍ଧୁ ହୋଇ ସାହା ହୁଏ ।

 

ନିମିପୁରର ଏକ ଉଦୁଉଦିଆ ଦି’ପହର । ନିର୍ଜନ ପରିବେଶ । ସାବିତ୍ରୀ ଗାଁ ପୋଖରୀରୁ ପାଣି କଳସୀ ନେଇ ଫେରୁଥିଲା । ଦେହରେ ଗୁରେଇ ହୋଇଥିବା ଓଦାଲଗୁା ଖରାଝାଞ୍ଜିରେ ଶୁଖି ଗଲାଣି ।

 

ଗାଁର ସେଇ ମୁଣ୍ଡରୁ ସାଆନ୍ତପୁଅ ରାମ ସାମଲ ଆସୁଛି । ଛାତି ଉରେ ଚିରାଶାଢ଼ିକୁ ସଜାଡ଼ି ଦେଇ ସାବିତ୍ରୀ ମୁଣ୍ଡ ପୋତି ଆଗେଇ ଗଲା । ଏଇ ରାମ ସାମଲକୁ ତା’ର ବହେ ଡର । ଅଣ୍ଡିରି ପୁଅ ସାମ୍ନାରେ ଚାଲିବାକୁ ତାକୁ କେମିତିକା ଲାଜ ମାଡ଼େ ।

 

କ’ଣ ଲୋ ସାବି, ଆଜି ଏକୁଟିଆ...

 

ସାବିତ୍ରୀ କି ଉତ୍ତର ଦେବ ? ଲାଜରେ ତୁନି ରହିଲା । ସେ ବାଟ କାଟି ଚାଲି ଯିବାକୁ ତରତର ହେଲା ।

 

କିଲୋ, ଏତେ ତରତର କାହିଁକି ? ତୋ’ ଗୁଡ଼-ଘରେ କୋଲପ ଝୁଲୁଛି । ଭୟ ତୋର କାହାପାଇଁ କି ? ଦରବୁଢ଼ା ରାମର କଥା ତାକୁ ଜମା ଭଲଲାଗେନି । ରାମ ସାମଲର ଆଖି ଯୋଡ଼ାକରେ ଦୁନିଆଟାଯାକର ଅଶ୍ଳୀଳ ଚାହାଣି ।

 

ରାମ ସାମଲ ତା’ ବାଟ ଓଗାଳି ରସିକପଣ କାଢ଼ିଲେ––ତୁଠ ନିରିମଳ, ପାଣି ଗଙ୍ଗା ଜଳ, ମୁଗୁନି ପଥର ପଡ଼ିଚି...କାହିଁକି ସୁନ୍ଦରୀ ଛଇ କାଢ଼ୁଛୁ ଲୋ ତୋ’ପାଇଁ ମୁଁ କେତେ ଝୁରୁଛି...ସାବିତ୍ରୀ ମନରେ ଅମଙ୍ଗଳ ଦେଖା ଦେଲା । ସେ ଦୌଡ଼ି ଚାଲିଯିବାକୁ ଚାହିଁଲା । ଚାରିଆଡ଼କୁ ଆଖି ବୁଲେଇ ଆଣିଲା । କିଏ କେଉଁଠି ନାହାନ୍ତି । ସେ ଭୟରେ ଜଡ଼ସଡ଼ ହୋଇ ନେହୁରା ହେଲା––ସାଆନ୍ତେ ଯାଉଛି-

 

ଥାଆଲୋ, ଯିବୁନି କି ? ରାମ ତା’ କାନି ଟାଣିଲା । ତାକୁ ଡର ମାଡ଼ିଲା । ସାହସ ସଞ୍ଚୟ କରି ପ୍ରାର୍ଥନା କରିଥିଲା–ଇୟେ କ’ଣ ହେଉଛି ସା’ନ୍ତେ ।

 

ରାମ ସାମଲ ସାବିତ୍ରୀକୁ ଗୋଟାପଣେ ଉଠେଇ ନେଇ ସେଇ ଭଙ୍ଗା ମନ୍ଦିରର ଲୋହିତ ଅନ୍ଧକାରାଚ୍ଛନ୍ନ ଗମ୍ଭୀରାକୁ ପଶିଲେ । ତା’ ହାତରୁ ମୁକୁଳିବାର ଜୁ ନାହିଁ । ସାବିତ୍ରୀ ଦେହର ଛିଣ୍ଡା ଶାଢ଼ି ଖଣ୍ଡିକ ଭୂଇଁ ଉପରେ ଲୋଟି ଗଲା । ତା’ ଦେହର କଞ୍ଚା ମାଂସରେ ରାମ ସାମଲ ଧୁନି ଜାଳିଲା ।

 

ରାମ ଚାଲିଗଲା । ନିର୍ଜୀବ ପଥରପରି ସାବିତ୍ରୀ ଭଙ୍ଗା ମନ୍ଦିରର ଗମ୍ଭୀରା ଭିତରେ ପଡ଼ି ରହିଲା । ଦେହ ଅବଶ ଅବଶ । ଓଠରୁ ରକ୍ତ ଝରୁଛି । ତା’ ସାମ୍ନାରେ ମୁଣ୍ଡାଏ ପଥର...ଈଶ୍ୱର । ସେ ଅପୂଜା ଲିଙ୍ଗ ଉପରେ ମୁଣ୍ଡ ପିଟି ସାବିତ୍ରୀ କଇଁ କଇଁ କାନ୍ଦିଲା । ମୁଣ୍ଡରୁ ଧାର ଧାର ରକ୍ତ । ସେ ହିଂସ୍ର ହୋଇ ଉଠିଲା । ଈଶ୍ୱରଙ୍କୁ ଅଭିଶାପ ଦେଲା–ପ୍ରଭୁ, ଇଏ କ’ଣ ତମ ଲୀଳା । ତମେ ଅପୂଜା ରହିଲ ବୋଲି ମୋ’ ଉପରେ ପ୍ରତିଶୋଧ ନେଲ । ସେ ଘୃଣାରେ ମୁହଁ ବୁଲେଇ ଆଣିଲା ।

 

ବେଢ଼ା ଭିତରୁ ସେ ମୁକୁଳି ଆସିଲା । ଶୁଖିଲା ଫଟା ଭୂଇଁ ଉପରେ ସୂର୍ଯ୍ୟର ଆଲୋକ ଉଜାଣି ଖେଳୁଛି । ଗମ୍ଭୀରାର ଅନ୍ଧକାର ସାବିତ୍ରୀକୁ କନ୍ଦାଉଛି । କ’ଣ କରିବ ସେ ? ତା’ ନିଜର ହୋଇ କିଏ ଅଛି ତାକୁ ସାହା ହେବାପାଇଁ ? ବାପାମାତ କେଉଁକାଳରୁ ଆରପାରିରେ ।

 

ରାମ ସାମଲ ପୋଖରୀ ଆଡ଼େ ଚାଲିଛି । ସାବିତ୍ରୀ ନିଜର ଭିଟାମାଟି ମୋହ କାଟି ଦୂରକୁ ଚାଲୁଛି । ପଛରେ କଳଙ୍କ, ଆଗରେ ଆଲୋକ ।

 

ଘଣ୍ଟା ଧ୍ୱନିରେ ତା’ ଧ୍ୟାନ ଭାଙ୍ଗିଗଲା । ଖରା ମହଳଣ ପଡ଼ି ଆସିଲାଣି । ତାକୁ ଶୀଘ୍ର ଲେଉଟିବାକୁ ପଡ଼ିବ । ବଞ୍ଚିବାପାଇଁ ସଂଗ୍ରାମ କରିବାକୁ ହେବ । ସେ ନିର୍ବାକ ହୋଇ ଅନେଇ ରହିଲା–ଯେଉଁମାନେ ଏତେ ପରିଶ୍ରମ କରି ଉପରକୁ ଆସିଥିଲେ ସେମାନେ ସମସ୍ତେ ତଳକୁ ଓହ୍ଲେଇ ଯାଉଛନ୍ତି । ପାହାଡ଼ର ପାହାଚମାଳା ଲୋକାକୀର୍ଣ୍ଣ ହୋଇଉଠୁଛି । ସେ ଗମ୍ଭୀର ଭିତରକୁ ଯିବ ? ତା’ କଳଙ୍କିତ ହାତରୁ ମଣିଷର ଶୁଦ୍ଧ ଦେବତା ଦାନ ଗ୍ରହଣ କରିବେ ତ, ସେ ବେଶ୍ୟା ? ସେ ଦେହ ବିକେ । ଅନ୍ୟମାନେ ମଣିଷ, ସେମାନେ ଦେହ ବିକନ୍ତି । ମଣିଷର ଈଶ୍ୱର ବେଶ୍ୟାର ଈଶ୍ୱରଠାରୁ ଢେର ଉଚ୍ଚରେ । ପଥର ପାଚେରୀର ଘେର ଭିତରେ ମଣିଷର ଭଗବାନ ବନ୍ଦୀ, ମଣିଷ ସେମିତି ଚାହିଁବ ତା’ ଈଶ୍ୱର ଯେମିତି ନାଚିବ । କିନ୍ତୁ ବେଶ୍ୟାପାଇଁ ଏଇ ମାଟିର ଦୁନିଆରେ ମଣିଷ ହାତଗଢ଼ା ମନ୍ଦିରରେ କିମ୍ୱା ବିଗ୍ରହରେ ଈଶ୍ୱର ନାହାନ୍ତି । ବେଶ୍ୟାର ଈଶ୍ୱର ମୃତ୍ୟୁ–ପରର ଜଗତରେ-। ସ୍ୱର୍ଗର ଧଳା ପତାକାରେ ହେଉ କି ନର୍କର ଅନ୍ଧାରି ଗୁମ୍ଫାରେ ହେଉ...ସେ ଅନୁତାପ କଲା–ସେ କେମିତି ମଣିଷର ମନ୍ଦିର ଭିତରକୁ ଆସି ପାରିଲା ! ସେ ଫେରିଯିବ । ପାରୁନି । ସେ ନିଜକୁ ନୀତିବାଣୀ ଶୁଣେଇଲା–ସେ ପରା ଅନ୍ୟମାନଙ୍କ ଅପେକ୍ଷା ଈଶ୍ୱରଙ୍କ ପାଖରେ ଶୀଘ୍ର ପହଞ୍ଚିବ ବୋଲି ଈଶ୍ୱରଙ୍କ ଆଖି ଆଗରୁ କୌଣସି ଜିନିଷ ଲୁଚେଇନି...

 

ଧୂପ ଦୀପର ବାସ୍ନାରେ ଗମ୍ଭୀରା ମହକି ଉଠୁଛି । ଲୋକଗହଳି ପ୍ରାୟ ଶୂନ୍ୟ । ପଥର ବେଦୀ ଉପରେ ମୁଣ୍ଡ ପିଟି ସାବିତ୍ରୀ କାନ୍ଦିଲା–ପ୍ରଭୁ, ମୁଁ ତମକୁ ଧନ ମାଗୁନି, ଜୀବନ ମାଗୁନି । ମୁଁ ତମ ଆଖିଆଗରୁ କିଛି ଲୁଚେଇନି । ମୁଁ ଯାହା କିଛି କରିଚି ସେସବୁ ତମ ଆଖି ସାମ୍ନାରେ ମଣିଷର ସାମ୍ନାରେ । ମୁଁ ଅଭିନୟ କ’ଣ, ଛଳନା କ’ଣ କିଛି ଜାଣେନି । ମୋର ବିଶ୍ୱାସ, ଅନ୍ୟମାନଙ୍କ ଆଗରୁ ମୁଁ ତମ ପାଖରେ ପହଞ୍ଚିବି । ପ୍ରଭୁ, ମତେ ମୃତ୍ୟୁ ଦିଅ । ମୁକ୍ତି ଦିଅ । ମୁକୁଳା କେଶଗୁଚ୍ଛ ମୁହଁସାରା ଢାଙ୍କି ହୋଇ ଚଟାଣ ଉପରେ ଲୋଟୁଛି । ପୂଜାରୀ ବିରକ୍ତ ହେଲାଣି–ଆଚ୍ଛା ପାଲା ଲଗେଇଲା ଏଠି-?

 

ସାବିତ୍ରୀ ପଥର ଉପରୁ ମୁଣ୍ଡ ଉଠେଇଲା । ତା’ ଆଖିରେ ରକ୍ତ ଜଳୁଛି, ତା’ କପୋଳରେ ସୂର୍ଯ୍ୟ ହସୁଛି । ସେ ଲୁହ ପୋଛି ଲେଉଟି ଆସିଥିଲା ।

 

ସିନ୍ଦୂର ନେ...

 

ନାଇଁ ମାହାପ୍ରୁ...

 

ବେଶ୍ୟାପାଇଁ ସିନ୍ଦୂରର ମୂଲ୍ୟ କ’ଣ ? ଭାରାକ୍ରାନ୍ତ ମନ, କ୍ଳାନ୍ତିଭରା ଦେହ ନେଇ ସାବିତ୍ରୀ ଫେରିଆସିଲା ।

 

ସନ୍ଧ୍ୟା ନଇଁ ଆସିଲାଣି ପାହାଡ଼ ଗୁମ୍ଫାରେ । ସାବିତ୍ରୀ ତରତର ହେଉଛି । କାଳେ ସଞ୍ଜ ଗଡ଼ିଯିବ । ତା’ ଦେବତାମାନେ ଅପୂଜା ରହିଯିବେ । ପାହାଡ଼ ଉପରେ କାହାରି ସୋରଶବ୍ଦ ନାହିଁ । ପାହାଡ଼ର କେଉଁ ଅନ୍ଧାରି ଗୁମ୍ଫାରୁ ଯଦି ଭୋକିଲା ବାଘ ତା’ ଉପରକୁ ଲମ୍ଫ ଦେବ, ବରଂ ସେ ଖୁସି ହେବ । କାରଣ, ସେ ହିଂସ୍ର ବାଘ ଭାଲୁକୁ ଭୟ କରେନି । ଭୟ କରିବାର କିଛି ମାନେ ବି ନାହିଁ । ମଣିଷ କ’ଣ ସତରେ ବାଘକୁ ଭୟକରେ ? ନାଃ । ସେ ଭୟ କରେ ମୃତ୍ୟୁକୁ ଏବଂ ଯିଏ ମଣିଷକୁ ଅଦିନରେ ମୃତ୍ୟୁ ଦେଇପାରେ ତାକୁ ।

 

ଏମିତି ଭାବି ଭାବି ସେ କେତେବେଳେ ପାହାଡ଼ର ତଳ ଦେଶରେ ପହଞ୍ଚି ସାରିଲାଣି ତା’ର ନଜର ନାହିଁ । ଏକ ମୁହାଁ ହୋଇ ନିଜର ପଡ଼ା ଦିଗରେ ଚାଲିଲା । ତା’ ପଛରେ–ଆବେ, ସାବି କ’ଣ ଏଠି ? ଆଜି କ’ଣ କୋଠି ବନ୍ଦ...?

 

ରାସ୍ତାସାରା ଅନେକ ଲୋକର କ୍ଷୁଧିତ ଆଖି ତା’ ବାଟ ଓଗାଳି ପାରୁନି । ମହକହୀନ ଫୁଲପାଇଁ ମଣିଷର ଆଗ୍ରହ ଦେଖି ତାକୁ ଦୁଃଖ ମାଡ଼ିଲା । ନିଜର ସ୍ତ୍ରୀ, ପୁତ୍ର-କନ୍ୟା ଥାଉ ଥାଉ ମଣିଷ କାହିଁକି ବେଶ୍ୟା ଦୁଆରେ ଆଶ୍ରୟ ମାଗେ ? ମଣିଷ କାହିଁକି ବେଶ୍ୟା କୋଠିରେ ରାତି ରାତି ବିତେଇ ଦେବାକୁ ଅର୍ଥ ଶ୍ରାଦ୍ଧ କରେ ଏବଂ ହତ୍ୟା କରେ ନିଜର ନୈତିକ ମାନଦଣ୍ଡକୁ ?

 

ତା’ ଘର ପାଖେଇ ଆସିଲାଣି । ପଡ଼ା ଭିତରେ ସଙ୍ଗୀତର ଆବାହନୀ । ଏଠି ସେଠି କେଇଜଣ ଟୋକା ଟହଲ ମାରୁଛନ୍ତି । ସେମାନଙ୍କୁ ଦେଖି ତା’ର ଦୁଃଖ ହେଲା, ଇଚ୍ଛା ହେଉଥିଲା ସେମାନଙ୍କୁ ସେ ଉପଦେଶ ଦିଅନ୍ତା–ଜୀବନ କ’ଣ ଏତେ ଶସ୍ତା ? ...କିନ୍ତୁ ସେ ବଞ୍ଚିବ କେମିତି ? ଯଦି ଏ ମଣିଷ ନିଜର ସମସ୍ତ ଅର୍ଜିତ ପୁଣ୍ୟକୁ ବେଶ୍ୟାର ଏରୁଣ୍ଡିବନ୍ଧ ଏପାରିରେ କବର ଦେଇ ବେଶ୍ୟାର ମାଂସଳ ସଙ୍ଗୀତରେ ବାଉଳା ନ ହୁଏ, କିମ୍ୱା ବାରାଙ୍ଗନାର ରକ୍ତରେ ଯଦି କବିତା ନ ଲେଖେ... ? ନା ତା’ର ମନ ମାନୁନି ।

 

ସାବିତ୍ରୀ ପାଦସାରା ପାହାଡ଼ର ଧୂଳି ଛାଇ ଯାଇଛି । ଗୋଡ଼ ସଫା କରି ଶାଢ଼ି ବଦଳେଇ ସେ ଦାଣ୍ଡର ତୁଳସୀ ଚଉରା ପାଖକୁ ଆସିଲା । ଚଉରାମୂଳେ ସଞ୍ଜ ଦୀପ ଦେଲା । ବେକ ଚାରିପଟେ କାନି ଗୁରେଇ ପ୍ରାର୍ଥନା ଆରମ୍ଭିଲା–ମା’ ମୋ’ ଜୀବନ କେବେ ଶେଷ ହେବ ମା’ ?

 

ମୁଣ୍ଡ ଉଠେଇ ଦେଖିଲାବେଳକୁ ତା’ ପଛରେ ଏକ ସୌମ୍ୟକାନ୍ତ ଯୁବକ ଠିଆ ହୋଇ ରହିଛି । ବିସ୍ଫାରିତ ଆଖିରେ ତାକୁ ଚାହିଁ ରହିଛି । ସାବିତ୍ରୀ ସେଇ ଯୁବକକୁ କୌଣସି ଅଶ୍ଳୀଳ ଇସାରା ନ ଦେଇ ପିଣ୍ଡା ଉପରକୁ ଉଠିଲା । ଯୁବକଟି ସେମ୍‍ତି ଚାହିଁ ରହିଛି ।

 

ଆସନ୍ତୁ....

 

ଯୁବକ ନିରୁତ୍ତର ।

 

ଆସନ୍ତୁନା...

 

ସାବିତ୍ରୀ ଘର ଭିତରକୁ ପଶିଲା । ସେ ଜାଣିବାକୁ ଆଗ୍ରହୀ ନୁହେଁ–ଯୁବକଟି ତା’ ଘରକୁ ଆସିଲା ବା ଅନ୍ୟ କେଉଁ କୋଠିକୁ ଗଲା । ଭଲ ହେଲା । ଆଜି ରାତିକ ଅନ୍ତତଃ ସେ ମନ ପୂରେଇ କାନ୍ଦି ପାରିବ ।

 

ସେ ଦାରୁ ପାଲଟି ଯାଉଛି । ମୋ’ ଘରକୁ ଆଜିଠାରୁ କେହି ନ ଆସନ୍ତୁ । ଈଶ୍ୱର ଏ ମଣିଷକୁ ବୁଦ୍ଧି ଦିଅନ୍ତୁ । ମୁଁ ସ୍ୱାର୍ଥପର । ଏମିତି ଶୁଖି ଶୁଖି ମଲେ ଯାଇ ମୋ’ ସ୍ୱାର୍ଥ ରୂପ ପାଇବ । ତା’ ଚତୁର୍ଦ୍ଦିଗରେ ଶାବ୍ଦିକ ତରଙ୍ଗମାନେ ଘୋଷଣା କରି କରି ଫେରିଯାଉଥିଲେ–ତୁ ନିଷ୍ପାପ, ତୁ ନିଷ୍କଳଙ୍କ । ତୋ’ପରି ଫୁଲ ଏ ବିଶ୍ୱାସ-ହୀନ ପୃଥିବୀରେ କଦାପି ହନ୍ତସନ୍ତ ହୋଇପାରେନା । ମୁଁ ତତେ ମୃତ୍ୟୁ ଦେବି...ମୁକ୍ତି ଦେବି...

 

ସେ ବିଶ୍ୱାସ କରିପାରୁନି––କିଏ ତା’ ଆଖିଆଗରୁ ଫେରିଯାଉଛି ? କିଏ ? କିଏ ତାକୁ ମୃତ୍ୟୁ ଦେବ ? ଦେବତା ? ମଣିଷ ?

 

ଏତେଟା ଉତ୍ତେଜନା ସାବିତ୍ରୀ ସହି ପାରୁନି । ସେ ଗୋବରଲିପା ଚଟାଣ ଉପରେ ଟଳି ପଡ଼ିବା ପୂର୍ବରୁ ଦେଖୁଥିଲା–ଯୁବକଟି ଫେରିଯାଉଛି । ବାହାରେ ତାରାମାନେ କାନ୍ଦୁଛନ୍ତି ।

Image

 

ଅନ୍ଧ ସୀମନ୍ତ

 

ଅବଶିଷ୍ଟ ପୃଥିବୀର ଅନ୍ଧାରି ହ୍ରଦରେ କାହା ଚାପାଗଳାର ସୁରଭିତ ଇଙ୍ଗିତ ସିଆର, କାଟୁଛି,–ଏ...ଏ ବୁଦୁନି, ତାଟି ଖୋଲ...ଏ...

 

ଆଦିଗନ୍ତ ଆକାଶରେ ବାଟବଣା ହେଉଥିବା ଘୁଡ଼ିଭଳି ମୋ’ ନିର୍ଜନ ଘର ସାମ୍ନାରେ କିଏ ଜଣେ ଠିଆ ହୋଇଛି । ରାତିର ଘନ ସାନ୍ଦ୍ରତା ଭିତରେ ମୁଁ ତାକୁ ଠଉରେଇ ପାରିଲି ନାହିଁ । କିଏ ସେ ଭୂତଭଳି ଠିଆ ହୋଇଛି ? ମୁଁ ଚପଲ ଘୋଷାରି ଘୋଷାରି ବାହାରକୁ ଆସିଲି । ସେ ମୋ’ ଚପଲର ଶବ୍ଦ ଶୁଣିପାରି ଭଙ୍ଗା କୁଡ଼ିଆ ପଛପଟେ ଲୁଚିଗଲା, ମୋ’ ମନକୁ ପାପ ଛୁଇଁଲା––କିଏ ଏ ନିଶାଚର ।

 

ମୁଁ ଦ୍ୱାର ବନ୍ଦକରି ବେଡ଼୍‍ରୁମ୍‍କୁ ଲେଉଟି ଆସିଲି । ମୋର ଏ ପ୍ରକାର ଗତିବିଧିକୁ ମୋ’ ସ୍ତ୍ରୀ ଉମା ଜମା ଗ୍ରହଣ କରିପାରୁନଥିଲେ ।

 

––ତମେ କାହିଁକି ଏମିତି ଘାବରେଇ ଯାଉଛ ? ବୁଦୁନି ପାଖକୁ ଯିଏ ଆସନ୍ତୁ କି ବୁଦୁନି ଆଉ କାହା ପାଖକୁ ଯାଉ ସେଥିରେ ଆମେ କାହିଁକି ଅଯଥାରେ ମୁଣ୍ଡ ଘୂରେଇବା ? ନିଜେ ତ କୀର୍ତ୍ତି ଅର୍ଜନ କରିଛି । ମୁଁ ତ ତମକୁ ସବୁବେଳେ ମନା କରି ଆସିଛି ଏଇ ଆଦିବାସୀ ଝିଅଗୁଡ଼ାକୁ ଜମା ବିଶ୍ୱାସ କରନି । ତାକୁ ତ ନିଜ ଘର ସାମ୍ନାରେ ସ୍ଥାନ ଦେଲ କୁଡ଼ିଆ ଗଢ଼ି ରହିବାପାଇଁ । ଆଉ ବର୍ତ୍ତମାନ ଅନୁଶୋଚନା କାହିଁକି ? ଅନୁତାପର ବା ଆବଶ୍ୟକତା କ’ଣ ? ମୋ’ କଥା ତମେ ଶୁଣିଥିଲ ? ବରଂଚ ଓଲଟି କାବ୍ୟିକତା ପ୍ରକାଶ କଲ–‘ଉମା, ଜୀବନରେ ଯଦି ମୃତ୍ୟୁ ଏକ ନିଶ୍ଚିତ ନିଶାଣ, ତେବେ ମଣିଷର ଏ ମନ, ଅଭିମାନ, କ୍ରୋଧ, ସ୍ନେହ, ସୁହାଗ, ପ୍ରେମର ବା ମାନେ କ’ଣ-?’ ଆଉ ଆଜି ଦେଖିଲ ତ ସ୍ୱଚକ୍ଷୁରେ ? ମୁଁ ତ ତାଙ୍କର ଏ ଲୀଳା ଆଜିକୁ ପ୍ରାୟ ମାସେ ହେଲା ଦେଖିଆସିଛି । କିନ୍ତୁ ତମକୁ କହିଲେ ତମେ କ’ଣ ବିଶ୍ୱାସ କରିବ ? ବରଂ ଓଲଟି ମତେ ଦୋଷ ଦେବ କ’ଣ ନା ମୋ’ ଆଖିରେ ଭଲ ଦେଖାଯାଏନି, ଯାହା କିଛି ଖରାପ ତା’ର ମୂକ ସାକ୍ଷୀ ମୋର ଆଖି...ହେଉ ଛାଡ଼ ବାବା, ଆସ ଶୋଇବ ରାତି ବାର ବାଜିବାକୁ ବସିଲାଣି...

 

ଉମା ହାତ ଘଡ଼ି ଉପରୁ ମୁହଁ ବୁଲାଇ ଆଣି ନିଦ୍ରାରତ ପୁଅ ରଞ୍ଜୁର ଦେହରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଚଦର ସଜାଡ଼ିଲେ ।

 

––ଉମା, ସିଏ କିଏ ? ଚୋରଙ୍କ ଭଳି ତା’ କୁଡ଼ିଆ ପଛପଟେ ଲୁଚିଗଲା କାହିଁକି ?

 

ଉମା ଖିଲ୍‍ ଖିଲ୍‍ ହସିଲେ, ମତେ ତାଙ୍କର ଏ ମୁକ୍ତାଝରା ହସ ବିରକ୍ତିକର ମନେହେଲା, କି ଅଜବ୍‍ ଝିଅଟେ କେଜାଣି ? ମୁଁ ପଚାରୁଛି କ’ଣ; ଆଉ ସିଏ ମନ ଖୋଲି ହସିବାରେ ଲାଗିଛନ୍ତି ।

 

––ହଇହୋ, ଏ ରାତି ଅଧରେ ନାରୀ ପାଖକୁ ନାରୀ ଆସୁନି ଯେ ତମପରି ଦମ୍ଭିଲା ହୋଇ ଡାକ ଛାଡ଼ିବ । ଚୋରା ପୀରତିରେ ଯାହା ହେବାର କଥା ହେଉଛି । ସେଇ କିଏ ନୁହେଁ ମ ! ଜଣେ ପୁରୁଷ । ତା’ର ସ୍ତ୍ରୀ ଆଜକୁ ଦଶବର୍ଷ ହେଲା ମଲାଣି । ଘରେ ପାଞ୍ଚଟି ପୁଅଝିଅ । ବିଚାରା ଦିନମାନ ଗଳି, କନ୍ଦି ବୁଲି ଚୁଡ଼ି, ପାଣିକାଚ ବିକ୍ରି କରେ, ଏବଂ ରାତି ଅଧରେ ବୁଦୁନି ପାଖକୁ ଫେରିଆସେ । ବୁଦୁନି ଦ୍ୱାର ଖୋଲେ । ସେଇ ଲୋକଟି ଭଙ୍ଗା କୁଡ଼ିଆର ଅନ୍ଧକାର ଗମ୍ଭୀରାକୁ ଧସେଇ ପଶେ । ତା’ପରେ ହଠାତ୍‍ ଦ୍ୱାର ବନ୍ଦ ହୋଇଯାଏ–ଉମା ଆଉ ବଖାଣି ପାରିଲେନି । ନାରୀର ସ୍ୱଭାବସୁଲଭ ଲଜ୍ଜା ତାଙ୍କୁ ଅଧିକ କିଛି କୁହାଇ ଦେଲାନି ।

 

––ଆଚ୍ଛା, ସେ ଲୋକର ପରିଚୟ ତମେ ପାଇଲ କେଉଁଠୁ ?

 

––ପାଇଲି ? ବୁଦୁନି ମତେ କହିଲା । ଜାଣିଛନା, ତମେ ଆଜି ଯେମିତି ତାକୁ ସନ୍ଦେହ କରୁଛ ମୁଁ ବି ଦିନେ ଏମିତି ଭୟରେ ଜଡ଼୍‍ସଡ଼ ହୋଇ ଦ୍ୱାର ବନ୍ଦ କରିଥିଲି । ତମେ ସେ ରାତିରେ କଟକରୁ ଫେରିଲନି । ରଞ୍ଜୁ ରାତି ଅଧରେ ନିଦରୁ ଉଠିଲା, କାନ୍ଦିଲା, ଯେତେ ପ୍ରବୋଧିଲେ ବି ଜମା ତୁନି ହେଲାନି, ତା’ପରେ ହଠାତ୍‍ ଝରକା ଖୋଲି ଦେଖେତ ବୁଦୁନିର କୁଡ଼ିଆ ସାମ୍ନାରେ କିଏ ଜଣେ ଠିଆ ହୋଇ ଚାପାଗଳାରେ ଡାକୁଚି, ତା’ ଦ୍ୱାରରେ ଟିପା ଟିପା ସ୍ୱର ଦେଉଛି । ବୁଦୁନି ଦ୍ୱାର ଖୋଲିଲା । ତା’ପରେ...ମୋ ଦେହରେ ବିଷ ଚରିଗଲା । ଭଲା ମଜା ଏ ଲଗେଇଛି ଏଠି । ପରଦିନ ସକାଳେ ବୁଦୁନିକୁ ଘରକୁ ଡାକିଲି ଏବଂ ତାକୁ ଶାସନ କରିବା ଗଳାରେ ପଚାରିଲି––

 

କିଲୋ, ତୋ’ ପାଖକୁ ଗତରାତିରେ କିଏ ଆସିଥିଲା ? ବୁଦୁନି ଲାଜରେ ହେଉ କି ଭୟରେ ହେଉ କୌଣସି ଉତ୍ତର ଦେଲାନି ।

 

ତା’ପରେ ଉମା ତାକୁ ନିତାନ୍ତ ବାଧ୍ୟ କରିବାରୁ କାନ୍ଦିଲା ଏବଂ ତା’ ଭିତରେ ମା’ ହେବାର ଇଚ୍ଛା କେତେ ପରିମାଣରେ ଦିନକୁ ଦିନ ବଳବତ୍ତର ହେଉଛି ଜଣେଇଥିଲା–ମା’, ସିଏ ମୋର ଲୋକ, ବହୁତ କଷ୍ଟରେ ମୁଁ ତାକୁ ଯୋଗାଡ଼ିଛି । ତମେ ତ ଜାଣ ମୋର କେଉଁ କୂଳରେ ମୋର ହେଇ କିଏ ହେଲେ ଜଣେ ନାହାନ୍ତି । ମୁଁ ଯେତେବେଳେ ବୁଢ଼ୀ ହୋଇଯିବି, ଦେହରୁ ତାକତ ଚାଲିଯିବ, ମୁଁ ବଞ୍ଚିବି କେମିତି ? ପୁଅ କି ଝିଅଟିଏ ଥିଲେ ସିନା ତୁଣ୍ଡରେ ଆହାର ମୁଠାଏ ଦେବ, ତା’ପରେ ମା’...

 

ବୁଦୁନି ଯେମିତି କାନ୍ଦୁଥିଲା । ବିନିଦ୍ର ରାତିର ଛାପ ତା’ ଫୁଲିଲା ଫୁଲିଲା ଆଖିରେ ବେଶ୍‍ ବାରି ହୋଇପଡ଼ୁଥିଲା ।

 

–କହ, ଏମିତି କାନ୍ଦୁଛୁ କାହିଁକି ? ତୋର ତ କମ୍‍ ସାହସ ନୁହେଁ ? ତଥାପି ତା’ ନୀରବ ସ୍ୱୀକୃତି ଉମାକୁ କୌଣସି ସାନ୍ତ୍ୱନା ଦେଇପାରିନଥିଲା ।

 

–ମା’ ମୁଁ ବଞ୍ଚିଚି, ମୋ’ ପୁଅ ଝିଅମାନଙ୍କ ତୁଣ୍ଡରୁ ମା’ ଡାକ ପଦେ ଶୁଣିବି । ମୁଁ ମା’ ହେବି-। ମା’...ସେଥିପାଇଁ...

 

–ତାକୁ ଯୋଗାଡ଼ କରିଛୁ ?

 

–ହଁ, ବୁଦୁନିର ସ୍ୱରରେ ଇସ୍ପାତର ଦୃଢ଼ତା ଦେଖି ଉମା ଶଙ୍କି ଯାଇଥିଲେ । ମନକୁ ମନ ନିଜେ ବୁଝାଇ ଦେଇଥିଲେ–ଆହା ବିଚାରୀ ମା’ ହେବ ବୋଲି କେତେ ଡହଳବିକଳ ନ ହେଉଛି ସତେ ।

 

ଗୁରୁ ଗମ୍ଭୀର ପରିବେଶରୁ ମୁକୁଳିବା ପାଇଁ ମୁଁ ରସିକତା ଆରମ୍ଭ କରିଥିଲି,–ଉମା, ସେଇ ପୁରୁଷ ଓ ବୁଦୁନି ଅନ୍ଧାର ଘର ଭିତରେ କ’ଣ କରନ୍ତି ? କେତେ ସମୟ ସେମାନେ ଏକାଠି ରହନ୍ତି-?

 

–ଯାଉନା ସେମାନଙ୍କୁ ପଚାରିବ । ଲାଜ ନାହିଁ ଏ ପୁରୁଷଗୁଡ଼ାକୁ, ଛାକି, ସେ ଅସନା କଥାଗୁଡ଼ାକ । ଆସ, ଶୋଇବ । ଯଦି ନ ଶୋଇବ ଲାଇଟ୍‍ ଅଫ୍‍ କରେ, ମୁଁ ଶୁଏ...

 

–ଆରେ ରହ, ଶୋଇବ ଶୋଇବ ବୋଲି ଏତେ ବ୍ୟସ୍ତ କାହିଁକି ? ସାରା ରାତି ପଡ଼ି ରହିଛି । ଦେଖେ, ବୁଦୁନି ତାଟି ଖୋଲିଲା କି ନାହିଁ ।

 

ମୁଁ ଝରକା ପାଖରେ ଠିଆ ହୋଇ ବାହାରକୁ ଅନିଷା କଲି, ବୁଦୁନିର ତାଟି ଆଉରି ଏଯାଏଁ ଖୋଲିନି । ପୁରୁଷଟି ଅନ୍ଧକାର ଅରାଜକତା ମଧ୍ୟରେ ଇତସ୍ତତଃ ହେଉଛି । ବିରକ୍ତିସୂଚକ ଚାପାଗଳାର ସ୍ୱର ମୋ’ ବେଡ଼୍‍ରୁମରେ ପହଞ୍ଚୁଛି–ବୁଦୁନି, ଏ...ବୁଦୁନି, ହଇଲୋ, ଏ...କିଏ ?

 

–ବୁଦୁନିର କୁଡ଼ିଆ ଭିତରୁ ନିଦ୍ରାସ୍ନାତ କଣ୍ଠର ସୁର–ହାଁ ତୁ ଆଚ୍ଛା ଲଡ଼କି ଖଣ୍ଡେ ଦେଖୁଛି-? ଆବେ ଦରବାଜା ଖୋଲ୍‍ । ମୁଁ କେତେ ଇନ୍ତଜାର କରିବି... ?

 

–ହଁ,

 

ତଥାପି ତାଟି ଖୋଲିଲାନି ଶୀଘ୍ର । ମିଳନର କାମନା ଓ ଦେହ ସହିତ ଦେହର କଥୋପକଥନ କାମନା ସେଇ ଲୋକଟିକୁ ଅସ୍ତବ୍ୟସ୍ତ କରୁଛି । ସେ ପାଗଳ ଯେମିତି–ଆବେ ଶାଳୀ, ବେଟୀ କାହିଁକି ? ଖୋଲ୍‍, ଜଲ୍‍ଦି ଖୋଲ୍‍...

 

ଭିତରୁ ବିରକ୍ତିରୁ ଦୁନ୍ଦୁଭି ମୁକ୍ତି ପାଇ ବାହାରକୁ ଲେଉଟିଲା–ରୁହ, ଏତେ ତରବର କାହିଁକି-? ଦଣ୍ଡେ ରୁହ, ଡିବିଟି ଜଳାଏ...

 

ସେଇ ଲୋକଟି ବୁଦୁନିର କୁଡ଼ିଆ ସାମ୍ନାରେ ମନ ମାରି ବସି ରହିଲା ।

 

ଉମା ବି ଚିଡ଼ିଗଲାଣି–ଆସ ଶୋଇବ, ଦ୍ୱାର ଖୋଲିଲାତ ! ତମର ଓରମାନ ବି ମେଣ୍ଟିଲା-

–ଉମା, ଆସ, ଶୀଘ୍ର ଆସ, ଦେଖିବ ।

–ମୁଁ କ’ଣ ଦେଖିନି ଯେ ଆଜି ନୂଆ ଦେଖିବି ?

ହଠାତ୍‍ ଦ୍ୱାର ଖୋଲିଲା । କୁଡ଼ିଆର ଅନ୍ଧାର ଗୁମ୍ଫା ଭିତରକୁ ଲୋକଟି ଧସେଇ ପଶିଲା-। ଭିତର ପଟୁ ଦ୍ୱାର କିଳିବାର ଶବ୍ଦ । ମୁଁ ଲାଇଟ୍‍ ଅଫ୍‍ କଲି, ମଶାରି ଟେକି ପଲଙ୍କ ଉପରକୁ ଉଠିଲି-

ନିଜ ମନଲାଖି ପୁରୁଷକୁ ହାତ ପାଆନ୍ତାରେ କି ଦେହ ଉପାନ୍ତରେ ପାଇଲେ ନାରୀ ସବୁ ଭୁଲିଯାଏ । ପୁରୁଷ-ଦେହର ସ୍ୱର୍ଣ୍ଣିମ ସ୍ପର୍ଶରେ ନାରୀର ରୁଦ୍ଧକୋଠରୀ ଖୋଲିଯାଏ । ସେ ପ୍ରଗଳ୍‍ଭା ହୁଏ । ନିଜେ ନଈ ହୋଇ ପୁରୁଷର ଦେହଜ ସମୁଦ୍ରରେ ନିଜକୁ ହଜେଇ ଦିଏ । ନାରୀ ଦେହର ଜୀବନ୍ତ କୋଠରୀରେ ରୋମାଞ୍ଚ ଖେଳିଯାଏ । ରକ୍ତର ପ୍ରତ୍ୟେକ ଲୋହିତ କଣିକାରେ ଶିହରଣ ଚହଲିଯାଏ । ଦେହଜ ବେହାଗର ମୂର୍ଚ୍ଛନାରେ ବେପଥୁର ସ୍ୱପ୍ନ ସତ୍ୟ ହୁଏ ।

ବୁଦୁନି ଓ ସେ ଲୋକଟି କେତେ ତୃପ୍ତି ପାଉଥିବେ । ମୁଁ ଘୃଣାରେ ହିଂସ୍ର ହୋଇ ଉଠିଥିଲି-। ବୁଦୁନିର ଏ କଳୁଷିତ ଚରିତ୍ର ଓ ପ୍ରୌଢ଼ ପୁରୁଷର ଏମ୍‍ତି ଲୁଚାଛପା ରତି ଦାନକୁ ମୁଁ ପସନ୍ଦ କରିପାରୁନି । ସତରେ ମଣିଷ କେତେ ତଳକୁ ଚାଲିଯାଇପାରେ ! ନର୍କରେ ଘାଣ୍ଟି ହେବାକୁ କେତେଟା ମନ ବଳେଇପାରେ କେବଳ ଦେହର ଏ କ୍ଷଣିକ ମାଂସାଶୀ ଉତ୍ତେଜନାକୁ ଉପଶମ ଦେବାପାଇଁ ? ମଣିଷ ଭିତରେ ହେଣ୍ଟାଳି ଦେଉଥିବା ବାଘକୁ ଆହାର ଯୋଗାଇବା ପାଇଁ ।

–ପ୍ରଫେସର ଶୁଣୁଛ ? ଶୋଇଲଣି ? ବାଃରେ, ଭୂଇଁ ଛୁଁ ଛୁଁ ନିଦ ! ଆଉ ଏଣେ ଫୁଟାଣି କ’ଣ କମ୍‍–

ମୁଁ ନିଘୋଡ଼ ନିଦରେ ଘୁମେଇ ଯିବାର ଛଳନା କଲି । ଘୁଙ୍ଗୁଡ଼ି ମାରିଲି । କାରଣ, ନିଶାପାଇଁ ସିନା ମଦପୂର୍ଣ୍ଣ ପାତ୍ର ଦରକାର କିନ୍ତୁ ଶୋଷକୁ ଶାନ୍ତି ଦେବାପାଇଁ ଯେ ମୁନ୍ଦାଏ ପାଣିର ଆବଶ୍ୟକତା କେତେ ବେଶୀ ! ବୃକ୍ଷ ଶାଖାରେ ପେନ୍ଥା ପେନ୍ଥା ଆମ୍ବର ଦର୍ଶନରେ ତମ ମନରେ ରାଜାର ସ୍ୱପ୍ନ ଘାରି ହୁଏ । କିନ୍ତୁ ସତରେ ସେ କ’ଣ ରାଜା । ଆମ୍ୱ ତୋଳିବା ଇଚ୍ଛା ଓ ଆମ୍ୱକୁ ହାତ ମୁଠାରେ ଅକ୍ତିଆର କରିବା ଶକ୍ତି ଥିଲେ ହେଁ ଡମ୍ୱଟିଏ ରାଜା । ଯିଏ କି ପେଟପାଇଁ ଓଳିଏ ଦାନା ଯୋଗାଡ଼ି ପାରିଲେ ଆଉ ପାଞ୍ଚଓଳି ନିର୍ଜଳ ଉପବାସରେ କାଳ ବିତେଇଥାଏ । ଆମ୍ୱର ରାଜା ହୁଏ-। କିନ୍ତୁ ଆମ୍ୱ ଶେଷ ହେଲେ... ? ଡମ୍ୱମାନେ ଯେଉଁ ବାଇଦବଜାକୁ ସେଇ ବାଇଦବଜା–ଗିନାଏ ପେଜ ତୋରାଣି ଯୋଗାଡ଼ପାଇଁ କୌଳିକ ବ୍ୟବସାୟ ଧନ୍ଦାର ଆଶ୍ରା ।

ଅନେକ ଜଟିଳ ଓ ବେଖାପ ଚିନ୍ତାରେ ମୋର ମାନସିକ ଭାରସାମ୍ୟ ଦୋହଲି ଉଠୁଥାଏ-। ଉମା ଘୁଙ୍ଗୁଡ଼ି ମାରିଲେଣି । ବିଚାରୀ ! ଦୟା ହେଲା । ଦିନମାନର ପରିଶ୍ରମ ପରେ ମୋ’ ପାଖରୁ ସୋହାଗବୋଳା କଥା ପଦେ ଦି’ପଦ ଶୁଣିବାପାଇଁ ନତୁବା ଛାତିକୁ ଛାତି ଯୋଡ଼ି ସ୍ୱର୍ଗୀୟ ତୃପ୍ତିରେ ବାଉଳା ହେବାପାଇଁ କେତେ ଆଶା କରିନଥିବ । ମୁଁ ନିଜକୁ ଭର୍ତ୍ସନା କଲି ମୁଁ କେତେ ନୃଶଂସ ! ବୁଦୁନିର ସତୀତ୍ୱ ନଷ୍ଟ ହେଲେ କି ସେ ଉପେକ୍ଷିତ ହେଲେ ମୋର ଭାବି ଲାଭ କ’ଣ ? ସେ ଦେହର ବିପଣୀ ଖୋଲି ଦେଉ । କିନ୍ତୁ ଏ ବ୍ୟବସାୟ ଚାଲିବ ମୋରି ଘର ସାମ୍ନାରେ-? ସେ ଏଇ ପଡ଼ା ଛାଡ଼ି ବେଶ୍ୟା ପଡ଼ାକୁ ଚାଲିଯାଉ । ସେଠି ବରଂ ବେଶୀ ଉପାର୍ଜନ କରିବ, ମୁଁ ସୁଖରେ ବଞ୍ଚିବି ।

ମୁଁ ବୁଦୁନିର ଏ ନୈତିକ ଅଧୋଗତି କଥା ଭାବି ଭାବି ଭାରି ଅସ୍ଥିର ହେଉଥାଏ । ଏହିଭଳି କଳଙ୍କିତମାନେ ଯଦି ମଣିଷର ସମାଜରେ ବାସ କରନ୍ତି ତେବେ ସମାଜର, ଦେଶର, ଜାତିର ଯେ କି ପ୍ରଭୂତ କ୍ଷତି ହେବ–ତାକୁ କିଏ କଳ୍ପନା କରିପାରେ ? ମୁଁ ପ୍ରତିଜ୍ଞା କଲି–ଆସନ୍ତା ସକାଳରେ ଏଇ ବଦମାସୀ ଝିଅକୁ ମୋ’ ଘର ସାମ୍ନାରୁ ନ ତଡ଼ିଲେ...ଆଚ୍ଛା ଲୀଳା ଜମେଇଛି ଏଠି-

ମୋର ବାରମ୍ୱାର ଇଚ୍ଛା ହେଉଥାଏ ବାହାରକୁ ଯାଇ ବୁଦୁନିର ଭଙ୍ଗା କୁଡ଼ିଆକୁ ମାଟିରେ ମିଶେଇ ଦେବି । ତାକୁ ଅନ୍ୟ ଲୋକମାନଙ୍କ ସାମ୍ନାରେ ବେଜିତ୍‍ କରେଇ ତଡ଼ିଦେବି । ସେ ଯେଉଁଠିକି ଯାଉ ନତୁବା ବେଶ୍ୟାଗିରି କରି ବଞ୍ଚୁ କିମ୍ୱା ବଞ୍ଚିନପାରିଲେ ବେକରେ ରସି ଦେଇ ଆତ୍ମହତ୍ୟା କରୁ–ମୁଁ ତ ଦାୟୀ ନୁହେଁ । କିନ୍ତୁ ମୋରି ବାହୁଛାୟା ତଳେ, ମୋରି ପୈତୃକ ଜମି ଉପରେ କୁଡ଼ିଆ ରଚି ଅସାମାଜିକ ବୀଭତ୍ସ ଦୃଶ୍ୟ ଦେଖାଉଥିବ । କିନ୍ତୁ ତା’ର ସେଇ ନିଷ୍ପାପ ଫୁଲପରି ମୁହଁ ଓ ଲୁହାକ୍ତ ଆଖିର ଚିତ୍ର ଭାସି ଆସିଲେ ମୁଁ ଦୁର୍ବଳ ହୋଇଯାଏ । ମୋର ପ୍ରତିଜ୍ଞା, କଠୋର ମନୋଭାବ ବାଏଁ ବାଏଁ ଉଡ଼ିଯାଏ । ଦୀର୍ଘ ଦିନ ତଳର ଦୃଶ୍ୟ ଆଜି ଉଜ୍ଜୀବିତ ହେଉଛି–

–ମା’...ମୋ’ ଘରର ପାହାଚ ତଳେ ବୁଦୁନି ଗୋଡ଼ ଭାଙ୍ଗି ଠିଆ ହୋଇଥିଲା ।

–କ’ଣ ?

ମା’ ଦି’ଦିନ ହେଲା ଭୋକଉପାସରେ ଅଛି । ମୁଠାଏ ଦିଅ ମା’... କିଲୋ, କୋଢ଼ିଙ୍କ ପରି ଏଇ ଭିକ୍ଷାବୃତ୍ତି କରୁଛୁ କାହିଁକି ? ଦେହରେ ତାକତ ଅଛି । ଜୁଆନ୍ ଟୋକୀ । ଯାଉନୁ କେଉଁଠି ଦେହ ମିହନତ୍ କରି ବଞ୍ଚିବୁ ?

–ମା’ କାମ ଯୋଗାଡ଼ରେ ଆଜିକି ମାସେ ହେଲା ଏଠିକି ସେଠିକି ଘୂରୁଛି । କିନ୍ତୁ କେଉଁଠି ହେଲେ...ବୁଦୁନିର ଆଖି ଲୁହରେ ଥମ୍‍ ଥମ୍‍ ହେଲା । ତା’ ଡବଡବିଆ ଆଖିର ଲୁହ ମାଂସଲ ଗାଲ ଉପରେ ଜଳୁଥିଲା ।

–ଏ’ ତୋ’ ଘର କେଉଁଠି ।

ସେ ଆଉ କିଛି କହିପାରିଲାନି । ମୋ’ ସ୍ତ୍ରୀଙ୍କ ପାଦତଳେ ପଡ଼ି କଇଁ କଇଁ କାନ୍ଦିଲା । ମଣିଷର ମଣିଷ ସହ ଯେତେ ଆଦର୍ଶଗତ ମତ ପାର୍ଥକ୍ୟ ହେଲେ ବି ମଣିଷ ଆଖିର ଜୀବନ୍ତ ଲୁହରେ ମଣିଷର ହୃଦୟ ଦୟାରେ ବିଗଳିତ ହୁଏ ।

ଉମା ବୁଦୁନିକୁ ପାହାଚ ତଳେ ବସାଇଲେ । ପତ୍ରରେ ଭାତ ବାଢ଼ିଲେ । ବୁଦୁନି ଖାଉଥିଲା । ମୁଁ କଲେଜ ଚାଲି ଆସିଥିଲି ।

ବୁଦୁନିର ଦୁଃଖର କାହାଣୀ ଶୁଣିବା ପରେ ଉମାଙ୍କର ଏତେଟା ପରିବର୍ତ୍ତନ ହୋଇପାରେ ମୁଁ ବିଶ୍ୱାସ କରିପାରିଥିଲିନି । କଲେଜରୁ ଫେରିଲି । ମୁହଁ ଉପରେ କ୍ଳାନ୍ତିର ତେଲ ଚିକିଟା ଆଭାସ-। ମୋ’ ଗୋଡ଼ରୁ ଯୋତା ଖୋଲିଦେଇ ଉମା ମୋ’ ମୁହଁକୁ ଅନାଇଲେ । ତାଙ୍କରି ଆଖି ଉପରେ କିଛିଟା ପରିବର୍ତ୍ତନ ଆଭାସ ।

–ଉମା, ରଞ୍ଜୁ କାହିଁ ?

–ବୁଦୁନି ତାକୁ ବାହାରେ ବୁଲେଇବାକୁ ନେଇଛି ।

–ବୁଦୁନି ?

–ସେଇ ଆଦିବାସୀ ଝିଅଟା ଯାହାକୁ ମୁଁ ଅଯଥାରେ ଗାଳି ଦେଉଥିଲି । ତମେ ତ ଦେଖିଥିବ ।

–ହଁ, ଆଚ୍ଛା, ତାକୁ କ’ଣ ତମେ ଘରେ ଚାକରାଣୀ କରି ରଖିବ ?

–ହଁ ଭାରି ଅଭାଗିନୀ ।

ବୁଦୁନି ମୋ’ ଘରେ ଚାକରାଣୀ ହେଲା । ବାସନ ମାଜିଲା, ଘର ଓଳେଇଲା । ରନ୍ଧା-ବଢ଼ାରେ ଉମାଙ୍କୁ ସାହାଯ୍ୟ କଲା । ରଞ୍ଜୁର ସମସ୍ତ ପ୍ରକାର ଅଳିଅର୍ଦ୍ଦଳି ସହିଲା । ମୋ’ ଘରେ ସିଏ ଅତି ନିଜର ମଣିଷପରି ଦୀର୍ଘ ଛ’ମାସ ଯାଏଁ ରହିଲା । ମୁଁ ତା’ ଦୁଃଖର କାହାଣୀ ଉମା ମୁହଁରୁ ଶୁଣିଛି । ତାକୁ ନିଜର କଣ୍ଟ୍ରାକ୍ଟର ବନ୍ଧୁକୁ ଅନୁରୋଧ କରି ଚାକିରି ଦେଇଛି । କିନ୍ତୁ ଆଜି... ! ତା’ର ଏତେଟା ବ୍ୟତିକ୍ରମ ହେଲା କେମିତି !

ବୁଦୁନି, ଆଦିବାସୀ ନାରୀ । ଘନ ସବୁଜିମାର ଆସ୍ତରଣ ଭିତରେ ତେଜୋଦୀପ୍ତ ଏକ ନିଷ୍ପାପ ଫୁଲ, ଯେଉଁ ଫୁଲର ମହକରେ ଭ୍ରମର ବାଟ ଭୁଲେ, ଯେଉଁ ଫୁଲର ଉପହାରରେ ଦେବତା ସନ୍ତୁଷ୍ଟ ହୁଅନ୍ତି, ବର ଦିଅନ୍ତି । ଇଏ କ’ଣ ସେଇ ଫୁଲ !

 

ରଞ୍ଜୁ ସ୍ୱପ୍ନରେ ବିଳିବିଳେଇ ହେଉଛି । ଉମା ତାକୁ ନିଦ୍ରାସ୍ନାତ ହାତରେ ଥାପୁଡ଼େଇ ଶୁଆଇଦେଲେ । ମୁଁ କାନ ଡେରିଥାଏ–ବୁଦୁନିର ଦ୍ୱାର ଖୋଲିବା ଶବ୍ଦ ବାହାରେ ତରଙ୍ଗାୟିତ ହେଉନି ।

 

ସ୍ୱାମୀର ବିଚ୍ଛେଦ ସହିପାରିଲାନି ବୋଲି ଆଜି ବୁଦୁନି ଗୋଟିଏ ମଣିଷର ସୁନାର ସଂସାର ଉଜାଡ଼ି ଦେଇ ନିଜେ ବାସନ୍ତୀ ଦୁନିଆ ଗଢ଼ୁଛି ? ଏଥିପାଇଁ ଦେହର ଭୋକ ମାରିବାପାଇଁ ନିଜକୁ ପରପୁରୁଷକୁ ବିକ୍ରି କରୁଛି ? ଦିନମାନ ମଜୁରୀ ଖଟୁଛି । ସେଥିରେ ତା’ ଗୁଜୁରାଣ ମେଣ୍ଟିଲାନି ଯେ ରାତିର ବଜାରରେ ଦେହର ବିପ୍‍ପଣୀ ଖୋଲି ଦେଇଛି । ହଁ ହୋଇପାରେ । ଏ’ ଦେଶ ଗଣତନ୍ତ୍ରର ନୁହେଁ, ଧନତନ୍ତ୍ରର । ଏଣୁ ଧନ ସମ୍ପାଦିବା ପାଇଁ ଅସଦ୍‍ ଉପାୟର ଆଶ୍ରୟ ନେଇ ସେ କି ଭୁଲ୍‍ ବା କଲା ? ସମାଜ ଆଖିରେ ଅନ୍ୟମାନଙ୍କ ପରି ବିଭବଶାଳୀ ହୋଇ ସାମାଜିକ ପ୍ରତିଷ୍ଠା ଦାବି କଲେ ତା’ର କ୍ଷତି କ’ଣ ? ଯିଏ ରାତିର ଅନ୍ଧାରରେ ଅସତୀ ସିଏତ ଫେର୍‍ ଦିନର ଦୁନିଆରେ ସତୀତ୍ୱ ଜାହିର କରୁଛି । ସମାଜ ବି ତାକୁ ମହାସତୀ ସାବିତ୍ରୀର ଆଖ୍ୟା ଦେଉଛି ।

 

ଅସର ପରସ୍ପର ବିରୋଧୀ ଚିନ୍ତାରେ ମୁଁ ଭାରାକ୍ରାନ୍ତ ହେଉଛି ।

 

ବୁଦୁନିକୁ ଜନ୍ମଦେଇ ତା’ ମା’ ଆରପାରିକୁ ଚାଲିଯାଇଥିଲା । ଭୂମିଷ୍ଠ ସନ୍ତାନ ଦର୍ଶନରେ ମାର ଗର୍ଭ ବେଦନାକୁ ମୃତ୍ୟୁ ଟାଣି ନେଲା । ତା’ ପରେ ପରେ ତା’ ବାପା ବି । ଏଡ଼େ ବଡ଼ ଦୁନିଆରେ ବୁଦୁନି ଏକା, ପିଲାଟିବେଳୁ ସେ ମା’ର ମମତା କି ବାପାର ସ୍ନେହ ପାଇନି । ଅନାଥାଶ୍ରମରେ ତା’ ଜୀବନର ଅଠରଟି ବର୍ଷ ବିତିବା ପରେ ସେ ସେଦିନ ସେଇ ଜୁଆନ୍ ଟୋକା ବୁଦୁରାମର ହାତ ଧରିଥିଲା । କିନ୍ତୁ ତା’ ଦୁଃଖର ଦିନ ଶେଷ ହୋଇନଥିଲା । ଆକାଶରୁ ମେଘ ଅପସରିନଥିଲା କି ସୂର୍ଯ୍ୟୋଦୟର ସଙ୍ଗୀତ ବାଜି ନ ଥିଲା, କାରଣ ବୁଦୁରାମ ମଦ୍ୟପ । ବୁଦୁନିକୁ ପ୍ରତ୍ୟେକ ଦିନ ଗାଳିଦିଏ । ଅସହ୍ୟ ଦୈହିକ ଆଘାତ ଦିଏ । ତଥାପି ସ୍ୱାମୀ ! ଦେବତା ! ଦେବତାର ବେଦୀତଳେ ନିଜର ନୈବେଦ୍ୟ ନ ବାଢ଼ି ସିଏ ବା କେଉଁ ଶୂନ୍ୟ ମନ୍ଦିରକୁ ଯାଇଥାନ୍ତା ପୂଜା ଡାଲାରେ ପଲାସ ଫୁଲ ଭରି ? କିନ୍ତୁ ସେଇ କର୍କଶ ହାତର ପାହାଡ଼ି ସ୍ପର୍ଶ ତା’ପାଇଁ ବେଶୀ ଦିନପାଇଁ ରହିପାରିଲାନି । ବିବାହର ବର୍ଷଟିଏ ନ ପୁରୁଣୁ ବୁଦୁରାମ ବି ଚାଲିଗଲା ମାଟିର ଜଗତର ଦିଗନ୍ତ ସେପାରିରେ ହସୁଥିବା ବା କାନ୍ଦୁଥିବା ପରପାରିକୁ । ତଥାପି ବୁଦୁନି ଶାଶୁ ଶ୍ୱଶୁରଙ୍କ ଅନେକ ଗଞ୍ଜଣା ସହି ପଡ଼ି ରହିଲା । କିନ୍ତୁ ବିଧାତାର ନିର୍ଦ୍ଦେଶ ! ତା’ ଶାଶୁ ତାକୁ ଘରୁ ବାହାର କରିଦେଲେ–ଏଠି ଆଉ ପଡ଼ିରହିଛୁ କାହିଁକି ? ଗୁଣ୍ଡା ଗିଳି ଗଣ୍ଡି ବଢ଼େଇବୁ କାହାପାଇଁ ? ଯା...ମୋ’ ଘରୁ ବାହାରି ଯା...। ଶାଶୁର ଗୋଡ଼ତଳେ ପଡ଼ି ସେ ଅନେକ ନେହୁରା ହେଲା, କିନ୍ତୁ ଆଗକୁ ବଢ଼ିଯିବା ନଈ ପଛକୁ ଲେଉଟିଲା ନାହିଁ । ତାକୁ ପରିଶେଷରେ ଅବଶିଷ୍ଟ ପୃଥିବୀର ଅନିର୍ଦ୍ଦିଷ୍ଟ ରାସ୍ତା ଉପରେ ପାଦ କାଢ଼ିବାକୁ ପଡ଼ିଲା ।

 

ନିଜକୁ ଅନ୍ୟର ଦୁଃଖ ଯେତେବେଳେ ମର୍ମାହତ କରାଏ, ସେଇ ଦୁଃଖରୁ ମୁକ୍ତି ପାଇବାପାଇଁ ନିଜେ ଅନ୍ୟକୁ ଭିକ୍ଷାଦାନ କରେ, ମୁଁ ଠିକ୍‍ ସେୟା ବୁଦୁନିପାଇଁ କରିଥିଲି । କିନ୍ତୁ ଇଏ କ’ଣ ତା’ର ପ୍ରତିଦାନ–ବୁଦୁନି ମୋରି ଘର ସାମ୍ନାରେ ପରପୁରୁଷ ସଙ୍ଗେ ମାତିବ ?

 

ସେଇ ବୁଦୁନି ଯିଏକି ଅଚିହ୍ନା କି ଚିହ୍ନା ପରପୁରୁଷକୁ ଥରଟିଏ ବି ଭୋକିଲା ଆଖିରେ ଚାହିଁନଥିଲା, ପୁରୁଷର ଛାଇ ପଡ଼ିଲେ ଲାଜରେ ସେ ଝାଉଁଳି ଯାଉଥିଲା, ସିଏ ଫେର୍‍...?

 

ନା, ଏ’ ମଣିଷକୁ ଯେତେ ସୁଆଦିଆ ମିଠାଫଳ ଖୁଆଇଲେ ବି ସେ ଆଇଁଷିଆ । ରକ୍ତ ସାଲୁବାଲୁ କଞ୍ଚାମାଂସକୁ ତ୍ୟାଗ କରିପାରିବନି, ସେଇ ମାଂସ ପାଇବା ଆଶାରେ ମଣିଷ ହୁଏତ ବଣକୁ ଯାଇପାରେ । ବୁଦୁନିବି ବେଶ୍ୟାର ବଜାରକୁ ଯାଇପାରେ ଦେହର ଦୋକାନ ଖୋଲିବାପାଇଁ, କିନ୍ତୁ ଏଠି ନୁହେଁ । ପାପସହ ପାପର ସଂଯୋଗ ପାପର ସ୍ଥୂଳତାକୁ ଘନୀଭୂତ କରାଇଥାଏ ।

 

କିନ୍ତୁ ପୁଣ୍ୟର ଦୀପ୍ତି ଉପରେ ପାପର ଛିଟା ପୁଣ୍ୟକୁ ବେରଙ୍ଗି କରାଏ ।

 

ଆସନ୍ନ ପାପର ଭୟରେ ମୁଁ ଶିହରି ଉଠିଲି । ମୋର ମାନସିକ ଉତ୍ତେଜନାକୁ ରକ୍ତାକ୍ତ କରି ବୁଦିନିର ଭଙ୍ଗା-କୁଡ଼ିଆ ଦରଜା ହଠାତ୍‍ ଖୋଲିଗଲା, ମୁଁ ଚମକି ପଡ଼ିଲି । ଉମାଙ୍କ ନିଦ୍ରାବି ତୁଟିଗଲା, ଆମେ ଦରଜା ଖୋଲି ବାହାରକୁ ଆସିଲୁ ।

 

ବୁଦୁନି ଚିତ୍କାର କରୁଛି–ତୁ ଚାଲିଯା, ଚାଲିଯା’ ତୁ, ତୁ ମୋର କିଏ ? ମୁଁ ବା ତୋର କିଏ-?

 

–ଆବେ ଛୋକରି, ମାଗଣାରେ ମୁଁ ତତେ ସାଦି ହୋଇଥିଲି ? ହିସାବ ନିକାଶ୍‍ କର କେତେ ରୂପୟା ତୁ ମୋଠୁ ନେଇଛୁ ? ଏ’ ଫିକରକ୍ୟୋଁ କି ? ବଜ୍ଜାତ୍‍ ଲଡ଼କୀ ।

 

–ହୋ ବାବୁ, କ’ଣ ହେଲା ? ମୋର ଡାକରୁ ବୁଦୁନି ଯେମ୍‍ତି ଅଭୟ, ସାହସ ପାଇଲାପରି ମୋ’ ପାଖକୁ ଦୌଡ଼ି ଆସିଲା, ମୁଁ ଘୁଞ୍ଚିଗଲି ପଛକୁ । ଅପବିତ୍ର, ପାପର ସ୍ପର୍ଶ ଭୟରେ-

 

–ବୁଦୁନି ! ଏଇ ରାତିରେ । ଅବିକା ତୁ ଏଠୁ ବାହାର । ବେଶ୍ୟା କେଉଁଠିକାର !

 

ସେ ମୁହଁ ତଳକୁ କରି ନୀରବରେ ଲୁହ ଗଡ଼େଇଲା ।

 

–ଆଲୋ, ‘କାନ୍ଦୁଛୁ କାହିଁକି ?’ କ’ଣ ହେଲା ଆଜି ? ଦିହେଁ ମିଶି ପ୍ରତ୍ୟେକ ରାତିରେ କେତେ ମଜା କରୁଥିଲ । ଆଜି କେମ୍‍ତି ଅମେଳ ହେଲା ?

 

–ମା’...ୟାକୁ ଦୁତିଅ ହେଲି ବୋଲି ୟାର କଥାରେ ମୁଁ ମୋ’ ଛୁଆକୁ ମାରିବାପାଇଁ ଡାକ୍ତରଖାନା କାହିଁକି ଯିବି ? ଔଷଧ କାହିଁକି ଖାଇବି ? ତା’ ଲୁହ ଗାଧୁଆ ମୁହଁରେ ଉଲ୍ଲାସ, ମା’ ହେବାର ଗର୍ବ–ମା’ ମୁଁ ଜୀବନରେ ମା’ର କି ବାପାର କାହାରି ଆଦର ପାଇନି । ମୁଁ କ’ଣ ସେଇ ଆଦର, ସ୍ନେହ ମୋ’ ପୁଅ ଝିଅକୁ ଦେଇପାରିବିନି ?

 

ପୁରୁଷଟି ରାଗ ତମ ତମ ହୋଇ ଲେଉଟି ଯାଉଥିଲା, ବୁଦୁନି ଆଖିରେ ଲୁହର ଦୀପ୍ତି ଲିଭିବା ପୂର୍ବରୁ ତା’ ପାଉଁଶିଆ ଗାଲର ସରହଦ ଡେଇଁ ତୃପ୍ତିର ଲୁହ ଗଡ଼ି ଆସୁଥିଲା । ତା’ ମାତୃତ୍ୱ–ତା’ ନାରୀତ୍ୱର ଗର୍ବ–ସାମ୍ନାରେ ମୁଁ ଅନୁତାପରେ ଜଳି ଜଳି ତା’ ପାଖରୁ କ୍ଷମା ଚାହୁଁଥିଲି ।

 

ରଞ୍ଜୁ କାନ୍ଦୁଛି ନିଦ ବାଉଳାରେ, ଉମା ବ୍ୟସ୍ତ ହୋଇ ବେଡ଼୍‍ରୁମ୍‍କୁ ଲେଉଟି ଆସିଲେ ।

Image

 

ନୂତନ ସଂସ୍କରଣ

 

ଆକାଶରେ ସୂର୍ଯ୍ୟର ଯଦି ଚିରଦିନ ଲାଗି ମୃତ୍ୟୁ ହୁଅନ୍ତା କିମ୍ୱା ଈଶ୍ୱରଙ୍କ ସୃଷ୍ଟିରୁ ସବୁଦିନ ପାଇଁ ଆଲୋକର ସତ୍ତା ଲିଭିଯାଇ ପାରନ୍ତା ତାହାହେଲେ ମଣିଷ ହୁଏତ ନିର୍ଜନ ମଶାଣି ଭୂଇଁରେ ଅନ୍ଧକାରକୁ ଆଦରି ନେଇ ମୃତ୍ୟୁର କଳା ଭୁଆ ବିରାଡ଼ି ରୂପ ଦେଖନ୍ତା ନତୁବା ମୃତ୍ୟୁର ସ୍ତୂପ ଉପରେ ଜୀବନ ଗଢ଼ି ନଷ୍ଟ ସ୍ୱପ୍ନରେ ଅତିଷ୍ଠ ହୁଅନ୍ତା । କିନ୍ତୁ ଆସନ୍ତାକାଲି ସୂର୍ଯ୍ୟ ଉଇଁବ । ତୋଫା ମାଟିର ଦେହରେ ଆଲୋକର ଦିହୁଡ଼ି ନାଚିବ–ଏଇ ଆଶା ଅଛି, ମଣିଷ କାହିଁକି ଅନ୍ଧାରକୁ ସାହା କରି ତୃପ୍ତ ହେବ ?

 

ନୂଆ ନୂଆ ବସ୍ତୁ (ନିର୍ଜୀବ ହେଉ କି ସଜୀବ ହେଉ) ନୟନର ଉତ୍ତେଜନାରେ ଭିନ୍ନ ଭିନ୍ନ ସ୍ୱାଦଭରା ଫୁଲର ପୁଲକ ଭରିଦିଏ । ସେ ନୂଆ ନୂଆ ପକ୍ଷୀ ପଛରେ ଧାଇଁଛି, ନୂଆ ନୂଆ ଚଢ଼େଇ ଥଣ୍ଟର ଦାଗ ନିଜ ଓଠ ଉପାନ୍ତରେ ବରି ନେଇଛି । ଏଥିପାଇଁ ଦାୟୀ ତା’ ଜୀବନ ଦର୍ଶନ–ଆସକ୍ତି ହିଁ ମଣିଷର ପ୍ରଥମ ଶତ୍ରୁ, ପରମ ଶତ୍ରୁ, ଆସକ୍ତି ହିଁ ଅଦିନ ମରଣର ହେତୁ । କେଉଁ ଆଶାରେ ସେ ପୁଷ୍ପିତା ନାରୀ ପଛରେ ଏତେ ଧାଁ ଦୌଡ଼ ଦିଏ ! ସେ ବିବାହିତ । ଗୋଟିଏ ସୁତୀର୍ଥରେ ବୁଡ଼ି ପାରିଲେ ଦେହରୁ, ଆତ୍ମାରୁ କ’ଣ କଳୁଷ ଧୋଇ ଯାଏନି ନା ଗୋଟିଏ ନାରୀର ରକ୍ତର ନଈରେ ତା’ ଦେହରୁ ନିଆଁ ଲିଭେନି !

 

ନୟନ, ତୁ ବିବାହିତ । ତୋର କେମିତି ମନ ବଳେ ଅନ୍ୟ ଝିଅ ବୋହୂଙ୍କ ପିଛା ଧରିବାକୁ ? ଯା, ଶୁଣିବୁ, ତୋ’ ନାଁରେ ଲୋକେ କ’ଣ କୁହାକୁହି ହେଉଛନ୍ତି ?

 

ହେଲା କ’ଣ ? କୁହନ୍ତୁ ! ମୋର ତ ଫେର୍‍ ନିଜ ମନଅଛି । ମୁଁ ତ ଅନ୍ୟମାନଙ୍କ ପାଇଁ ମୁଣ୍ଡ ଘୂରାଏନି । ସେମାନେ କାହିଁକି ମୋର କେଉଁଟା ଭଲ, ମନ୍ଦ ବିଷୟରେ ଏତେ ଭାବୁଛନ୍ତି ? ତମେ ସମସ୍ତେ ହିପୋକ୍ରାଟ୍‍ । ତୁ କହିଲୁ–ତୁ ତ ଫେର୍‍ ବିବାହିତ । ତୋର କ’ଣ ଇଚ୍ଛା ହୁଏନି ନୂଆ ନୂଆ ଚଢ଼େଇ ଶିକାର କରିବାପାଇଁ ? କ’ଣ ଇଚ୍ଛା ହୁଏନି ?

 

ନୟନ ଉତ୍ତେଜିତ ହୋଇଉଠୁଥିଲା ।

 

ଇଚ୍ଛା ହୁଏ ସତ । କିନ୍ତୁ ଇଚ୍ଛାପାଇଁ ତ ମୁଁ ନିଜର ମାନ, ସମ୍ମାନ, ସାମାଜିକ ନୀତି ନିୟମକୁ ମାରି ଦେଉନି ।

 

ତା’ହେଲେ ତମେ ଯାହା ଭିତରେ, ବାହାରେ ତା’ର ଠିକ୍‍ ଓଲଟା । ଖାସ୍‍ ଡୁଏଲ୍‍ ପର୍‍ସନାଲିଟି ।

 

ମୁଁ ନୟନର ତର୍କ ବିତର୍କ ସାମ୍ନାରେ ହାର ମାନେ ।

 

ଦିନକର କଥା । ରାତି ବହୁତ ବଢ଼ି ସାରିଥାଏ । ନୟନ ଆସିଲା । ଜିଗର କଲା । ମତେ ବାଧ୍ୟ କଲା–ରଞ୍ଜୁ, ଆ’, ମଦ ଭାଟିକୁ ଯିବା ।

 

କାହିଁକି ? ଆଜି ରାତିକ ବିତିଗଲେ କ’ଣ ଚଳିବନି ?

 

ନା । ତା’ ସ୍ୱରରେ ଟାଇଗନ୍‍ର ଦୃଢ଼ତା ।

 

ତୁ ଏତେ ବେଶୀ ମଦ ପିଉ କାହିଁକି ?

 

ନିଜକୁ ଭୁଲିଯିବା ପାଇଁ । ମୋ’ ଉପରେ ଯେଉଁମାନେ ନିର୍ଭର କରି ବଞ୍ଚୁଛନ୍ତି ସେମାନଙ୍କୁ ପାଶୋରିବା ପାଇଁ ।

 

ତୋର କ’ଣ ଏମିତି ହୋଇଛି ଯେ ତୁ ନିଜକୁ ଏତେ କଷ୍ଟ ଦେଉଛୁ ।

 

ମୋର କ’ଣ ହୁଏ, ହେଇଛି ବା ହେବ–ତୁ କେମିତି ଜାଣିବୁ ? ତୁ କ’ଣ ଜାଣୁ ତୁ କିଏ ? ତେବେ ତୁ ଅନ୍ୟକୁ ଜାଣିବୁ କିପରି ?

 

ନାଃ ବାବା, ମୋର ଜାଣିବା ଆବଶ୍ୟକ ନାହିଁ । ମୁଁ ଚୁପ୍‍ ରହିଲି । ସେ ଘନଅନ୍ଧାରର ବର୍ଷଣମୁଖର ରାତିରେ ତା’ ସହିତ ମଦ ଭାଟିକୁ ଗଲି । ସେ ମନ ପୂରେଇ ମଦ ପିଇଲା । ବେହୋସ ହୋଇ ମୋ’ ଉପରେ ଟଳି ପଡ଼ିଲା । ଦେଖିଲି–ତା’ର ଏତେ ସରଳ, ନିଷ୍ପାପ ମଣିଷ ଭିତରୁ ବାଘ କେମିତି ହେଣ୍ଟାଳି ଦିଏ ।

 

ତାକୁ ରିକ୍ସାରେ ଉଠେଇ ତା’ ଘରେ ଛାଡ଼ି ଫେରି ଆସୁଥିଲି । ମୋ’ ପଛରେ ଦୌଡ଼ୁଥିଲା ତା’ ସ୍ତ୍ରୀର ଟାଇଁ ଟାଇଁ କଥା–ଓଃ, ଏଇ ମଦପାଇଁ ଏତେ ଦୋସ୍ତ । ସୌଜନ୍ୟ ଖାତିରରେ ପ୍ରତିବାଦ ନ ଜଣେଇ ମୁଁ ଲେଉଟି ଆସିଲି ।

 

ତା’ ପରଦିନ । ନୟନ ମୋ’ ଘରକୁ ଆସିଲା । ଫେର୍‍ ତା’ ଦାର୍ଶନିକତା ବଖାଣିଲା–ରଞ୍ଜୁ, ଦୁନିଆକୁ ସିନା ଈଶ୍ୱର ସୃଷ୍ଟି କରିଛନ୍ତି । କିନ୍ତୁ ତୋର ସେ ପଥର ଈଶ୍ୱର ଆଲୋକର ସାଥି ନୁହଁନ୍ତି । ରଶ୍ମି ଉପରେ, ସୂର୍ଯ୍ୟ ଉପରେ, ମଣିଷର ସୁଖ-ଦୁଃଖର ସଂସାର ଉପରେ ତାଙ୍କର କୌଣସି ପ୍ରକାର କର୍ତ୍ତୃତ୍ୱ ନାହିଁ । ସୂର୍ଯ୍ୟାଲୋକରେ ତୋର ସେ ଈଶ୍ୱର ମଣିଷର ଚାକର ପାଲଟନ୍ତି । କିନ୍ତୁ ଅନ୍ଧାର ରାତିରେ ମୋର ସେ ଅଭଗବାନ ମଣିଷର ରାଜା ହୁଅନ୍ତି । ତମେମାନେ ଦିବାଲୋକରେ ଭଗବାନ, ତମେମାନେ ଈଶ୍ୱରଙ୍କ ରାଜା । ଆଉ ମୁଁ ? ମୁଁ ସର୍ବଦା ଗୋଟିଏ ପ୍ରଜା ମାତ୍ର । ମୋର କେହି ରାଜା ନାହାନ୍ତି । ମୁହିଁ ମୋର ରାଜା, ମୁହିଁ ମୋର ପ୍ରଜା, ରାତିରେ ଏବଂ ଦିନରେ, ସୁଖରେ ଏବଂ ଦୁଃଖରେ, ଭଗବାନଙ୍କ ମୁଁ ଧାର ଧାରେନି । କିନ୍ତୁ ଯେହେତୁ ମୁଁ ମୃତ୍ୟୁକୁ ଭୟ କରେ ଏବଂ ଯେହେତୁ ତମର ମନଗଢ଼ା ଈଶ୍ୱର ମତେ ଯେକୌଣସି ମୁହୂର୍ତ୍ତରେ ମୃତ୍ୟୁ ଦେଇପାରନ୍ତି ସେଇଥିପାଇଁ ମୁଁ ତାଙ୍କୁ ନିଜ ସ୍ୱାର୍ଥପାଇଁ ଭୟ କରେ, କିନ୍ତୁ ଭକ୍ତି ଦିଏନି ।

 

ଏସବୁ କହିବା ମାନେ ?

 

ତୋର ମଣିଷ ଏମିତି ଗୋଟିଏ ସଜୀବ ପଦାର୍ଥ ଯାହାକୁ କି ତୋ’ ଈଶ୍ୱର ଭୟ କରେ ।

 

ନୟନ, ଏଯାଏଁ କ’ଣ ମଦ ନିଶା କଟିନି ?

 

ଏଥର ନୟନ ହସିଲା । ବଖାଣିଲା ଗତରାତିର ଘଟଣା–ରିତା, ରିତା ମୋର ସ୍ତ୍ରୀ । ସେ ଅନେକ କାନ୍ଦିଲା । ମତେ ବାଧ୍ୟ କଲା–ମୋ ଚୁଡ଼ି ଛୁଇଁ ଶପଥ କର, ତମେ ଆଜିଠୁଁ ମଦ ଛୁଇଁବନି, ରଞ୍ଜୁ । ମୁଁ ତା’ର ପ୍ରତ୍ୟେକ କଥାରେ ହଁ ଭରିଲି । କାରଣ; ମୁଁ ତା’ ମନରେ ଆଘାତ ଦେବାକୁ ଚାହିଁଲିନି । ମୁଁ ମଣିଷ ହିସାବରେ ମଣିଷକୁ ସମ୍ମାନ ଦିଏ । କିନ୍ତୁ ତାକୁ ପ୍ରେମ ଦିଏନି, ଅନ୍ତର ଦେଇ ଭଲପାଏନି । ଆଜି ଯଦି ସମ୍ପର୍କ ତୁଟେଇ ଦେଇ ରିତା ଚାଲିଯାଏ କିମ୍ୱା ଆତ୍ମହତ୍ୟା କରେ ସେଥିଲାଗି ମୋ’ ଆଖିରୁ ଲୁହ ଝରିବନି କିମ୍ୱା ତାକୁ ହରେଇଲି ବୋଲି ତା’ ଅଭାବରେ ମୁଁ ନିଜେ ଆତ୍ମହତ୍ୟା କରିବିନି । କେମିତି ଆତ୍ମହତ୍ୟା କରିବି ? ଏ ଈଶ୍ୱରବିହୀନ ସମାଜରେ କିଏ କେବେ ଆତ୍ମଘାତୀ ହୋଇପାରେ ? ମୁଁ କେବଳ ମୋ’ ନିଜର । ମୁଁ କାହାର ନୁହେଁ କିମ୍ୱା କିଏ ମୋର ନୁହଁନ୍ତି-

 

ନୟନ ଦମ୍‍ ନେଲା । ଫେର୍‍ ଆରମ୍ଭ କଲା–ରିତା ମଣିଷ । ମୁଁ ବି ମଣିଷ । କିନ୍ତୁ ତା’ ମଣିଷ ଓ ମୋ’ ମଣିଷ ମଧ୍ୟରେ ବହୁତ ତଫାତ୍‍ । ତା’ ମଣିଷ ହିପୋକ୍ରାଟ୍‍ର । ତୋର ଲୋକ ଦେଖାଣିଆ ମୁଣ୍ଡାଏ ପଥରର । ମାତ୍ର ମୋର ? ମୋ’ ମଣିଷ ମୋ’ ନିଚ୍ଛକ ନିଜର, ମୋ’ ଇଚ୍ଛାର, ମୋ’ ମନର ।

 

ନୟନ ! ତୁ ପରା କହୁ ତୁ କେବେ ମଣିଷକୁ ଆଘାତ ଦେଇପାରିବୁନି ? ତେବେ ତୋ’ ଲାଗି ଯଦି ରିତା ଆଖିରୁ ଲୁହ ଝରିଲା । ସେ ଲୁହ କ’ଣ ଆଘାତର ନୁହେଁ ?

 

ନା, ଜମା ନୁହେଁ ସେ ଲୁହ କେବଳ ଆସକ୍ତିର, ଛଳନାର ।

 

ମୁଁ ଆଉ କିଛି ନ କହି ଚୁପ୍‍ ରହିଲି । ନୟନ ଚାଲିଗଲା । ଅଜବ୍‍ ଖିଆଲ ତା’ର । ମତେ ଦୁଃଖ ଲାଗିଲା । ମୁଁ ଦେଖିଛି–ତା’ ଘରେ ପୋଷା ମାନିଥିବା ଶାରିମାନେ କେବଳ ନୟନ ହାତରୁ ମୁଠାଏ ଦାନା ପାଇଲେ ସତରେ କେତେ ଖୁସି ନ ହୁଅନ୍ତି ! ତା’ ପୋଷା କୁକୁର ତା’ ଫେରିବା ବାଟକୁ ଚାହିଁ ରହିଥାଏ । ସେ ମାନବିକତା ବିହୀନ ପଶୁପକ୍ଷୀଙ୍କୁ ଏତେ ଆଦର କରିପାରେ । ଅଥଚ ଭିକାରିଟିଏ ଯଦି ପଇସାଟିଏ ପାଇଁ ହାତ ପାତେ–ତା’ ଭିତରୁ ପଶୁ ଗର୍ଜିଉଠେ–ଆବେ କୋଢ଼ି, ଭିକ ମାଗୁଛୁ କାହିଁକି ? ବଞ୍ଚି ପାରୁନା ଯଦି ଆତ୍ମହତ୍ୟା କର । ତା’ ପାଖରୁ ମୁଁ ଅନେକଥର ଶୁଣିଛି–ମଣିଷକୁ ମଣିଷ କେବେ ପୋଷା ମନେଇ ପାରିବନି । ତମେ ହିଂସ୍ର ବାଘକୁ ପଚାସଢ଼ା ମାଂସ ଦିଅ, ସେ ତମର ଗୋଡ଼ ଚାଟିବ; କୁକୁର ମୁହଁରେ ଅଇଁଠା ଭାତ ମୁଠାଏ ଫିଙ୍ଗିଦିଅ, ସେ ତମକୁ ଦେଖିଲେ ନାଚି ଉଠିବ; କିନ୍ତୁ ଏ’ ମଣିଷ ? ମଣିଷ ଜାତିଟା ଅକୃତଜ୍ଞ, ନିମକ୍‍ହାରାମ୍‍ । ଯାହା ତାକୁ ଦିଅ, ସେ ତମର ଶୁଭାର୍ଥୀ ହୋଇପାରିବନି । ମଣିଷହିଁ ମଣିଷର ଏକ ପ୍ରଧାନ ଶତ୍ରୁ ।

 

ହଠାତ୍‍ ସେଇ ଏକ ଦୁର୍ବଳ ମୁହୂର୍ତ୍ତରେ ନୟନ ଆଖିରୁ ଲୁହ ଝରିଗଲା । ତା’ ଲୁହର କାରଣ ହେଲେ ମୋର ବାପା । ବାବା ମୋତେ ଖୋଜି ଖୋଜି ଅକସ୍ମାତ୍‍ ନୟନର ଘର ଭିତରକୁ ପଶିଆସିଲେ । ଚଢ଼ା ଗଳାରେ ଆଦେଶ ଦେଲେ–ରଞ୍ଜୁ, ଘରକୁ ଯା’ । ତୋ’ ବୋଉ ତେଣେ ବ୍ୟସ୍ତ ହେଉଛି ।

 

ମଉସା, ବସନ୍ତୁ ।

 

ନାଇଁ ବାପ, ବ୍ୟସ୍ତ ଅଛି । ନିତୁ ଆସିଛି କି ନା–

 

ବାବା ଫେରିଲେ ।

 

ନିତୁ ! ନିତୁ କିଏ ?

 

ମୋ’ ଭଉଣୀ । ବିଚାରୀ ଦୀର୍ଘ ଛ’ ବର୍ଷ ପରେ ଘରକୁ ଆସିଛିନା ବାବା, ବୋଉଙ୍କ ଗୋଡ଼ ତଳେ ଲାଗୁନି । ମୁଁ ଖୁସିରେ ହୋ-ହୋ ହୋଇ ହସିଉଠିଲି । ନୟନ ଆଖିରୁ ଥପ୍‍ ଥପ୍‍ ଲୁହ ନିଗିଡ଼ି ଗଲା ।

 

ଆରେ, କି ଅଜବ୍‍ ଲୋକ ! କାନ୍ଦୁଛୁ କାହିଁକି ?

 

ସେ ଲୁହ ପୋଛିଲା ।

 

ତୋ’ ବାବାଭଳି ଆଦେଶ ଦେବାକୁ ମୋର କିଏ ନାହିଁ । ବାବା ନାହାନ୍ତି, ବୋଉ ନାହିଁ, କିଏ ନାହିଁ । ମତେ ନ ଦେଖିଲେ କିଏ ବ୍ୟସ୍ତ ହୋଇ ଉଠନ୍ତିନି ।

 

ହଠାତ୍‍ ତା’ ଆଖିଗୁଡ଼ାକ ଭୀଷଣ ହିଂସ୍ର ହୋଇଉଠୁଥିଲା ।

 

ମୋର ବାବା, ବୋଉଙ୍କ ମୃତ୍ୟୁପାଇଁ ଏ ଇନ୍‍ହ୍ୟୁମାନ ସମାଜ ଦାୟୀ । ତୋର ଏ ବ୍ରୁଟାଲ୍‍ ମଣିଷ ଦାୟୀ ।

 

ମଣିଷ !

 

ହଁ ହଁ ମଣିଷ । ମୋ’ ବାବା ଥିଲେ ବିଖ୍ୟାତ ଇଞ୍ଜିନିୟର୍‍ । ଏ ସମାଜକୁ କେତେ ଦୁସ୍‍ପ୍ରାପ୍ୟ ସମ୍ପଦର ସନ୍ଧାନ ଦେଇ ନ ଥିଲେ ? କିନ୍ତୁ ଏ ମଣିଷ ମୋ’ ବାପାକୁ ଦେଲା କ’ଣ ? ଦେଲା । ହଁ, ଦେଲା । ତାଙ୍କୁ ଅଦିନ ମୃତ୍ୟୁ ଦେଲା । ଏ ମଣିଷ ଏତେ ନୀଚ ! ବିଖ୍ୟାତ ଭୂତତ୍ତ୍ୱବିଦ୍‍ ହିସାବରେ ମୋ’ ବାବାଙ୍କର ବେଶ୍‍ ସୁନାମ ଥିଲା ଦେଶରେ, ବିଦେଶରେ । ଅନ୍ୟ ମଣିଷମାନେ ସହିପାରିଲେନି । ତାଙ୍କର ଜୀବନ ବିରୁଦ୍ଧରେ ଷଡ଼ଯନ୍ତ୍ର ହେଲା । ଆମେ ଅତିଷ୍ଠ ହୋଇଉଠିଲୁ । ମୋର ମନେଅଛି, ଅନେକଥର ମୋ’ ବୋଉ ବାବାଙ୍କ ଗୋଡ଼ ଧରି କାନ୍ଦିଥିଲା–ତମେ ଏ ଚାକିରି ଛାଡ଼ି ଦିଅ । ଆସ, ଆମେ ଦାଣ୍ଡରେ ପଛେ ଭିକ୍ଷା ପ୍ରାର୍ଥନା କରି ବଞ୍ଚିବା ।

 

ନୟନ ଫେର୍‍ କାନ୍ଦିଉଠିଲା । ମୋ’ ଆଖି ବି ଲୁହରେ ଉବୁଟୁବୁ ହେଲା ।

 

ବାବା ଚାକିରି ଛାଡ଼ିଲେ । ବାବା, ବୋଉ ଓ ମୁଁ ଏ ସହରକୁ ଆସିଲୁ ।

 

ଭିତର ଖଞ୍ଜାରୁ ରିତାର ସ୍ୱର ଭାସି ଆସିଲା–ଆସ, ବେଳ ଗଡ଼ିଲାଣି ।

 

ଯାଉଛି । ବଞ୍ଚି ରହିବାପାଇଁ ସମସ୍ତ ରାସ୍ତା ବନ୍ଦ ଥିଲା । ବାବାଙ୍କୁ ଦେଖିଛି, ସେ ମନମାରି ଘର ଭିତରେ ଏକେଲା ବସି ରହନ୍ତି । କାହା ସହିତ ଖୁସିରେ ଦି’ପଦ କଥାଭାଷା ହୁଅନ୍ତିନି-। ରଞ୍ଜୁ, କହିଲୁ, ବିପଦ ମୁଣ୍ଡେଇ ସେ ବା କେତେଦିନ ଆଉ ବଞ୍ଚିପାରିଥାନ୍ତେ ?

 

ପୋଷ୍ଟମ୍ୟାନ୍‍ ...

 

ରିତା, ନିଅ । କ୍ରମେ କ୍ରମେ ବାବାଙ୍କ ମାନସିକ ଭାରସାମ୍ୟ ଦୋହଲି ଉଠିଲା । ସେ ମଣିଷ ହିସାବରେ ମଣିଷର ଛଳନା କଲେ । ଆମକୁ ଆଶ୍ୱାସନା ଦିଅନ୍ତି–ମୁଁ ହସ୍‍ପିଟାଲ କାହିଁକି ଯିବି ? ମୋର କ’ଣ ବା ହୋଇଛି ? ଶୁଖିଲା ହସ ହସି ସେ ପୂର୍ବପରି ମଉନ ରହନ୍ତି । ଦିନେ...ରାତି ପାହିଲା । କିନ୍ତୁ ବାବା ଆଉ ନିଦରୁ ଉଠିଲେନି ।

 

ନୟନ ଏଥର କଇଁ କଇଁ କାନ୍ଦିଲା ।

 

ଆରେ, ପାଗଳ ହେଲୁ ନା କ’ଣ ?

 

ହଁ, ବାବାଙ୍କ ମୃତ୍ୟୁ ପରଠାରୁ ମୁଁ ପୂରାପୂରି ପାଗଳ । ସେଦିନ ପରଠୁଁ କୌଣସି ଗୋଟିଏ ହେଲେ ରାତିରେ ମୁଁ ଶ୍ୱସ୍ତିରେ ଶୋଇପାରିନି । ପରେ ପରେ ମୋ’ ଜୀବନରେ ଅନେକ ବିପଦ ଆସିଛି ଏବଂ ଏଇ ମଣିଷ ହାତରେ ମୋ’ ବୋଉର ବି ଜୀବନ ଯାଇଛି । କିନ୍ତୁ ରଞ୍ଜୁ, ମୁଁ କ’ଣ ଇମ୍ପୋଟେଣ୍ଟ୍ ? ମୁଁ କାହିଁକି ମଣିଷ ଉପରେ ପ୍ରତିଶୋଧ ନେଇପାରୁନି, ରକ୍ତର ଧାର ରକ୍ତରେ ପରିଶୋଧ କରିପାରୁନି ?

 

(ମଣିଷ ହୁଏତ ପଶୁପକ୍ଷୀର ମାଂସ ଖାଇପାରେ । କିନ୍ତୁ ମଣିଷ ମଣିଷର ମାଂସକୁ ଘୃଣା କରେ ।)

 

ତୋର ଏ ମଣିଷ ଏତେ ଲୋଭୀ ! ସାମାନ୍ୟ କେଇଟା କାଗଜର କରେନ୍‍ସି ପାଇଁ ମୋ’ ବୋଉର ଜୀବନ ଚାଲିଗଲା । ମୁଁ କଲେଜରେ ଏମ୍‍.ଏ. ଶେଷବର୍ଷ ପଢ଼ୁଥାଏ । ଦିନେ ମୁଁ ଘରେ ନ ଥାଏ । ଘରେ ବୋଉ ଏକଲା । କିଏ ଜଣେ ମୋର ଟୋନ୍‍ ଇମିଟେଟ୍‍ କରି ବୋଉ ବୋଉ ଡାକ ଛାଡ଼ିଲା । ବାହାରେ ତୁହାକୁ ତୁହା ବର୍ଷା ଛେଚୁଥାଏ । ବୋଉ ଦରଜା ଖୋଲିଲା ଏବଂ ସେ ଦୁର୍ବୃତ୍ତ ମଣିଷର ଶିକାର ହେଲା । ମଣିଷ ?

 

ନୟନ ହସିଲା । କାନ୍ଦିଲା । ହସିଲା । ହସ–କାନ୍ଦର ମିଶ୍ର-ଛନ୍ଦରେ ସେ ଆତ୍ମହରା ହୋଇ ପ୍ରଳାପ କଲା-ଏଇ ମଣିଷ ହିଁ ତୋର ସେ ଈଶ୍ୱରଙ୍କ ସୃଷ୍ଟିରେ ଏକମାତ୍ର କଳଙ୍କ । ଯେଉଁଦିନ ଏ ମଣିଷ ସମୂଳେ ଧ୍ୱଂସ ହେବ ତେବେ ଯାଇ କଳଙ୍କ ଲିଭିବ । ସେଇଦିନ, ଠିକ୍‍ ସେଇଦିନ ଏଇ ମଣିଷର ନୂତନ ସଂସ୍କରଣ ହେବ । ତା’ ଆଗରୁ ନୁହେଁ ।
 

 

କିନ୍ତୁ ଆବିଷ୍କାର କାହିଁ ? ଆବିଷ୍କାର ନ ଥିଲେ ଯେ ନୂତନ ସଂସ୍କରଣ ଅସମ୍ଭବ, ଏକଥା ତୁ ଜାଣୁନା ?

ହଁ, ମଣିଷ ଉପରେ ପ୍ରତିଶୋଧ ନେବାପାଇଁ କିଛି ନୂତନ ଆବିଷ୍କାର ଆବଶ୍ୟକ ।

ତୁ ଏ ମଣିଷକୁ କ୍ଷମା କରି ଶିଖ୍‍...ସିଏ ତୋର ମଣିଷର ନୂତନ ସଂସ୍କରଣ ପାଇଁ ଶ୍ରେଷ୍ଠ ଆବିଷ୍କାର ।

ହଁ, ମୁଁ ତ ସେମାନଙ୍କୁ କେବେଠୁଁ କ୍ଷମା ଦେଇସାରିଛି । ତଥାପି ମୋର ପ୍ରତିଶୋଧ ଦରକାର । ମୁଁ ମଣିଷ ରକ୍ତରେ ହାତକୁ ଲାଲ୍‍ କରିପାରେନି । ମଣିଷ ବଞ୍ଚି ରହୁ । କିନ୍ତୁ ମୁଁ ମଲା ପର୍ଯ୍ୟନ୍ତ ଏଇ ମଣିଷକୁ ଘୃଣା କରିବି ଏବଂ ସେହି ଘୃଣାହିଁ ମୋର ଶ୍ରେଷ୍ଠ ପ୍ରତିଶୋଧ । ମୁଁ ଏ ଯାଏଁ ବାବାଙ୍କୁ କି ବୋଉ କାହାରିକୁ ଭୁଲିପାରିନି । ସେମାନଙ୍କୁ ଭୁଲିବାକୁ ହେଲେ ମତେ ନିଜକୁ ପ୍ରଥମେ ଭୁଲିବାକୁ ପଡ଼ିବ ଏବଂ ସେଇ ନିଜକୁ ଭୁଲିବାପାଇଁ ମୁଁ ମଦ ପିଏ । ଆସକ୍ତି ଲୁହର କାରଣ-। ଏଣୁ ମୁଁ ରିତାକୁ ସମ୍ପୂର୍ଣ୍ଣ ଘୃଣା ନ କଲେ ବି ତାଠିଁ ଘନିଷ୍ଠ ସମ୍ପର୍କ ରଖେନି । କାଳେ ତା’ସହ ମୋର ଆସକ୍ତି ବଢ଼ିଯିବ ଭୟ କରି ମୁଁ ଭିନ୍ନ ଭିନ୍ନ ନାରୀ ପାଖରେ ନିଜକୁ କିଛି ସମୟପାଇଁ ହଜେଇ ଦିଏ । ମୁଁ ନିଜେ ନିଜକୁ ପାଶୋରି ଦିଏ ଏବଂ ପାଶୋରି ପାରିଛି ବୋଲି ଆଜିଯାଏଁ ବଞ୍ଚିଛି-। ନତୁବା କେଉଁ ଦିନରୁ ମୋର ମୃତ୍ୟୁ ହୋଇ ସାରନ୍ତାଣି । ନୟନ ନାୟକ ବୋଲି ନାଁଟି ତୋ’ ପାଖରୁ, ମଣିଷ ପାଖରୁ...ପରିଶେଷରେ ଏ ମାଟିରୁ କେବେଠୁଁ ଲିଭି ସାରନ୍ତାଣି ।

ନୟନ ! ଏ ଦାର୍ଶନିକତା ବନ୍ଦ କର–ନିଜକୁ ଭୁଲିବୁ ଭାବି ମଦ ଏବଂ ବେଶ୍ୟା ମଧ୍ୟରେ ନିଜକୁ କାହିଁକି ତିଳ ତିଳ କରି ମାରିବୁ ? ତୋ’ ରିତା ତୋର ବେଶ୍ୟା, ତୋର ମଦପାତ୍ର । ମୋ’ ଅନୁରୋଧ, ତୁ ନିଜର ଦୃଷ୍ଟିଭଙ୍ଗୀ ବଦଳାଇଦେ । ମନରେ ଏବଂ ବେଶ୍ୟାରେ ତୁ ଯାହା ଭୁଲିପାରୁଛୁ ବୋଲି ଭାବୁଛୁ ସିଏ ଏକ ଉତ୍ତେଜନା ମାତ୍ର । ତୁ ପରା ମଣିଷକୁ ଘୃଣା କରୁ ? ତେବେ ସେଇ ମଣିଷ ହାତରୁ ମଦ କେମିତି ଗ୍ରହଣ କରୁ ? ସେଇ ମଣିଷର କଞ୍ଚା ମାଂସର ସଙ୍ଗୀତରେ ନିଜେ କେମିତି ମରିଯାଉ ? ସେଇ ମଦପାତ୍ର ତୋର ଜୀବନ ନୁହେଁ, ମରଣ; ସେଇ ବେଶ୍ୟାମାନେ ତୋର ଦଂଶନ ।

ନୟନ ତୁନି ରହିଲା ।

ରିତା ତୋର ବାବା, ରିତା ତୋର ବୋଉ, ରିତା ତୋର ସର୍ବସ୍ୱ । ତୁ ଚାହିଁଲେ ରିତା ତତେ ଭୁଲେଇ ଦେବ, ତୁ ଭୁଲିଯିବୁ । ଯା, ରିତା ପାଖକୁ ଫେରିଯା ।

ଭିତରେ ଚୁଡ଼ି ଶବ୍ଦ ।

ରଞ୍ଜୁ, ରିତା ମୋ’ପାଇଁ ବ୍ୟସ୍ତ ହେଲାଣି । ଯା’ ସନ୍ଧ୍ୟା ହେଲାଣି । ତୋ’ ବାବା ରାଗୁଥିବେ-। ବୋଉ ତେଣେ ବ୍ୟସ୍ତ ହେଉଥିବେ ।

ଫେର୍‍ ନୟନ ଆଖିରୁ ଥପ୍‍ ଥପ୍‍ ଲୁହ ଗଡ଼ି ପଡ଼ିଲା । ମୁଁ ଆଗକୁ ଫେରିଲି । ମୋ’ ପଛରେ ନୟନର ଅଶ୍ରୁଳ ଜୀବନ । ଜୀବନକୁ ଭୁଲିଯିବା ପାଇଁ ଅସ୍ଥିର ହେଉଥିଲା ।

ମୁଁ ଆଶ୍ୱସ୍ତି ପାଉଥିଲି–ନୟନ ରିତା ଭିତରେ ନିଜକୁ ଭୁଲିଯିବ, ଜୀବନ ପାଇବ । ଏକ-ରୂପା ରିତାର ରୂପ ଶତ-ରୂପାରେ ରୂପାନ୍ତରିତ ହେବ ।

Image

 

ଗହନ ବନର ତଳେ

 

ପୌଷ ମାସର ଏକ ଶୀତଳ ସନ୍ଧ୍ୟା........

 

ଗୋଧୂଳି ଆରକ୍ତ ରକ୍ତିମାର ମଞ୍ଜୁଳ ପରାଗ ମୁଠା ମୁଠା ବିଞ୍ଚିହୋଇ ପଡ଼ିଛି ପୃଥିବୀର ନମ୍ର, କମ୍ର, ସବୁଜ ବକ୍ଷଦେଶ ଉପରେ । ଏଯାଏଁ ଧୂସର ଆଲୋକର ରାଜତ୍ୱ ସମୂଳେ ଲୋପ ପାଇପାରିନି । ନୀଳ ଆକାଶର ଚାଦର ଉପରେ କୁଢ଼େଇ ହୋଇପଡ଼ୁଥିଲା ଆସନ୍ନ ରାତ୍ରିର କୁହେଳିକା, ପହିଲି ସଞ୍ଜର ପ୍ରଥମ ସଙ୍କେତ ଧାରା । ଅନତି ଦୂରରେ ମିଳେଇ ଯାଉଥିଲା କେଉଁ ଏକ ଦରଦୀ ପ୍ରାଣର ବ୍ୟଥାପୂର୍ଣ୍ଣ କରୁଣ ସ୍ୱନଭରା ବଇଁଶୀ ରାଗିଣୀ । ତା’ର ମୂର୍ଚ୍ଛନା ତୋଳିଥିଲା ମୋର ମାନସ ଗମ୍ଭିରୀରେ ନିଃସଙ୍ଗ ଜୀବନର ବ୍ୟଥିତ କାହାଣୀ । ମୋର ମନ ଗୁମୁରି ଗୁମୁରି ଭାବନାର କ୍ରୂର ହସ୍ତକ୍ଷେପଦ୍ୱାରା ଥଣ୍ଡାହେବା ଉପରେ । ବୋଧେ ଆଉ ମିନିଟ କେଇଟା ପରେ ଥକିଯିବ । ହାଲିଆ ହୋଇ ବାହୁନି ଉଠିପାରେ । ପ୍ରାଣ ମୋର ଲୁହ ବିନ୍ଦୁରେ ଲହୁ କାନ୍ଦୁଥିଲା । ଆମ୍ୱ ଗଛର ଶାଖାରେ ଚକ୍ରବାକ ଚକ୍ରବାକୀ ବିରହରେ ବିକଳ ରୋଦନ କରୁଥିଲେ ମନର କଥା ମନରେ ମାରି, ହୃଦୟର ବ୍ୟଥା ଆଉ ବେଦନା ନିଃସୀମ ହୃଦୟରେ ଚାପି । ହମ୍ୱାରଡ଼ି କର୍ଣ୍ଣ ଗହ୍ୱରରେ ସୃଷ୍ଟି କରୁଥିଲା ଗ୍ରାମ୍ୟ ପରିବେଶର ସରଳ ପ୍ରତିଧ୍ୱନି । ଅଦୂରରେ ନିମିଗାଁ ନଦୀ ଉପରେ ପୋଲ ତିଆରି ଚାଲିଛି । ଦଳକୁ ଦଳ କୁଲିମାନେ ମୁଣ୍ଡରେ ସିମେଣ୍ଟ ଆଉ ଗେଟିର ମିଶ୍ରଣ ଡବାରେ ବୋହି ଚାଲିଛନ୍ତି । ପଥର ଭଙ୍ଗାର ଧଡ଼୍‍...ଧଡ଼୍‍...ଶବ୍ଦ ସମିର ସାଗରରେ ସୃଷ୍ଟି କରୁଥିଲା ପାସୋରା ପାଲଟା ଢେଉ, ଅପାସୋରା ତରଙ୍ଗ । କୋଟପଡ଼ା ପାହାଡ଼ର ଫାଙ୍କ ଦେଶରେ ଲୁଚିଯାଉଥିଲେ ପଥହରା ଲଜ୍ଜାନତ ସୂର୍ଯ୍ୟ । ରାତ୍ରିର ପହିଲି କୁହେଳିକା ଧୀରେ ଧୀରେ ନଇଁ ଆସୁଥିଲା ପୃଥିବୀ ବକ୍ଷରେ । ବାଦୁଡ଼ିଟା ରାତ୍ରର ମୋହ ଏଡ଼ାଇ ନ ପାରି ଧଡ଼କିନା ଉଡ଼ିଗଲା ଅସୀମ ଭାବନାକୁ ସସୀମ ମନ ମଧ୍ୟେ ପୋଷି ।

 

ମୁଁ ଗୋଟିଏ ନିକଟବର୍ତ୍ତୀ ପଥର ଉପରେ ବସି କୁଲିମାନଙ୍କର କାମ ତଦାରଖ କରୁଥାଏ-। ଆଦିବାସୀ ଝିଅମାନେ ପ୍ରଜାପତିପରି ଉଡ଼ି ବୁଲୁଥିଲେ । ନାଲି, ନୀଳର କସ୍ତା ମଧ୍ୟରେ ସେମାନଙ୍କର ଯୌବନ ପରିପୂର୍ଣ୍ଣ ତନୁ ବିକଶି ଉଠୁଥିଲା । ବଂଶୀର କରୁଣ ତାନ ମୋର ନିଭୃତ ମନର କୋଠରୀରେ ଭରିଦେଲା ବ୍ୟଥିତ ପ୍ରାଣର ଆକୁଳ ନିବେଦନ, ମିନତି । ଅଜଣା ଆତଙ୍କରେ, ଭବିଷ୍ୟତ ଆଶାରେ, ଆଗାମୀ ଆକାଂକ୍ଷାରେ ମୁଁ ଶିହରି ଉଠୁଥିଲି । ଚାରମିନାର ସିଗାରେଟ୍‍ ଖଣ୍ଡେ ମୁହଁରେ ଧରାଇଲି । ଚାରମିନାର କେବଳ ମୋର ପଥ ଶ୍ରମହାରୀ, ସୁଖ ଆଉ ଦୁଃଖର ଅଦେଖା ସାଥୀ, ବନ୍ଧୁ, ସବୁକିଛି । ଅନ୍ୟ ଦିଗକୁ ଆଖି ଫେରାଇଲି । ଗୋଟିଏ ଝିଅ ପାଣି ଗରାଟିଏ କାଖରେ ଧରି ଧୀରେ ଧୀରେ ମିଶି ଯାଉଥିଲା ଜନଗହଳି ମଧ୍ୟରେ । ତା’ର ଥିରି ଥିରି ଚାଲି ମିଳେଇ ଯାଉଥିଲା କର୍କଶ ପଥର ଭଙ୍ଗା ଶବ୍ଦରେ । ଅମାନିଆ ପବନ ତା’ର ପରିଧାନକୁ ଅସ୍ତବ୍ୟସ୍ତ କରୁଥିଲା-। ତାକୁ ଭଲଭାବେ ଦୂରରୁ ଠଉରେଇ ପାରିଲି ନାହିଁ । ଚିହ୍ନି ପାରିଲି ନାହିଁ । ମନରେ ଭାବିଲି, ବୋଧେ ଫୁଲ ହୋଇଥିବ ପରା । କିନ୍ତୁ ସାହସ ସଞ୍ଚୟ କରି ତାକୁ ଡାକିପାରିଲି ନାହିଁ । ମୋ’ ଆଖି ଆଗେ ନାଚିଲା ହଜିଲା ଅତୀତ, ଅଲୋଡ଼ା ଅଫେରା ବିଗତ ସ୍ମୃତି । ମୁଁ ସ୍ମୃତିକୁ ବହୁତ ମନ୍ଥିଲି, ବାରମ୍ୱାର ଖୋଜିଲି, ଅନେକ ନିରୀକ୍ଷଣ କଲି । ତାହାରି ଭିତରେ ମୁଁ ନିଜକୁ ନିଜେ ଆବିଷ୍କାର କଲି-। ଫୁଲ ଦୂରରେ ମିଶି ଯାଉଥିଲା । ନୀଳ ଦୂର୍ବାର ତଳେ ତା’ର ନାଲି କସ୍ତାଟି ନିଷ୍ପ୍ରଭ ହୋଇଉଠୁଥିଲା । ସୂର୍ଯ୍ୟଙ୍କ କୃଷ୍ଣଚୂଡ଼ାର ରଙ୍ଗ ସଙ୍ଗେ । ମନଟି ଖୋଜି ବୁଲିଲା ଗତଦିନର ସ୍ମୃତି ଅନ୍ୱେଷଣରେ । ମୋର ନିଭୃତ ମନରେ ବେଶ୍‍ ଆସର ଜମେଇଲା ଆଲୋଡ଼ା ଅଫେରା ଅତୀତ । ମୁଣ୍ଡରେ ମୁଣ୍ଡାଇଲି ଅସର ଭାବନା ଅତୀତର ଆଉ ବିଗତର...ମାନସ ଗାଲିଚାରେ ନାଚି ଉଠିଲା ଅପାସୋରା ବହୁଳ ସ୍ମୃତି, ହଜିଲା ଦିନର ଖୋଜିଲା କଥା.....

 

ଦିନକର ଘଟଣା, ଅନେକ ଦିନ ତଳର କଥା । ଆମ ଘର ଦାଣ୍ଡ ବାରଣ୍ଡାରେ ମୁଁ ମନଟି ମାରି ବସିଥାଏ । ମେଟ୍ରିକ୍‍ ପରୀକ୍ଷାରେ ଦୁଇଥର ଫେଲ ହୋଇଗଲି । ଘରର ଅବସ୍ଥା ବି ସେତେ ସ୍ୱଚ୍ଛଳ ନୁହେଁ । ବାବା ବୋଉ ମୋତେ ପରୀକ୍ଷା ଦେବାପାଇଁ ଅନେକ ବୁଝାଇଲେ । କିନ୍ତୁ ମୋର ଅମାନିଆ ମନ ସେଥିରେ ମୋଟେ ମାନିଲା ନାହିଁ । ସାଥୀ ସାଙ୍ଗମାନଙ୍କର ଅନୁରୋଧକୁ ବିଲ୍‍କୁଲ୍‍ ଗୁରୁତ୍ୱ ଦେଲି ନାହିଁ । ବିବେକ ମୋର ଏମିତି ଗାଁରେ ବେକାର ହୋଇ ବସିବାଟାକୁ ପସନ୍ଦ କଲା ନାହିଁ । ଶେଷରେ ଠିକ୍‍ କଲି ଆଉ ପରୀକ୍ଷା ଦେବି ନାହିଁ । କୌଣସି ଚାକିରି କରିବି । କିନ୍ତୁ ଚାକିରି ବା ସହଜରେ କେଉଁଠି ମିଳିପାରେ ? ଚାକିରି ଅନ୍ୱେଷଣରେ ଅନେକ ଇଣ୍ଟରଭିଉରେ ଯୋଗଦେଲି-। ଅଫିସ ବାରନ୍ଦାରୁ ବାରନ୍ଦାକୁ ଘୂରି ବୁଲିଲି-। ଏମ୍‍ପ୍ଲୟମେଣ୍ଟ ଏକ୍‍ସଚେଞ୍ଜରେ ନାଁ ଲେଖାଇଲି । କିନ୍ତୁ ମେଟ୍ରିକ୍‍ ଫେଲ୍‍ ବାଲାଙ୍କ ପାଇଁ ସେମିତି କୌଣସି ଉପଯୁକ୍ତ ଚାକିରି ନ ଥିଲା । ଶେଷରେ ମୋର ବନ୍ଧୁ ଜଣେ କୋରାପୁଟରେ ଚାକିରି କରୁଥିବା ବିଷୟ ଜାଣିଲି । ତାଙ୍କରି ସୁଦୟାରୁ କୌଣସି ହେଲେ ଚାକିରି ଖଣ୍ଡେ ପାଇବି ବୋଲି ମନରେ ଆଶା ବାନ୍ଧିଲି । ପରିଶେଷରେ ନିରାଶ ହୋଇନଥିଲି; କିନ୍ତୁ ଆଜି ବି ସେଦିନର କଥା ମୋ’ ମନରେ ଆସିଲେ, ମନଟି ଆନନ୍ଦରେ ନାଚି ଉଠେ । ମୋ’ ବନ୍ଧୁଙ୍କର ସାହାଯ୍ୟ, ସହାନୁଭୂତି ଓ ଚେଷ୍ଟା ପାଖରେ ମୋ’ ମୁଣ୍ଡ ଭକ୍ତିରେ ନଇଁଯାଏ-। ବନ୍ଧୁ ମୋର ସେହି ବର୍ଷ ଖରା ଛୁଟିରେ ଗ୍ରାମକୁ ଆସିଥାନ୍ତି । ମୋତେ ବାରନ୍ଦାରେ ନିଶ୍ଚୁପ୍‍ ହୋଇ ବସିଥିବା ଦେଖି ସେ ମୋ’ ପାଖକୁ ଆସିଲେ । ମୋତେ ଦେଖି ସେ ଭାରି ଆନନ୍ଦିତ ହେଲେ ବି-। ବନ୍ଧୁ ଜଣକୁ କହିଲେ, ‘‘ହଇରେ କୁନା ! ତୁ ଚାକିରି କରିବା ବିଷୟରେ ମୋ’ ପାଖକୁ ବୋଧହୁଏ ଲେଖିଥିଲୁ ।’’ ମୁଁ ହଁ ଭରିଲି ତାଙ୍କ କଥାରେ । ‘‘ଆଚ୍ଛା, ତେବେ ମୋର ଅଫିସରେ ଗୋଟିଏ ଓ୍ୱାର୍କସରକାର ପୋଷ୍ଟ ଖାଲିଅଛି । ସେଠି ଚାକିରି କରିବୁ କି ? କିନ୍ତୁ ବେଶୀ ଦୂର ହେବ ।’’ ବନ୍ଧୁଙ୍କର କଥା ଶେଷ ହୋଇନଥାଏ । ମୁଁ ହଠାତ୍‍ ହଁ ଭରିଦେଲି କିଛି ନ ବୁଝି । ଚାକିରି କରିବାର ମୋହ ଏଡ଼େଇ ଦେଇପାରିନଥିଲି । ତା’ ପରଦିନ କେଇଟା ପରେ ଆମେ ଦୁହେଁ କୋରାପୁଟ ଚାଲି ଆସିଲୁ । ତତ୍‍ପରେ ମୋତେ ଓ୍ୱାର୍କସରକାରରୂପେ ନିଯୁକ୍ତି ଦିଆଗଲା ଏହି ସରଳ, ନିଷ୍ପାପ ନିମିଗାଁରେ ।

 

ନିମିଗାଁ....ଏହି ନିମିଗାଁ ବଡ଼ ନ ହେଲେ ବି ଛୋଟ ନୁହେଁ । ଦୁଇଶ କିମ୍ୱା ଅଢ଼େଇଶ ଆଦିବାସୀ ବସ୍ତିର ଛୋଟିଆ ଗାଁ ଖଣ୍ଡେ । ଅଧିବାସୀ ହେଉଛନ୍ତି ଆଦିବାସୀ, ପ୍ରଧାନତଃ କନ୍ଧ ଶ୍ରେଣୀର । ସରଳ ଆଦିବାସୀମାନେ ହସ ଖୁସିରେ ଯେନକେନ ପ୍ରକାରେଣ ଚଳିଯାଆନ୍ତି ଏହି ନିମିଗାଁରେ । ଜୀବନର ମୂଲ୍ୟ କେତେ–ସେମାନେ କେବେ ନିର୍ଦ୍ଧାରଣ କରିବାକୁ ପ୍ରୟାସୀ ନୁହଁନ୍ତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଯେମିତି ହେଲେ ଚଳିଲେ ହେଲା । ଗ୍ରାମ୍ୟ ଆଦିବାସୀମାନେ ସଭ୍ୟତାର ରଥ ଚକ୍ର ତଳେ କେବେହେଲେ ନିଷ୍ପେଷିତ, ପୀଡ଼ିତ, ଦଳିତ ହୋଇ ନାହାନ୍ତି । ଆଧୁନିକ ବୈଜ୍ଞାନିକ ଯୁଗର ଛାଇ ଭୁଲରେ ସୁଦ୍ଧା ପାତ ହୋଇ ନାହିଁ ଏହି ନିମିଗାଁ ଅଖ୍ୟାତ ପଲ୍ଲୀରେ । ଏହିମାନେ ହେଉଛନ୍ତି ପ୍ରକୃତିର ପ୍ରକୃତ ମାନବ । ପୂତ ମାଟିର ମଣିଷ । ପ୍ରକୃତିର ମନୋରମତା, ସୌନ୍ଦର୍ଯ୍ୟ ଭିତରେ ସେମାନଙ୍କର ଜନ୍ମ, ତା’ରି ଭିତରେ ମଧ୍ୟ ସେମାନଙ୍କର ମୃତ୍ୟୁ, ସମାଧି । କ୍ରୂର, ହିଂସ୍ର, ଦୁର୍ନୀତି, ଆଧୁନିକତା ସେମାନଙ୍କ ମନରେ, ପ୍ରାଣରେ ନିଆଁ ଲଗାଇ ଦେବାର ସୁଯୋଗ ହେଉ ବା ଦୁର୍ଯ୍ୟୋଗରୁ ହେଉ ବଞ୍ଚିତ । ମୁଁ ଆହୁରି ଭାବୁଥିଲି.....

 

ମୁଁ ଏଇ ଗାଁକୁ ଆସିଥିଲି ଓ୍ୱାର୍କସରକାରରୂପେ ଦୀର୍ଘ ଦୁଇବର୍ଷ ତଳେ । ଭାବିଥିଲି ସୁଖରେ ସମୟଗୁଡ଼ାକ ପାଣି ସୁଅପରି ବିତିଯିବ । ପ୍ରକୃତରେ ସେହି ସୁଯୋଗ ମୁଁ ଦିନ କେଇଟାପାଇଁ ପାଇଥିଲି । କିନ୍ତୁ ପରେ ପରେ ତାହା ନିୟତିର ବିଧାନରେ, ନିର୍ଦ୍ଦେଶରେ ଓଲଟିଗଲା ଫୁଲର ସାନ୍ନିଧ୍ୟରେ, ତା’ ଉଷ୍ମ ଦେହର ପରଶରେ । ପ୍ରକୃତିର ପ୍ରକୃତ ସନ୍ତାନମାନଙ୍କ ସଙ୍ଗେ ମିଶି ଜୀବନର ସାର୍ଥକତା ହାସଲ କରିବି ବୋଲି କେତେ ଆଶାର ମିନାର, ବହୁତ କାମନାର ତାଜ୍‍ ଗଢ଼ିଥିଲି । କିନ୍ତୁ ଫୁଲର ଯୌବନ ତନିମା ଦର୍ଶନରେ ମୋ’ ମନରୁ ସରାଗ ଲିଭି ଲିଭି ଆସିଲା, କାମନାର ଉଗ୍ର ଜ୍ୱାଳା ଦିକ୍‍ ଦିକ୍‍ ହୋଇ ଜଳି ଉଠିଲା । ତା’ ପଛେ ପଛେ ମୁଁ ପାଦ ବଢ଼ାଇଲି । ବରଂ ଥକିଯାଇନଥିଲି । ଏମିତି ଅହେତୁକ ଭାବନାରେ ବିଭୋର ହୋଇଉଠୁଥିଲି ମୁଁ । ବିଭୋରତା ମୋର ମନକୁ ଛନ୍ଦେ ଛନ୍ଦେ, ତାଳେ ତାଳେ ଛନ୍ଦି ଦେଲା । ମନ କପୋତ ହାହାକାର କରି ଉଠୁଥିଲା....

 

ଏହି ନିମିଗାଁର ମାୟା, ଆଦିବାସୀଙ୍କର ମମତା, ଫୁଲର ସ୍ନେହ ଆଉ ପ୍ରେମ ଏଡ଼ାଇ ଦେଇନପାରି ଗାଁକୁ ଦୀର୍ଘ ଦୁଇବର୍ଷ ହେଲା ଯାଇ ନାହିଁ । ଘରୁ ବାବା, ବୋଉଙ୍କ ପାଖରୁ ଅନେକ ପତ୍ର ପାଏ ଗାଁକୁ ଆସିବା ବିଷୟ ନେଇ । କିନ୍ତୁ ସେଥିରେ ମୋର ଧ୍ୟାନ ଘନୀଭୂତ ହୁଏ ନାହିଁ । ମୋ’ ମନରେ ପଶିଲା ଅନେକ ସ୍ୱପ୍ନ । ସ୍ୱପ୍ନ ମୋର ସାର୍ଥକତା ହାସଲ କରିପାରିଥିଲା । ସର୍ବଦା ଚାକିରିର ଦାସ ହୋଇ ଚଳିବାକୁ ପଡ଼ିଲା । ନିମିଗାଁର ଗୋଟାଏ ତଟରେ ମୁଁ ଖଣ୍ଡେ ଚାଳଘର ଭଡ଼ାନେଇ ରହେ । ଦିନ କେଇଟା ପରେ ମୁଁ ସମସ୍ତଙ୍କ ସାଙ୍ଗେ ଏକହୋଇ ଚଳିବାରେ ବେଶ୍ ପାରଙ୍ଗମ ହୋଇଉଠିଲି । ଆଦିବାସୀମାନଙ୍କର ଭକ୍ତି, ସହାନୁଭୂତି, ଅତ୍ୟନ୍ତ ସାହାଯ୍ୟ ଆଗରେ ମୋର ମୁଣ୍ଡ ଥରେ ଥରେ ନଇଁଯାଏ । ସରଳ ଆଦିବାସୀମାନଙ୍କର ହୃଦୟ ମୁଁ ଅନାୟାସରେ ଜୟ କରିପାରିଥିଲି-। ଏଥିପାଇଁ ମୋତେ ବେଶୀ କଷ୍ଟ, ସହିଷ୍ଣୁତା ବରଣ କରିବାକୁ ପଡ଼ିନଥିଲା । ବେଶୀ ସମୟ ବି ଆବଶ୍ୟକ ହୋଇନଥିଲା । କ୍ରମେ କ୍ରମେ ତାଙ୍କର ନିଷ୍କପଟ ସ୍ନେହର ଡୋରିରେ ମୁଁ ବନ୍ଦୀ ହେଲି । ସେ ବନ୍ଧନ ଥିଲା ଅତ୍ୟନ୍ତ ଶକ୍ତ, ବିରାଟ, ମହତ୍ୱପୂର୍ଣ୍ଣ । ତାକୁ ଛିଣ୍ଡାଇ ଦେବାର ସାହସ ମୋର ନ ଥିଲା, ଅମାନ୍ୟ କରିବାର କ୍ଷମତା ନ ଥିଲା ମଧ୍ୟ । ଫୁଲର ସ୍ନେହ ଆଉ ପ୍ରେମର ରଜ୍ଜୁ ଅଛିଣ୍ଡା ହୋଇ ରହିଗଲା । ଅଛିଣ୍ଡା ଦଉଡ଼ି ମୁଁ ଛିଣ୍ଡାଇ ପାରିଲି ନାହିଁ । ଫୁଲ ଆଉ ମୋର ବନ୍ଧନ ଥିଲା ଏକ ବିରାଟ ନୈତିକ ବନ୍ଧନ । ଫୁଲର ସ୍ମୃତି ମୋ’ ମନର ସାଗର ଉପକୂଳରେ ମଥା ପିଟିଲା-। ନିଜ ଭାବନାରେ ମୁଁ ଶିହରି ଉଠୁଥିଲି....

 

ଫୁଲ ! ଏଇ ଫୁଲ, ସରଳ ଆଦିବାସୀ ବାଳିକା ମୋର ସ୍ନେହକୁ କେବେହେଲେ ପ୍ରତ୍ୟାଖ୍ୟାନ କରି ନାହିଁ, ଉପେକ୍ଷା କରିନି । ତା’ ଜୀବନ ମାଟିର ଜୀବନ, ସରଳ ଜୀବନ । ଏଇ ବସ୍ତିର ଦାସୁରୁ ଜାନିର ଝିଅ ଫୁଲ । ଜୀବନରେ ସେ ସତରଟି ଫଗୁଳ ଫଗୁଣ କଟେଇ ସାରିଲାଣି । ଜୀବନର ସତରଟି ପାହାଚ ଅତିକ୍ରମ କରି ଅଠରଟିରେ ପାଦ ଦେଇଛି । ଏ ବସ୍ତିର ସେ ଯେପରି ନିଷ୍ପାପ ପୁଷ୍ପଟିଏ । ସେ ଏକ ସୌନ୍ଦର୍ଯ୍ୟର ନିଖୁଣ ପ୍ରତିମାପରି ଠିଆ ହୋଇଛି । ତା’ ଦେହରେ ଉଇଁଲାଣି ବୟସର ସୂର୍ଯ୍ୟ । ତା’ ମନର ଦିଗ୍‍ବଳୟରେ ଉଦିତ ଭବିଷ୍ୟତ ନୀଡ଼ର ସୁନେଳି ସ୍ୱପ୍ନ, ସବୁଜ ଆଶା, ଗୋଲାପୀ ଆକାଂକ୍ଷା । ଫୁଲ ନିଜ ହୃଦୟରେ ଅନୁଭବ କଲାଣି କିମିଆ ଭାବ, ନିଃସଙ୍ଗ ସାଥୀହୀନ ବେଦନା । ଯୌବନର ପୁଷ୍ପ ତା’ର ତନିମାରେ ଫୁଟି ଉଠୁଛି । ସେ ପୁଷ୍ପରେ ଅନେକ ଋତୁର ଛାପ-ହେମନ୍ତ, ଶରତ ଆଉ ବସନ୍ତର । ଅନେକ ଫୁଲର ବାସ୍ନା-ଗୋଲାପି, ଚମ୍ପା ଅବା କେତକୀ ଗନ୍ଧାର । ସେ ଫୁଲର ମୋହରେ ଆକର୍ଷିତ ଅନେକ ଭ୍ରମରର ମଧୁ ଗୁଞ୍ଜନ । ଭ୍ରମର ଅନେକ ସେ ଫୁଲ ପାଖରେ ଅଳି କରି ଥକି ଗଲେଣି । କିନ୍ତୁ ସେ ଅଟଳ ରହି କୌଣସି ଭ୍ରମରକୁ ମଧୁ ଚାଖିବାର ସୁଯୋଗ ଦେଇ ନାହିଁ । ସେ ଖାଇ ନାହିଁ କଅଁଳ ଶିଶିରର ଚୁମା । ସେ ଚାହେଁନା ମିଥ୍ୟା ବନ୍ଧନ । ସାମୟିକ ଆଉ ନଶ୍ୱର ସ୍ନେହ । ତା’ର କାମନା ସତ୍ୟର ବନ୍ଧନ ଓ ଶାଶ୍ୱତ ସ୍ନେହ । ଆଦିବାସୀ ଝିଅ ଫୁଲ ପ୍ରଜାପତିପରି ରଙ୍ଗିନ ହୋଇ ଘୂରିବୁଲିବାକୁ ଅତି ଭଲପାଏ । ମନରେ ଟୁକୁରାଏ ଦକା ନାହିଁ, ହୃଦୟରେ କାଣିଚାଏ ଭୟ ନାହିଁ । ସେ ଚାହେଁନା କାହାରି ଦାସୀ ହୋଇ ଜୀବନଯାପନ କରିବାପାଇଁ । ହସି, ନାଚି, ଖେଳିକୁଦି ଏହି ସମାଜ ଉପରେ ବୁଲିବାକୁ ଫୁଲର ଶ୍ରଦ୍ଧା । ମୁଁ ଫୁଲକୁ ଭଲପାଇ ଶିଖିଛି । ତା’ ଯୌବନର ଅତିଥି ସାଜି ଆତିଥ୍ୟ ଗ୍ରହଣ କରିଛି-। ଫୁଲ ଅଯାଚିତ ଚିତ୍ତରେ ମୋତେ ସ୍ନେହ ଦେଇଥିଲା, ଦେଇଥିଲା ଉପହାର, ପ୍ରେମ ଆଉ ମମତାପୂର୍ଣ୍ଣ ଅର୍ଘ୍ୟ । ପରିଶେଷରେ ମୁଁ ତାକୁ ଅନ୍ଧଭାବେ ଭଲପାଇବାକୁ ମନାକଲି । ପ୍ରୀତିର ପ୍ରସୂନ ପ୍ରଣୟର ବୃକ୍ଷରେ ପୂରା ମାତ୍ରାରେ ଫୁଟି ନ ଥିଲା ସେତେବେଳେ । ଫୁଲ ନ ଥିଲା ସତ; କିନ୍ତୁ କଳିଟି ପୁଷ୍ପିତା ହେବାକୁ ଯାଉଥିଲା । ଫୁଲର ସ୍ମୃତିରେ ମୁଁ ବିଭୋର ହୋଇଉଠୁଥିଲି । ତା’ର ରୂପ ଯୌବନରେ ମୁଁ ତିଳେ ତିଳେ, ପଳେ ପଳେ ଦଗ୍‍ଧୀଭୂତ ହେବାକୁ ଦୃଢ଼ପ୍ରତିଜ୍ଞ ହୋଇଥିଲି । ହଠାତ୍‍ ମୋର ଅଜଣାରେ ମୋ’ ପାଟିରୁ ଉଚ୍ଚାରିତ ହୋଇଗଲା ଫୁଲ... । ନିଥର ବାୟୁ ମଣ୍ଡଳରେ ଉଠିଲା ଫୁଲ...ଆଉ ଫୁଲର ଲହରୀ, ଚହଲା ଢେଉ ପରେ ଢେଉ । ପକେଟରୁ ଚାରମିନାର ସିଗାରେଟ୍‍ ଖଣ୍ଡେ ବାହାର କରି ଓଠରେ ଧରାଇଲି । ଅଗ୍ନି ସଂଯୋଗ କରି ଦୁଇ ଚାରିଦମ୍‍ ଟାଣି ବିରକ୍ତରେ ଫିଙ୍ଗି ଦେଲି । ସିଗାରେଟ୍‍ ଅର୍ଦ୍ଧ ଦଗ୍‍ଧୀଭୂତ ଅବସ୍ଥାରେ ଭୂଇଁ କାମୁଡ଼ି ପଡ଼ିଥାଏ । ମୋ’ ଆଖି ଆଗରେ ନାଚି ଉଠୁଥାଏ ଫୁଲର ସୌମ୍ୟ ଚେହେରା, ମଲ୍ଲୀଫୁଲପରି ଗୋରା ତୋରା ମୁହଁଟିଏ । ଅନତି ଦୂରରେ ଦେଖିଲି କିଏ ଗୋଟିଏ ଶୁଭ୍ର ବସନା ଝିଅ ରାତ୍ରିର ଅନ୍ଧାର ଚିରି କାଖରେ ମାଟିର ଗରାଟିଏ ଯାକି ପାଣି ନେବାପାଇଁ ଝରଣା ଆଡ଼କୁ ଧୀର ପଦକ୍ଷେପରେ ସିଂହ କଟି ଦୋହଲାଇ, ବେଜାଏ ମାଦକତା ବୋଳି ଆସୁଛି । ଏକଲୟରେ ମୁଁ ଚାହିଁରହିଥାଏ; କିନ୍ତୁ ଚିହ୍ନି ପାରିଲି ନାହିଁ ଜମା-। କାରଣ ତିଳ ତଣ୍ଡୁଳ ଛାଇରେ ତା’ର ମୁହଁଟି ଅସ୍ପଷ୍ଟ ହୋଇଉଠୁଥିଲା ।

 

ଉପରେ ନୀଳ ଆକାଶର ଚାନ୍ଦୁଆ, ତଳେ ସବୁଜ ଶେଯ, ମାଟିର ଚାରିପଟେ ଉଦାସର ବାଡ଼ । ଭାରି ନିର୍ଜନ । ଜହ୍ନ ଆଲୋକରେ ଜ୍ୟୋତ୍ସ୍ନା କିରଣଗୁଡ଼ିକ କୋଟପଡ଼ା ପାହାଡ଼ର ପାଦ ଦେଶରେ ରଣି ଫୁଲସମ ବୁଣିହୋଇ ପଡ଼ିଛି । ମଧୁମୟ ପରିବେଶ । ନିରାଟ ମନ ମୁଗ୍‍ଧକର ସମାବେଶ । ନିକଟରେ କୁଳୁ-କୁଳୁ ଗମି ଝରଣାର ଝଙ୍କାର । ଆକାଶ ଗୃହରେ ଚତୁର୍ଥୀର ଚାନ୍ଦ ଫିକ୍‍ ଫିକ୍‍ ହସୁଛି । ଲଜ୍ଜାବଶତଃ ବାଦଲର ଉହାଡ଼ରେ ଚାନ୍ଦଟି ମୁଖ ଲୁଚାଇ ଦେଉଛି । କୁହୁଡ଼ିର ଅବଗୁଣ୍ଠନରେ ଲଜ୍ଜାନତ ହେଉଛି । ମୋ’ ଆଖି ସାମ୍ନାରେ ସୁସ୍ପଷ୍ଟ ହୋଇ ଉଠିଲା ଏକ ଗ୍ରାମ୍ୟ ଲଳନାର ପ୍ରତିମୂର୍ତ୍ତି । ଆନନ୍ଦରେ ଅଧୀର ହେଲି । ମନର ଆବେଗ, ଆନନ୍ଦ ସମ୍ୱରଣ କରିପାରିଲି ନାହିଁ । ତା’ପରେ ଉଚ୍ଚ ପାଟିରେ ଡାକ ଦେଲି ଫୁଲ.....

 

ଫୁଲକୁ ମୁଁ ଭୁଲିପାରିନଥିଲି । କାରଣ ସେ କଦାପି ଭୁଲି ହୁଏନା ।

 

ଝିଅଟି ମୋର ପଛ ଭାଗକୁ ଧୀରେ ଧୀରେ ଚାଲିଆସି ମୋର ବେକକୁ ତା’ର ସେ ସୁକୋମଳ ବାହୁ ଦ୍ୱୟରେ ଛନ୍ଦିଦେଲା । ତା’ପରେ ଫୁଲ ପ୍ରଶ୍ନ କଲା, ‘‘ଏ ବାବୁ ? ଏତେ ରାତିରେ ଏଠି ଏକାଟିଆ ବସିଛୁ କାହିଁକି ଘରକୁ ଯିବୁନି ? ଆ ଯିବା.....’’

 

ମୁଁ ଫୁଲର ଅଭିମାନ ଉପଭୋଗ କରିବାପାଇଁ ଚୁପ୍‍ ରହିଲି । ତାକୁ ଟିକିଏ ସୁଦ୍ଧା ଚାହିଁଲି ନାହିଁ । ମୋ’ କୃଷ୍ଣ ଓଠ ତଳେ ଖେଳି ବୁଲୁଥିଲା ତୃପ୍ତିର ଚେନାଏ ମୁରୁକି ହସ । ତା’ପରେ ଫୁଲ ମୋ’ ପାଖକୁ ଚାଲିଆସି ବେଦନା ଭରା ସ୍ୱରରେ କହିଉଠିଲା, ‘‘କ’ଣ ବାବୁ ! ମୋ’ କଥା ଶୁଣିବୁ ନାହିଁ ? ମୋ’ ଉପରେ ରାଗିଛୁ ବାବୁ ? ରାଗିଛୁ !’’ ଫୁଲର ସୁନୀଳ ମୀନ ନୟନ ଦ୍ୱୟରୁ ବହି ଯାଉଥିଲା ତପ୍ତ ଅଶ୍ରୁ । ମୁଁ ତାକୁ କୋଳକୁ ଆଉଜାଇ ଆଣିବାକୁ ଇଚ୍ଛା କରୁଥିଲି । କିନ୍ତୁ କେଜାଣି କାହିଁକି ଅଟକି ଗଲି-। ଫୁଲର ମୁହଁରୁ ଲୁହ ଧାର ପୋଛି ଦେଇ ଆଶ୍ୱାସନା ବାଣୀରେ କହିଲି, ‘‘ଛି.....ଫୁଲ ! ତୁ ପିଲାଙ୍କ ପରି ଏପରି କାନ୍ଦୁଛୁ ? କିଏ କହିଲା ମୁଁ ତୋ’ ଉପରେ ରାଗିଛି ବୋଲି ? କହିଲୁ....ସତରେ ମୁଁ ତୋତେ କେତେ ଭଲପାଏ ।’’ ମୋର ଏଇ କେଇପଦ କଥାରେ ତା’ର ଭାବନାର ଆକାଶରୁ ସନ୍ଦେହର ବଉଦ ଦୂରୀଭୂତ ହୋଇଗଲା ।

 

‘‘କ’ଣ ଏହି ନିଛାଟିଆ ରାତିରେ ଏଠି ବସି ଏତେ ଭାବୁଛୁ ବାବୁ ?’’ ଫୁଲ ମୋ’ ପାଖରେ ବସିପଡ଼ି ପ୍ରଶ୍ନ କଲା । ତା’ର ଆକୁଳ ନୟନ ମୋର ମୁଖ ମଣ୍ଡଳ ଉପରେ ଘୂରିବୁଲୁଥିଲା-

 

......ମୁଁ ଚୁପ୍‍ ହେବା ଦେଖି ସେ ଆଉଥରେ ତା’ର ଚମ୍ପା କଳି ଅଙ୍ଗୁଳିରେ ମୋର ମୁହଁକୁ ହଲାଇ ଦେଇ ପ୍ରଶ୍ନ କଲା, ‘‘ବାବୁ ! କହିଲୁ, କା କଥା ତୁ ଏତେ ଭାବୁଥିଲୁ । ସତ କହିବୁ ବାବୁ ! ମିଛ କହିଲେ ମୁଁ ଜମା ଶୁଣିବି ନାହିଁ ଯେ.....’’

 

‘‘ନାହିଁ ଲୋ ଫୁଲ ! କିଛି ନାହିଁ । ଆଉ କାହା କଥା ଭାବିବି ? ତୋର କଥା ପରା ମୁଁ ଆହୁରି ଏଯାଏଁ ଭାବୁଛି ।’’ ମୁଁ ହସି ହସି ଆତ୍ମ ତୃପ୍ତିରେ ଫୁଲକୁ କୋଳକୁ ଟାଣି ଆଣୁଥିଲି ।

 

ହଠାତ୍‍ ସେ ଆଶ୍ଚର୍ଯ୍ୟରେ ପଚାରିଲା, ‘‘କ’ଣ ବାବୁ ? ମୋ’ କଥା !’’ ନିଜର ଲୁଗାପଟା ସଜାଡ଼ି ନେଇ କହିଲା, ‘‘ଏ ବାବୁ ! କାଳେ କିଏ ଦେଖିବ । ତୁ ଏମିତି ହେଲେ ମୁଁ ଚାଲିଯିବି ।’’ ଫୁଲ କୃତ୍ରିମ ଅଭିମାନ କରୁଥିଲା । ସେ ମୋର ଭଲପାଇବା କଥାକୁ ଆହୁରି ବିଶ୍ୱାସ କରୁନଥିଲା ଯେପରି । ତା’ ମୁହଁରେ ବିଞ୍ଛି ହୋଇଗଲା ମୁଠାଏ ଫଗୁ । ଲଜ୍ଜାରେ ଝାଉଁଳି ଯାଉଥିଲା । ମୁଗ୍‍ଧ ଗଳା ତା’ର ଥରି ଉଠୁଥିଲା, ‘‘ସତ କହିଲୁ ବାବୁ ! ମୋ’ ସକାଶେ ତୁ କ’ଣ ଏତେ କଥା ଭାବୁଛୁ ? ମୁଁ ମୋଟେ ଶୁଣିବି ନାହିଁ । ତୁ ଖାଣ୍ଟି ଡାହା ମିଛ କହୁଛୁ । ତୁ କ’ଣ ମୋତେ ଏତେ ଭଲପାଉ ବାବୁ-?’’

 

‘‘ମୁଁ ତୋତେ ଖାଲି ମନରେ ଭଲପାଏନି ଲୋ ଫୁଲ ! ହୃଦୟରେ ମଧ୍ୟ ଭଲପାଇଛି । ମୁଁ ଚାହେଁ ତୋତେ ଆପଣାର, ନିଜର କରିବାକୁ । କହିଲୁ, ସତେ ତୁ ମୋର କଥାରେ ରାଜି ହେବୁ ନା-?’’

 

‘‘ଉ.....ହୁଁ......ତୁ ମୋତେ ଖାଲି କଥାରେ କଥା କହୁଛୁ ସିନା, ତୁ ମୋଟେ ଭଲପାଉ ନାହୁଁ-। ତୋ’ଭଳି ଗୋଟାଏ ବଡ଼ ବାବୁ ମୋ’ଭଳି ଗୋଟିଏ ଆଦିବାସୀ ଝିଅକୁ କେବେ କେଉଁଠି ଭଲ ପାଇଲାଣି ? ଖାଲି ମିଛ କଥା । ମୋତେ ଥଟ୍ଟା କରୁଛୁ ବାବୁ ! ବାବୁ ! ମୋ’ କଥା ଶୁଣୁଛୁନା ବାବୁ-। ତୁ ମୋତେ ସେଦିନ ସେ କେନାଲ ହିଡ଼ ପାଖରେ କହୁନଥିଲୁ–ନାହିଁଲୋ ଫୁଲ ! ମୁଁ ବାହା ହୋଇସାରିଛି । ମୋର ଭାର୍ଯ୍ୟା ଘରେ ଅଛି । ସେ ମୋତେ ନ ଦେଖି କେତେ କାନ୍ଦୁଥିବ, ଝୁରୁଥିବ...କହିଲୁ, ତାହାହେଲେ ତୁ କିମିତି ଦୁତିଅ ହେବୁ ? ତୋର ପରା ମମି ଅଛି, ମମି ମୋତେ ଦେଖି କାଳେ ଗାଳି ଦେବ, ଝିଙ୍ଗାସିବ । ତୁ କ’ଣ ସହିଯିବୁ ବାବୁ ! ମୁଁ କିନ୍ତୁ... ।’’ ଫୁଲର କଣ୍ଠରୁ ଭାଷା ସ୍ଫୁରିଲା ନାହିଁ । ତା’ର ପଞ୍ଜରା ହାଡ଼ ଥରାଇ ଗୋଟିଏ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା । ଆଖି କୋଣରେ ଜକେଇ ଉଠିଲା ବିନ୍ଦୁ ବିନ୍ଦୁ ଅଶ୍ରୁ । ସତେ ଯେମିତି ଅଦିନରେ ମେଘଟା ବର୍ଷିଯିବ ।

 

ମୁଁ ଫୁଲର କଅଁଳ ମସୃଣ ଗାଲରେ ଅଲିଭା ଚୁମ୍ୱନର ଦାଗଟିଏ ଟାଣି ଦେଲି । ସେ ଲାଜରେ ଅବଗୁଣ୍ଠନ ତଳେ ମୁହଁଟି ନତ କରିନେଲା । ତା’ର କଅଁଳ ହାତ ପାପୁଲିଟିକୁ ମୋର କର୍କଶ ହାତରେ ଭିଡ଼ିଧରି ସ୍ନେହରେ କହିଲି, ‘‘ଫୁଲ ! ତୁ କାନ୍ଦୁଛୁ ଫୁଲ !! ମୁଁ ସେଦିନ ମିଛରେ ଏମିତି କହୁଥିଲି ନା । ସତରେ ତୁ ଏଯାଏଁ ମନେରଖିଛୁ । ମୋର ମମି ଅଛି ବୋଲି ତୁ କେମିତି ବିଶ୍ୱାସ କରୁଛୁ ? ଖାଲି ତୋର ମନ ବିଡ଼ିବା ପାଇଁ, ମନ ବିଡ଼ିବା ପାଇଁ ଏମିତି ଥରେ କହି ଦେଲି । ମୋ’ ରାଣ, ମୁଁ ଏଯାଏଁ ଅବିବାହିତ । ଫୁଲ ! କହିଲୁ, ମୁଁ ତୋ’ ବିନା କେବେ ବଞ୍ଚିପାରେ ? ତୁ ମୋର ସର୍ବସ୍ୱ । ମୁଁ ତୋତେ ନିଜର କରିବି । ସବୁ ଦିନପାଇଁ ଆପଣାରରୂପେ ବରିନେବି । ତୁ ମୋର ହେବୁ ମମି, ଆଉ ମୁଁ ହେବି ତୋର...।’’ ଏପରି କହି କହି ତାକୁ କୋଳକୁ ଟାଣିଆଣି ବାହୁ ବନ୍ଧନ ତଳେ ଛନ୍ଦି ଦେଲି । ଫୁଲ ମୁକ୍ତି ପାଇବାପାଇଁ ଚେଷ୍ଟା କରୁଥିଲା । ଆକାଶରେ ଚାନ୍ଦଟା ଲୁଚି ଯାଉଥିଲା । ମେଘର ପାଚେରି ସେପାଖେ । ଫିକ୍‍ ଫିକ୍‍ ହସୁଥିଲା ନିଃଶବ୍ଦ ହସ । ଫୁଲ ମୋର ବାହୁବନ୍ଧନ ତଳେ ଛାଟିପିଟି ହେଉଥିଲା । ମୋ’ ଛାତି ଉପରେ ମଥା ରଖି କ’ଣ ଟୁକ୍‍-ଟୁକ୍‍ କଥା ଚୁପ୍‍ ଚୁପ୍‍, ଚୁମି ଚୁମି କହୁଥିଲା । ଆନନ୍ଦରେ ବିଭୋର ହୋଇଉଠୁଥିଲି ମୁଁ । ମୁଁ ମନେ ମନେ ଆସ୍ୱାଦନା ଲାଭ କଲି–ସତରେ ! ଫୁଲର ଦେହର ସ୍ପର୍ଶ କେଡ଼େ ମଧୁର, ତା’ର ପରଶ କେଡ଼େ କୋମଳ ଆଉ ଉଷ୍ମ ।

 

‘‘ଏ ବାବୁ ! ମୋତେ ଛାଡ଼ନା ବାବୁ ।’’

 

ମୁଁ ଫୁଲକୁ ଭିଡ଼ି ଧରିଥିଲି ।

 

‘‘ବାବୁ ! ହେଉ ନ ଛାଡ଼େ, ମୋର ଗୋଟିଏ କଥା ରଖିବୁନା ବାବୁ ? ରଖିବୁ ! ସତ କହୁଛୁ ?’’ ଫୁଲ ମୋର ବାହୁବନ୍ଧନ ତଳୁ ମୁକ୍ତି ପାଇଲା ।’’ ଫୁଲ । ହେଉ କହିଲୁ, ତୋର କି କଥା-? ତୋତେ ମୁଁ ବାହା ହେବି; ଏୟା ନା ଆଉ କିଛି ?’’

‘‘ବାବୁ ! ତୁ ଭାରି ଦୁଷ୍ଟ । ମୁଁ କହିଲି ପରା ମୁଁ ତୋର ଆଉ ତୁ.... ।’’ ଫୁଲର ପେଲବ ଓଠତଳେ ଚେନାଏ ଚାପା ହସର ଇଙ୍ଗିତ ।

ମୋର.....‘‘ମୁଁ ଫୁଲର ବାକ୍ୟ ପୂରଣ କଲି ।’’

ମୁଁ ଆନନ୍ଦରେ ହସିଉଠିବା ଦେଖି ଫୁଲ କହିଲା, ‘‘ଏ ବାବୁ ! ଆଜି ଆମର ପରବ ଦିନ-। ତୁ ଆମର ଆଖଡ଼ାକୁ ଆସିବୁ । ମୁଁ ତୋ’ ସଙ୍ଗେ ନାଚିବି । ମହୁଲି ପିଇବୁ । ମୋ’ ରାଣ ! ତୁ ଆସିବୁ ବାବୁ ।’’

ଫୁଲର କଥାରେ ମୁଁ ହଁ ଭରିଲି । ଫୁଲ ପଛକୁ ମୁହଁ ଫେରାଇଲା କୌଣସି ଏକ ଶବ୍ଦ ଶୁଣି । ବୁଲିପଡ଼ି ଦେଖିଲାବେଳକୁ କିଏ ଜଣେ ଧୀରେ ଧୀରେ ତାଙ୍କ ଆଡ଼କୁ ଅଗ୍ରସର ହେଉଛି । ଶୁଖିଲା ପତ୍ରର ଖସ୍‍...ଖସ୍‍ ଆବାଜ ସାଙ୍ଗେ କାହାର ପାଦ ଶବ୍ଦ ନିଥର ବାୟୁମଣ୍ଡଳକୁ ଥରାଇ ଦେଉଥିଲା । ଫୁଲ ଚମକି ପଡ଼ିଲା । ତା’ ଅନ୍ତରରେ ଖେଳିଗଲା ଅଜଣା ଭୟର ତଡ଼ିତ । ସେ ମନରେ ଭାବିଲା–ସତେ ! ମୁଁ ଆଜି ମୋ’ ବାବୁ ପାଖକୁ ଆସିଛି ବୋଲି କିଏ ଜାଣିଦେଲା କି ? ତା’ ହୃଦୟ ଖାଲି ଥରି ଉଠିଲା । ମନରେ ବସା ବାନ୍ଧିଲା ଆସନ୍ନ ବିପଦର ପହିଲି ସଙ୍କେତ ଆଉ ସନ୍ଦେହ । ସେ ମୋତେ ଛାଡ଼ି ଚାଲିଯିବାକୁ ତତ୍ପର ହୋଇ ଉଠିଲା । ଯୁବତୀ ଝିଅ ଏତେ ରାତିରେ ଅପରିଚିତ ପୁରୁଷ ପାଖକୁ ଆସିବାର ଯଦି କୌଣସି ଆଦିବାସୀ ଠଉରାଇ ଦିଏ ତେବେ ଫୁଲର ଆଉ ରକ୍ଷା ନାହିଁ କିମ୍ୱା ମୋର ମଧ୍ୟ ମୁକ୍ତି ନାହିଁ । କିନ୍ତୁ ଏସବୁ ଦୃଶ୍ୟର ମୁଁ ବାହାରେ ଥିଲି । ଫୁଲ ଦୁଇ ଚାରି ଖୋଜ ତରତରେ ଆଗେଇ ଗଲା । ମୁଁ ମଧ୍ୟ ଭୟ ଆଉ ଦ୍ୱନ୍ଦ୍ୱରେ ଚମକି ଚମକି ଉଠିଲି । ନିଜକୁ ଯଥା ସମ୍ଭବ ସଂଯତ କରି ଚାପା ଗଳାରେ କହିଲି; ‘‘ଏ ଫୁଲ ! କୁଆଡ଼େ ଯିବୁ କିଲୋ ? କ’ଣ ଚାଲିଯିବୁ ? ତୁ ଯା, ପରେ ମୁଁ ତୁମର ପରବ ଦେଖିବାକୁ ଯିବି । ଅପେକ୍ଷା କରିଥିବୁ ।’’

ଫୁଲ ନିରୁତ୍ତରା । ସେ କିଛି ନ କହି ବୁଦାରେ ବୁଦାରେ ସେହି ରାତ୍ରର କୁହେଳିକା ଚିରି ଲୁଚିଗଲା । ମୋ’ ଆଖିର ଅନ୍ତରାଳ ବାହାରେ ଫୁଲ ଲିଭିଗଲା । ପଥରଟା ଉପରେ ମୁଁ ଧୀରଭାବେ ବସି ରହିଲି । ମୋ’ ମନରେ ଫୁଲର ଅସରନ୍ତି ଭାବନା । ମୋ’ଆଖିରେ ଆଗାମୀ ଭୟର ଦୃଶ୍ୟ । ହୃଦୟରେ ଅଜଣା ଭୟର ପୁଲକର ଛାପା । ହୃଦୟଟା ଭୟରେ ଥରେ ଥରେ ଥରି ଉଠୁଥାଏ । କିନ୍ତୁ କୌଣସି ଉପାୟ ନ ଥିଲା । ଜହ୍ନ ରାତିରେ ମଧ୍ୟ ମୋ’ ଆଖିକୁ ଚାରିଆଡ଼ ଅନ୍ଧାର ଦେଖାଗଲା । ମୋର ଗୋଡ଼ଦ୍ୱୟ ଆଗକୁ ପାଦଟାଏ ସୁଦ୍ଧା ଆଗେଇବା ପାଇଁ ଅକ୍ଷମ । ଭୟାର୍ତ୍ତ ଦୃଷ୍ଟି ମୋର ଚାରିଆଡ଼େ ଖେଳି ବୁଲୁଥାଏ । ଦୂରରେ ମିଳେଇ ଯାଉଥାଏ ବିଲୁଆମାନଙ୍କର ହୋକେ....ହୋ....ହୋ । ପେଚାଟା ଥରେ ଅଧେ ରାବି ଉଠୁଥାଏ । ମୋ’ ପ୍ରାଣନଥିଲାପରି ମନେହେଉଥାଏ । ହଠାତ୍‍ ଦୂରରେ ଶୁଭିଲା କୋଳାହଳ । ଅଦୂରେ କେତେଜଣ ଲୋକ ହାତରେ ନିଆଁ ଦିହୁଡ଼ି ଧରି ମୋ’ ଆଡ଼କୁ ଲକ୍ଷ୍ୟକରି ପଶି ଆସୁଥିଲେ । ମନେ ମନେ ଭାବିଲି–କ’ଣ ଫୁଲର ବସ୍ତି ଲୋକ ଜାଣିଦେଲେ କି ? ତେବେ ମୋର ଆଉ ରକ୍ଷା ନାହିଁ....ହଠାତ୍‍ ସାହସ ସଞ୍ଚୟ କରି ସେହି ଅନ୍ଧାର ଭିତରେ ବିଲୀନ ହେବାକୁ ଚାହୁଁଥିଲି । ଦୌଡ଼ି ଦୌଡ଼ି ବସା ଘରେ ଆସି ପହଞ୍ଚିଲି । କବାଟ କିଳି ଦଉଡ଼ିଆ ଖଟଟା ଉପରେ ଖାଲି ପଡ଼ି ରହିଲି । ଗୋଡ଼ରୁ ବହି ଯାଉଥାଏ ଧାର ଧାର ରକ୍ତ । ରାତିଟା ଅତି ଭାରି ଭାରି ଲାଗୁଥାଏ । ଭୟାର୍ତ୍ତ ମନଟା ଦୋଳାୟତ ହେଉଥାଏ । ରାତ୍ର ପ୍ରାୟ ଅଧା ହେବ । ଶୁଣିଲି ବାହାରେ କାହାର ପାଦ ଶବ୍ଦ । ତା’ପରେ କବାଟ ଉପରେ ଧୀର ଆବାଜ......

‘‘ଏ ବାବୁ ! ଜଲଦି କବାଟ ଖୋଲ ।’’ ଫୁଲର ସ୍ୱରରେ ଉଦ୍‍ବିଗ୍ନତା ।

‘‘କିଏ ? ମୁଁ ଫୁଲର ସ୍ୱର ଚିହ୍ନିନପାରି ପଚାରିଲି ।

‘‘ମୁଁ ବାବୁ ! ମୁଁ ଫୁଲ ।’’

‘‘ଓଃ.......ଫୁଲ ।’’ ଦରଜା ଖୋଲିଲି । ସେ ଭିତରକୁ ଝଡ଼ ପ୍ରାୟେ ପଶି ଆସିଲା । ବାହାରର ଶୀତଳ ସମୀରରେ ମହମ ବତିଟି ହଠାତ୍‍ ଜଳିଉଠି ଲିଭିଗଲା । ମୋ’ ବସା ଘରେ ଅଫିମ ଅନ୍ଧାର ନେସି ହୋଇପଡ଼ୁଥିଲା । ଫୁଲ ମୋର ଖଟ ଉପରେ ହଠାତ୍‍ ବସିପଡ଼ି କହିଲା, ‘‘ବାବୁ ! କବାଟ କିଳିଦେ ବାବୁ ! ନୋହିଲେ ରକ୍ଷା ନାହିଁ ।’’ ଫୁଲର ଭୟର କାରଣ ମୁଁ ମୋଟେ ବୁଝିପାରେନି । ବାଧ୍ୟ ଶିଶୁପରି ମୁଁ ଦରଜା ବନ୍ଦ କଲି । ଫୁଲ ପାଖକୁ ଆସିଲି । ପକେଟରୁ ଦିଆସିଲି ବାହାର କରି ମହମ ବତି ଜଳାଇଲି । ଘର ଭିତରେ ବୁଣି ହେଲା ନିଷ୍ପ୍ରଭ ଆଲୋକ । ଫୁଲ ଧଇଁସଇଁ ହୋଇ ମୋତେ ପାଣି ପିଇବାପାଇଁ ମାଗିଲା । ମୁନ୍ଦାଏ ପାଣି ପିଇ ଟିକେ ସାଷ୍ଟାମ ହେଲା-

ଫୁଲ ଆରମ୍ଭ କଲା, ‘‘ବାବୁ ! ତୁ ରାତି ପାହିଲାବେଳକୁ ଏଠାରୁ ଚାଲି ଯାଇଥିବୁ, ନୋହିଲେ ତୋତେ ସେ ଜୁଆନ୍ ଟୋକା ଟେରା ଖୁନ୍‍ କରିବ ବୋଲି ମୋତେ ଏବେ କହିଲା । ବାବୁ-! ତୁ କାଲିକି ଚାଲିଯାଇଥିବୁ ବାବୁ ! ତୁ ଚାଲି ଯାଇଥିବୁ ।’’ ଫୁଲ କଣ୍ଠର କୋହ ତାକୁ ଆଉ ଅଧିକ କୁହାଇ ଦେଇପାରିଲା ନାହିଁ । ସେ ମୋର ଗୋଡ଼ ଧରି କାନ୍ଦି ଉଠୁଥିଲା କଇଁ କଇଁ । ତାକୁ ତୋଳି ଧରି ତା’ର ମଉଳା ମୁହଁକୁ ଅପଲକ ଦୃଷ୍ଟିରେ ଚାହିଁ ରହିଥିଲି । ମୁଁ ପଚାରିଲି, ‘‘କାହିଁକି ସେ ମୋତେ ଖୁନ୍‍ କରିବ ଲୋ ଫୁଲ :’’

‘‘ତୁ କ’ଣ ଜାଣିବୁ ବାବୁ ? ସେ ଭାରି ଖରାପ ଟୋକା । ତୋର ମୋର କଥା ସେ ସବୁ ଜାଣିସାରିଲାଣି । ମୋତେ ସେ ବିବାହ କରିବାକୁ ଚାହୁଁଛି । ମୁଁ ମନା କରିବାରୁ ମୋତେ ବହୁତ ଗାଳି ଦେଲା, ଝିଙ୍ଗାସିଲା । ଦେଖୁନୁ ! ବାବୁ ! ମୋ’ ପିଠିରେ ସେ କେମିତି ମାଡ଼ ମାରିଛି ।’’ ମୁଁ ଫୁଲର ପିଠିରେ ହାତ ବୁଲାଇଲି । ପିଠିର ଠାଏଁ ଠାଏଁ ନୋଳା ବସି ଫାଟି ଯାଇଛି । ରକ୍ତର ଧାର ଝରି ପଡ଼ୁଛି । ଫୁଲ ମୋର ହାତ ଧରି କହିଲା, ‘‘ଛାଡ଼େ ବାବୁ । ସେ ମାଡ଼ରୁ କ’ଣ ମିଳିବ ବାବୁ ! ମୁଁ ତୋ’ପାଇଁ ମରିଯାଇପାରେ । ହଜି ଯାଇପାରେ । କିନ୍ତୁ ମୁଁ କେବେହେଲେ ଟେରାର ହୋଇ ପାରିବି ନାହିଁ । ସେ ମାରୁ । ଯେତେ ଇଚ୍ଛା ତା’ର ସେ ମାରୁ; କିନ୍ତୁ ମୁଁ ତା’ର କେବେ ହୋଇନପାରେ । ମୁଁ ତୋର ବାବୁ, ଆଉ ମୁଁ ତୋର ଫୁଲ ।’’ ଫୁଲ ଉତ୍ତେଜିତ ହୋଇଉଠୁଥିଲା,–ବଜାରି, ଛତରା ! କହୁଛି କ’ଣ ନା ମୁଁ ତୋତେ ବାହା ହେବି । କହୁଛି ରାଜି ନ ହେବୁ ତ ତୋତେ ଆଉ ତୋର ସେହି ବାବୁକୁ ଟିକି ଟିକି କରି ଚିରି ଦେବି, ମାରି ଦେବି । ହେଉ ଚିରୁ । ଦେଖିବା ତା’ର ବଳ କେତେ ଆଉ ମୋର କେତେ ବଳ ! ଫୁଲ ମନରେ ଭାବିଗଲା । ଫୁଲ ତା’ର ଅଙ୍ଗ, ଯୌବନ ମୋତେ କେଉଁ ଦିନୁଁ ସମର୍ପଣ କରିଦେଇଛି । ଆଦିବାସୀ ଝିଅ ହେଲେ ବି ସେ ବିଟପୀ ନୁହେଁ । ସେ ଆଜି ଆଉ ପୂର୍ବର କୁମାରୀ ନୁହେଁ । ଟେରା ଫୁଲକୁ ବିବାହ କରିବ ବୋଲି ଦିବା ମଧ୍ୟରେ କେତେ ରଙ୍ଗିନ୍‍ ସ୍ୱପ୍ନ ଦେଖୁଛି-! ତାହା କିନ୍ତୁ ସଫଳତା ହାସଲ କରିପାରି ନାହିଁ । ଫୁଲ ଏଡ଼ାଇ ଦେଇ ଚାଲିଆସିଛି; ହେୟ ମନେ କରିଛି ଟେରାର ପ୍ରେମ ସମର୍ପଣ । ବହୁତ ଗାଳିଦେଇ ଘୃଣାରେ ନାକ ଟେକିଛି । ଟେରାର ଅନୁରୋଧ ପ୍ରତ୍ୟାଖ୍ୟାନ କରିଛି । ତା’ ସହିତ ଏମିତି କଳି ନ କରିବାକୁ ତାଗିଦ୍‍ କରି ଦେଇଛି । ହେଲେ ବି ଟେରା ଏସବୁକୁ ମନ ନାହିଁ, ଧ୍ୟାନ ଦିଏ ନାହିଁ । ବରଂ ତା’ ପାଖରେ ବହୁତ ଅଳିର ଖିଅ ଉପହାର ଦେଇଛି । ସମବେଦନା ଜ୍ଞାପନ କରିଛି ଫୁଲର ବିପଦରେ-। ଏଭଳି ଗୋଟାଏ ଯୁଆନ୍ ଟୋକାର, ଖରାପ ମଦୁଆ ଟେରାର ପାଣି-ଗ୍ରହଣ କରି ସେ ବା କେତେ ଦିନ ସୁଖର ନୀଡ଼ ରଚି ପାରିବ ? କାଳାତିପାତ କରିପାରିବ ? ବାବୁ ! ମୋ’ ବାବୁ ! ଭାରି ସୁନ୍ଦର ବାବୁ । ଆଚ୍ଛା ମଣିଷ, ଖାଣ୍ଟି ଲୋକ । ତା’ ଆଗରେ ଟେରା ! ଆକାଶ ପାତାଳର ପ୍ରଭେଦ । ଫୁଲ ମନର କଳ୍ପନାରେ ଆନନ୍ଦରେ ଶିହରି ଉଠୁଥିଲା । ନାଚି ଉଠୁଥିଲା ତା’ ମନ ମୟୂର-। ସେ କଦାପି ବିବାହ କରିପାରେନା ମଦୁଆ ଟେରାକୁ, ନଷ୍ଟ ଚରିତ୍ର ଟେରାକୁ । ଟେରାପାଇଁ ଫୁଲର ଆଖିଦ୍ୱୟ ଘୃଣାରେ ପୂରି ଉଠୁଥିଲା । ତା’ର ପ୍ରତିଶୋଧ ନେବାପାଇଁ ଓଠଦ୍ୱୟ ଭୀଷଣଭାବେ ଥରି ଉଠୁଥିଲା-। ନାକଟି ଅସମ୍ଭବ ମାତ୍ରାରେ ଫୁଲି ଫୁଲି ଉଠୁଥିଲା ।

ଫୁଲ ଲୁଗା ପଣତ କାନିରେ ବାନ୍ଧିଥିବା ମଲ୍ଲୀ ଫୁଲର ମାଳାଟି ବାହାର କଲା । ମୋ’ ବେକରେ ଲମ୍ୱାଇ ଦେବାପାଇଁ ଇଚ୍ଛା କରୁଥିଲା । ମୁଁ କିନ୍ତୁ ମନା କରି କହିଲି, ‘‘ନାହିଁ ଥାଉଲୋ ଫୁଲ-! ମୁଁ ତ କାଲି ଏଠାରୁ ଚାଲିଯିବି, ଆଉ କାହିଁକି ତୁ ମୋତେ ବରଣମାଳା ଦେବୁ ?’’ ମୋର ଆଖି କୋଣରେ ଲୁହ । ନିଦୁଆ ଆଖି ପତାଟା ଆର୍ଦ୍ର ହୋଇପଡ଼ୁଥିଲା ।

ଫୁଲର ମୁହଁଟି ମଉଳିଗଲା । ସେ ଫୁଲି ଫୁଲି କାନ୍ଦିଲା । ଫୁଲ ପରେ ଲୁହ ସମ୍ୱରଣ କରି କହିଲା, ‘‘ବାବୁ ! ତୁ ମୋତେ ମନାକରନା ବାବୁ ! ମୁଁ କେତେ ସରାଗରେ ଏହି ଫୁଲ ମାଳାଟି ଗୁନ୍ଥି ତୋ’ପାଇଁ ଆଣିଛି । ମୋର କଥା ରଖିବୁ ନାହିଁ ? ବାବୁ ! ରଖିବୁନି ମୋ’ କଥା । ତୁ ଫୁଲ ହାରଟା ଟିକେ ପିନ୍ଧେ, ମୁଁ ଦେଖିବି । ସତେ ତୁ କେଡ଼େ ସୁନ୍ଦର ଦେଖାଯିବୁ । ହେଉ ବାବୁ ! ପିନ୍ଧିବୁନି-!’’ ତା’ର ଆଖିରେ ଅସଂଖ୍ୟ ପ୍ରଶ୍ନବାଚୀ । ଫୁଲ ମୋ’ ବେକରେ ଫୁଲର ହାରଟା ପିନ୍ଧାଇ ଦେଲା । ମୋ’ଛାତି ଉପରେ ମଥା ରଖି ବହୁତ କାନ୍ଦିଲା । ମୁଁ ଭୁଲିଗଲି ସବୁ କିଛି । ତା’ର ଉଷ୍ମ ଦେହର ପରଶ ମୋତେ ମାତାଲ କରି ତୋଳିଲା । ଭବିଷ୍ୟତର ସୁନେଲି ସପନରେ ବିଭୋର ହୋଇଉଠୁଥିଲା ଫୁଲ ଆଉ ମୋର ମନଦ୍ୱୟ । ହଠାତ୍‍ ଶୀତଳ ସମୀରର ଦମକାଏ ଆଘାତରେ ମହମବତିଟି ଧପ୍‍କିନା । ଲିଭିଗଲା । ଘର ଭିତରେ କାକ କୃଷ୍ଣ କବରୀ ରଙ୍ଗର ଅନ୍ଧାର । ମୋ’ ମୁହଁଟି ତା’ର ମୁହଁ ଉପରେ ନଇଁ ଆସୁଥିଲା ଆସ୍ତେ....

ହଠାତ୍‍ ଦରଜାରେ କାହାର ଜୋର କରାଘାତ । ଟେରା ଠଉରେଇ ପାରିଲା ଯେ ଫୁଲ ମୋ’ ପାଖରେ, ମୋର ଘର ଭିତରେ । ଏଣୁ ସେ ହାତରେ କଟୁରି ଧରି ପୂର୍ବ ଅପମାନର ପ୍ରତିଶୋଧ ନେବାପାଇଁ ଆସିଛି । ଟେରାର ସର୍ବାଙ୍ଗ ରାଗରେ ଥରୁଛି । ସେ ଫୁଲର ପ୍ରତିଶୋଧ ତିଳେ ତିଳେ, ପଳେ ପଳେ ନେବ । ମୋର ମଧ୍ୟ ! ମଦ ନିଶାରେ ଟଳମଳ ହେଉଛି । ଗୋଡ଼ ପଡ଼ୁ ନାହିଁ । ମୁଁ ଭୟରେ କବାଟ ଖୋଲିଲି ନାହିଁ । ଖଟଟି ଉପରେ ପଡ଼ି ରହିଲି । ଫୁଲ ଯାଇ କବାଟ ଖୋଲିଲା । ଘର ଭିତରକୁ ଝଡ଼ପରି ପଶି ଆସିଲା ବାଇଶିବର୍ଷର କଳା ମଚ ମଚ ଯୁଆନ୍ ଟୋକା ଟେରା । ପାହାଡ଼ ରୂପକ ଛାତିରୁ ନିଗିଡ଼ି ପଡ଼ୁଥିଲା ଝାଳ । ହାତରେ ଶାଣଦିଆ କଟୁରି । ଫୁଲିଲା ଫୁଲିଲା ବାହୁତଳେ ଅସୀମ ବଳ । ଆଖିରେ ଅନନ୍ତ କ୍ଷୁଧା । ମନରେ ପ୍ରତିଶୋଧର ତେଜୋଦ୍ଦୀପ୍ତ ନିଆଁ ଖଣ୍ଡ । ଟେରାର ରୂପ ଦର୍ଶନରେ ଫୁଲ ଦବିଗଲା; କିନ୍ତୁ ନିର୍ଭୟରେ ତା’ ଆଗରେ ଠିଆ ହୋଇ ରହିଲା । ଏସବୁ ଦୃଶ୍ୟ ଦେଖି ମୋର ପାଟି ଫିଟାଇବାର ଜୁ ନ ଥିଲା । ଭୟରେ ଥରି ଉଠୁଥିଲି । ଶୀତ ଦିନରେ ମଧ୍ୟ ମୋର ମୁହଁରେ ବିନ୍ଦୁ ବିନ୍ଦୁ ଘର୍ମ ବିନ୍ଦୁ ।

‘‘ଫୁଲ ! ତୁ ଟେରାକୁ ବାହା ହୋଇପଡ଼ । ତା’ପରେ ସବୁ ସଜାଡ଼ି ହୋଇଯିବ ।’’

‘‘କାହିଁକି ବାବୁ ! ତୋ’ ମୁଣ୍ଡକୁ କ’ଣ ବିଛା କାମୁଡ଼ିଲା କି ? କାହିଁକି ମୁଁ ମଦୁଆର ହାତ ଧରିବି ? ତୋର ପରି ବାବୁ ଥାଉ ଥାଉ ମୁଁ ଏ ଟେରାକୁ ବାହାହେବି ! କେବେ ହୋଇପାରିବନି ।’’ ମୋର ଗଳାର ମଲ୍ଲୀ ଫୁଲର ହାରକୁ ଧରି ଫୁଲ କହୁଥିଲା ।

‘‘ଫୁଲ ! ଦେଖ ଫୁଲ ! ବାବୁର କଥା ଶୁଣି ମୋତେ ବାହା ହୋଇପଡ଼ । ନ ହେଲେ ଜାଣିଛୁ ମୁଁ ତୋତେ କ’ଣ କରିବି ? ଦେଖୁଛୁ ଏ କଟୁରିକୁ ! ଏକା ଚୋଟକେ ଦି’ଖଣ୍ଡ । ଚିହ୍ନି ରଖ–ମୁଁ କିଏ ?’’ ଟେରା ରାଗି ଉଠୁଥିଲା ।

ଫୁଲର ଆଉ ଭାଷା ନ ଥିଲା କହିବା ସକାଶେ । ସେ ଚୁପ୍ ହେଲା ।

‘‘ଏ ଫୁଲ ! ତୋତେ କ’ଣ ଶୁଭୁ ନାହିଁ ମୋର କଥା ? ହେଉ, ତୁ ନ ଶୁଣେ ସେ ବାବୁର କଥା । ସେ ବାବୁ ଚୋର, ବଦ୍‍ମାସ, ଖଣ୍ଟ । ମୋ’ କଥା ମାନି ମତେ ବାହା ହୋଇପଡ଼ । ନ ହେଲେ......।’’ ଟେରାର କଥା ଅପୂର୍ଣ୍ଣ ରହିଲା । ମନ୍ଦାର ଫୁଲପରି ଆଖିରେ ରକ୍ତର କ୍ଷୁଧା ।

‘‘କ’ଣ ମୋତେ ମାରି ଦେବୁ ? ହେଉ ମାର । ମୁଁ ମରିଯିବି ସିନା, ତୋତେ ବାହା ହେବି ନାହିଁ ।’’ ଫୁଲର ରାଗ ସପ୍ତମ ଉପରେ ଥିଲା । ମୁଁ ଭୟରେ ଦୁହିଁଙ୍କ ମୁହଁକୁ ବୋକାଙ୍କ ପରି ଚାହିଁ ରହିଥିଲି । ତାଙ୍କର କଥୋପକଥନ ଶୁଣୁଥିଲି ।

‘‘ଦେଖିବୁ ? ତୋତେ ମାରି ଦେବି କି ନାହିଁ ? ସେ ବଦମାସ ବାବୁକୁ ଭଲପାଉଛୁ । ତୋତେ କ’ଣ ହେଲା ମୋତେ ଭଲପାଇବା ପାଇଁ ।’’

‘‘ଏ ଟେରା ! ଦେଖ କହି ଦେଉଛି । ତୁ ସିନା ମୋତେ ଯାହାପାରୁ ତାହା କହି ଦେଉଛୁ । ମୋର ବାବୁ ନାଁରେ କିନ୍ତୁ କିଛି କହିପାରିବୁ ନାହିଁ । ଚିହ୍ନିଛୁ ନା ମୋତେ ? ମୁଁ ଦାସୁରୁ ଜାନିର ଝିଅ ଯେ !’’

‘‘ହଁ.........ତୋର ବାବୁ ! ତୁ ଦାସୁରୁ ଜାନିର ଝିଅ !!’’ ଟେରା ବିଦ୍ରୂପ ପ୍ରକାଶ କଲା ଫୁଲର କଥାରେ ।

ଫୁଲ ମୋ’ ପାଖକୁ ଆଗେଇ ଆସୁଥିଲା । ଟେରା ହାତରେ ଧରିଥିବା ନିଆଁ ହୁଳାଟି ତଳେ ଥୋଇ ଫୁଲର ବାହୁଦ୍ୱୟକୁ ସଜୋରେ ଧରି ପକାଇଲା ।

‘‘ଓଃ !’’ ଟେରାର କଳା ମଚମଚ ବାହୁରେ ଫୁଲ ଦାନ୍ତର ଦାଗ । ରକ୍ତ ଝରି ଆସିଥିଲା-। ଟେରା ରାଗ ସମ୍ୱରଣ କରିପାରିଲା ନାହିଁ । ଏକା ଚୋଟକେ ଦି’ଖଣ୍ଡ । ମୋର ଆଖି ବୁଜି ହୋଇଗଲା । ସେ ଦୃଶ୍ୟ ଆଉ ଦେଖିପାରିଲି ନାହିଁ । ରକ୍ତର ଲହରୀ ଘର ଭିତରେ ଖେଳୁଥିଲା । ଫୁଲର ମୁହଁରେ ଥିଲା ଅଲିଭା ତୃପ୍ତିର ଦାଗ । ଟେରା ମୋ’ ଆଡ଼କୁ କଟୁରି ହସ୍ତରେ ଧାଇଁ ଆସୁଥିଲା-। କିନ୍ତୁ ସମୟ ସେତେବେଳକୁ ଚାଲିଯାଇ ଥିଲା । ବାଡ଼ିପଟ ବାଟ ଦେଇ ମୁଁ ସେ ଅନ୍ଧାରରେ ମିଶିଗଲି । ଟେରାର ମୁଣ୍ଡରେ ଜାନୁଆରର ରାଜତ୍ୱ, ମନରେ ସଇତାନର ଆଚରଣ । ବାହାର ଝରଣା ଭିତରେ ଜହ୍ନଟା କାନ୍ଦି କାନ୍ଦି ଆତ୍ମହତ୍ୟା କରୁଥିଲା । ଝରଣାଟା ଧାରେ ସୁନୀଳ ହସ ହସିଥିଲା । ଆକାଶ ବକ୍ଷରେ ଜଳି ଉଠିଥିଲେ ଲକ୍ଷ ଲକ୍ଷ ତାରକା ପ୍ରଦୀପ ।

ଦୂରରୁ ଭାସି ଆସୁଥିଲା କନ୍ଧ ପର୍ବର ଗୀତ । ବାଦ୍ୟର ତାଳେ ତାଳେ କେଉଁ ତନ୍ୱୀର ବଲ୍ଲରୀ ଥରି ଉଠୁଥିଲା । ଛାନ୍ଦର ତାଳେ ତାଳେ ନାଚି ଉଠୁଥିଲା ଝୁମୁର୍‍...ଝୁମୁର୍‍....ରାଗିଣୀ, ଘୁଙ୍ଗୁର୍‍ର ଶବ୍ଦ ।

ନିଥର ବାୟୁମଣ୍ଡଳରେ ତରଙ୍ଗ ସୃଷ୍ଟି କରୁଥିଲା ଟେରାର ପୈଶାଚିକ ହସ ।

ହାଃ..... ହାଃ......ହାଃ ।

Image

 

Unknown

ବୁମେରାଂ

 

ଉଃ...ଉଃ...

ତା’ ସୁମସୃଣ ଗଣ୍ଡରେ ମୁଁ ଟିପା ମାରିଲେ ତାକୁ କୁତୁ କୁତୁ ଲାଗେ । ସେ ଲାଜରେ ମୁହଁ ତଳକୁ କରେ । କିନ୍ତୁ ତା’ ଗାଲର କଅଁଳ ମାଂସରେ ତରଙ୍ଗ ଦେଖିବାକୁ; ଉପଭୋଗ କରିବାକୁ ମୋର ଭାରି ଝୁଙ୍କ । ଏମିତି ... ପ୍ରତିଦିନ...ନିଜକୁ ଖୁସି କରେଇବା ପାଇଁ ତା’ ଅନିଚ୍ଛା ସତ୍ତ୍ୱେ ତା’ସହ ମୁଁ ଦୁଷ୍ଟାମି କରେ । ମୋର ଦୁଷ୍ଟାମିଟା ଯଦି କେଉଁ ଦିନ ଟିକେ ବେଶୀ ହୋଇଯାଏ, ତା’ ଡବଡବିଆ ଆଖିରେ ଲୁହର ବିନ୍ଦୁ ମୂର୍ଚ୍ଛିତ ଗୀତିକା ତୋଳେ । ସେ ପ୍ରତିବାଦ କରେନି, ଅଭିମାନରେ ଭାରାକ୍ରାନ୍ତ ହୋଇ ଗମ୍ଭୀର ହୁଏନି । ତା’ ମୁହଁଟା ବରଂ ପିଲାଳିଆ ଦିଶେ । ଆଉଥରେ ତା’ କଥାରେ କେତେବେଳେ ଫୁଲ ଫୁଟେ ତ ଆଉ କେତେବେଳେ ଫୁଲ ମଉଳିଯାଏ, ମୁଁ ଜାଣିପାରେନି । ତା’ର ଭାଇ ସେଦିନ ମତେ କହିଲେ–ରବିବାବୁ, ରେଣୁଟା ଦିନକୁଦିନ ଦୁଷ୍ଟ ହେଲାଣି, ତମକଥା ମାନି ତାକୁ ମନଦେଇ ପଢ଼ିବାପାଇଁ ତାଗିଦ୍‍ କଲେ ବି ସେ ମାନୁନି । ଅନ୍ତତଃ ତମେ ଟିକିଏ ଇମିତି...

କ’ଣ, ମୁଁ ତାକୁ ପଢ଼େଇ ଦେବି ? (ମୋଠି ବିରକ୍ତ । ମୁଁ ଖୁସି ହେବି ବୋଲି ସେ କେବେ କିମିତି ଇମିତି ବକନ୍ତି)

ସେ ବିଶ୍ୱାସ ତ ମୋର ଅଛି । କିନ୍ତୁ ତୁମେ ଯେ ଦୀର୍ଘ ଦଶବାରବର୍ଷ ହେଲା ଆମ ଘର ପିଣ୍ଡା ମାଡ଼ୁନ....

ତେବେ ?

ସେ ଚୁପ୍‍ ରହିଲେ । ରେଣୁର ଭାଇଙ୍କୁ ଦେଖିଲେ ତାଙ୍କ କଥା ଶୁଣିଲେ ମତେ ଦୁଃଖ ଲାଗେ ଯେ ଭଉଣୀପାଇଁ ସେ ଏତେ ଚିନ୍ତିତ....ଯଦିଚ ରେଣୁ କାଳୀ, ସାମାନ୍ୟ ମୋଟୀ ତଥାପି ସେ ମତେ ଭଲଲାଗିଥିଲା । ଭଲଲାଗିଥିଲା ନୁହେଁ ଯେ ତା’ର ମୁହଁ, ସୁଗଠିତ ଦେହ । ଭଲଲାଗିଥିଲା ମତେ ତା’ର ଚପଳତା, ସରଳତା । ଭଲଲାଗିଥିଲା––କେତେ ଆଘାତ ଦେଲେ ବି ସେ ଚୁପ୍‍ ରହେ...ତା’ ବୋଉଙ୍କ ବିରୁଦ୍ଧରେ ଦି’ଚାରି କଥା କହିଲେ ନତୁବା ମୋର ବିଷ ପାତ୍ର ଚହଲି ଗଲେବି ସେ ନୀରବତା ଭାଙ୍ଗେନା...ପ୍ରତିବାଦ କରେନି । ବରଂ ନ କହିପାରୁଥିବା କଥାର ଦି’ଚାରି ଟୋପା ଲୁହ ତା’ ଆଖି କୋଣରେ ଚିକ୍‍ ଚିକ୍‍ କରି ଆଖିର ପତାତଳେ ଚିପି ହୋଇଯାଏ । ମୁଁ ତା’ର ବାପାଙ୍କୁ ଘୃଣା କରେନି–ସେ ମୋର ଆଜିର ଏଇ ଶୁଭ ଭବିଷ୍ୟତର ସ୍ରଷ୍ଟା, ତା’ର ଭାଇମାନଙ୍କୁ ମୁଁ ଅନ୍ତର ଦେଇ ଆଦର କରେ । ଭକ୍ତିବି ଦେଖାଏ ।

କିନ୍ତୁ ତା’ ବୋଉ ! ମୁଁ ତା’ ବୋଉଙ୍କ ପ୍ରତି ଥରେ ଥରେ ଭୀଷଣ ହିଂସ୍ର ହୁଏ; କାରଣ ଦୀର୍ଘ ଏଗାରବର୍ଷ ତଳେ ସେ ମୋ’ ବ୍ୟକ୍ତିତ୍ୱକୁ ଆଘାତ କରିଥିଲେ, ନାକ ଟେକି ମନ୍ତବ୍ୟ ଦେଇଥିଲେ...ହେଃ...ଇଁ...ହିଁ...କି ପିଲାଟାମ ! ନାନାକଥା କହି ମୋ’ ସୁନା ପରା ପୁଅକୁ ଆଜି ଏତେ ସରି କଲା । ମୁଁ ତାଙ୍କରି ଆଖିରେ ଛୋଟ ହୋଇଯାଇଥିଲି । ସେ’ ଦିନର କଥା ମତେ ବାରମ୍ୱାର ଚେତେଇ ଦିଏ, ତୁ ମଣିଷ; ପ୍ରତିଶୋଧର, ହିଂସାର, ଘୃଣାର ଶରବ୍ୟ ହୋଇପାରିବୁନି...ମଣିଷ ମଣିଷ ଭିତରେ ସମ୍ପର୍କଟା ଏକ ସେତୁ ଏବଂ ସେଇ ସେତୁ ପ୍ରତିଷ୍ଠାରେ ମଣିଷର ଅବଦାନ ତା’ର ମାନବିକତା । ଇମିତି ମୁଁ ନିଜ ଭିତରେ ଜଳିଯାଏ, ପ୍ରତିଶୋଧ ନେବାର ଈପ୍ସା ମୋ’ ଭିତରେ ବାଘର ହେଣ୍ଟାଳ ମାରେ ।

ନାଃ...ଆଉ ଭାବି ଲାଭ ନାହିଁ । ତଥାପି...ନ ଭାବି ରହିପାରିଲେ ତ ! ସମୟର ଉତ୍ତରା ସ୍ରୋତରେ ମୁଁ ଦମ୍ଭିଲା ହୋଇ ଠିଆ ହୁଏ । ନିଜକୁ ଦୃଢ଼ ହେବାପାଇଁ ସାନ୍ତ୍ୱନା ଦିଏ । ମୁଁ ଏତେ କଅଁଳ....ମୁଁ ବା କିମିତି ଦିନେ କ୍ରୂର ହୋଇ ରେଣୁର ବୋଉ ଉପରେ ପ୍ରତିଶୋଧ ନେବି ? ସମୟ ତ ପର୍ଯ୍ୟବେକ୍ଷକ; ସେ ମତାମତ ଦେବ ।

ବନ୍ଧୁ ମହଲରେ ନାନାପ୍ରକାର ଟାହି ଟାପରା ଆରମ୍ଭ ହୁଏ...ରବି, ତୋର ବିବାହ ରେଣୁ ସହିତ ହେଉଛି ସମ୍ଭବତଃ ? ଷ୍ଟୁପିଡ଼୍, ତତେ ଲାଜ ମାଡ଼ୁନି ? ଅନ୍ୟ ଜଣେ ବନ୍ଧୁ ସେଦିନ ମୋ’ ମନରେ ଆଘାତ ହାଣିଲେ...ହଇରେ ବାବୁ, ରେଣୁକୁ ବାହା ହୁଅ ! ମୋଟା ଡାଉରି ଛାଡ଼ିବୁ କିଆଁ ? ପଦସ୍ଥ ଅଫିସର । ବିବାହ ବଜାରରେ ତୋ’ ଦର ଭାରି ଚଢ଼ା । ବନ୍ଧୁଙ୍କ ସେଇ ଆଘାତ ମୋ’ ଅବଚେତନ ମନର ଘଞ୍ଚ କେଶର ବନାନୀ ଭିତରେ ମଥାମଣିପରି ଚହଟି ଉଠେ । ସେ ମୋ’ ଇଗୋକୁ, ମୋ’ ପୌରୁଷକୁ ଆଘାତ କଲେ...ମୁଁ ରକ୍ତାକ୍ତ ହେଲି । ରାଗକୁ ନିଜ ଭିତରେ ଚପେଇ ଦାର୍ଶନିକ ଯୁକ୍ତି ବାଢ଼ିଲି, ପ୍ରେମ ମୋ’ ଭିତରେ ସଂକ୍ରାମକ ରୋଗ ନୁହେଁ, ତମମାନଙ୍କ ପରି ମୁଁ ପ୍ରେମ କରେନା କି ପ୍ରେମ ପତ୍ର ଲେଖି ଜାଣେନା । ଡାଉରି ମୋର ନ ହେଲେ ବି ଚଳିବ । ହଁ, ମଣିଷ ଜନ୍ମ କ’ଣ ଖାଲି ବଞ୍ଚିବାପାଇଁ, ମରିବାପାଇଁ ? ମଣିଷ ହିସାବରେ ତମର ସ୍ଥିତି ଅଛି, ଅସ୍ତିତ୍ୱ ଅଛି । କିନ୍ତୁ ବିସ୍ତୃତି ? ତମେ ସବୁ ଘାସପରି ମରିବ....ମରି ଫେର୍‍ କଅଁଳି ଉଠିବ....କିନ୍ତୁ ସେ ମରିବାରେ କି ଗଜୁରିବାରେ କ’ଣ ମୂଲ୍ୟ ଅଛି ?

ବନ୍ଧୁ ଜଣକ ମୋର ଏଇ ଦାର୍ଶନିକତା ମିଶା ସାହିତ୍ୟିକ ବ୍ୟାଖ୍ୟାନ ଶୁଣିବା ପରେ ମତେ ଚିଡ଼ାଇଲେ, ଓଃ, ତା’ହେଲେ ରେଣୁକୁ ବାହାହେଲେ ତୁ ହଜାର ହଜାର ଟଙ୍କା ପାଇବୁ...ଏବଂ ସେଇ ଟଙ୍କା ତତେ ଆଜିର ସମାଜର ମାଟି ମଟାଳରେ ବିଶାଳ ଶାଳ ଗଛ କରିଦେବ ? ଏୟା ନା ! ଧୂତ୍‍......

ତା’ ପରଠୁ ମୁଁ ଅନେକ ଭାବନାର ଯନ୍ତ୍ରଣାରେ ଛଟପଟ ହେଉଛି...ରେଣୁ କାଳୀ ହେଲେ କ’ଣ ହେଲା ? ସେ’ କ’ଣ ନାରୀ ନୁହେଁ ? ତା’ଠି କ’ଣ ନାରୀର ସୁକୁମାରୀ ପ୍ରବୃତ୍ତି ନାହିଁ ? ତା’ଠି କ’ଣ ମା’ ହେବାର ଈପ୍ସିତ ଆକାଂକ୍ଷା ନାଇଁ ? ସେ ତ ଫେର୍‍ କାହାର ଧର୍ମପତ୍ନୀ ହେବ ଅଗ୍ନିକୁ ସାକ୍ଷୀ ରଖି । ତେବେ ମୋର ଜୀବନ ସାଥୀ ହେଲେ କ୍ଷତି କ’ଣ ?

ପର ମୁହୂର୍ତ୍ତରେ ମୋ’ ଚେତନାରେ କିଏ ଛାଟ ମାରିଲା । ତୁ ପ୍ରତିଶୋଧ ନେବୁ ପରା ? ତେବେ ଏତେ ନରମ କାହିଁକି ହେଉଛୁ ? ତୁ ସେଇ ମା’ର ଝିଅକୁ ନିଜର ପତ୍ନୀ କରିପାରିବୁ ! କ’ଣ ନିଜ ସ୍ୱାର୍ଥପର ସ୍ୱପ୍ନକୁ ରୂପ ଦେବାପାଇଁ ? ନା ଥଳି ଥଳି ଟଙ୍କା ପାଇ ସମାଜର ବଡ଼ପଣ୍ଡା ହେବାପାଇଁ ?

ମୁଁ ଏମିତି ଅନେକ ଦ୍ୱନ୍ଦ୍ୱର ଭଉଁରୀ ଭିତରେ ପଡ଼ି ଦିଗହଜା ହୁଏ । ବ୍ୟଥିତ ହୁଏ । ରାହା ପାଏନି । ପରମୁହୂର୍ତ୍ତରେ ପ୍ରତିଶୋଧ ନେବାର ଇଚ୍ଛା ମୋ’ ଭିତରେ ବଳବତ୍ତର ହୁଏ । ତେବେ ରେଣୁ ? ରେଣୁର ଭାଇ ! ସେ କ’ଣ ସେଦିନ ବି ଟିକେ ପ୍ରତିବାଦ କରିବନି ? ...ରବି ଭାଇ ! ତମେ ମତେ ପ୍ରେମ ପ୍ରେମ କହି ଅନେକ ଶୁଣାଇଲ...ମୁଁ ଲୋକଙ୍କ ଦୃଷ୍ଟି ଗୋଚରକୁ ନ ଆସିବାପାଇଁ, କି ତମକୁ ନ ଆଣିବାପାଇଁ କେତେ ଚେଷ୍ଟା ନ କରିଛି ? ମୁଁ ତ କେବେ ଗୌରୀ ହୋଇ ପ୍ରତିଷ୍ଠିତା ହେବାକୁ ଚାହିଁନଥିଲି । ତେବେ ? ମୋ’ ଭାଇ ତମର ବନ୍ଧୁ । ବନ୍ଧୁଙ୍କ ଏଇ ଟିକକ ଅନୁରୋଧ ରଖିପାରିଲନି ?

ତଥାପି ମୋ’ ଖିଆଲି ମନକୁ, ମନର ଖିଆଲକୁ ଶାନ୍ତି ଦେବାପାଇଁ ପ୍ରତିଶୋଧ ଦରକାର-। ଦିନେ ମୋର ବନ୍ଧୁ ଶିଶିର କହିଲା–ରବି ! ଯଦି ତୁ ନିଜକୁ ବୁଝେଇବା ପାଇଁ ତାକୁ ବାହା ହେବୁ ତେବେ ତାହା କେତେ ଦିନ ! ଏଇ ଭେଜାଲ ଦୁନିଆରେ, ରୋଗଗ୍ରସ୍ତ ସମାଜରେ ପ୍ରେମ ବୋଲି କିଛି ନାହିଁ । ପ୍ରେମ ଆଜି ଖାଲି ମାଂସପାଇଁ ବିଳାପ, ମନର କଳ୍ପନା, ଦେହପାଇଁ ।

ଶିଶିର ନାଟକୀୟ ଭଙ୍ଗୀରେ ବହୁତ ଗପିଗଲା । ଜୀବନରେ ତା’ର ଯାତ୍ରା ଶୁଭଙ୍କର ହେଲା ନାହିଁ ବୋଲି ସେ ଆଜି ପ୍ରତି ସେକେଣ୍ଡରେ ନିଜ ପ୍ରତି, ଅନ୍ୟ ପ୍ରତି ରାଗି ଉଠୁଛି ।

 

ରବି, ତୁ ମଧ୍ୟମ ପନ୍ଥାର ଯାତ୍ରୀ ହୋଇପାରିବୁ ?

 

ମଧ୍ୟମ ପନ୍ଥା...ମୁଁ କିଛି ବୁଝି ନ ପାରି ତା’ ମୁହଁକୁ କିଛି ଜାଣିବା ଆଶାରେ ଚାହିଁ ରହିଲି ।

 

ମଧ୍ୟମ ପନ୍ଥା...ଆରିଷ୍ଟୋଟଲଙ୍କ ଗୋଲ୍‍ଡ଼ ମିନ୍‍ସ । ଯେଉଁ ପନ୍ଥାର ପଥିକ ହେଲେ ମଣିଷ ଉଭୟ ଦିଗରୁ ଲାଭ ଉଠାଇ ଥାଏ । ଏ ପନ୍ଥାର ଆଶ୍ରୟ ନେଲେ ତୋ’ ଖିଆଲି ମନକୁ ଶାନ୍ତି ଦେବାପାଇଁ ପ୍ରତିଶୋଧ ନେଇପାରିବୁ । ଆଉ ନିଜକୁ ବୁଝେଇବା ପାଇଁ ତାକୁ ବାହା ବି ହେବୁ । କିନ୍ତୁ ଏଥିପାଇଁ ତୋ’ ଭିତରେ ସୁପ୍ତ ମାନବିକତାର ତୋଟି ଚିପିବାକୁ ପଡ଼ିବ । ତତେ ଏଇ ବାଳ ସୁଲଭ ସରଳତା ଛାଡ଼ି ମଣିଷପରି ମଣିଷ ହେବାପାଇଁ ନିହାତି କ୍ରୂର ହେବାକୁ ହେବ । ପାରିବୁ ?

 

(ମୁଁ କିଛି ନ କହି ଅନ୍ୟମନସ୍କ ରହିଲି ।)

 

ତୁ ରେଣୁକୁ ବାହା ହୁଅ । କିନ୍ତୁ ତା’ର ନାରୀତ୍ୱକୁ ତୁ ତିଳେ ତିଳେ ମାରିବୁ ... ସେ କାନ୍ଦିବ...ତା’ ମା’ କାନ୍ଦିବ...ତେବେ ଯାଇ ପ୍ରତିଶୋଧ ପୂର୍ଣ୍ଣ ହେବ । ନା...ଶିଶିର, ମୁଁ ପାରିବିନି । ମୁଁ ତାକୁ କନ୍ଦାଇ ପାରିବିନି । ହୁଏତ ତା’ ମା’ ଆଖିରେ ଲୁହ ଦେଖିପାରେ ମାତ୍ର ତାକୁ... ।

 

ତୁ ଦେଖିପାରିବୁନି । ମାତ୍ର ତୋ’ ପ୍ରତିଶୋଧ ଯେ ଅସମ୍ପୂର୍ଣ୍ଣ ହୋଇ ରହିଯିବ ।

 

ତୁ ରେଣୁକୁ ବାହା ହୁଅ ।

 

ମୁଁ ହଁ ନାହିଁ କିଛି ନ କହି ଚୁପ୍ ରହିଲି । ଶିଶିର ଅଭିମାନରେ ଫେରିଗଲା । ତା’ର ମୋ’ ଉପରେ ଅଭିମାନ ଯେ ମୁଁ ନାରୀର ବାଉଳା ଗୀତିରେ ପାଗଳ ହେଉଛି ।

 

ଅନେକ ଭାବୁଛି । ହଁ, ନାହିଁର ବକ୍ରରେଖା ଉପରେ ଦୌଡ଼ି ଦୌଡ଼ି ପାରିଧି କରୁଛି....ଶ୍ରାନ୍ତ କ୍ଳାନ୍ତ ହେଉଛି...

 

ବିବ୍ରତ ମନ ନେଇ ମତେ ବହୁଦିନ ହନ୍ତସନ୍ତ ହେବାକୁ ପଡ଼ିଛି । ବାବା ସେଦିନ ପଚାରିଲେ, ରବି ! ତୁ ରେଣୁକୁ ବାହା ହେବୁ....ବାପାଙ୍କ ଆଗରେ ଭରସି ପଦେ କହିବାର ମୋର ଯୁ’ ନ ଥାଏ । ତା’ପରେ ବାବା ମୋ’ ମନ କଥା ବୁଝିଲାପରି କହିଲେ, ବାପ, କୂଳ ଝିଅ କି କାଳି ନଈ ପାଣି କି ଗୋଳି ? ଏ ଯୁଗ ଧନତନ୍ତ୍ରର ଗଣତନ୍ତ୍ରର ନୁହେଁ...ମୁଁ ପାଟି ଖୋଲିନି ।

 

ବାବା ମତେ ଅନେକ ବୁଝାଇଲେ । ମୁଁ ଡରି ଡରି କହିଥିଲି–ମୁଁ ଦି’ବର୍ଷ ପରେ ବାହା ହେବି । ପରେ...ସେଦିନ ବୋଉକୁ ମୋ’ ଇଚ୍ଛା ଅନିଚ୍ଛା ଜଣାଇଲି ।

 

ରେଣୁ ସହ ମୋ’ ବିବାହ ସମ୍ଭବ ହେଲାନି । ଅସମ୍ଭବର ମୂଳ ମୋ’ ଈପ୍ସିତ, ଆକାଂକ୍ଷିତ ପ୍ରତିଶୋଧ ।

 

ଆଗପରି ରେଣୁ ଆମ ଘରକୁ ଆଉ ଆସୁନି । ତାକୁ ବି ଦୀର୍ଘ ଦି’ମାସ ହେଲା ଥରଟିଏ ଦେଖିବାର ସୁଯୋଗ ପାଇନି । ପ୍ରତିଦିନପରି ସେ ତା’ ଘରର କୋଠା ଉପରକୁ ସଦ୍ୟ ସ୍ନାତ ମୁକୁଳା ବାଳ ଶୁଖେଇବା ପାଇଁ ଆସୁନି, ଆମ ଘରପଟେ ଦେଖୁନି । ବହୁତ ଛଟପଟ ଲାଗିଛି । ମୁଁ ନିରୋଳା ମୁହୂର୍ତ୍ତମାନଙ୍କରେ ଅନେକ ଲୁହ ଝରାଇଛି । ତଥାପି ରେଣୁକୁ ଦେଖି ହେଉନି ।

 

ହଠାତ୍‍....ଯେଉଁ ଦିନ ଘରୁ ମୋ’ କର୍ମ କ୍ଷେତ୍ରକୁ ଯିବାପାଇଁ ମୋର ସମସ୍ତ ପ୍ରସ୍ତୁତି ଚାଲିଛି, ରେଣୁର ଭାଇ ଆସିଲେ । ମୋ’ସହ ପ୍ଲାଟଫର୍ମକୁ ଗଲେ । ତାଙ୍କ ସହ କିଛି ଶୁଷ୍କ ଆଳାପ ଚାଲିଲା । ସେଇ ଆଳାପ ସଂଳାପରେ ଆତ୍ମୀୟତା ନ ଥିଲା ।

 

ଟ୍ରେନ ଛାଡ଼ିବା ଉପରେ ... ରେଣୁର ଭାଇ ଅନୁରୋଧ କରିଥିଲେ–ରବିବାବୁ, ରେଣୁପାଇଁ ଅନ୍ତତଃ ଭଲ ପାତ୍ରଟିଏ...ସେ ଆଉ କହିପାରିଲେନି, ମୋ’ ଆଖି ସାମ୍ନାରୁ ସେ ମୁହଁ ବୁଲାଇ ନେଲେ...ଟ୍ରେନ ଛାଡ଼ିଲା । ସେ ମତେ ଦୂରରୁ ଅନେଇ ରହିଥାନ୍ତି ।

 

କିଛି ମାସର ବ୍ୟବଧାନ ପରେ ନିମନ୍ତ୍ରଣ ପତ୍ର ଖଣ୍ଡେ ପାଇଲି–ରେଣୁର ବିବାହରେ ଯୋଗ ଦେବାପାଇଁ ।

 

ମୋର ଅଭିଳାଷ ସାର୍ଥକ ହୋଇଛି । ମୁଁ ରେଣୁର ବୋଉ ଉପରେ ପ୍ରତିଶୋଧ ନେଇପାରିଛି । ସେଇ ପ୍ରତିଶୋଧ ମୋ’ ରେଣୁକୁ ବହୁତ କନ୍ଦାଇବ । ସେ କାନ୍ଦୁ, ମୁଁ କ’ଣ କରିପାରିବି ? ମୁଁ ତ ଫେର୍‍ କାନ୍ଦୁଛି ।

 

ବହୁଦିନ ପରେ, ଏ ଭିତରେ ମୁଁ ରେଣୁକୁ ପ୍ରାୟ ଭୁଲିଯାଇଛି । ହଠାତ୍‍ ରାତିର ଶେଷ ପ୍ରହରରେ ମୋ’ ନିଦଟା କୌଣସି ଏକ ଦୁଃସ୍ୱପ୍ନର ଧକ୍‍କାରେ ଭାଙ୍ଗିଗଲା । ସ୍ୱପ୍ନରେ ଦେଖିଲି–ହସପିଟାଲରେ ରେଣୁ ପ୍ରସବ ଯନ୍ତ୍ରଣା ପାଉଛି...ସେ ଚିତ୍କାର କରୁଛି ...ଆଃ, ବୋଉଲୋ....ତା’ର ପତଳା ଶାଢ଼ି ରକ୍ତରେ ବୁଡ଼ୁ ବୁଡ଼ୁ....

 

ଅହେତୁକ ଭୟ ଆଉ ଆଶଙ୍କାରେ ମୁଁ ହଠାତ୍‍ ଉଠି ବସିଲି । ଭାରୀ ନିଛାଟିଆ ଲାଗୁଛି, ଚାକର ପୂଝାରିମାନେ ଅନ୍ୟ ଘରେ ଘୁଙ୍ଗୁଡ଼ି ମାରି ଶୋଇଯାଇଛନ୍ତି....ମୋ’ ଭିତରେ ମୁଦ୍ରିତ ନିର୍ଜନତା ମତେ ବ୍ୟସ୍ତ କରୁଛି ।

 

ମନେ ମନେ କହିଲି–‘‘ରେଣୁ, ମୋର ପ୍ରତିଶୋଧ କେବୁଠୁ ପୂର୍ଣ୍ଣ ହେଲାଣି । ତମେ ଆଉ ଇମିତି ଯନ୍ତ୍ରଣାରେ କଲବଲ ହୁଅନି । ତମେ ବଞ୍ଚି ରୁହ...କୁନା ମୁନାର ବୋଉ ହୁଅ...ସୁଖରେ ରୁହ...ମୋ’ରାଣ, ତୁମେ କାନ୍ଦନା... ।’’

 

‘‘ମାତ୍ର ମୋର ଅନୁରୋଧ ତୁମେ ମୋତେ ଭୁଲ ବୁଝିବନି, ମୁଁ ତମପରି ଆଜି ମଧ୍ୟ ଯନ୍ତ୍ରଣାର ମରଣ । ତମକୁ ଆଜି ହଜେଇବାରେ ମୋ’ ନିଜ ଭିତରେ ଯେଉଁ ଯନ୍ତ୍ରଣା, ତମକୁ ପତ୍ନୀ ହିସାବରେ ପାଇପାରିଥିଲେ ମଧ୍ୟ ମୋ’ ଭିତରେ ତମକୁ ନେଇ ଅନୁରୂପ ବେଦନା ରହିଯାଇଥାନ୍ତା । ମୁଁ ଆଜି ତମକୁ ନ ପାଇ ଯେମିତି କାନ୍ଦୁଛି, କାଲି ମଧ୍ୟ ସେଇମିତି କାନ୍ଦିଥାନ୍ତି ତମକୁ ପାଇ । ତମକୁ ହରାଇବାରେ ଯେଉଁ ଭୁଲ ମୁଁ କଲି–ତା’ ମୋ’ ମଣିଷର ନୁହେଁ । ଭୁଲ ମୋ’ ଖିଆଲି ମନର, ଅଭିମାନର... । ସେଇ ଅଭିମାନ ତମର ସେଇ ଧନ–ଗର୍ବିତା ବୋଉପାଇଁ ... । ଗୋଟିଏ ଭିକାରିର ଡାକ ଯଦି ମୋ’ ଆଖିରେ ଲୁହ ଆଣିପାରିଲା, ତେବେ ତମପରି ଧନୀର ଦୁଲ୍ଲାଳୀ ବା ମୋର ପତ୍ନୀ କିପରି ହୁଅନ୍ତା...ତମ ବୋଉ ଉପରେ ମୋର ଭୀଷଣ ଘୃଣା...ସେଇ ଘୃଣା ତାଙ୍କ ଉପରେ ପ୍ରତିଶୋଧ ନେଲା ... ମୁଁ ଆଜି ଅଭିମାନୀ ତମ ବୋଉପାଇଁ । ମାତ୍ର ମନ କାନ୍ଦୁଛି ତମପାଇଁ ... ।

 

ଇମିତି କେତେ ଅଶ୍ରୁଳ ଭାବନାକୁ ମନରେ ଖୁଞ୍ଜି କେତେବେଳେ ବାହାର ଲନରେ ଆସି ପହଞ୍ଚି ଗଲିଣି ।

 

ରାତିଟା ପାଣିଚିଆ ହୋଇଯାଉଛି... ଦୀଗନ୍ତ ବିସ୍ତାରି ନୀଳ ଆକାଶରେ ଜିକ୍‍ ଜିକ୍‍ ଜଳୁଥିବା ତାରାମାନେ ସକାଳର ସାଗର ଛାତିରେ ଲମ୍ପ ଦେଉଛନ୍ତି.... ।

Image

 

ସେ, ସିଏ ଓ ମୁଁ

 

(ମୋର ଗର୍ବ ତା’ ରୂପର ଉତ୍ସ । ମୁଁ ଗର୍ବିତ । ମୋ, ଗର୍ବିତ ମନର ବିକାର ତା’ର ସୌନ୍ଦର୍ଯ୍ୟ ।

 

ମୋ’ ମନରେ ଅହେତୁକ ଆନନ୍ଦ ଫୁତ୍‍କାର । ମୁଁ ତା’ର ରକ୍ଷାର କବଚ । ମୋର ଗର୍ବ ଯେ ମୁଁ ଏମିତି ଏକ ମୁସଲମାନ ଲାଳନାକୁ ହିନ୍ଦୁ ନାରୀର ଶାଢ଼ି ପଣତତଳେ ଓ ସିନ୍ଦୂର ଟୋପାରେ ବନ୍ଦୀକରି ତା’ ଜୀବନ ରକ୍ଷା କରିଥିଲି । ତା’ ଗୋଡ଼ରେ ମୋ’ ରେଣୁ ଅପା ଅଳତା ଦେଇଥିଲେ, ତା’ ଦେହରେ ରୁବି ଭାଉଜ ଶାଢ଼ି ଜଡ଼ାଇଥିଲେ, ତା’ ମଥାର ସିନ୍ଦୂରପାଇଁ ମୁଁ ଦେଇଥିଲି ଲାଲ କାଳିର ଧାରଟିଏ ।)

 

ସେ ସୁନ୍ଦର, ଏହା ତେବେ ମୋ’ ଖିଆଲି ମନ ବିକାର !

 

ମନର ଯଦି ସମସ୍ତ ଉଦ୍ବେଳିତ ଭାବନା ରୂପ ପାଆନ୍ତା ତରଙ୍ଗାୟିତ ପଦର ଧରା ବନ୍ଧା କେଇ ଧାଡ଼ିରେ, ତେବେ ତୁମେ କହିପାର–ଯାହା କିଛି ବ୍ୟକ୍ତ କରିହୁଏ ସେଥିରେ ଅବ୍ୟକ୍ତର କୌଣସି ବାସନା ମିଳେନା ଏବଂ ତାହାହିଁ ବ୍ୟକ୍ତିର ଅଭିବ୍ୟକ୍ତି ।

 

ତୁମେ ରୂପବତୀ । ତୁମ ରୂପର, ତୁମ ସୌନ୍ଦର୍ଯ୍ୟର ମାପକାଠି ତୁମେ ନୁହଁ, କି ତୁମର ସଫେଦ୍‍ ଗୋରା ତନୁ ନୁହେଁ, ନୁହେଁ ମଧ୍ୟ ତୁମର ଅଂଶୁପା ନୀଳ ଆଖି ଓ କସ୍ତୁରୀବୋଳା ମୁହଁ ।

 

ସୌନ୍ଦର୍ଯ୍ୟ ଏକ ସବୁଜ ପତ୍ରର ବର୍ଣ୍ଣ ଏବଂ ସେହି ରଙ୍ଗର ସବୁଜିମା ।

 

ମୋ’ ଆଖିର ଅଇନାରେ ନିଜକୁ ଦେଖି ତୁମେ ହୁଏତ ଅମାପ ଆନନ୍ଦ ପାଇଛ, ମୁଁ ମାନିବି । କିନ୍ତୁ ମୁଁ ପାଇଥିଲି ନିଜର ସତ୍ତା ଆଉ ତମରି ସୌନ୍ଦର୍ଯ୍ୟ ତୁମ ପାଦର ଦଳାଚକଟା ଚପଲ ଫାଳକରେ ।

 

ମୁନିଗୁଡ଼ା । ତା’ର ଅବସ୍ଥିତି ବିଷୟରେ ମୁଁ ପୂରା ଅଜ୍ଞ ସେଇ ମୁନିଗୁଡ଼ା ରେଲଷ୍ଟେସନ୍‍ର ବରଗଛ । ସରୁରାସ୍ତା ମୋ’ ଆଖି ସାମ୍ନାରେ ସମୟେ ସମୟେ ନାଚି ଉଠେ କଞ୍ଚା ବୟସର ଲଙ୍ଗଳା ଛୁଆପରି । ସେ ଗଛର ଛାଇ ମୋ’ ମନର ନୁଆଁଣିଆ ଛପର ଉପରେ ପଡ଼େ । ନୂଆ ନୂଆ ଶାଢ଼ି ପିନ୍ଧୁଥିବା ଝିଅ ଯେପରି ଲାଜ ସରମରେ ଭାଙ୍ଗିଯାଏ, ସେ ସ୍ମୃତି ମନେ ଆସିଲେ ମୁଁ ସେପରି ହୋଇଥାଏ । ସତରେ ମୁଁ କେତେ ପିଲା ଥିଲି ! କର୍ତ୍ତବ୍ୟର ଆହ୍ୱାନ । ତେଲଲୁଣର ମାନସାଙ୍କ ବଞ୍ଚିବା ରଫ୍‍ ଖାତାରେ । ଆଜିର ରାତି । ମୋ’ ମନଟା ଭାବନାର ଚିରୁଣୀରେ ବାଳ ବାନ୍ଧେ, ଗଭାରେ ଅତୀତ ସ୍ମୃତିର ଫୁଲ ଖୋସେ ।

 

ସେ ଆଜି ଭାବନାର ରୁଦ୍ଧ କବାଟ ଫିଟାଇ ଆସିଛି । ତା’ ସ୍ମୃତିର ଆଗମନେ ଏ ପ୍ରାଣରେ ଶିହରଣ ପ୍ରାଗୁଷାର ଜ୍ୟୋତିସ୍ନାନ ।

 

ଏପୋଲୋ ହାଉସ୍ । ବାର ମଙ୍ଗଳ, ରାତି ସାଢ଼େ ଛ’ । ବନ୍ଧୁ ମୋର ପଢ଼ାରେ ରତ । ଆଉଜଣେ ବନ୍ଧୁ ପିଲାଳିଆ ସୁରରେ ଗାଇ ଉଠିଛନ୍ତି–‘ମୁଁ କାନ୍ଦେ ମୋ’ କପ୍ତାନ୍‍ କାହିଁ ? ମୋ’ ନାବିକ ଘୂରିବୁଲେ କେନ୍ଦରା ବଜାଇ, ରିତା, ନିତା, ଉମା, ବିନା, ସୁମନର ପାଇଁ ।’ ଅନ୍ୟ ବନ୍ଧୁ ଜଣକ ହଠାତ୍‍ ଫେରିଛନ୍ତି ଦୂର ଜାଗାରୁ । କ୍ଳାନ୍ତ ଦେହକୁ ବ୍ଲାଙ୍କେଟ୍‍ ତଳେ ଢାଙ୍କି ହିମାଂଶୁ ଶୀତକୁ ତଡ଼ିବାର ବ୍ୟର୍ଥ ଚେଷ୍ଟାରେ ବ୍ୟସ୍ତ ।

 

ମୋ’ ଚାରିପଟେ ନିଥର ରାଜୁତି । ରାତିର ଲଙ୍ଗଳା ଛାତିରେ କୁନି କୁନି ତାରା ଝୁମିଯାଏ ମଞ୍ଜୁଳ ନିଶାରେ ।

 

ବନ୍ଧୁ ଫେର୍‍ ଗାଇ ଉଠିଲେ । ବୁଆ ବୁଆ ବୋଲି କିଏ ଡାକ୍‍ଛି କେନ୍‍ ମାଇପର ଛୁଆ...ପ୍ରାଣନାଥ ବିହୁନେ । ବହୁତ ଖୁସି ଲାଗିଲା ।

 

ମୋ’ ମନଟା ସ୍ମୃତି ବୀଛନ୍ଦା ବାଡ଼ ଘେରରେ କୟେଦୀ । ଆଖିର ସାମନାରେ ଅଲାଜକି ନର୍ତ୍ତକୀ ସମ ନାଚି ଉଠେ ସେ ଚପଲର ଲାଇଟୁକୁ ଟୁକୁ ରଙ୍ଗ । ବିଜୟନଗରମ୍‍ ଷ୍ଟେସନ୍‍ । ଟ୍ରେନ୍‍ ଛାଡ଼ିବାର ଶେଷଘଣ୍ଟି । ମନରେ ନୂତନ ଆନନ୍ଦ, ନବ ଉନ୍ମାଦନା । ନୂଆ ରାସ୍ତାର ପଥିକ ମୁଁ ଆଜି । ସେହି ଦିନଟା ଠିକ୍‍ ମନେ ନାହିଁ ବଲାଙ୍ଗିର ଯାତ୍ରା ।

 

ସେଦିନର କଥା ଆଜି କିନ୍ତୁ ମନର ଝରକା ଡେଇଁ ଅରମା ଅତିତରୁ ଆପେ ଫେରିଆସେ, ହଁ, ବଲାଙ୍ଗିର ଯାତ୍ରା । ପାସେଞ୍ଜର ଗାଡ଼ି । ବୁଢ଼ୀ ଟ୍ରେନ୍‍ ହାଲିଆ ମାରି, ପାଣିପିଇ, ଦମ୍‍ ନେଇ ଚାଲିଛି, ଚାଲିନି ଇମିତି ।

 

ମୁଁ ଥାର୍ଡ଼କ୍ଲାସ୍‍ ଅର୍ଡ଼ିନେରୀ ।

 

ହଠାତ୍‍ । (ହଁ, ସବୁ ଏମିତି ହଠାତ୍‍, ଅକସ୍ମାତ)

 

‘‘ବାବୁଗାରୁ, ଜାଗା ଉନ୍ନାଦି ।’’ ନାରୀ କଣ୍ଠରୁ ସୁଲଳିତ ସ୍ୱର । ଝିଅଟି ମତେ ତେଲୁଗୁ ବୋଲି ଠଉରାଇ ନେଇଛି ମୋର ଦେହର ରଙ୍ଗରୁ ।

 

‘ହଁ’ ମୋର ପଦୁଟିଏ ଉତ୍ତର । ସେ କ’ଣ ବୁଝିଲା କି ନାହିଁ ମୋ’ ସାମନା ସିଟରେ ବସିଗଲା । ତା’ର ଦି’ପଟେ ତା’ର ଛୋଟଭାଇ ଓ ବୁଢ଼ୀମା’ । ବାପା ତା’ର କିଏ ମୁଁ ଜାଣି ନଥାଏ । ପରେ କିନ୍ତୁ ଜାଣିଲି କି ଭୀଷଣ ସେ ମୋ’ ପ୍ରତି ହୋଇପାରନ୍ତି ? ସେ ଛପିଲା ଛଇଲ ଆନନ୍ଦ ଭାଷାରେ ରୂପ ପାଏନା । ଫେର୍‍ ପୁଣି ତେଲୁଗୁ କଥା, ‘ଏଣ୍ଟିବାଉ’ ଏକ୍‍ଡ଼ିକି ଏଲ୍‍ତାଡ଼ୁ ?

 

ବଲାଙ୍ଗିର ।

 

ଏନ୍ଦୁକୁ ?

 

ମନେ ମନେ ସାମାନ୍ୟ ଅପ୍ରତିଭ ହେଲି । କାରଣ ମୁଁ ତେଲୁଗୁ ବୁଝିପାରେ, କିନ୍ତୁ କହିବାପାଇଁ ପୂରା ମାତ୍ରାରେ ଅକ୍ଷମ । ଏତେ କାହିଁକି, କ’ଣର ଉତ୍ତର ମୁଁ ଦେବି କିପରି ? ଭାଷାତ ନାହିଁ ।

 

ଦିନର ପ୍ରଥମ ଖରା କମ୍ପାର୍ଟମେଣ୍ଟ ଭିତରେ ଧସେଇ ପଶୁଛି ।

 

ମୁଁ ଦେଖିଛି ସେ ଝିଅଟିର ଆଖିରେ ନୀହାରିକାର ସପନ, କଥାକୁହାର ଆହ୍ୱାନ; ମୁଁ ଶୁଣିଛି ସେ ପାଦରେ ସଂହତ ସ୍ପନ୍ଦନ । ମନରେ ମୋର ଭାବନା–

 

ସେ ଦୁନିଆର ବଗିଚାରେ ଏକ ନିଷ୍ପାପ କଳିକା ସୁନାର, ସେ ହୋଇପାରେ ନମନୀୟ ଉଷା ଶୁଭ୍ର ସୀତାଂଶୁର, ସେ ମଳୟର ସଂଳାପ ସମ୍ବିତ୍‍, ହେମନ୍ତର ଅଭିଆଡ଼ି ଚିତ୍ର ।

 

ମୋର ପାଖେ ସାଥି ଚାରମିନାର୍‍ ପାକେଟ୍‍ । ସିଗାରେଟ୍‍ ଖଣ୍ଡେ ଓଠରେ ଧରାଇ ‘ମିରାର୍‍’ ଘାଣ୍ଟୁଥିଲି ।

 

–ବାବୁ ଗାରୁ, ସୁଡ଼ୁ ।

 

–ଚେପେଣ୍ଡି । ଏହି ପଦୁଟିଏ ଉତ୍ତର ଦେଇଛି । ମୁଁ ମୁଣ୍ଡ ଟୁଙ୍ଗାରିଛି ।

 

ତା’ପରେ ଦେଖିଛି ତା’ ଆଖିରେ ତ୍ରସ୍ତା ହରିଣୀର ଭୀତି ପରେ ପରେ ଗଜରା ମଲ୍ଲୀର ମାୟା, କାଶତଣ୍ଡୀ ଫୁଲ ଉହାଡ଼ର ଛାୟା ।

 

ବୋଧହୁଏ ସେ ଭ୍ରଦଲୋକ ତା’ର ବାପା । ସେ ଆସିଲେ ହାତରେ କେଇଟି ପୁଡ଼ିଆ ନେଇ । ତାଙ୍କୁ ଦେଇ ସେ ଚାଲିଗଲେ । ସେ ଗଲେକି ଟାକି ରହିଲେ, ମୁଁ ଜାଣିବାପାଇଁ ଉତ୍ସୁକ ନଥିଲି । ପୁଡ଼ିଆଟିଏ ମୋ’ ହାତକୁ ବଢ଼ାଇ ଗପିଗଲା ସେ ବହୁତ କିଛି । ମୁଁ ଅଜନ୍ତାର ପଥର ମୂର୍ତ୍ତିପରି ଶୁଣି ଚାଲିଥାଏ । ଅଳ୍ପ କେତେପଦ ବୁଝିଛି । ତା’ପରେ ହିନ୍ଦୀରେ ଦି’ପଦ–‘ଖାଓନା’ ଭାଇ ସାଏବ୍‍ । ସର୍‍ମାତେ କ୍ୟୋଁ ? ଏତେ ମିଠା ସେ ଅନୁରୋଧ, କିନ୍ତୁ ମୋର ପୁରୁଷକାର ଆଘାତ ପାଇଲା । ମୁଁ କ’ଣ ସତରେ ଲାଜ କରିଥିଲି–ମୁଁ ଜାଣେନା ।

 

ସେ ସ୍ୱରରେ ମୁଁ ଶୁଣିଥିଲି ବୀଣାଜିଣା ସୁଲଳିତ ତାନ, ତା’ ଅନୁରୋଧରେ ଲୁଚିଥିଲା ମମତାର ଅଛିଣ୍ଡା ବନ୍ଧନ ।

 

ମୁଁ କିନ୍ତୁ ପୁଡ଼ିଆ ଫିଟାଇନି । ହଠାତ୍‍ ସାହସ ସଞ୍ଚୟ କରି ତା’ର ପାଦଠାରୁ ତାକୁ ଦେଖିବା ଆରମ୍ଭ କରିଥାଏ । ଦେହରେ ତା’ର ଜବା ରଙ୍ଗର ଶାଢ଼ି । ଗୋଡ଼ତଳେ ଯେଉଁ ରଙ୍ଗ ଥିଲା ତାକୁ କି ! ଭାଷାର ଫୁଲ ଦେଇ ପୂଜା କରିହୁଏ । ରକ୍ତ ଗୋଲାପର ରଙ୍ଗ ଚିପୁଡ଼ା ସାମାନ୍ୟ ଦାମିକା ରଙ୍ଗିନ୍‍ ଚପଲ ସାରେ । ଆଖି ମୁଁ ସେ ଚପଲରୁ ଉଠାଇ ପାରିନଥିଲି କାହିଁକି, ଆଜି ଭାବିଲେ କିନାରା ମିଳେନି । ଆପ୍‍ ନିଚେ କ୍ୟା ଦେଖତେ ହେଁ ?

 

ହଠାତ୍‍ ଆଖି ଉଠାଇ ଚାହିଁଲି । ତା’ ପତଳା ଓଠରେ ରିମ୍‍ ଝିମ୍‍ ହସର ଝରଣା, ଚୁନି ଚୁନି ଦୀପ୍ତିର ଅରୁଣା । ଛୋଟ ଭାଇ ତା’ର ଅଳିକଲା ଅପାଠି । ଏତେ ସରଳ ସେ । ଏତେ ନିଷ୍ପାପ ସେ ମନ ! ମନଟା ମୋର ସ୍ରୋତସ୍ୱିନୀ ଧାରାର ପତ୍ରପରି ଚହଲି ଉଠିଲା । ସେ ଓଠର ଆଉପଦେ ଶୁଣିବାର ଅସୀମ କାମନା । ବୁଢ଼ୀମା’ ତା’ର ଶୋଇ ଗଲେଣି । କମ୍ପାର୍ଟମେଣ୍ଟରେ ଯାତ୍ରୀ ଭିଡ଼ । କିନ୍ତୁ ଆମପ୍ରତି କାହାର ଧ୍ୟାନ ନାହିଁ ଯେପରି । ସେ ବି ଶୋଇଯିବ । ଆଖିରେ ତା’ର ଅଳସ କନ୍ୟାର ନିଦ, କୋଣାର୍କ ଶିଳାର ଦ୍ୟୁତି । ଚପଲ ହଳକ ଗୋଡ଼ରୁ ଉତ୍ତାରି ଗୋଡ଼ ଲମ୍ୱାଇ ବାଡ଼ାକୁ ଆଉଜି ବସିଲା ସେ । ଦୂରଯାତ୍ରୀପାଇଁ ସାଙ୍ଗହିଁ ଏକମାତ୍ର ସାହା । ଛିଣ୍ଡିଥିବା ଖିଅ ଯୋଡ଼ିବାକୁ ଯାଇ ଆରମ୍ଭକଲି, ତୁମେ ଯିବ କୁଆଡ଼େ ?

 

କ୍ଷଣିକ ନୀରବତା ପରେ ସେ ଉତ୍ତର ଦେଲା, ବାବୁଗାରୁ ତେଲୁଗୁ ମାଟା ଚେପୁ ।

 

ମୋଠୁଁ ତେଲୁଗୁ ! ମୁଁ ଚୁପ୍‍ ହୋଇଥିଲି । ସେ କ’ଣ ଭାବିଲା ମୁଁ ଜାଣେ । କିନ୍ତୁ ମୋ’ ଉପରେ କ୍ଷଣିକପାଇଁ ରାଗିଥିଲା । ନା, ନା, ରାଗ ନୁହେଁ । ସେ କ’ଣ କେବେ ରାଗିପାରେ ? ଖାଲି ଗୋଟେ କୁନି ଅଭିମାନ । ତା’ ଅଭିମାନ ମତେ ଭଲ ଲାଗିଥିଲା । ମୁହଁ ଉପରେ ତା’ର ଅସ୍ତ ଇନ୍ଦୁର ଅରୁଣିମା, ରକ୍ତରାଗ ହୋରି ପିଚ୍‍କାରି ମାରୁଥିଲା ।

 

–ତେଲସିନ୍ଦା ?

 

–ଉଁ...ହୁଁ...ସାମାନ୍ୟ ଅଭିନୟ । ମନା କରିଥିଲି, କ’ଣ ବୁଝିବି ?

 

ତା’ପରେ ସେ ତେଲୁଗୁରେ ଗପିଗଲା । ଏତେ ସରଳ ! ଟିକେ ବି ଲାଜର ଟୁକୁରା ନାହିଁ-। ‘ଆମେ ମାମୁଁଘର ଯାଉଛୁ....ମୋର ବାହା....ଆମଘର ହାଇଦ୍ରାବାଦରେ, ମୁଁ ମୁସଲମାନ...‘ସେ ମୁସଲମାନ, ମୁଁ ତା’ ବେଶ ପୋଷାକରୁ ପ୍ରଥମରୁ ବେଶ୍‍ ଠଉରେଇ ପାରିଛି ।’

 

ତା’ ତେଲଚିକିଟା ମୁହଁରେ ଟ୍ରେନ୍‍ ଯାତ୍ରାର କ୍ଳାନ୍ତି ଛାପ ମାରିଛି । ସେ କେଉଁଠିକି ଯିବ ? ତା’ ମାମୁଁଘର କେଉଁଠି ?

 

ତା’ ବାପା ତାକୁ ଦେଖିଲେ ମୋ’ ସହ କଥାବାର୍ତ୍ତାରେ ରତଥିଲାବେଳେ ତାକୁ ଭୀଷଣ ଗାଳି ଦେଇଥିଲେ । ଶିମୁଳି ତୁଳା ବତାସ ଆଗେ ଲହିଁ ଯାଇଛି । ବାପା ତା’ର ନିଜ ଜାଗାରୁ ଉଠିଆସି ପଛକରି ଆମ ସାମନାରେ ଠିଆହେଲେ । ସେ ପ୍ରାଚୀର କି ଭାଙ୍ଗିହୁଏ, ସେ ଉଠା ପାଚେରୀ କି ନଷ୍ଟହେବ ? ସାହସ ମୋର ନ ଥିଲା ଆଉ । ବାରମ୍ୱାର ତା’ ଚପଲ ଉପରେ ମୋ’ ଅଲାଜୁକ ଆଖି ବୁଲି ଆସୁଥାଏ ।

 

ବାପାର ବାଧ୍ୟ ଝିଅ ସେ । ତଥାପି ସେ ଦେଖୁଥାଏ ମୋରି ପଟେ । ବାପା ତାଙ୍କରି ଝିଅ ଉପରେ କଥାରେ ଯେତିକି ରାଗି ନାହାନ୍ତି ତା’ଠାରୁ ବରଂ ମୋ’ ଉପରେ ମନେ ମନେ ଅଧିକ ରାଗିଛନ୍ତି । କିନ୍ତୁ ରାଗ ବ୍ୟକ୍ତ କରି ନାହାନ୍ତି ।

 

ହଠାତ୍‍ ତା’ର ସାନଭାଇ ଆନନ୍ଦରେ ନାଚି ଉଠିଲା–‘ଅପା ଦେଖୁଛୁନା ସେ ଲାଲ କୋଠାକୁ । ସେଇଟା ଆମ ମାମୁଁଘର ।’ ମୁନିଗୁଡ଼ା ଆସିଗଲା ।

 

ମୁନିଗୁଡ଼ା । ନାଁଟି କାଳେ ପାସୋରି ଯାଇପାରେ ଭାବି ମୁନିଗୁଡ଼ା ବୋଲି ମନେ ରଖିଲି-। ବାସ୍ତବରେ ସେ ମୁନିଗୁଡ଼ାର ସ୍ମୃତି ମଣି କେବଳ । ସେ ମଣି କ’ଣ କିଣା ଯାଇପାରେନା ବିକ୍ରି ହୋଇପାରେ ବଞ୍ଚିବା ହାଟରେ ।

 

ଟ୍ରେନ୍‍ ଅଟକିଲା ଷ୍ଟେସନରେ । ଷ୍ଟେସନ୍‍ଠାରୁ ଲମ୍ୱିଥିବା ସରୁ ରାସ୍ତାରେ ବରଗଛର ଛାଇ । ସେମାନେ ସମସ୍ତେ ଓହ୍ଲାଇଗଲେ । ସେ ବି । ବିଦାୟ ଅନାମିକା । ସେ ଦୃଶ୍ୟ ଦୀର୍ଘଦିନ ପରେ ଆଜି ବି ନୂତନ, ସବୁଜ । ମୁଁ ବି ଟ୍ରେନ୍‍ରୁ ପାଦ କାଢ଼ିଲି । ତା’ର ବାପା ଓ ଛୋଟ ଭାଇ ଆଗେ ବଢ଼ିଲେଣି । ସେ ନିଜର ବୁଢ଼ୀମା’ଙ୍କ ସହାୟତା । ଟା-ଟା-ଏତେ ମୁଲାଏମ୍‍ ସେ ସ୍ୱର । ଏତେ ପିଲାଳିଆ, ସେ ହାତ ହଲାଇ ପଛକୁ ବାରମ୍ୱାର ବୁଲି ଚାଲିଥାଏ । ଦରଲିଭା ସିଗାରେଟ୍‍ ହାତରେ ମୋର ଲାଗିଥାଏ । ମୁଁ ବି ହାତ ହଲାଇଥିଲି ।

 

ତା’ ଆଖିରେ ଚେନାଏ ମୋନାଲିସାର ହସ । ମନରେ ସମ୍ଭବତଃ ବେଜାଏ ମାଦକତା । ବାସ୍‍ ଏତିକ । ଅନୁରୋଧ କରିଥାନ୍ତି ତା’ ନାଁ ଜାଣିବାପାଇଁ ।

 

ଆମର ଏ ଦୃଶ୍ୟ ତା’ ବାପାଙ୍କ ଆଖିରୁ ବାଦ୍ ଯାଇନି ।

 

ଅପରିଚିତା, ଅନାମଧେୟା, ଅନାମିକା ଚାଲିଯାଏ । ମତେ ସେ ଭଲଲାଗିନଥିଲା । ଭଲଲାଗିଥିଲା ମୋର ଗର୍ବ । ମୋର ଗର୍ବ ଯେ ମୁଁ ଏପରି ଏକ ମୁସଲମାନ ଲଳନାକୁ ହିନ୍ଦୁ ନାରୀର ଶାଢ଼ି ପଣତ ଓ ସିନ୍ଦୂର ଟୋପାରେ ବନ୍ଦୀକରି ତା’ ଜୀବନ ରକ୍ଷା କରିଥିଲି । ତା’ ଗୋଡ଼ରେ ମୋ’ ରେଣୁଅପା ଅଳତା ଦେଇଥିଲେ, ତା’ ଦେହରେ ମୋ’ ରୁବି ଭାଉଜ ଶାଢ଼ି ଜଡ଼ାଇ ଥିଲେ । ଆଉ ତା’ ମଥାର ସିନ୍ଦୂରପାଇଁ ମୁଁ ଦେଇଥିଲି ଲାଲବାଲିର ଧାରଟିଏ । ଯାତ୍ରୀ ବାପା ଆଖିରେ ଧରା ପଡ଼ିଛି, ବାପା ତା’ର ମୋ’ପ୍ରତି ହିଂସ୍ର ହୋଇ ଉଠିଲେଣି ।

 

ବେସରମ୍‍, ପରାୟେ ବୋହୂ ବେଟିକୋ ଦେଖିନେକୋ ସରମ୍‍ ନେହିଁ ଆତି ? କ୍ୟା ଆପ୍‍କା ବହୂବେଟି ନେହିଁ ହେଁ ?

 

ମୁଁ ମୋର ଭଙ୍ଗା ଭଙ୍ଗା ଦରୋଟି ହିନ୍ଦୀରେ କହିଥିଲି–ହଁ, ଶ୍ରୀମାନ୍‍ ଜି । ସରମତ ଆତା ହୈ, ଲେକିନ୍‍...ଆଉ ପାଇନଥିଲି ।

 

ସେ ଚିଗୁଲେଇ କହିଲେ–ଲେକିନ୍‍ ।

 

ତା’ପରେ ମୋ’ ଉପରେ ନିସ୍ତୁକ କଥାର ବାଣ । ମୁଁ ବୁଝୁଥାଏ କିନ୍ତୁ କିଛି ବ୍ୟକ୍ତ କରିବାର ଜୁ ନଥାଏ । ଚୁପ୍‍ ହୋଇ ଶୁଣୁଥାଏ ବେଳେ ବେଳେ ଦେଖୁଥାଏ ଟ୍ରେନ୍‍ ଚାଲିଲା କି ନାହିଁ-

ଚଲାବାଟରେ ଫୁଲର ମହକ ଓ ବାସ୍ନାକୁ ସହଜରେ ଏଡ଼ି ହୁଏନା । ତା’ ନୁହେଁ ଯେ ଦଳିଚକଟି ତାକୁ ମନ୍ଥା ଯାଇପାରେ ! ଅସମୟରେ ବିପଦରେ ପାନ୍ଥଶାଳାର ଆଶ୍ରୟନେଇ ପରିଚାରିକାର କାନି ପଣତ ନିଶାରେ ଝିମିଗଲେ, ମାୟାରେ ଘୁମି ପଡ଼ିଲେ, ତାହା ମାନବିକତାର ହତ୍ୟା ନୁହେଁ । ଭୁଲହୁଏ ସେ ପରଶା ମଦିରାର ସ୍ୱାଦ ଭୁଲିନପାରିଲେ । ସେ ପଣତର ମାୟା ପାସୋରି ନ ହେଲେ । ମିଛଟାରେ ମୋ’ ଉପରେ ରାଗୁଛନ୍ତି କାହିଁକି ? ଆପଣଙ୍କ ଝିଅ ମୋ’ ସହ ପଦେ ଦି’ପଦ କଥା ହୋଇଛନ୍ତି କେବଳ । ଏଥିରେତ ତା’ର ସତୀତ୍ୱ ଚାଲିଯାଇନି ।

ସତୀତ୍ୱ !

ହଁ, ହଁ, ସତୀତ୍ୱ । –ମୁଁ ବି ସାମାନ୍ୟ ଉତ୍ତେଜିତ ହୋଇଉଠୁଥାଏ । ଫେରେ ଆରମ୍ଭ କଲି, ନାରୀର ଦେହର ସଙ୍ଗୀତ ଆଉ ଉତ୍ତାଳ ଯୌବନ ମତେ କେବେ ଆକର୍ଷି ପାରେନା । ଆପଣଙ୍କ ଝିଅର ଯଦି କିଛିଥାଏ ତାହା ଆପଣଙ୍କ ଜାତି ଏବଂ ମୋର ଗର୍ବ । ମୁଁ ଯେବେ ଏମିତି ଏକ ମୁସଲମାନ ଝିଅକୁ ଦେଖେ ମୋର ମନେ ଆସେ ଦିନକର ଘଟଣା । ଆପଣ ଶୁଣିବେ ସେ ଘଟଣା-? ଧୈର୍ଯ୍ୟ ଅଛିତ ? ମୁଁ ହିନ୍ଦୀରେ ଯଥାସାଧ୍ୟ ଚେଷ୍ଟାକରି କହି ଚାଲିଥାଏ । କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ମାତ୍ରାରେ ବ୍ୟକ୍ତ କରିପାରୁନଥାଏ ।

କ୍ୟା ବୋଲ୍‍ ।

ଏମିତି ଏକ ଝିଅର ଜୀବନ ମୁଁ ରକ୍ଷା କରିଥିଲି । ସେ ହୁଏତ ହୋଇପାରନ୍ତି ଆପଣଙ୍କ ଝିଅ, ନତୁବା ଭଉଣୀ, ନତୁବା ସ୍ତ୍ରୀ । ତାଙ୍କ ଦେହରେ ହିନ୍ଦୁ ନାରୀର ସମସ୍ତ ପବିତ୍ରତା ଭରି ତାଙ୍କୁ ରକ୍ଷା କରିଥିଲି । ନତୁବା ସେ ଆଜି...ଆଉ ପାରିଲି ନାହିଁ । କଣ୍ଠରେ କୋହର ବରଫି ଜମାଟା ତାଙ୍କ ନାଁଟି ଆଜି ଠିକ୍‍ ମନେ ନାହିଁ । ସେ ଦଙ୍ଗାରେ ତାଙ୍କର ସମସ୍ତେ ମରିଥିଲେ । ସାମ୍ପ୍ରଦାୟିକ ଶତ୍ରୁ ହାତରୁ ସେ ମୁକୁଳି ଆସିଥିଲେ ।

ସେ ଏକ ଅନ୍ଧାର ରାତ୍ରି । ସେ ଆସି ତା’ ପଡ଼ୋଶୀ ଘରର ଦରଜାରେ ଆଘାତ କରିଥିଲେ । ସେ ପଡ଼ୋଶୀ ଥିଲୁ ଆମେ-ମୋର ବଡ଼ଭାଇ, ଭାଉଜ, ଅପା ଓ ମୁଁ । ଭାଇ ସେଦିନ ଅଫିସରୁ ଫେରିନଥାନ୍ତି । ଭାଉଜ ଓ ଅପା ରନ୍ଧାଘରେ । ମୁଁ ଦରଜା ଖୋଲିଲି । ସେ ଝଡ଼ ବେଗରେ ପଶିଆସି ପଚାରିଥିଲେ–

‘‘ରଞ୍ଜୁ, ଅପା କାହାନ୍ତି ?’’

‘‘ରନ୍ଧାଶାଳରେ’’

ସେ ଶତ୍ରୁର ଆକ୍ରମଣରୁ ରକ୍ଷା ପାଇଥିଲେ । ମୋର ଭାଉଜ ତାଙ୍କୁ ହିନ୍ଦୁ ନାରୀର ପବିତ୍ରତା ଦେଇଥିଲେ । ଅପା ଦେଇଥିଲେ ସାର୍ବଜନୀନ ଶପଥ । ସେ ବୁର୍ଖା ଛାଡ଼ିଲେ, ଶାଢ଼ି ପିନ୍ଧିଲେ । ଗୋଡ଼ରେ ଅଳତା ନାଇଲେ, ଆଖିରେ ଦେଲେ ସୁରମାର ରେଖା । ମଥାରେ ସୀମାରେଖା ଲାଲ ସିନ୍ଦୂରର । ସେ ରକ୍ଷା ପାଇଲେ । ବୁଝିଲେ, ମୁଁ ଆଜି ଗର୍ବିତ ମୁଁ ଥିଲି ସେ ପବିତ୍ର ପ୍ରାଣର ରକ୍ଷାର କବଚ ।

ଯାତ୍ରୀ ବୁଢ଼ୀମା’ ସହିତ କଙ୍କରିତ ସରୁ ରାସ୍ତାରେ ଅପେକ୍ଷା କରିଛି । ବାପା ତା’ର ମୋ’ କାହାଣୀର ଶ୍ରୋତା । ମୋର ଛୁଆଳିଆ ହିନ୍ଦୀ ସେ ବୁଝିଲେ କି ନାହିଁ ମୁଁ ଜାଣେନି । ତଥାପି ମନରେ ତୃପ୍ତି ଏକ ଗର୍ବିତ ତୃପ୍ତି । ଏକ ତୃପ୍ତ ହୃଦୟ ଗର୍ବ । ସେ କ୍ରୂର ମୁହଁ ଉପରେ ଗାମ୍ଭୀର୍ଯ୍ୟର ପରଦା ଢାଙ୍କି ହୋଇଗଲା ଟ୍ରେନ୍‍ ଛାଡ଼ିବା ଶେଷ ଘଣ୍ଟି । ମୁନିଗୁଡ଼ା ଷ୍ଟେସନ୍‍ ଟ୍ରେନ୍‍ ଘୁଷୁଡ଼ି ଘୁଷୁଡ଼ି ଗଡ଼ି ଚାଲିବା ଉପରେ । ମୁଁ ହଠାତ୍‍ କହିଉଠିଥିଲି । ‘ମୈ ଜାତାହୈ ଜି, ଗାମ୍ଭୀର୍ଯ୍ୟ ବୋଳା, ଉତ୍ତର-ହୁଁ, ଫିର୍‍ ମିଲେଙ୍ଗେ ବେଟା । ମୁଁ ଫେରି ଦେଖିଛି, ଶେଷଦେଖା । ତା’ ଚପଳ ପଥଚଲା ଧୂଳିରେ ଜର୍ଜରିତ, ତା’ ରଙ୍ଗ ପ୍ରଜ୍ଜ୍ୱଳିତ । ସେ ହାତ ହଲାଉଥିଲେ, ସେ ଦୃଶ୍ୟ ବିଦାୟ ଲଗନ ନା ମିଳନ ଆହ୍ୱାନ । ନାୟିକାର ଶାଢ଼ି ଦୂରରେ ମିଳେଇ ଯାଉଛି । ତା’ପରଠାରୁ ସେ ରାସ୍ତାରେ ମୁଁ ବହୁତ ଥର ଯାଇଛି । ସେ ବରଗଛ ଛାଇରେ ଦଣ୍ଡେ ଛିଡ଼ା ହୋଇ ସେ ଲାଲ କୋଠାକୁ ଚାହିଁଛି । ଆଜି ବି ମୁଁ ଭାବେ, ତାକୁ ଭେଟିବି କିମିତି ସେ କେଉଁଠି ? ସେ କ’ଣ ସତରେ ଏତେ ଭଦ୍ର, ଏତେ ଶାନ୍ତ, ଏତେ ପିତୃବନ୍ତ, ଏତେ ସରଳ । ଏପରି ମୋ’ ମନରେ ଅସୁମାରି ପ୍ରଶ୍ନର ବୁଢ଼ିଆଣୀ ଜାଲ ।

ସେ ସୁଖୀ ହେଉ । ତେଲଲୁଣର ସଂସାର-ଦର୍ପଣରେ ନିଜର ଛାଇ ଦେଖି କେବେ ଚମକି ନ ଯାଉ ।

ଜୀବନରେ ତା’ର ସତ୍ୟ, ଶିବ, ସୁନ୍ଦର ଆଦର୍ଶ ହେଉ ।

ତାକୁତ କିଛି ଦେଇପାରି ନଥିଲି । ଭାଷା ନ ଥିଲା । ଆଜିର ରାତ୍ରିରେ ସେ ହସକୁଡ଼ି ଅପରିଚିତା ପାଇଁ ମୋ’ ମନର ଆଞ୍ଜୁଳାଏ ଭାଷା ମୋ’ ହୃଦୟର ମୁଠାଏ ଆଶ୍ୱାସନା । ମୋ’ ଆଖିର ଦି’ଟୋପା ଆନନ୍ଦର ଲୁହ ।

ତଥାପି ନିରାଶ ହୋଇନି । ତାକୁ ଭେଟିବି । ଆଶାଧରି ଜୀବନ ରାସ୍ତାରେ ଚାଲିବା ହିଁ ଆମ ବଞ୍ଚିବାର ଜୀବନ୍ତ ଧର୍ମ । ତାଙ୍କୁ ଭେଟିବି । ସେ ହାତରୁ ଆଶୀର୍ବାଦ ମାଗି ସାଇତି ରଖିବି । ତାକୁ ଦେଖିବି । ତା’ କଅଁଳା ନବଜାତ ପୁଅର କପୋଳରେ ଚୁମାଟିଏ ଖାଇବି । ସମୟର ବେଳାଭୂମିରୁ ମୁହୂର୍ତ୍ତର କୁନି କୁନି ଶାମୁକା ସାଉଁଟି ଉପହାର ଦେବି ।

ମୁଁ ହେବି ଆଉରି ଗର୍ବିତ । ମୁଁ ହେବି ଆଉରି ତୃପ୍ତ ।

ସେ ରକ୍ତଲାଲ ଚପଲରେ କିଛି ବୈଶିଷ୍ଟ୍ୟ ନ ଥିଲା । ସେ ହୁଏତ ହୋଇପାରେ ଅସନା, ଦଳାଚକଟା, ନଷ୍ଟ ପାଖୁଡ଼ା । ତଥାପି ମୋର ଦେଖିବାର ଆଗ୍ରହ ଅଛି ଏବଂ ଏହି ଆଗ୍ରହ ସେ ରଙ୍ଗର ପୂର୍ଣ୍ଣତା ପ୍ରାପ୍ତି ।

ଦୁନିଆରେ ସବୁକିଛି ସୁନ୍ଦର ଏବଂ ସେହି ସୌନ୍ଦର୍ଯ୍ୟର ମାପକାଠି ଆଗ୍ରହ ନିଜର । ସେ ଆଗ୍ରହ ହୋଇପାରେ ଅଳିକ, ସେ ସୌନ୍ଦର୍ଯ୍ୟ ହୋଇପାରେ କ୍ଷଣିକ ! ତଥାପି ସେ ଆଗ୍ରହ ସୁନ୍ଦର, ସେ ସୌନ୍ଦର୍ଯ୍ୟ ସୁନ୍ଦର । ସବୁକିଛି ସୁନ୍ଦର ଆଉ ସୁନ୍ଦର ଦେଖିବାର ଆଗ୍ରହଥିଲେ ଜୀବନରେ ସବୁକିଛି ସୁନ୍ଦର । ସେ ଆଗ୍ରହ କାମନା ବିବର୍ଜିତ ହେଉ, ସେ ଆଗ୍ରହ ପାଇବାର ସ୍ରୋତରେ ଦିନେ ବାଟବଣା ହୋଇ ଭାସି ନ ଯାଉ । ହୁଏତ ସେ ଚପଲ ହୋଇପାରେ ଉପେକ୍ଷିତ, ଉପେକ୍ଷିତ, ତଥାପି ସେ ଚପଲ ଆଉ ତା’ର ରକ୍ତରଙ୍ଗ ସବୁଦିନେ ହେଉ ମୂର୍ତ୍ତିମନ୍ତ ସେ ସ୍ମୃତି ଜୀବନେ ଆଣେ ବସନ୍ତ-ସଙ୍ଗୀତ, ତଥାପି ମୁଁ ଗର୍ବିତ ।

ମୁଁ କାର ମୋ’ ସମ୍ବତ ।

ମୁଁ ଶାନ୍ତ, ସଂହତ ।

Image

 

ସ୍ୱାତୀର ନାମ ସାନ୍ତ୍ୱନା

 

ହସ୍‍ପିଟାଲ ବାହାର ପୃଥିବୀରେ ସାମ୍ପୁକରା କେଶଭଳି ଅନ୍ଧାରମାନେ ଫୁର୍‍ ଫୁର୍‍ ଉଡ଼ୁଛନ୍ତି । ଲମ୍ୱା ଓ୍ୱାର୍ଡ଼ ଭିତରେ ଆଲୁଅର ଗହଳ ।

 

ଅନେକ କ୍ଳାନ୍ତିକର ଦିନ । ଦୀର୍ଘ ଦିନ ଧରି ବେଡ଼୍‍ ଉପରେ ଶୋଇ ଶୋଇ ଛାତର କଡ଼ି ବରଗା ଗଣି ଗଣି ମତେ ଅତିଷ୍ଠ ଲାଗିଲାଣି । ଅନେକ ନିର୍ଜନ ମୁହୂର୍ତ୍ତ ତା’ ଶାବ୍‍ଦିକ ସ୍ପନ୍ଦନ ମୋ’ ଚେତନା ଏବଂ ଚିନ୍ତନର କୋଠରୀକୁ ଓହ୍ଲାଇ ଆସୁଛନ୍ତି । ମୁଁ ଡହଳ ବିକଳ ହେଉଛି । ଯେମିତି କେଉଁ ଅଗ୍ନିର ଅରଣ୍ୟରେ ସେମାନେ ମୋତେ ଫିଙ୍ଗି ଦେଉଛନ୍ତି । ମୋ’ ଦେହ ଉପରୁ କଳା କଳା ଚମମାନେ ଉତୁରି ଯାଉଛନ୍ତି । ମୋ’ରକ୍ତ ପାଣି ପାଲଟୁଛି । ମୋ’ସର୍ବାଙ୍ଗରୁ ଗରମ ଝାଞ୍ଜିର ହାଓ୍ୱା ଉଠୁଛି ।

 

ଆଃ...ଅତି ସଂଶ୍ଳିଷ୍ଟ ହୋଇଗଲେ କେତେ କ୍ରାନ୍ତିହୀନ ଜଳନ୍ତା ଯନ୍ତ୍ରଣା ।

 

ହସ୍‍ପିଟାଲର ଲମ୍ୱା ଓ୍ୱାର୍ଡ଼ । ଯେମିତି ମରଣର ଦୂତ ଚାଲି ଯାଉଛି । ବେହେରା, ମେହେନ୍ତର ସେ ଚଟାଣ ପ୍ରତିଦିନ ସଫା କଲେ ବି ମରଣର ପାଦ ଛାପ ଲିଭୁନି । ପ୍ରତି କାନ୍ଥରେ ମରଣର ନ୍ୟୁଡ ଚେହେରା କ୍ୟାଲେଣ୍ଡର ହୋଇ ଝୁଲୁଛନ୍ତି । ମୁଁ ଭୟରେ ଆଖି ବୁଜୁଛି...ତଥାପି ମୋ’ ଆଖିର ଫୁଲ ପାଖୁଡ଼ା ପତାକୁ ତା’ ମୁନିଆ ନଖରେ ଖୋଲି ଦେଇ ସେ ହୁକୁମ ଦେଉଛି–ଦେଖ୍‍, ତୁ କେତେ ଆଖି ବନ୍ଦ କଲେ ବି ମୋ’ପ୍ରତି ତୋର ଭୟ ମୋର ପ୍ରତିବିମ୍ବକୁ ତୋ’ ଆଗରେ ଠିଆ କରେଇବ; ତୁ ନ ଚାହିଁଲେ ବି ମୁଁ ତତେ ବାଧ୍ୟ କରିବି–ହେଇ ଦେଖ୍‍, ମୁଁ ଯାଇନି; ମୁଁ ଅଛି, ସର୍ବଦା ଥିବି । ଆଉ ତୋ’ପରି ଜୀବନ ଏବଂ ଜୀବନ୍ତ ଜିନିଷକୁ କେବେ ହାତଛଡ଼ା କରିପାରିବିନି । ଜୀବନ ସାଥିରେ ମରଣର କି ପ୍ରେମ ! କି ଆତ୍ମୀୟତା ! ଏସବୁ ଦେଖିଲେ ବରଫର ହିମାଳୟ ଉପରେ ଖୋଲା ଦେହ, ମୁକୁଳା ମନ ନେଇ ମୁଁ ହାଡ଼ ଥରା ଶୀତରେ ଥରୁଛି ବୋଲି ମନେକରେ । ମୋ’ ଦେହ ଥରୁଛି । ଯିମିତି ମୋର ରକ୍ତମାନେ ବରଫର ଝଡ଼ ପାଲଟୁଛନ୍ତି....ମୋଠୁଁ ବାମ୍ଫ ବାହାରୁଛି ।

 

ମୃତ୍ୟୁ...ମୃତ୍ୟୁପ୍ରତି ଭୟ । ଓଃ...କି ମରମ ଫଟା, ହାଡ଼ ଛୁଆଁ ଯନ୍ତ୍ରଣା ।

 

ସିଏ । ସିଷ୍ଟର, ସ୍ଥିରତା, ସଂଯମ, ଉତ୍ସାହ, ନିଷ୍ଠାପରତା, କ୍ଳାନ୍ତି ନାହିଁ ।

 

ଯେଉଁଦିନ ମତେ ଷ୍ଟ୍ରେଚରରେ ବୁହା ହୋଇ ଏଠାକୁ ଅଣାଗଲା–ମୁଁ ଜାଣିନଥିଲି ସେଇଦିନ ଆକାଶରେ ସୂର୍ଯ୍ୟ ହସୁଥିଲା ନା ପୃଥିବୀ ମାଟି ଅନ୍ଧାରର କ୍ଲୋକରେ ଦେହ ଲୁଚେଇଥିଲା-। ରୁନି ମତେ କହିଥିଲା, ଭାଇ, ତମେ ସଂଜ୍ଞାହୀନ ଥିଲ...

 

ପ୍ରଥମ ଦିନ ।

 

ସମୁଦ୍ରର ସ୍ଥିର ଶାନ୍ତ ବିସ୍ମୃତିପରି ମୋ’ ଦେହ ବେଡ଼ରେ ପଡ଼ିଥିଲା । ମୁଁ ଜାଣିନଥିଲି–ମୋ ଭିତରେ ଜୀବନ ଥିଲା ନା କେତେବେଳୁଁ ମୋର ମରଣ ହୋଇସାରିଥିଲା ।

 

ହସ୍‍ପିଟାଲ । ଏଠି ଜୀବନର ଲୁହ ଅପେକ୍ଷା ମରଣର ହସମାନେ ବେଶୀ ଦୁର୍ଦାନ୍ତ, ଉଜ୍ଜ୍ୱଳ ।

 

ମୋ ଶେଯ ପାଖରେ ମୋ’ ବୋଉ, ରୁନି, ମୋ’ ବନ୍ଧୁ ବାନ୍ଧବୀ ସମସ୍ତେ ରୁଣ୍ଡ ହୋଇଛନ୍ତି-। ହସ୍‍ପିଟାଲରେ ପ୍ରଥମ ମଧ୍ୟାହ୍ନ । ମୁଁ ସଜ୍ଞା ପାଇଲି । ମୋ’ ବାଁ ପାଖରେ ଡକ୍ଟର, ସିଷ୍ଟର । ମୋ’ ମୁଣ୍ଡ ପାଖରେ ମୋ’ ବୋଉ । ରୁନି ୟାଡ଼େସ୍ୟାଡ଼େ ଦେଖୁଥିଲା । ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା–ଏଡ଼େ ଲମ୍ବା କୋଠରୀ, ଶହ ଶହ ବେଡ଼୍‍, କଙ୍କାଳସାର ମଣିଷ, ମସିଆ ମସିଆ ବାସ୍ନା-! ୟେ କ’ଣ ? ଭାଇ ଏଠାକୁ କାହିଁକି ଆସିଲେ ?

 

ମୋ’ ଚାରିପାଖରେ ଏତେ କ୍ୱାର୍ଡ଼ନ ଥିଲେ ବି ମତେ କାହିଁକି ଏକ୍‍ଲା ଏକ୍‍ଲା, ଏକାଟିଆ, ନିଃସଙ୍ଗ ଲାଗୁଛି । ମୋଠି ଏତେ ଶୂନ୍ୟତା । ଆଗରେ, ପଛରେ, ସବୁ ଦିଗରେ ମାଢ଼ ମାଢ଼ ହସନ୍ତ ସକାଳ । କୁଢ଼ କୁଢ଼ ସବୁଜ ପୃଥିବୀ ନାଚୁଥିଲେ ବି ମୁଁ କାହିଁକି ଅତିକାୟ ସମୁଦ୍ର ଦେହରେ ନିଜକୁ, ନିଜ ସ୍ଥିତିକୁ ନିଃସଙ୍ଗ, ବାଲୁଚରି ଦ୍ୱୀପ ମନେ କରୁଛି ? ମୁଁ କାହିଁକି ପ୍ରଳୟର, ତରଙ୍ଗର ଧକ୍‍କା ଖାଉଛି ? ମୋ’ ହାତ ପାପୁଲି ପାଖରେ କୋଟି କୋଟି ତାରା ଦୀପ୍ତିମନ୍ତ ଥିଲେ ବି ମୁଁ କିମିତି ଚନ୍ଦ୍ରଭଳି ନିଜକୁ ନିରୋଳା ମନେ କରୁଛି ?

 

ମୋ ଶୂନ୍ୟତା, ମୋ’ ନିଃସଙ୍ଗତା, ନିର୍ଜନତା ମୋର ମୃତ୍ୟୁପାଇଁ, ଅନ୍ଧାର ପାଇଁ ଭୟର ସୃଷ୍ଟି ।

 

ସଂଜ୍ଞା ପାଇଲି । ଆଖି ଖୋଲିଲି । ସିଷ୍ଟର ଠିଆ ହୋଇଛନ୍ତି । କି ଗମ୍ଭୀର ! ଏଡ଼େ ନିରସ, ଉଦାସ ଚାହାଣି; ବିଷଣ୍ଣ, ରଙ୍ଗହୀନ ମୁହଁ । ତାଙ୍କରି ପ୍ରତି ଅଣୁ ପରମାଣୁରେ (ମୁଁ ମନେ କରୁଛି) କି ସମବେଦନା, ଅସ୍ଥିର ପ୍ରାଣରେ ଆଣିବାପାଇଁ, ଯନ୍ତ୍ରଣାରେ ଉପଶମ ଦେବାପାଇଁ ସାନ୍ତ୍ୱନା କେତେ ଉତ୍ତେଜନା ।

 

ଜୀବନକୁ ଭଲପାଉଛି ବୋଲି ମୃତ୍ୟୁକୁ ଏଡ଼େ ଡର !

 

ହସ୍‍ପିଟାଲରେ ଏଗାର ଦିନର ରହଣି, ଭାର ଭାର ସ୍ମୃତି । ଲମ୍ବା ଲମ୍ବା ଜୀବନ, ଫୁଲ୍‍ଗୁର ଉତ୍ତରଣ ।

 

ସିଷ୍ଟରଙ୍କ ବିଷଣ୍ଣ ମୁହଁ ମତେ ଭଲଲାଗିଥିଲା । ରୋଗୀମାନଙ୍କର ଏତେ ସେବା ସେ କରୁଛନ୍ତି । ତଥାପି କଣିକାଏ କ୍ଳାନ୍ତି ନାହିଁ । କଅଁଳା ଛୁଆମାନଙ୍କ ମୁହଁରେ ଅମୃତ ଢାଳୁଛନ୍ତି, ତଥାପି ଏଡ଼େ ଗମ୍ଭୀର ! ମୁଁ ନିଜକୁ ବିଶ୍ଳେଷଣ କରେ–ମୁଁ ସବୁଦିନେ କଅଁଳ ଶେଯରେ ଶୋଉଛି । ତେବେ ମୋଠି କାହିଁକି ଏ ଅବେଳର କ୍ଳାନ୍ତି ! ଭିତରେ ଭିତରେ ଜଳିଯାଇ ବାହାରକୁ କିମିତି ଆମେ ଏତେ ତୋରା ଦେଖାଯାଉଛୁ ?

 

ସିଷ୍ଟର । ବ୍ୟସ୍ତତା । ତୃପ୍ତି । ଶାନ୍ତି ।

 

ମୁଁ । ଭୟ । ଯନ୍ତ୍ରଣା । କ୍ଳାନ୍ତି ।

 

ଅନ୍ୟ ଦିନର ଏକ ମହୁଆ ସକାଳ । ଔଷଧ ଆଣିବାପାଇଁ ରୁନିକୁ ସାଙ୍ଗରେ ନେଇ ବୋଉ ବଜାରକୁ ଚାଲିଗଲା । ଅନ୍ୟ ଦିନପରି ସେଦିନ ମଧ୍ୟ ହସ୍‍ପିଟାଲ ଭିତର ପବନ ଡେଟାଲ୍‍ ଗନ୍ଧରେ ସ୍ନାନ କଲା । କୋଳାହଳ ଗହଳିଆ ହେଲା ।

 

ସିଷ୍ଟର ଆସିଲେ । ମୋ’ ବାଁ ବାହୁରେ ଇଞ୍ଜେକ୍‍ସନ୍‍ ଫୋଡ଼ିଲେ । ମୋ’ ଶେତା ମୁହଁକୁ ଚାହିଁ କିଛି ପଚାରିଥିଲେ ।

 

: ତମ ନାଁ ?

 

: ରବି ।

 

: ଘର ?

 

: ଜୁନାଗଡ଼ ।

 

ବାସ୍‍ ଏତିକି । ସିଷ୍ଟର ଲେଉଟିଲେ । ଇଞ୍ଜେକ୍‍ସନ୍‍ ଦେଲେ–ବେଶୀ ସମୟ ଶେଯ ଉପରେ ବସି ରହନି । ଏତେ ଗାମ୍ଭୀର୍ଯ୍ୟ ।

 

ମୋର ଧାରଣା ବଦଳିଲା । ନର୍ସମାନେ କୁଆଡ଼େ ତୁଚ୍ଛାଟାରେ ହେଲେ ବି କୁରୁଳି କୁରୁଳି ହସନ୍ତି, ଅଯଥାରେ ଓଠ ନେଫେଡ଼ାନ୍ତି । ମିଛ କଥା, ବାଜେ କଥା ।

 

ଅନ୍ୟ ଦିନ । ଏକ ଉଦାସ, ନିରସ ସକାଳ ।

 

ଦୁଧ ଗରମ କରିବାପାଇଁ ବୋଉ ବାହାରକୁ ଯାଇଛି ।

 

ସିଷ୍ଟର ପାଣି ବେସିନ୍‍ ନେଇ ମୋ’ ବେଡ଼୍‍କରରେ ଠିଆହେଲେ । ଡେଟାଲ୍‍ ପାଣିରେ ମୋ’ ମୁହଁ, ଗୋଡ଼ ହାତ, ଦେହ ଆସ୍ତେ କରି ପୋଛିଲେ । ମତେ କେତେ ଭଲଲାଗୁଥିଲା । ଏତେ ଧୀର ହାତବୁଲା । କାଳେ ମୁଁ କଷ୍ଟ ପାଇବି, ମୋ’ ଦୁର୍ବଳ ଦେହର ସ୍ନାୟୁ ଯନ୍ତ୍ରଣା ପାଇବ । ମତେ ଶେଯରୁ ହାତଧରି ଉଠାଇଲେ, ଚଟାଣ ଉପରେ ଠିଆ କରାଇଲେ, ମୋ’ ବୋଉକୁ ଉପଦେଶ ଦେଲେ–ମା’ ଏ ଚଦରଟା ଚେଞ୍ଜ୍‍ କରିଦିଅ । ସଫା ବେଡ଼୍‍ସିଟ୍‍ ଅଛି ?

 

ଚଦର ବଦଳିଲା । ସିଏ ମତେ ଅତି ସତର୍କତାର ସହିତ ବେଡ଼ରେ ଶୁଆଇ ଦେଲେ । ମୋ’ମୁଣ୍ଡ ଆଉଁଶି, ବାଳ ସାଉଁଳି କହିଥିଲେ–ମୁଣ୍ଡରେ ଏତେ ବାଳ ରଖିବାକୁ ତମକୁ ଭଲଲାଗେ-? ଇଏ କି ସଉକି ଆଜିକାଲିକା ପିଲାଙ୍କର, କେଜାଣି ? –ଏତେ ତାଗିଦ୍‍, ଉପଦେଶ, ତା’ପରେ ମଉଳା ଓଠରେ ଝଲସାଏ ହସ । ତାଙ୍କ ହସ ଟିକକ ମୋ’ ଦୈହିକ ଆଉ ମାନସିକ ବେଦନାକୁ କିଛି ମାତ୍ରାରେ କମେଇ ଦେଇଥିଲା । ଅନ୍ୟ ଦିନପରି ଅନ୍ୟ ଅନ୍ୟ ରୋଗୀଙ୍କ ସେବାଶୁଶ୍ରୂଷା ପାଇଁ ସେ ତରବର ହେଲେ, ଚାଲିଗଲେ । ପଛରୁ ମୁଁ ତାଙ୍କୁ ଚାହିଁରହିଲି । ମୋ’ ଆଖିରେ ତାଙ୍କ ଓଠର ହସ ଲାଖି ରହିଲା ।

 

ଶୋଇ ଶୋଇ କ୍ଳାନ୍ତି ଲାଗୁଛି । ଗୋଡ଼ ଦରଜ, ପିଠିଟା ପାରାଲିସିସ୍‍ ରୋଗୀର ହାତପରି ବିନା ସେନ୍‍ସିବଲ୍‍ ହେଲାଣି । ହସ୍‍ପିଟାଲର ମଧ୍ୟାହ୍ନ । ଦୂର ଅଗଣାରେ ଚିଲ–ଶାଗୁଣା–ଡେଣାର ଛାଇ, ଚିହ୍ନ । ମତେ ନିରୋଳା ଲାଗୁଛି । ନିର୍ଜନ ପରିବେଶ ମତେ କନ୍ଦାଉଛି । ଟେବଲ୍‍ ଉପରେ ବୋଉ ଘୁମେଇ ଯାଉଛି । ତା’ ଆଖିପତାଗୁଡ଼ାକ ନିଦର ଭାରାରେ ବୁଜିହୋଇ ଯାଉଛି । ମତେ ଦୟା ଲାଗିଲା–ବୋଉ, ପୁଅପାଇଁ ତୁ ନିଜକୁ କେତେକଷ୍ଟ ନ ଦେଲୁଣି ? ରୁନିଟା ବାହାରେ କୁଆଡ଼େ ବୁଲୁଥିବ ।

 

ହସ୍‍ପିଟାଲରେ ଜୀବମାନଙ୍କ କି ଦୟନୀୟ ଅବସ୍ଥା ?

 

ହଠାତ୍‍...କାନ୍ଦର–ରୋଳ.....

 

ଅଠର ନମ୍ବର ବେଡ଼୍‍ର ଛୁଆଟି ବୋଧହୁଏ ମରିଗଲା । ତା’ ବୋଉ ଶେଯର ବାଡ଼ା ଉପରେ ମୁଣ୍ଡ ପିଟି କାନ୍ଦୁଛି । ମୋ’ ବୋଉର ନିଦ ଭାଙ୍ଗିଗଲା । ମୋ’ ବୋଉ କାନ୍ଦିଲା । ସିଷ୍ଟର ଦୌଡ଼ି ଆସିଲେ । ତାଙ୍କ ଆଖିରେ ଲୁହର ବିନ୍ଦୁ–ମୂର୍ଚ୍ଛନା । କଳାକନାରେ ମୃତ ଛୁଆର ଦେହକୁ ଗୁରେଇ ଦିଆଗଲା । ସେମାନେ ଚାଲିଗଲେ । ସିଷ୍ଟର ବାହାର ବାରଣ୍ଡାକୁ ଫେରିଲେ । ମୁଁ ଦେଖିଲି ତାଙ୍କ ଆଖି ଦି’ଟା ଅସମ୍ଭବ ଲାଲ ଦିଶୁଥିଲା । ସମ୍ଭବତଃ ମନର ସାଧ ମେଣ୍ଟାଇବା ପାଇଁ କିଛି ସମୟ (ଆମ ଅଜଣାରେ) କାନ୍ଦି ଉଠିଲେ ।

 

ମୁଁ ମୋ’ କାନକୁ ଚିପି ଧରିଛି । କ୍ରନ୍ଦନ । ଓଃ...ଏତେ ଶବ୍ଦର ରିଙ୍ଗଣୀ...ଏତେ ଅତଡ଼ାଖସା ସୁଅର ଧ୍ୱନି...ପୁଅର ମୃତ୍ୟୁରେ ତା’ ବୋଉ କେତେ ନ କାନ୍ଦିବ । ମୁଁ ଭାବୁଛି–ମୋର ଯଦି ଆଜି ମୃତ୍ୟୁ ହୁଏ, ଏଇ ଜଗତର ମୋହ କାଟି କେଉଁ ଅଦୃଶ୍ୟ ହାତର ଇଙ୍ଗିତରେ ଅନ୍ୟ ଇଲାକାକୁ ଚାଲିଯାଏ, ମୋ’ ବୋଉକୁ, ରୁନିକୁ ଆଉ କିଏ ବୁଝେଇବ–ବୋଉ, ମୁଁ ମରିନି । ମୁଁ ଜିଇଁଛି-। ରୁନି, ମୁଁ ଯାଇନି । ମୁଁ ଯିବିନି ବି । ଅଠର ନମ୍ବର ବେଡ଼୍‍ ଖାଲି ପଡ଼ିଲା...ମୋ ଆଖିର ମେଳଣ ପଡ଼ିଆରେ ସେଇ କଙ୍କାଳସାର, କଅଁଳ ବୟସର ଛୁଆର ମୃତ ଦେହ ପଡ଼ିଛି......ତା’ ବୋଉ ବି କେତେଥର ଅଚେତନ ହେଇ କିବା ସଚେତନ ମନରେ ସ୍ୱପ୍ନ ଦେଖିନଥିବ ? –ମୋ’ ଟୁକୁ ବଡ଼ ହେବ...ରିନାର ପୁଅପରି ଦାଣ୍ଡରେ ଧୂଳି ଖେଳିବ, ଆଖିରେ ଧୂଳି ପଡ଼ି ତା’ ଆଖିରୁ ଲୁହ ବୋହିଯାଉଥିବ, ଆଖି ପୋଛିବାପାଇଁ ସେ ମୋ’ ପଣତ ଟାଣୁଥିବ । ମତେ ବିରକ୍ତ କଲେ ମୁଁ ଅଲକ୍ଷଣୀ ତାକୁ ଶାସନ କରିବା ଗଳାରେ କହିବି–କିରେ ପୁଅ, ଆଖିରେ ଧୂଳି ପଡ଼ିଲେ ଲୁହ ଗଡ଼ୁଛି, ଆଜିଠୁ ଧୂଳିଖେଳ ଛାଡ଼୍‍...ଆଃ । କେତେ ସ୍ୱପ୍ନ । ସବୁ ଆଜି କିନ୍ତୁ ଭଗ୍ନସ୍ତୂପ, ନଈ ବାଙ୍କ । ମରଣର ଧୂଆଁଳିଆ ଓସ୍ତଗଛ ।

 

ମୋଠି ଉତ୍କଣ୍ଠା । ଦିନମାନ, ରାତିମାନ ସିଷ୍ଟର ତ ଏଠି । ତାଙ୍କର କ’ଣ ନିଜ ଘର, ସ୍ୱାମୀ ସନ୍ତାନ, ଦୁନିଆ ନାହିଁ ? ଏ କଥା ସିଷ୍ଟରଙ୍କୁ ପଚାରିବି ବୋଲି ଅନେକ ଥର ଭାବିଛି । କିନ୍ତୁ ପଛରୁ କିଏ ମତେ ମନାକରେ–ନା, ପଚାରନା । ସିଏ ଶୋଇ ଶୋଇ କାମ କରି ଚାଲିଛନ୍ତି । ପଚାରି ତାଙ୍କୁ ଅଶାନ୍ତି କାହିଁକି ଦେବୁ ? ଏ ମରଣର ସୁଆଙ୍ଗ ଦଳରେ ନାଚି ନାଚି ସିଏ ଯଦି କିଛି ତୃପ୍ତି, ଶାନ୍ତି ପାଉଛନ୍ତି, ତାଙ୍କୁ (ପ୍ରଶ୍ନ ପଚାରି) ସେ ଟିକକୁ ଛଡ଼େଇ ନେବୁ କାହିଁକି ? ସାହସ କୁଳାଏନି । ଉଦୁଉଦିଆ ଦିପହର ଜାମୁ ଗଛରେ ଭୂତ ଦେଖିଲେ ମଣିଷ ଆଗକୁ ଯାଏନି କି ପଛକୁ ଫେରି ପାରେନି । ମୁଁ ସେମିତି ସ୍ଥିର ହେଲି କିନ୍ତୁ ଥତମତ ହେଲି ।

 

ମୋର ଜୀବନର ହ୍ରଦରେ ମୃତ୍ୟୁର ଚକା ଚକା ଭଉଁରୀ ! ମୋ’ ଜିଲ୍ଲା ମହକୁମାରେ କରାଳ ଦୁର୍ଭିକ୍ଷ ।

 

ସିଷ୍ଟରଙ୍କ ଆଜି ନାଇଟ୍‍ ଡ୍ୟୁଟି ନ ଥିଲା । ସେ ହଂସ ପର ପରି ଧଳା ୟୁନିଫର୍ମ ପିନ୍ଧି ନାହାନ୍ତି । କିଛି ଦିନର ରହଣି ପରେ ପ୍ରଥମଥର ପାଇଁ ମୁଁ ଏ ସନ୍ଧ୍ୟାରେ ତାଙ୍କୁ ଏକ ଫିକା ରଙ୍ଗ ଶାଢ଼ିରେ ଦେଖିଲି । ସବୁଦିନପରି ତାଙ୍କ ସିନ୍ଥାରେ ସିମନ୍ତିନୀ ଜଳୁଛି ।

 

: ରବି ! ହାଓ ଡୁ ୟୁ ଫିଲ୍‍ ?

 

ଓ.କେ...

 

: ବୋର୍‍ ଲାଗୁନି ତ !

 

ସିଷ୍ଟରଙ୍କ ବାଁ ହାତରେ କ’ଣ ଖଣ୍ଡେ ବହି ।

 

: ବୋର୍‍ ଲାଗିଲେ ବି କ’ଣ କରିବି ? ସିଷ୍ଟର, ମୋ’ ରୋଗ କ’ଣ ଆଉ ଭଲ ହେବନି-? ମୁଁ ଘରକୁ ଫେରିବିନି ?

 

: ତମେ ଡେଫିନଟ୍‍ଲି ଭଲ ହେବ...ଆଉ ଦିନେ, ଦୁଇଦିନ ବାଦେ ତମେ ତମ ଘରକୁ ଫେରିଯିବ ।

 

ଆଜି କାହିଁକି ସିଷ୍ଟର ମତେ ବେଶୀ ଆତ୍ମୀକ ମନେହେଲା । ତାଙ୍କରି ଆଳାପଟା ଅତି ଆତ୍ମୀୟ ଜଣାଗଲା ।

 

ତା’ପରେ । ରବି । ମୁଁ ଯାଉଛି । ଗୁଡ଼୍‍ ନାଇଟ୍‍...

 

: ସିଷ୍ଟର...

 

ସେ ଅଟକିଗଲେ ।

 

: ଦେଖି, କି ବହି ?

 

: କବିତା ।

 

: ତମେ କବିତା ପଢ଼ ସିଷ୍ଟର ? କାହିଁ ଦେଲ, ମୁଁ ପଢ଼େ...

 

ସିଷ୍ଟର ମୋ’ ସହ ଥଟ୍ଟା ଖେଳିଲେ...ନିଅ, ରବି, ତମେ ଇଂରାଜୀ ସାହିତ୍ୟର ଛାତ୍ର । ଏଇଟା କ’ଣ ସତ କି ଯେ ଫଷ୍ଟର...ତମର ଏଇ ବିଖ୍ୟାତ ନଭେଲିଷ୍ଟ ଇ.ଏମ୍‍, ଫଷ୍ଟର ରୋଗ ଯନ୍ତ୍ରଣାରୁ ସାମାନ୍ୟ ସାମୟିକ ଉପଶମ ପାଇଁ ଇଲିୟଟ୍‍ଙ୍କ କବିତା...ଏଁ...କି କବିତା...ଛି, ମନେପଡ଼ୁନି...

 

: ଜେରୋଣ୍ଟିଅନ୍‍, ହାଲୋମେନ୍‍ । ଏସ ଓ୍ୱେଡ଼ନ୍‍ସଡେ ? ଓ୍ୱେଷ୍ଟଲାଣ୍ଡ....

 

: ହଁ, ହଁ, ସେଇଟା, ଓ୍ୱେଷ୍ଟଲାଣ୍ଡ ପଢ଼ୁଥିଲେ....

 

: ଠିକ୍‍ କଥା । ମିଛ ନୁହେଁ ।

 

ସିଷ୍ଟର ଆଜି ଟିକେ ଖୁସି ମିଜାଜରେ ଥିଲେ । ଅନ୍ୟ ଦିନମାନ ପରି ବିଷଣ୍ଣ ଦେଖାଯାଉନଥିଲେ ।

 

ତା’ ପରଦିନ । ମେଘଢଙ୍କା ଅପରାହ୍ନ । ବୋଉ ଆଉ ରୁନି ମଧ୍ୟାହ୍ନ ଭୋଜନପାଇଁ ବାହାର କ୍ୟାଟିନ୍‍କୁ ଯାଇଛନ୍ତି । ମୋ’ ପେଟ ଭିତରେ ଭୀଷଣ ଯନ୍ତ୍ରଣା । ରୋଗୀମାନଙ୍କ କାନ ଠିଆ ଠିଆ ।

 

ଆରଘର । ସେଇ ପାର୍ଟିସନ୍‍ ପରର ରୁମ୍‍ । ଡ୍ୟୁଟି ରୁମରେ ସେମାନଙ୍କ ଖିଲ୍‍ ଖିଲ୍‍ ମନଖୋଲା ହସ । ମୋଠି ଯନ୍ତ୍ରଣା, ଘୃଣା । ମୁଁ ଉତ୍ତ୍ୟକ୍ତ ହେଲି । ରାଗିଲି, ଛଟପଟ ହେଲି । ଏପଟେ ଆମେ । ବେଡ଼୍‍ ଉପରେ ମୁଁ ଯନ୍ତ୍ରଣାରେ ମରି ଯାଉଛି । ସେଠି ସେମାନେ ତାସ୍‍ ଖେଳ, ହସ ଖୁସିରେ ମଜ୍ଜି ଯାଇଛନ୍ତି । ମୋ’ବେଡ଼୍‍ର ବାଁ କଡ଼କୁ ଶୋଇଥିବା ରୋଗୀ ଜଣକ ବାଡ଼ିରେ ଭରା ଦେଇ ମୋ’ ପାଖକୁ ଆସିଲେ । ମତେ ପାଣିଦେଲେ । ମୋ’ ବେଦନାର କାରଣ ଜାଣିଲେ । ଔଷଧ ଦେଲେ । ତଥାପି...ବି ଯନ୍ତ୍ରଣା ।

 

ମୁଁ ଶେଷ ହୋଇଯିବି କି ? ତାଙ୍କୁ ଅନୁରୋଧ କଲି, ଆଜ୍ଞା, ଯାଆନ୍ତୁ; ଡାକ୍ତରଙ୍କୁ ଡାକି ଆଣନ୍ତୁ...

 

ସେ ଗଲେ । ଖାଲି ହାତରେ ଫେରିଲେ ।

 

ମୁଁ କଷ୍ଟ ପାଇଲି । କାନ୍ଦିଲି । ସିଷ୍ଟର ଡ୍ୟୁଟି ସାରି ସେଇ ଅନ୍ୟ ଓ୍ୱାର୍ଡ଼ରୁ ଆମ ଓ୍ୱାର୍ଡ଼ଆଡ଼େ ଆସୁଛନ୍ତି । ମତେ ଆଶ୍ୱସ୍ତ ଲାଗିଲା । ସିଷ୍ଟର ମୋ’ ବେଡ଼୍‍ ପାଖକୁ ଆସିଲେ । ମୋ’ଦେହର ଟେମ୍ପର୍‍ଚର୍‍ ନେଲେ । ନାଡ଼ି ଚିପିଲେ....ବ୍ଲଡପ୍ରେସର୍‍ ରିଡ଼ିଙ୍ଗ୍ ନେଲେ । ପେଟ, ଛାତିରେ ହାତ ବୁଲେଇ ଆଣିଲେ । ମୋ’ ଶିରାରେ ମାର୍ଫିନ୍‍ ଖୁନ୍ଦିଲେ । ମୁଁ ଜାଣେନା–ତା’ପରେ କ’ଣ ହେଲା । ଅନେକ ରଙ୍ଗ ନେଇ ମୁଁ ଶୋଇଗଲି । କିଛି ଉପଶମ ମିଳିଲା–ମୋ’ ନିଦ ଭାଙ୍ଗିଲା । ବୋଉ ମତେ ଚାମଚରେ ଦୁଧ ପିଆଇ ଦେଲା । ମୋ’ ବୋଉର କୋଳରେ ଶୋଇବାପାଇଁ ଆଜି କାହିଁକି ଭୀଷଣ ଇଚ୍ଛା ହେଲା.....

 

ରୁନି ପଦାରୁ (ସମ୍ଭବତଃ ଅନ୍ୟ ଓ୍ୱାର୍ଡ଼ରୁ) ଫେରିଲା ।

 

: ଭାଇ !

 

: କ’ଣ ?

 

: ଦେଖିଲଣି–ଆମ ଗାଁର ସେଇ ଯେଉଁ ବିନା.....

 

: ବିନା ? ବିନା କିଏ ?

 

: ଆମ ଡ୍ରାମାରେ ଯିଏ ଗୀତ ଗାଉଥିଲା...

 

: ତେବେ, ହେଲା କ’ଣ ?

 

: ଆଜି ତା’ ତଳ ଓଠଟିକୁ କାଟି ଦିଆଗଲା–

 

: ରୁନି, ଏଣିକି ତୋର ବୁଲାବୁଲି ବନ୍ଦ । ୟାର ଆଉ କିଛି କାମ ନାହିଁ ? ୟାଡ଼େସ୍ୟାଡ଼େ ବୁଲି ବୁଲି ଦେଖୁଥିବ କା’ର ଓଠ କଟା ହେଲା, କା’ର ଗୋଡ଼ଟା କଟାଯିବ, କା ବାଁ ନାକରେ ବେଣ୍ଡେଜ୍‍ କରାଯାଉଛି...

 

ରୁନିଟା କାନ୍ଦିଲା ।

 

ହସ୍‍ପିଟାଲ୍‍ । ଯନ୍ତ୍ରଣା ।

 

ବିନା ! ଓଠ ନଚେଇ କେତେ ଗୀତ ଗାଇ ନଥିବ ! କେତେ ଅଜସ୍ର ଦର୍ଶକ କିମ୍ବା ଶ୍ରୋତାର ମନରେ ଫୁଲ ଫୁଟେଇ ନଥିବ ? ସେମାନଙ୍କ ଆଖିରେ ଲୁହ ଆଣି ନଥିବ ? କିନ୍ତୁ କାହିଁକି ସେ ମୂକ ହେବ ? ଗୀତ ଗାଇ ପାରିବନି ? ସଙ୍ଗୀତ କି ସୁଧା ଅନ୍ୟକୁ ଦେଇପାରିବନି । ନ ଦେଇ ପାରିବାର ଯନ୍ତ୍ରଣାରେ ସେ କ’ଣ ସନ୍ତୁଳି ହେବନି ? ବଞ୍ଚିବାପାଇଁ ଏତେ ଆର୍ଟିଫିସିଆଲ୍‍ଟିର ଆବଶ୍ୟକତା କ’ଣ ?

 

ସେଇ ସୌମ୍ୟକାନ୍ତ ଯୁବକ ଜଣକ–ସିଏ କ୍ରଚ୍‍ ସାହାଯ୍ୟରେ ଏଇ ଲମ୍ବା ଓ୍ୱାର୍ଡ଼ ଚଟାଣ ଉପରେ ଚାଲିଗଲେ । ତାଙ୍କରି ଗୋଡ଼ କେତେ ଗାଁ ଗଣ୍ଡା, ସହର-ନଗ୍ର ବୁଲି ନଥିବ । ସେ ଗୋଡ଼ ପ୍ରିୟାର ସନ୍ଧାନରେ କେତେ ଧାଇଁ ନଥିବ ? ଏ ପଙ୍ଗୁ ଗୋଡ଼ ନେଇ ସିଏ ବଞ୍ଚି ପାରିବେ ? ସେ ଆଜି ଧାଇଁ ପାରୁନାହାନ୍ତି ବୋଲି, ପ୍ରିୟାକୁ ଖୋଜି ପାରୁନାହାନ୍ତି ଭାବି ଭାବି ତାଙ୍କଠି କ’ଣ ଅନ୍ତର୍ଦାହ ଜଳିବନି ? ସିଏ କ’ଣ ଶେଷରେ ସେଇ ଆଦିମ ପାଉଁଶ ମୁଠେ ହେବେନି ?

 

ସେଇ କଲେଜ ଝିଅଟା ବୋଧହୁଏ । କାରଣ ତା’ ସାଥିରେ ଯେଉଁମାନେ ଥିଲେ ସେମାନେ ସମସ୍ତେ ମୁହଁରେ ରୁଜ୍‍ ବୋଳି ହୋଇଥିଲେ । ଅତର ଭିଜା ସବୁଜ ରୁମାଲ ଛାତିର ବ୍ଲାଉଜ୍‍ ତଳେ ରଖିଥିଲେ । ଆଜି ତାଙ୍କର ବାଁ ନାକ ପୁଡ଼ା ଅପରେସନ୍‍ ହେଲା...ସିଏ କ’ଣ ଗୋଲାପର ବାସ୍ନା ପିଇ ପାରିବେ ? ସନ୍ଦେହ । କେଜାଣି ?

 

ମୁହଁ ସଞ୍ଜ ବେଳ । ହସ୍‍ପିଟାଲ୍‍ ବାହାର ଜଗତରେ ପତଳା ରାତିଟା ବେଶ୍‍ ମନ ମତାଣିଆ ଜଣାଯାଉଥିଲା । ଭିତରେ ଆଲୋକମାନେ ଡେଙ୍ଗା ଡେଙ୍ଗା ଗଛପରି ଠିଆ ଠିଆ ହେଲେ-। ନିଦଟା ହଠାତ୍‍ ଭାଜିଛି ବୋଲି ମୁଁ ଏତେ ଆଲୁଅ ଦେଖିପାରିବିନି । ପାଣି ହାତରେ ବୋଉ ମୋର ଆଖି ପୋଛିଲା । ମୁଁ ଦେଖିଲି...ଡାକ୍ଟରଙ୍କ ସାଥିରେ ସିଷ୍ଟର ଆସୁଛନ୍ତି । ସେହି ଗମ୍ଭୀର ଚେହେରା, ବିଷଣ୍ଣ ମୁହଁ ।

 

ଡକ୍ଟର ମୋ’ ବୋଉକୁ (ଦୂରରେ) କିଛି କହିଲେ । କି କଥା ମୁଁ କିଛି ଜାଣିପାରିଲି ନାଇଁ-। ମୋ’ ବୋଉକୁ ଡକ୍ଟର କ’ଣ କହିଲେ, କି ଉପଦେଶ ଦେଲେ, ଜାଣିବାର ଅନେକ ଉତ୍କଣ୍ଠା ଥିଲେବି ମୁଁ ବୋଉକୁ ପଚାରିବା ପାଇଁ ଚାହିଁଲିନି । ବରଂ ଏଇ ନ ଜାଣିବା ଭିତରେ, ମୋ’ ନିଜ ଅଜାଣତରେ ଆଜି ଯଦି ମୃତ୍ୟୁ ମୋର ହୁଏ ମୁଁ ତ କିଛି ଜାଣିପାରିବିନି । ରାକେଟ୍‍ ଉପରେ ବିଞ୍ଛି ହୋଇ ପଡ଼ିଥିବା ସ୍ଲିପ୍‍, ବୋତଲ, ଟାବଲେଟ୍‍, ଡାଏଟ୍‍କୁ ସିଷ୍ଟର ସଜାଡ଼ି ରଖିଲେ ।

 

ଆଜି କିନ୍ତୁ ସିଷ୍ଟରଙ୍କ ପାଖରେ ଅଭିମାନ କରିବାପାଇଁ ଇଚ୍ଛାହେଲା । ଆତ୍ମୀୟତା କିଛି ମାତ୍ରାରେ ଘନୀଭୂତ ହେଲେ ଏପରି ହୋଇଥାଏ । ମୁଁ ମୁହଁ ଶୁଖେଇ ରହିଲି । ନିସ୍ତେଜ ଲାଗୁଛି–ଅଭିନୟ କଲି । ସିଷ୍ଟରଙ୍କ ମୁହଁ ପୂର୍ବଦିନ ଅପେକ୍ଷା ଆଜି ଅତି ମାତ୍ରାରେ ବିଷଣ୍ଣ, ପାଣ୍ଡୁର ଦିଶୁଛି । ମୁଁ ଅଭିଯୋଗ ବାଢ଼ିଲି–ସିଷ୍ଟର । ତମ ହସ୍‍ପିଟାଲରେ ଇଏ କୋ’ ଦେଶର ଏଡ଼୍‍ମିନିଷ୍ଟ୍ରେସନ୍‍ ? ଏଠି ମଣିଷ ପାଣି ମୁନ୍ଦେ ନ ପାଇ ମରି ଯାଉଥିବ, ଆଉ ଅନ୍ୟ କୋଠରୀରେ ହସ ଉଛୁଳି ଉଠିବ ? ତମେ ମତେ ଯା’ କୁହ । ମୁଁ ଆଜି ସୁପରିଟେଣ୍ଡଟ୍‍ଙ୍କୁ ରିଟେନ୍‍ ରିପୋର୍ଟ ଦେବି ।

 

ସିଷ୍ଟର ଶାସନ କରିବା ଠାଣିରେ ପଚାରିଲେ–କାହିଁକି ? କାହିଁକି ସେମାନଙ୍କ ବିରୁଦ୍ଧରେ ତମର ଏ ଅଭିଯୋଗ ? ତା’ପରେ ଅନ୍ୟ କଡ଼କୁ ସିଷ୍ଟର ମୁହଁ ବୁଲାଇ ନେଲେ । ଦେଖିଲି, ତାଙ୍କ ହାତରେ ବୁନ୍ଦାଏ ପାଣି ଝଲମଲ ହେଉଛି ।

 

ସିଷ୍ଟର ଏତେ କଡ଼ା କଥା କହନ୍ତି ବୋଲି ଆଜି ଜାଣିଲି । ତଥାପି ମୋ’ ଧାରଣା ଭୁଲ୍‍ । ସିଷ୍ଟର କା’ପ୍ରତି କେବେ ରାଗନ୍ତିନି, ମିସ୍‍ବିହେଭ କରନ୍ତିନି, କଡ଼ାକଥା କହନ୍ତିନି, ଆଘାତ ବି ଦିଅନ୍ତିନି-। ସମସ୍ତେ କହନ୍ତି–କାନରେ ରିଙ୍ଗ ନାଇଥିବା ସେଇ ସିଷ୍ଟରଟି ଭାରି ଗମ୍ଭୀର, ତାଙ୍କ ଓଠରେ ହସ ନାହିଁ, ମୁହଁରେ ଦୀପ୍ତି ନାହିଁ । କିନ୍ତୁ ସେ କିମିତି ଆଜି ରାଗିଗଲେ ? ସିଏ ତ ଜ୍ୟୋତ୍ସ୍ନା; ଚନ୍ଦ୍ର ହୋଇ କିମିତି ଅଲୌକିକ ସୂର୍ଯ୍ୟ ପାଲଟିଲେ !

 

ରବି ! ଆମେ ସିନା ହସିପାରୁନା । କିନ୍ତୁ ଯେଉଁମାନେ ମନ ଖୁସିରେ ହସିପାରୁଛନ୍ତି ତାଙ୍କ ବିରୁଦ୍ଧରେ ନିଜର ଅସୁବିଧା ହେଲା ବୋଲି କମ୍ପ୍ଲେନ୍‍ କାହିଁକି କରିବା ? ତାଙ୍କର ଏଇ କଥା କେଇ ପଦରେ କିଛି ଗଭୀର ଅର୍ଥ ଥିଲା । ତାଙ୍କର ଆଖିରୁ ନିଶବ୍ଦ ଲୁହଧାର ଗଡ଼ି ଆସିଲା । ମୋ’ ଆଖିର କଳା କଳା ଡୋଳା ଆର୍ଦ୍ର ହେଲା ।

 

ବ୍ୟବଧାନ ଭାଙ୍ଗିଗଲା । ଆମେ ନିକଟତମ ହେଲୁ । ଅଜଣାରେ ଉଭୟେ ଉଭୟଙ୍କ ନିକଟକୁ ଟାଣି ହୋଇ ଆସିଲୁ ।

 

: ସିଷ୍ଟର ! ତମେ କାନ୍ଦୁଛ ?

 

: ତମେ ଯେ କାନ୍ଦୁଛ...

 

: ଯେହେତୁ ତମେ କାନ୍ଦିଲ...

 

: ଆଚ୍ଛା, ମୁଁ ଆଉ କାନ୍ଦିବିନି...

 

ସିଷ୍ଟରକୁ ଅନୁରୋଧ କଲି ବସିବାପାଇଁ । ଅନ୍ୟ କୋଠରୀରେ ରାତି ଭୋଜନର ଆୟୋଜନ ବୋଉ କରୁଛି । ରୁନି ମୁହଁ ଶୁଖେଇ ବାଁ କଡ଼ ଟେବୁଲ ଉପରେ ବସିଛି । ୟାଡ଼େସ୍ୟାଡ଼େ ଦେଖୁଛି । ଛୋଟ ପିଲା । କିଛି ବୁଝିପାରୁନି । ମୃତ୍ୟୁ କ’ଣ ? ଏତେ ଅଳ୍ପ ବୟସରେ ସେ କିମିତି ବୁଝିପାରିବ ଏଇ ପୃଥିବୀର ମାନେ କ’ଣ ? ଜୀବନର ଅର୍ଥ କ’ଣ ? ମୃତ୍ୟୁର ବ୍ୟଥା କ’ଣ ?

 

: ସିଷ୍ଟର, ଏଇ ନର୍ସ ଜୀବନ ଭଲ ଲାଗୁଛି ?

 

: ନିଶ୍ଚୟ ! ବହୁତ ଭଲ । ସେ ସ୍ୱପ୍ନାବିଷ୍ଟ ହେଲାଭଳି ମନେହେଲା ।

 

: କିନ୍ତୁ...ମତେ ଏ ହସ୍‍ପିଟାଲରେ ଭୀଷଣ ଡର ମାଡ଼ୁଛି ।

 

: କିଛିଦିନ ବିତିଗଲେ ଡର କଟିଯିବ । ତେବେ...ତମେ ଡର କାହିଁକି ?

 

: ଯେହେତୁ ଏଠି ଖାଲି ମରଣ ।

 

: ତମେ କ’ଣ ଭାବୁଛ । ଏଠି ଜୀବନ ନାହିଁ ?

 

ମୁଁ ସିଷ୍ଟରଙ୍କ ପ୍ରଶ୍ନର କି ଉତ୍ତର ଦେବି, ଅଣ୍ଡାଳିଲେ ବି ପାଇଲିନି । ଚୁପ୍‍ ରହିଲି । କିଛି ସମୟର ଆଳାପ ପରେ । ନାଇଟ୍‍ ଡ୍ୟୁଟି ଥିଲା ବୋଲି ଫିମେଲ୍‍ ଓ୍ୱାର୍ଡ଼ ପଟକୁ ସିଷ୍ଟର ଚାଲିଲେ ।

 

ଦିନ ସାଢ଼େ ଏଗାର ବେଳକୁ ଆଉଥରେ ଡକ୍ଟର ଆସିଲେ । ଆଜି ସିଏ କିଛି ନୂଆ ନୂଆ ପ୍ରିସ୍‍କ୍ରିପ୍‍ସନ୍‍ ଦେଲେ । ଗତକାଲିପରି ବୋଉ ସହ କିଛି ଦୂରରେ ଠିଆହୋଇ ସେ କଥାବାର୍ତ୍ତା କଲେ । କ’ଣ ଇମିତି ଚୁପିଚୁପି କଥା ? ମତେ ଆରୋଗ୍ୟ କରିବାର କଥା !

 

: ବୋଉ, ଡାକ୍ତର କ’ଣ କହିଲେ ?

 

: କହିଲେ...କହିଲେ...ବୋଉ ଅଟକି ଯାଉଥାଏ । କିଛି ମୁହୂର୍ତ୍ତର ଭାବନା ପରେ ଉତ୍ତର ଦେଲା–ଡକ୍ଟର କହିଲେ...ଆମେ କାଲି ନତୁବା ତା’ ପରଦିନ ଫେରିଯିବା ।

 

ମତେ ଦୁଃଖ ଲାଗିଲା । ସବୁ ନିର୍ଲିପ୍ତ ମନେହେଲା । ମତେ ଜୁନାଗଡ଼କୁ, ମୋ’ ସହରକୁ ଫେରିଯିବାକୁ ପଡ଼ିବ । ମୁଁ ଭାବିପାରୁନି–ସିଷ୍ଟର ପାଖେ ପାଖେ ଥିଲେ, ଏଇ ହସ୍‍ପିଟାଲରେ ମରଣର ଶର ଶଯ୍ୟାରେ କି ଅନ୍ତିମ ତୃପ୍ତି !

 

ସିଷ୍ଟର ସର୍ବଦା ବିଷଣ୍ଣ ଦେଖାଯାନ୍ତି । ସିଷ୍ଟର କ’ଣ ପଥର ଅହଲ୍ୟା ? ଶାପଗ୍ରସ୍ତା ନାରୀପରି ! ଆଜି ସିଷ୍ଟର ରୋମାଣ୍ଟିକ୍‍ ପ୍ରଶ୍ନଟିଏ ପଚାରିଲେ, ରବି, ଆର୍‍ ୟୁ ମ୍ୟାରିଡ଼୍‍ ? ମୁଁ ହଁ କିମ୍ୱା ନାହିଁ କରିବା ପୂର୍ବରୁ ଠିକ୍‍ ସେଇ ପ୍ରଶ୍ନଟି ତାଙ୍କୁ ପଚାରିଲି । ସେ କାନ୍ଦିଲେ । ଅଶ୍ରୁଳ କାହାଣୀ କହିଲେ–ମୁଁ ବିବାହିତା...ମୋର ସ୍ୱାମୀ ଥିଲେ, ମୋର ପୃଥିବୀ ଥିଲା, ମୋର ଛୋଟ ପୁଅଟିଏ ବି ଥିଲା । ସେ ନାହାନ୍ତି, କୌଣସି ଏକ କାଳ ରାତ୍ରିର ଦୁର୍ଘଟଣାରେ ସେ ଚାଲିଗଲେ । ମୋର କେହି କେବେ ନ ଥିଲେ । ସିଏ ମତେ ରାସ୍ତା କଡ଼ରୁ ଗୋଟାଇ ନେଇଥିଲେ । ଭାବିଥିଲି, ମୁଁ ସାହାରା ପାଇଗଲି...କିନ୍ତୁ ୟେ କ’ଣ ହେଲା ? ମୋ’ ଆଶାବାଡ଼ି ହଜିଗଲା, ମୋ’ ପୃଥିବୀ ଜଳିଗଲା । ଆଉ ସେଇ ଜଳନ୍ତା ନିଆଁରେ ପାଣି ଛିଟା ଦେବାପାଇଁ ମୁଁ ମୋ’ ପୁଅକୁ ତମଠି, ତମପରି ରୋଗୀମାନଙ୍କଠି, ଏଇ ହସ୍‍ପିଟାଲ୍‍ର ପ୍ରତ୍ୟେକ ଗଳି କନ୍ଦିରେ ଖୋଜୁଛି...ତମେମାନେ ଆରୋଗ୍ୟ ହେଲେ, ଜୀବନ ପାଇଲେ ମୁଁ ତୃପ୍ତି ପାଉଛି, ତୃପ୍ତି ମତେ ଶାନ୍ତି ଦେଉଛି...ହସୁଛି...ଫେର୍‍ କାନ୍ଦୁଛି, ହସୁଛି । ଏମିତି ମୋ’ ହସ-କାନ୍ଦର ଜୀବନ ।

 

ଲୁହ । ଲୁହ–ଅନ୍ୟ ଦୁଃଖ ସହ ନିଜକୁ ସାମିଲ କରିବାର ଆଗ୍ରହ ।

 

ସିଷ୍ଟରଙ୍କ ଶୁଭ ମନାସିଥିଲି–ସିଷ୍ଟର, ଜୀବନରେ କଣିକାଏ ଶାନ୍ତି ପାଇବ ବୋଲି ନିଜକୁ ତମେ ତିଳ ତିଳ ସିଝେଇ ପାରୁଛ...ସ୍ମୃତିକୁ ପାସୋରିବନି ବୋଲି ପଥର ଉପରେ ଅଭିମାନ କରୁଛ...ନିଜକୁ ସନ୍ତୁଳି ପରର ଜୀବନରେ ଅମୃତ ସିଞ୍ଚୁଛ...ଅନ୍ୟପାଇଁ ଯାହାକିଛି ନିଜରକୁ, ନିଜକୁ ଅକାତରରେ ଦାନ ଦେଇପାରୁଛି...ଦାନୀ ହୋଇ ବଳି ହେଲେ ଲାଭ କ’ଣ ? ଖାଲି ପାତାଳ ପୁରୀକୁ ସିନା ଯିବ କିନ୍ତୁ ସ୍ୱର୍ଗ ପାଇବନି ।

 

ସିଷ୍ଟରଙ୍କୁ ଅନୁରୋଧ କରିଥାନ୍ତି ପୁନର୍ବାର ବିବାହ କରି ନିଜର ପୃଥିବୀ ଗଢ଼ିବାପାଇଁ । କିନ୍ତୁ ଏ ମହାନ୍‍ ଆଲୋକ ପାଖରେ ନିଜକୁ ମୁଁ ଅନ୍ଧକଲି, ତାଙ୍କ ଭରସି ଚାହିଁ ପାରିଲିନି ।

 

ଆଜି ହସ୍‍ପିଟାଲରେ ରହଣିର ଏକାଦଶ ଦିବସ । ସିଷ୍ଟର ପାଣିବେସିନ୍‍ ନେଇ ଆସିଲେ । ମୋ’ ମୁହଁ ଧୋଇଦେଲେ...ପାଟିରେ ଚକୋଲେଟ୍‍ଟିଏ ଗୁଞ୍ଜିଦେଇ କାନ୍ଦିଲେ । ମୁଁ କିଛି ବୁଝିପାରିଲିନି । ସିଏ କ’ଣ ଜନ୍ମ ହୋଇଛନ୍ତି, ବଞ୍ଚିଛନ୍ତି ଅନ୍ୟପାଇଁ ନିଜ ରକ୍ତକୁ ଲୁହ କରି ଖାଲି କାନ୍ଦିବାପାଇଁ ?

 

: ରବି ।

 

: କ’ଣ ?

 

: ସିଷ୍ଟର କିଛି କହିପାରୁ ନାହାନ୍ତି । କ’ଣ କହିବେ କହିବେ ବୋଲି ବ୍ୟାକୁଳ ହେଉଛନ୍ତି । ତାଙ୍କର ଆଖିରେ କୁଢ଼ କୁଢ଼ ଭୟ । ମୁହଁରେ କିଛି ନୂଆ ନୂଆ ଅନ୍ଧାର ।

 

: ରବି !

 

: ଉଁ, ମୁଁ ବିରକ୍ତ ହେଉଥିଲି । କାହିଁକି ଏତେ ମୁଖବନ୍ଧ ?

 

: ରବି ।

 

: କୁହ, କ’ଣ କହିବ ?

 

: ହଁ...ସିଷ୍ଟର ଯିମିତି ବ୍ୟଥା ଅନୁଭବ କରୁଛନ୍ତି ।

 

: ରବି !

 

ମୁଁ ଏଥର ସତରେ ରାଗିଗଲି । ଚୁପ୍‍ ହେଲି । ଦେଖିଲି, ବୋଉ ମୁହଁରୁ ଯିମିତି ଶେଷ ଫଗୁଣ ଆତ୍ମହତ୍ୟା କଲା । ରୁନିର ଡବଡବିଆ ଆଖିରେ ଶୂନ୍ୟ ଚାହାଣି ।

 

: ରବି ! କାଲି ଅପରେସନ୍‍ । କି କରୁଣ ତାଙ୍କ ମୁହଁ । କି ଆର୍ଦ୍ର, ଶିକ୍ତ ତାଙ୍କ ଆଖି ।

 

: କାହାର ?

 

: ସିଷ୍ଟର କିଛି କହିଲେନି ।

 

: ନା, ନା, ମୋର ଅପରେସନ୍‍ ଦରକାର ନାହିଁ । ମୁଁ ଏଠୁଁ ଚାଲିଯିବି ବୋଉ । ମତେ ତମେ ଛାଡ଼ିଦିଅ । ବୋଉ, ମତେ ନେଇଚାଲ...ଏମାନେ ମତେ ସବୁ ମାରିଦେବେ...ମୁଁ ଉତ୍ୟକ୍ତ ହେଲି । ଅହେତୁକ ଭୟରେ ଚିତ୍କାର କଲି । ମୋ’ କ୍ରନ୍ଦନରେ ସେଇ ଲମ୍ୱା ଓ୍ୱାର୍ଡ଼ଟି ଚମକିଗଲା ।

 

ମୋ ଭିତରୁ ଆଉ କିଏ ଡମ୍ବୁରୁ ବଜାଇ ଘୋଷଣା କଲା–ମୁଁ ଏଇ ହସ୍‍ପିଟାଲ୍‍ରୁ ମୁକ୍ତି ଚାହେଁ । ଅପରେସନ୍‍ ଥିଏଟରରେ ଭଷ୍ମାସୁରର ଆଖି ଭଳି ଜଳୁଥିବା ହଜାର ହଜାର ଭୋଲ୍‍ଟର ଆଲୁଅରୁ ମୁକ୍ତି ଚାହେଁ । ଓଃ...ଏତେ ରକ୍ତ, ଏନାସ୍ଥେସିଆ...ଚିକ୍‍ ଚିକ୍‍ ଛୁରି, କତୁରୀ, ନିଡ଼ଲ୍‍ ସ୍କାଲପେଲ୍‍...ଷ୍ଟେରିଲାଇଜଡ୍‍ ଇନ୍‍ଷ୍ଟ୍ରୁମେଣ୍ଟ । ଗଦା ଗଦା ସନ୍ତର୍ପଣ ଆଖି । ସତର୍କତାର ଅଙ୍ଗୁଳି ମାଳ...ମୋ ଦେହରେ ଅସ୍ତ୍ର ପୂରେଇ ମୋ’ଠୁଁ, ମୋ’ ଦେହରୁ ଯନ୍ତ୍ରଣାକୁ କାଢ଼ିନେବ...ମୋ’ଠୁଁ ଜୀବନ ନେଇ ମତେ ମୃତ୍ୟୁ ଦେବ...ଯନ୍ତ୍ରଣା ମଧ୍ୟରେ ଜୀବନ ମୋର କାମ୍ୟ । ଅଦିନରେ ମରଣ ନୁହେଁ...ମୋର ଜୀବନ ଦରକାର । ମୁଁ ଜିଇଁବି...ସିଷ୍ଟର । ବୋଉ ତମେ ସମସ୍ତେ ମତେ ମୁକ୍ତି ଦିଅ...ଜୀବନ ଦିଅ....

 

ସବୁ ବ୍ୟତିକ୍ରମ...ଓଲଟ୍‍ପାଲଟ୍‍ । ଆକାଶରେ କୁମ୍ଭୀର ଉଡ଼ିଲା, ମୁକ୍ତା ଖୋଜିବେ ବୋଲି ବିହଙ୍ଗମ ଦଳ ସମୁଦ୍ରର ଭିତରକୁ ଭିତରକୁ ପଶିଲେ । ମୋ’ ଧୈର୍ଯ୍ୟ ଟୁକୁରା ଟୁକୁରା ହେଲା । ଚୂଡ଼ ନାଚିଲା । ମରୁଦ୍ୟାନର ଛାତିରେ ବାଲିର ପାହାଡ଼ ମୁଣ୍ଡ ଟେକିଲା । ପାହାଡ଼, ଗଛ ନଈ ପରସ୍ପରକୁ ଗପ କହିଲେ । ମୋର ସବୁ ଭାରସାମ୍ୟ ଦୋହଲିଗଲା । ଅନ୍ଧାର ଘୋଟିଲା । ସୂର୍ଯ୍ୟ ମଲା । ଚନ୍ଦ୍ର ତାରା ଆକାଶର ଦୋଳିରୁ ଦୁଲ୍‍କିନା ଡେଇଁ ପୃଥିବୀ ମାଟିରେ ଆତ୍ମହତ୍ୟା କଲେ ।

 

ଡକ୍ଟର ହଠାତ୍‍ ଝଡ଼ପରି ଆମ ଓ୍ୱାର୍ଡ଼କୁ ଦୌଡ଼ି ଆସିଲେ । ମତେ ନାନା ଅବଧୂତ ବାଣୀର ତୁଚ୍ଛା ସାନ୍ତ୍ୱନା ଦେଲେ ।

 

: ଆପଣ ବ୍ୟସ୍ତ ହୁଅନ୍ତୁନି...ଅପରେସନ୍‍–ଏ’ ମେଟର୍‍ ଅଫ୍‍ ଫାଇବ୍‍ ମିନିଟସ୍‍ ଓନ୍‍ଲି ।

 

: ନା...ନା...ମୁଁ ଚିଲେଇ ଉଠିଲି ।

 

ଏଣୁ ମତେ ନିଥର ରାତି କରି ଦିଆଗଲା । ରାତିର କେଉଁ ପ୍ରହର, ମୁଁ ଜାଣିପାରୁନି ।

 

କେଉଁ ମାଟି, ଆକାଶ, ପବନରୁ ମୁକ୍ତି ପାଇ ମୃତ୍ୟୁ ଆସିବ ! ତା’ ଶୀତଳ ହାତ ମୋ’ ଅଷ୍ଟାଙ୍ଗ ଶରୀରରେ ବୁଲିଯିବ...ମୁଁ ଚାଲିଯିବି...

 

ବାହାରେ ସହରଟା ବେଶ୍‍ ଶାନ୍ତିରେ ଶୋଇଯାଇଛି । ପବନମାନେ ରତିକ୍ଳାନ୍ତ ପୁରୁଷପରି ନିସ୍ତେଜ ଜଣାଯାଉଛନ୍ତି ।

 

ହସ୍‍ପିଟାଲରେ ଅନ୍ଧାର । ଅନ୍ଧାର, ଜଗନ୍ନାଥଙ୍କ ଚକା ଡୋଳା । ମହମବତିର କ୍ଷିଣଆଲୁଅ । ମୃତ୍ୟୁ ଆସୁଛି । ମତେ ସେ ଝାପ୍‍ସା ଦେଖାଯାଉଛି ।

 

ସ୍ୱପ୍ନ...ଅତିଶୟ ଚିନ୍ତାର ଉଦ୍ବେଳନ, ଉଦ୍‍ଗିରଣ ।

 

ମନର ପ୍ରପାତରୁ ତଳକୁ ତଳକୁ ଗଡ଼ି ଆସୁଥିବା ଚିନ୍ତନର ନଈରେ ସ୍ୱପ୍ନର ତ୍ରିଧାରା ।

 

ପ୍ରଥମ । ମଇଁଷିର ମାଂସାଳ ପିଠିରେ କଳା ମଚ ମଚ ଉଲଗ୍ନ ପୁରୁଷ । ଏଡ଼େ ଏଡ଼େ ଶିଙ୍ଘ ନେଇ ସେ ମୋ’ଆଡ଼କୁ ଆସୁଛି । ମୋ’ କଲିଜାକୁ ତା’ ଶିଙ୍ଘ ଫଟେଇ ଦେବ...ମତେ ମାରିଦେବ । ରକ୍ତ ବୋହିବ । ମୁଁ ଆଖି ବୁଜି ଦେଉଛି ଲାଜରେ, ଘୃଣାରେ, ଭୟରେ । କେଡ଼େ ଅଶ୍ଳୀଳ ସେ ଉଲଗ୍ନ, ପୁରୁଷାକି ବିଭତ୍ସ ତା’ ହାଣ୍ଡିକଳା ରୂପ । କେତେ ବିକଟାଳ ତା’ ଗତି...

 

ଦ୍ୱିତୀୟ । ସେ ନାରୀ ମୋ’ ଚାରିପାଖରେ ଦୌଡ଼ୁଛି । ମୋ’ ଘରେ ଧସେଇ ପଶିବାପାଇଁ ବାଟ ପାଉନି । ହାତେ ଲମ୍ବର ଲାଲ୍‍ ଟହ ଟହ ଜିହ୍ୱା ଛାତି ଉପରକୁ ଲମ୍ବି ଯାଇଛି...କଳା ଶାଢ଼ି, କଳା ମୁହଁ, କଳା ଚୁଡ଼ି । ସବୁ ଯିମିତି ଖାଲି କଳା, ଖାଣ୍ଟି କଳା; କେତେ ଅନ୍ଧାର ତା’ ଗ୍ରନ୍ଥିରେ ଗ୍ରନ୍ଥିରେ...ମତେ ଭୟ ମାଡ଼ୁଛି...ମୋ ବୋଉର ଦେହଆଡ଼କୁ ମୁଁ ହାତ ବଢ଼ାଉଛି...ମୋ ବୋଉ ନିଦରୁ ଚାଇଁକିନା ଉଠିବ...ସେ ସ୍ତ୍ରୀଲୋକଟି ଚାଲିଯିବ ।

 

ତୃତୀୟ । ଅଗନାଅଗନି ବନସ୍ତର ସେଇ ଶିଉଳି ଲଗା ଭଙ୍ଗା ମନ୍ଦିରର ପ୍ରାଙ୍ଗଣ...ସ୍ଥିତି ନାହିଁ, ଅସ୍ତିତ୍ୱ ନାହିଁ କାହାରି ହେଲେ...ସମସ୍ତେ ଶୂନ୍ୟରୁ ଝୁଲୁଛନ୍ତି...ଚଉଦିଗ ବ୍ୟାପୀ ଆକାଶୀ ଶୂନ୍ୟତା...ମୋ’ ସ୍ୱର ମୋ’ ପାଖକୁ ଫେରିଆସୁଛି । ମୁଁ କାନ୍ଦୁଛି । କାଳସର୍ପ ମୋ’ ଦେହ, ହାତ, ଗୋଡ଼ ସବୁ ଛନ୍ଦିଦେଲା...ମୁଁ ବନ୍ଦୀ ହେଲି...ନିରୁପାୟ ହେଲି...ସେମାନେ ଦି’ଜଣ (ଯା ମୁଣ୍ଡରେ ମୁନିଆ ମୁନିଆ ଶିଙ୍ଘ ଛତି ମେଲିଛି) ମୋ’ ବେକରେ କରତ ଥୋଇଲେ...କରତ ଚାଲିଲା...ମୁଁ ଯନ୍ତ୍ରଣା ପାଇଲି...ଉପାୟ ଶୂନ୍ୟ ହୋଇ କଇଁ କଇଁ କାନ୍ଦିଲି ।

 

: ଓଃ...ବୋଉ...ସିଷ୍ଟର...

 

ମୋ ନିଦ ଭାଙ୍ଗିଗଲା । ସ୍ୱପ୍ନମାନେ ଫଡ଼୍‍ ଫଡ଼୍‍ ଫୁର୍‍ରକିନା ଉଡ଼ିଗଲେ...ମୁଁ ବ୍ୟଥାତୁର ହୋଇ ଧକେଇ କାନ୍ଦିଲି ।

 

ମୋ’ ଗାଲରେ–ଲୁହ ଶୁଖି ଯାଇଛି; ନୂଆ ଲୁହଧାର ବୋହୁଛି । ଗୋଟାପଣେ ମୁଁ ଥରୁଛି...ଦୁର୍ବଳ, ହାଡ଼ୁଆ ହାତ ପାପୁଲିରେ ଶେଯ ଅଣ୍ଡାଳୁଛି...ମୋ’ ବୋଉ ଆଖିରେ ଭୟଙ୍କର ରୌଦ୍ରରୂପୀ ଭୟ, ରୁନି କାନ୍ଦୁଛି ।

 

ମୋ’ କାନ୍ଦୁଣୁ ମାନ୍ଦୁଣୁ ସ୍ୱର । ଭୟାତୁର ପ୍ରଚଣ୍ଡ ଗର୍ଜନ । ସିଷ୍ଟରଙ୍କ ଡାକ ବାଜିଲା । ସେ ପ୍ରଳୟର ସୁଅପରି ମୋ’ ଦୀର୍ଘ ଓ୍ୱାର୍ଡ଼କୁ ପୁଣି ଆସିଲେ ।

 

ସିଷ୍ଟରଙ୍କ ହାତ ଜାବୋଡ଼ି ଧରି କାନ୍ଦିଲି । ମିନତି କଲି–ସିଷ୍ଟର ! ମତେ ମୋ’ ସହରକୁ ନେଇଚାଲ । ନିଅ, ଚାଲ୍‍ ବୋଉ, ଉଠ୍‍ । ଆ’ ରୁନି...

 

ମୁଁ ସିଷ୍ଟରଙ୍କ ହାତ ଜବରଦସ୍ତ ଟାଣି ଆଗକୁ ଆଗକୁ ଦୌଡ଼ିଲି...ଅନେକ ବ୍ୟଥାତୁର ରୋଗୀଙ୍କ ନିଦ୍ରା ତୁଟିଲା । ପରେ ପରେ–ମୁଁ ଖଟର ବାଡ଼ା ଝୁଣ୍ଟି ଚଟାଣ ଉପରେ ପଡ଼ିଗଲି । ସିଷ୍ଟର ମତେ ହାତ ଧରି ଉଠାଇଲେ । ମୋ’ ଅଙ୍ଗରୁ ତଳର ଧୂଳି, ଡେଟଲ ବାସ୍ନା ଝାଡ଼ିଦେଲେ ।

 

ମନ୍ତ୍ରବତ୍‍ ସିଷ୍ଟର ମୋ’ ହାତ ଧରିଲେ । ମତେ କୁଣ୍ଢାଇ ଧରିଲେ...ମୁଁ ବ୍ୟସ୍ତ ହେଉଥିଲି ହସ୍‍ପିଟାଲ୍‍ର ଚଉହଦି ପାର ହେବାପାଇଁ ।

 

: ଆମେ ଯାଉଛୁ–ତମେ ଆସ, ମା’...

 

ବୋଉ କିଛି ବୁଝିପାରିଲାନି । ସ୍ଥାଣୁ ପାଲଟିଲା । ରୁନି ପଛରୁ କାନ୍ଦିଲା । ବୋଉ, ଭାଇ ଯେ ଚାଲିଯାଉଛନ୍ତି...

 

ମୁଁ ଧାଇଁବାକୁ ଚେଷ୍ଟାକଲି । ସିଷ୍ଟର ମତେ ହାତଛଡ଼ା କଲେନି । ଆମେ ଗେଟ୍‍ ପାର ହେଲୁ ।

 

ଆଗରେ (ଆମ ସାମ୍ନାରେ) ଘନୀଭୂତ ଅନ୍ଧାର । ପଛରୁ ହସ୍‍ପିଟାଲ୍‍ର ଆଲୋକ ଆମକୁ ଡାକୁଛି ।

 

: ରବି ! ତମେ କ୍ଳାନ୍ତ । ତମେ ବିଶ୍ରାମ ନିଅ । ବୋଉ ଆଲୁଅ ଧରି ପଛରେ ଆସୁଛନ୍ତି-। ସିଏ ଆସନ୍ତୁ । ଆଲୁଅ ନେଇ ଆମେ ସମସ୍ତେ ତମ ସହରକୁ ଫେରିଯିବା ।

 

ମୋର ଘୁମନ୍ତ ଆଖିପତା ନିଦରେ ଘୁମେଇ ପଡ଼ୁଥିଲା ।

 

ହସ୍‍ପିଟାଲ୍‍ ଗେଟ୍‍ ସାମ୍ନା ରଙ୍ଗମାଟିଆ ଧୂଳିପୂର୍ଣ୍ଣ ପଥୁରିଆ ରାସ୍ତା ଉପରେ ସିଷ୍ଟର ଗୋଡ଼ ଲମ୍ବେଇ ବସିଲେ ।

 

: ରବି, ମୋ’ କୋଳରେ ତମେ ଶୁଅ...

 

ମୁଁ ତାଙ୍କରି ବାହୁର ଚଉଡ଼ା ପରିଧି ଭିତରେ ଛନ୍ଦି ହେଲି, ବନ୍ଦୀ ହେଲି । ତାଙ୍କରି କୋଳରେ ବସିଲି । ଛାତି ଉପରେ ମୁଣ୍ଡ ଥୋଇ ସ୍ୱସ୍ତିରେ ଘୁମେଇ ଗଲି ।

Image

 

ଚତୁର୍ଥ ଛିନ୍ନ ପୃଷ୍ଠା

 

ସିଏ ମତେ ତା’ ବଗିଚାକୁ ଡାକିଲା । ଫୁଲ ତୋଳିବାକୁ ଅନୁରୋଧ କଲା । ମୁଁ ଚାହିଁଲିନି, ଫେରିଆସିଲି । ଇଏ ସବୁ ସେଦିନର କଥା ।

 

ଆଜି ତା’ ବଗିଚାରେ ଫୁଲ ସାଉଁଟିବାକୁ ଭୀଷଣ ଇଚ୍ଛା ହୁଏ । ତା’ ଘରକୁ ଗଲି । ଦେଖିଲି, ପ୍ରହରୀ, ଜଗୁଆଳଙ୍କ ଘେରରେ ଫୁଲ ବଗିଚାର ରାସ୍ତା ବନ୍ଦ । ଆଉ ତା’ ଚାରିପାଖରେ ଉଚ୍ଚା ଉଚ୍ଚା ପାଚେରୀ । ସାହସ କୁଳାଇଲାନି, ଫେରିଆସିଲି । ନିଜଘର ଝରକା-ରେଲିଂ ନେଇ ତା’ ଫୁଲ ଦିଗରେ ଆଖି ବଢ଼ାଉଛି । ଖୋଜୁଛି । କିନ୍ତୁ ସିଏ କିମ୍ୱା ତା’ ଫୁଲ ଦେଖାଯାଉ ନାହାନ୍ତି । ବାସ୍ନା ଶୁଙ୍ଘି ଶୁଙ୍ଘି ଅନ୍ୱେଷଣ ଆରମ୍ଭୁଛି ।

 

ଏଇ ସହରରେ ତା’ସହ ମୋର ଆତ୍ମୀୟତା ଅଳ୍ପ କେଇ ଦିନର ମାତ୍ର, ନିଜକୁ ମୁଁ ତା’ ଆଗରେ ଖୋଲି ଦେଇପାରିଥିଲି ବୋଲି ମୋର ସବୁକଥା ତାକୁ ଭଲଲାଗିଥିଲା । କାରଣ, ସେ ଅନେକ ସମୟରେ କହେ–ଆପଣଙ୍କୁ ଦେଖିଲେ ମତେ ଦୁଃଖ ଲାଗେ । ଏଇ ସହରରେ ସମସ୍ତେ କୁଟିଳ, ଜଟିଳ । ଏଇ ଜଟିଳତା ଭିତରେ ଆପଣ କେମିତି ଏତେ ସରଳ ହୋଇପାରୁଛନ୍ତି । ଆପଣଙ୍କ ସରଳତାର ସୁଯୋଗ ନେଇ ସମସ୍ତେ ଆପଣଙ୍କର ଅନିଷ୍ଟ ପାଞ୍ଚିବେ । ଶେଷରେ ଆପଣଙ୍କ ପାଇଁ ସବୁକିଛି ଦ୍ୱିତୀୟ ସହର ହୋଇପଡ଼ିବ...ଏମିତି ଅନେକ କିଛି ।

 

ତଥାପି ସେ ମତେ ଭଲଲାଗିଥିଲା ।

 

ଏଇ ତଥାପିରେ ଅନେକ ବିଶ୍ଳେଷଣ, ବିଶେଷତ୍ୱର ଫୁଲ ଫୁଟେ ।

 

ସେ ଦେଖିବାକୁ ସୁନ୍ଦରୀ ନୁହଁ । ଢିମା ଢିମା ଆଖି, ଅଣ୍ଟା ମୋଟି, ନାକଟା ସାମାନ୍ୟ ତଳକୁ ଦବି ଯାଇଛି । ଚାଲିଲେ ବି ଝୋଟି ଫୁଟେନି । ତଥାପି, ମୁଁ ଜାଣିପାରେନା ମୁଁ କାହିଁକି ତାକୁ ଏତେ ଭଲପାଉଥିଲି । ତାକୁ ଏତେ ନିଚ୍ଛକ ନିଜର ଭାବୁଥିଲି ।

 

ନଈସୁଅ ଭିତରେ ବୁଡ଼ାଳି ସାଜି ବାଲିକୁ ଆଞ୍ଜୁଳା କରି ପାଣି ଉପରକୁ ଉଠିଲା ଭଳି ତା’ର ପ୍ରତିଟି ଅଣୁରେ ମୁଁ ନିଜକୁ ଖୋଜିଥିଲି । ନିଜକୁ ପ୍ରଶ୍ନ କରିଥିଲି–କ’ଣ ଏଇ ଦୁନିଆ ଖାଲି ରୂପର, ମାଂସର, ଚମଗୌରୀ ସୌନ୍ଦର୍ଯ୍ୟର ପୂଜାରୀ ? ଏଇଠି ଯାର ବପୁ ମୋଟା, ରଙ୍ଗ କଳା ତା’ଠି କ’ଣ ସୌନ୍ଦର୍ଯ୍ୟ ନାହିଁ ? ଅନେକ କୁଟିଳ ପ୍ରଶ୍ନବାଚୀ ଏବଂ ତା’ର ସମୀକ୍ଷା ପରେ ମୁଁ ପାଇଥିଲି–ସିଏବି ସୁନ୍ଦରୀ, ତା’ଠି ବି ସୌନ୍ଦର୍ଯ୍ୟ ଅଛି, ପୁରୁଷକୁ ହାତ ମୁଠାରେ ରଖି ମନ କିଣିନେବା, ହୃଦୟ ଜିଣିନେବାର ଉପାଦାନ ବି ଅଛି । ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହେବାର ଇଚ୍ଛାକୁ ଯଦି ପ୍ରେମ କୁହାଯାଇପାରେ, ନିଜ କଥା ଅନ୍ୟକୁ ନିଃସଙ୍କୋଚରେ କହିବାର ଆବଶ୍ୟକତାକୁ ଯଦି ପ୍ରୀତି କୁହାଯାଇପାରେ, ତେବେ ସିଏ କାହିଁକି ଅନ୍ୟଦ୍ୱାରା ଆଦୃତ ହେବନି, ତାକୁ କାହିଁକି କିଏ ଜଣେ ପ୍ରେମ କରିବନି ?

 

ତା’ପରେ ମୁଁ ଜାଣେନା–କିଏ ମତେ ଉତ୍ତେଜନା ଦେଲା ତାକୁ ଭଲପାଇବାକୁ ? ମୁଁ ତାକୁ ଭଲପାଇଲି । କିନ୍ତୁ ତାକୁ ଚିହ୍ନିପାରିଲି ନାହିଁ । ଘନ ବସନ୍ତର ସବୁଜିମା ନେଇ ମୁଁ ତାକୁ ଚାହିଁଲି-। ସେ ମତେ ଭଲଲାଗିଲା ।

 

ତା’ ସହିତ ମୋର ସମ୍ପର୍କ, ମୋର ଘନିଷ୍ଠତା ତିନୋଟି ଛିନ୍ନ ପୃଷ୍ଠାର ସମାହାର । ମୁଁ ଚତୁର୍ଥ ପୃଷ୍ଠା ଖୋଜୁଛି । ଯଦି ପାଇଯାଏ ତାକୁ ଚିରି ମୋ’ ବାଡ଼ିର ଆମ୍ୱଗଛ ତଳେ ସମାଧି ଦେବି । ସେ ରାତିହେଲେ ଜିଇଁ ଉଠିବ, ମୋର ବେଡ଼୍‍ରୁମ୍‍କୁ ଆସିବ । ମୋ’ ସ୍ତ୍ରୀର ବାହୁ ମୋ’ ଛାତିରେ ଗୁଡ଼ାଇ ହୋଇ ରହିଥିଲେ ବି ମୁଁ ନିଜ ବାହୁରେ ସେ ଚତୁର୍ଥ ପୃଷ୍ଠାକୁ ତୋଳି ନେବି, ତାକୁ, ବୋକ ଦେବି ଏବଂ ସକାଳ ପୂର୍ବରୁ ଅନ୍ୟଦିନପରି ଫେର୍‍ ତାକୁ ସେଇ ଆମ୍ୱଗଛ ମୂଳରେ କବର ଦେବି । ମାଟି ରାମ୍ପୁଡ଼ି ସେ ସ୍ଥାନକୁ ସମତଳ କରିବି ଏବଂ ନିଜ ସ୍ତ୍ରୀକୁ ବିଛଣାରୁ ଉଠେଇ ଫରମାସ ଦେବି । କଲେଜ ଦଶଟାରେ ଯିବି...ଯାଅ...ଶେଯ ଛାଡ଼...

 

ଚତୁର୍ଥ ପୃଷ୍ଠାପାଇଁ ନିଜଠି ଏତେ ବ୍ୟାକୁଳତା ଥିବାରୁ ମତେ ସବୁ ନିରସ ଲାଗୁଛି, ମୁଁ ଦେଖୁଛି–ମୋ’ ଚତୁର୍ଦ୍ଦିଗରେ ଶବମାନେ ଟୁପୁର୍‍ଟାପର୍‍ ହେଉଛନ୍ତି–ସତେମ ଏ ଜୁଇ ହାଣ୍ଡିରୁ ନିଆଁ ଝୁଲ ଭଲା ଦାଉ ଦାଉ ହୁଅନ୍ତା ! ତେବେ ଯାଇଁ ଶବମାନେ ପୋଡ଼ିଯାନ୍ତେ ଏବଂ ଆମେ ଅଶରୀରୀ ପାଉଁଶ ହୋଇ ବାରୁଣୀ ବୁଡ଼ପାଇଁ ତ୍ରିବେଣୀର ବାଟ ଧରନ୍ତୁ । ଶେଷରେ ଶରୀର ମୁକ୍ତି ପାଆନ୍ତା, ଆତ୍ମା ପରିତ୍ରାଣ ପାଆନ୍ତା ।

 

ତା’ ସହିତ ଆତ୍ମୀୟତାର ଛିନ୍ନ ପୃଷ୍ଠାମାନେ ପବନରେ ଦୋଳି ଖେଳୁଛନ୍ତି ଏବଂ ମୋ’ ପତ୍ନୀର ମୁହଁରେ ସାଦାକାଗଜରେ ରଙ୍ଗ ଲେପି ହେଉଛି ।

 

ମୋ ସ୍ତ୍ରୀର ବେରଙ୍ଗି ମୁହଁକୁ ଦେଖିଲେ ମତେ ଭାରି ଖୁସି ଲାଗେ । କାରଣ ମୋ’ ଘରୁ ତା’ ଶୂନ୍ୟ କାଚ ଫ୍ରେମ୍ ବିଦାୟ ନେଲାଣି ଏବଂ ମୋ’ କବିତାରୁ ତା’ ନାମ ମଧ୍ୟ କୌଣସି ଅଜଣା ଟ୍ରେନରେ ଯାତ୍ରୀ ପାଲଟିଲାଣି । ମୋ’ ସ୍ତ୍ରୀ ଆନନ୍ଦିତ (ଯଦିଓ ତା’ ମନ ଆଉ ମୁହଁ ଶେତା ଶେତା) ଯେ ସିଏ ଆଉ ମୋ’ ଘରର ଛପର ଛାତରେ ଘରଚଟିଆ ହୋଇ ରାତି କିମ୍ୱା ଦିନରେ ଉଡ଼ିବନି ଏବଂ ଆମ ଘରର ବାଡ଼ିପଟର ଆମ୍ୱଗଛ ଶାଖାରେ କୋଇଲି ହୋଇ ଶ୍ରାବଣର ଧାରାରେ ଫଗୁଣର କୁହୁତାନ ଆଣିବନି । କିନ୍ତୁ ତା’ ମନ ଫିକା ।

 

ମୁଁ ଏ ଭିତରେ, ଏ ସହରରେ ଆଗପରି ଆଉ ସରଳ ହୋଇ ନାହିଁ । ମୁଁ ଭାବିଥିଲି ସିଏ ମତେ ପ୍ରେମ ଶିଖେଇବ, କାବ୍ୟିକ ସୃଷ୍ଟିପାଇଁ ଉତ୍ତେଜନା ଦେବ । ସିଏ ଶିଖାଇଲା, ଦେଲା ଏବଂ ସମ୍ଭବତଃ ଭୁଲ୍ କରିଥିଲା ଯେ ମୋ’ ହାତଧରି ସେ ହାଟ ବଜାର ବୁଲେଇ ଆଣିଥିଲା । ସେଦିନ (ବାରଟା ଠିକ୍ ମନେ ନାହିଁ) ମତେ ତା’ସହ ବଜାର ବୁଲିଯିବା ପାଇଁ ସେ ଜିଦ୍‍ କଲା, ଜିଗର କଲା-

 

ମୁଁ ତା’ସହ ରାଜି ହୋଇପାରି ନଥିଲି । ଯୁକ୍ତି ବାଢ଼ିଥିଲି–ତମେ ବୁଝୁନା । ନ ଜାଣି, ନ ଶୁଣି, ନ ଦେଖି, ନ ଶିଖି ଭିତରେ ତମେ ଯଦି ମଣିଷ ହୋଇପାରିଲ, ସେଇଟା ହିଁ ଜୀବନର ପରମ ବାହାଦୁରି । ଦେଖିବ କାହିଁକି ? ଯଦି ଦେଖିବ ତମେ ହୁଏତ ନୂତନତା ପାଇବ । କିନ୍ତୁ ସେ ନୂତନତା ତମ ଭିତରୁ ଦେବତ୍ୱ ନେଇ ପଶୁତ୍ୱ ଭରିଦେବ । ଏଣୁ ବିଲୁଆ ଦଳରେ ରାଜାହେବା ଅପେକ୍ଷା ପାହାଡ଼ି ଗୁମ୍ଫାରେ ରହିବା ବରଂ ଶ୍ରେୟସ୍କର, ବିରାଡ଼ିର ମୁଣ୍ଡ ହେବା ଅପେକ୍ଷା ବାଘର ଲାଞ୍ଜ ହେବା ଭଲ...ସିଏ ମୋ’ କଥା କିଛି ବୁଝିପାରିନଥିଲା । କହିଲା, କବି ଲୋକ, କେତେବେଳେ କ’ଣ କହନ୍ତି, ଆର ଘଡ଼ିକୁ ସେସବୁ ମନରେ ରୁହେନି...ଅନ୍ୟମାନେ ତେବେ ଆପଣଙ୍କୁ କ’ଣ ତୁଚ୍ଛାଟାରେ ଭୋଳାନାଥ ବୋଲି ଡାକୁଛନ୍ତି ? ଶେଷରେ ସେ ମତେ ବାଧ୍ୟକଲା । ମୁଁ ବଜାର ବୁଲିଲି, ନଈରେ ସ୍ନାନ କଲି, ମନ୍ଦିର ବେଢ଼ାକୁ ଯାଇ ମୁଣ୍ଡରେ ଚନ୍ଦନ ଘେନିଲି । ସେସବୁ ମୋ’ ଜୀବନରେ ବହୁତ କାମରେ ଲାଗୁଛି । ସିଏ ମତେ ଏକପ୍ରକାରେ ଶିଖାଇଲା–ପାପ କ’ଣ, ପ୍ରତାରଣା କ’ଣ ? ମୁଁ କାହାଦ୍ୱାରା ପ୍ରତାରିତ ହୋଇନି । ତଥାପି ଶିଖିଲି ପ୍ରତାରଣାର ମାନେ କ’ଣ-? ମୁଁ ପାପ ଦେଖିନି । ତଥାପି ଶିଖିଲି ପାପର ସଂଜ୍ଞା କ’ଣ ?

 

ମୁଁ ତା’ର ଶିକ୍ଷକ । ମୁଁ ତାକୁ କଲେଜରେ ପାଠପଢ଼ାଏ । ସାହିତ୍ୟ କ’ଣ, କିଟସ୍‍ଙ୍କ କବିତା କେମିତି, ସେକ୍‍ସପିୟର ନାଟକର ବୈଶିଷ୍ଟ୍ୟ କ’ଣ ମୁଁ ତାକୁ ବୁଝାଏ । କ୍ଲାସରେ ପଢ଼ାଇଲାବେଳେ ମୁଁ ତାକୁ ସର୍ବଦା ଲକ୍ଷ୍ୟ କରିଛି–ତା’ ଡବଡବିଆ ଆଖିରେ କିଛି ଯେମିତି ଖାସ୍‍ ଅନ୍ୱେଷଣ । ମୁଁ ଭୟରେ ତାକୁ ଅନେଇ ପାରେନି । କାରଣ ଅନ୍ୟମାନେ ତାକୁ ଘୃଣା କରିବେ । ଟାହି ଟାପରା କରିବେ, ତା’ ନାଁରେ କଲେଜ କାନ୍ଥ ବାଡ଼ରେ ଲେଖିବେ–ଅମୁକ ଯୁକ୍ତ ଅମୁକ । ମୁଁ ଅନିଚ୍ଛା ସତ୍ତ୍ୱେ ତା’ ଆଖି ସାମ୍ନାରୁ ନିଜ ଆଖିକୁ ଫେରାଇ ଆଣେ ।

 

କିଏ କାହା ପାଖରେ ଭିକ୍ଷାର୍ଥୀ, କିଏ କାହା ପାଖରେ କ’ଣ ପାଇଁ ପ୍ରାର୍ଥୀ ହୋଇଥିଲା, କିଏ କ’ଣ ପାଇଁ ଆନନ୍ଦରେ ଘର ବାହୁଡ଼ି ଥିଲା ସେସବୁ ଛିନ୍ନ-ପୃଷ୍ଠାର କିୟଦଂଶକୁ ଆଜି ଯୋଡ଼ିଯାଡ଼ି ଦୀପ୍ତିହୀନ ଆଖିର ଝଲସା ଦୃଷ୍ଟିନେଇ ମୁଁ ପଢ଼ିବାକୁ ଚେଷ୍ଟା କଲି... ।

 

ସେଦିନ ସନ୍ଧ୍ୟାରେ ତା’ ମା’ ମତେ ଘରକୁ ଡକାଇଲେ । ଅନ୍ୟଦିନପରି ଦାଣ୍ଡରୁ ମା’ ଉଦ୍ଦେଶ୍ୟରେ ରଡ଼ି ଛାଡ଼ିଲା–ମା’ ସାର୍‍, ଆସିଛନ୍ତି । ମା’...ତା’ର ଏଇ ମା’ ଡାକଟି ମତେ ଭାରି ଭଲଲାଗେ । ମୋର ବି ଇଚ୍ଛା ହୁଏ ତାଙ୍କୁ ମା’ବୋଲି ସମ୍ୱୋଧନ କରିବାପାଇଁ । ଅନେକ ଥର ଚେଷ୍ଟା କରିଛି । କିନ୍ତୁ ଭିତରୁ ମୋର କିଏ ଜଣେ ବାରଣ କରେ । ମୁଁ ଆଜିଯାଏଁ ତାଙ୍କୁ ମା’ବୋଲି ଡାକିପାରିନି ଆଜ୍ଞା ବା ଆପଣଙ୍କର ସମ୍ୱୋଧନ ଛାଡ଼ି ତୁମେ ବୋଲି ବି କହିପାରୁନି । ତା’ର କାରଣ ବି ଅଛି । ତା’ ମା’ ମୋତେ ସନ୍ଦେହ କରନ୍ତି । ସିଏ ଯଦି କୌଣସି ଅଳସ ସନ୍ଧ୍ୟାରେ ରାସ୍ତା ଉପରେ (ଆମ ଘର ସାମ୍ନାର ରାସ୍ତାରେ) ଠିଆହୋଇ ମୋ’ ସହ ଦି’ପଦ କଥା ହେଲା, ତା’ ମା’ଙ୍କ ଡାକ ଭାସିଆସେ....ଆ’ ସନ୍ଧ୍ୟା ହେଲାଣି । ଆରତିବେଳ ଗଡ଼ିଯାଉଛି ଯେ...ତାଙ୍କ ଘରେ ମୁଁ ତାକୁ କିଛି ପଢ଼ାଇଲାବେଳେ କାମର ବାହାନାରେ ସେ ଦୁଇ ଚାରିଥର ଘେର ମାରିଯାନ୍ତି । ଦେଖନ୍ତି ଯେ ମୋର ଆଉ ତା’ର ଆସ୍ଥାନ ମଧ୍ୟରେ କେତେ ବ୍ୟବଧାନ ଅଛି । ଆଉ ଦିନେ...ସେ କଲେଜରୁ ଫେରୁ ଫେରୁ ସାମାନ୍ୟ ଡେରିହେଲା । ମୁଁ ଶୁଣିଛି ତା’ ମା’ ତାକୁ କହିଥିଲେ–ମୁଁ ଏଥର ତୋ’ ପାଠପଢ଼ା ଛଡ଼େଇ ଦେଉଛି ।

 

ଅନ୍ୟଦିନ । ରାତି ବାରରେ ସେ ମୋ’ ପାଖକୁ ଫୋନ୍‍ କଲେ–ଏତେ ରାତିଯାଏଁ ମୋ’ ଝିଅକୁ ଆପଣ କଲେଜରେ ଅଟକି ରଖିବାକୁ ମୁଁ ପସନ୍ଦ କରେନି । କାରଣ ତା’ ବାପା ଜାଣିଲେ ମୋ’ ଉପରେ ଭୀଷଣ ଚିଡ଼ିବେ । ତାଙ୍କର କଣ୍ଠସ୍ୱର ଭାରି ଚଢ଼ା ଜଣାଯାଉଥିଲା । ମୁଁ ନିଜର ସ୍ୱରକୁ ଧିମେଇ ନପାରି ଉତ୍ତର ଦେଇଥିଲି...ଆପଣ କେଉଁଟାକୁ ପସନ୍ଦ କରନ୍ତି କି କେଉଁଟାକୁ ଘୃଣା କରନ୍ତି ସେଇଟା ଆପଣଙ୍କର ବ୍ୟକ୍ତିଗତ କଥା । ସେସବୁରେ ମୋର କିଛି ଯାଏ ଆସେନି । ମୁଁ ସେଦିନଠାରୁ ତା’ ମା’କୁ ଅନ୍ତରେ ଅନ୍ତରେ ଘୃଣା କଲି ଏବଂ କିଛି ପରିମାଣରେ ତାଙ୍କ ଉପରେ ବି ରାଗିଲି ।

 

ଲୁଗା ପାଇଜାମା ପିନ୍ଧି ଶେଯରେ ଶୋଇବାରେ ଯେତେ ଆରାମ ମିଳେନି ବରଂ ତାଠୁଁ ବେଶୀ ମିଳେ ଲଙ୍ଗଳା ହୋଇ ଉଲଗ୍ନ ଚଟାଣରେ ଘୁଙ୍ଗୁଡ଼ି ମାରିଲେ । ଏଣୁ ନିଜର ମନ୍ତବ୍ୟ ତାକୁ ଶୁଣେଇ ଥିଲି–ତମେ ଯଦି ମୋତେ ଭଲପାଅ, ତେବେ ମୋର ଗୋଟିଏ କଥା ରଖିବ ? ତମେ ମାଆଙ୍କୁ ଶୁଣେଇ ପାରିବ ଯେ ମୁଁ ତାଙ୍କରି ଝିଅର ସତୀତ୍ୱକୁ ତୋଟି ଚିପି ହତ୍ୟା କରିବାକୁ କେବେ ପ୍ରୟାସୀ ହୋଇନି ? ମାଂସପାଇଁ ଜଣେ ହୁଏତ ହାଟ ବଜାର ବୁଲିପାରେ । କିନ୍ତୁ ତା’ର ମାନେ ନୁହେଁ ଯେ ସେ ଯେକୌଣସି ମାଂସର ସଉଦା କରିବ ? ସେଦିନ ସେ କାନ୍ଦିଥିଲା । ମୋ’ ଆଗରେ ଯୁକ୍ତି ବାଢ଼ିଥିଲା–ସାର୍‍, ଆପଣ ମା’ଙ୍କୁ ଭୁଲ୍ ବୁଝୁଛନ୍ତି ।

 

ମୁଁ ତ ତମ ମା’ଙ୍କର କେହି ନୁହେଁ ।

 

ସେ ଚୁପ୍‍ ରହିଥିଲା । କହିଥିଲା–ମା’ଙ୍କର ଏ’କଥା ମୁଁ ସହିନପାରି ଅନେକ ସମୟରେ ଭାବୁଛି...

 

: କ’ଣ ?

 

: ଆତ୍ମହତ୍ୟା କରିବି...

 

: ତମର ଏ ଆତ୍ମହତ୍ୟା ତମ ମା’ଙ୍କୁ କ’ଣ ବଦଳେଇ ଦେଇପାରିବ ? ନା ସେ ଆତ୍ମହତ୍ୟା ତମ ସହ ମୋର ଆତ୍ମୀୟତାକୁ ଆଉ ଟିକେ ଘନିଭୂତ କରିପାରିବ ?

 

ସେ କିଛି ମନ୍ତବ୍ୟ ଦେଲାନି ।

 

ସତ କହିବାକୁ ଗଲେ ସିଏ ମୋର ଗୁରୁ । ଯଦିଚ ମୁଁ ତା’ର ଏକଲବ୍ୟ ନୁହେଁ ।

 

ସିଏ ମତେ ସହର ବୁଲେଇଲା, ଦେଖାଇଲା ପାପ କ’ଣ ? ପ୍ରତାରଣା କ’ଣ ? ସିଏ ତା’ ନିଜକୁ ମୋ’ ଆଗରେ ମୁକୁଳା କଲା । ହାତରେ ମୁରୁଜର ଖଡ଼ିମୁଣ୍ଡା ଦେଇ ମତେ ସି,ଦ୍ଧି,ର,ସ୍ତୁ, ଶିଖାଇଲା । ଥରେ ଥରେ ନିଜ ଚେତନାରେ ଛାଟ ମାରି ପଢ଼େଇଲା–ପ୍ରେମ କ’ଣ ? ପ୍ରଣୟ କ’ଣ-?

 

ଅନ୍ୟ ଏକ ସନ୍ଧ୍ୟା । କଲେଜ ଫେରନ୍ତା ବେଳ । ‘ଏ’ ଭିତରେ ତା’ ମୋ’ ଘନିଷ୍ଠତା ଅତିମାତ୍ରାରେ ବଢ଼ିଗଲାଣି । ସେ ରିକ୍ସାରୁ ଧଡ଼କିନି ଓହ୍ଲାଇଲା । ପଛରୁ ଡାକିଲା–ସାର୍‍...ମତେ ଭୟ ଲାଗୁଥାଏ । ମୁଁ ନ ଶୁଣିଲାପରି ଆଗକୁ ବଢ଼ିଯାଉଥିଲି । ଫେରେ ଟିକେ ଉଚ୍ଚ ଗଳାରେ–ସାର୍‍...ଏଥର ମତେ ବାଧ୍ୟ ହୋଇ ଅଟକିବାକୁ ପଡ଼ିଲା । ଯେମିତି ଅପରିଚିତ ଲୋକପରି ପଚାରିଲି...କ’ଣ ? ସେ ବୋଧେ ସାମାନ୍ୟ ଡରିଗଲା । କହିଲା, ମୁଁ ଆଜି କଟକ ଯାଉଛି । ଫେରୁ ଫେରୁ ଦି’ଚାରିଦିନ ଡେରି ହୋଇପାରେ...ନଭେମ୍ୱର ତିରିଶି ତ ପାଖେଇ ଆସିଲାଣି...ଘରକୁ କେବେ ଯିବେ ? ମୁଁ ଚାରିଆଡ଼କୁ ଆଖି ବୁଲେଇ ଆଣିଲି । ଲମ୍ୱା କଲି ରଖିଥିବା ଦି’ଚାରିଟା ଗଜା ବୟସର ଟୋକା ଠିଆହୋଇ ଆମ ଆଡ଼କୁ ଅନେଇ ରହିଛନ୍ତି । ତା’ପରେ ମୁଁ ଚାପା ଗଳାରେ କହିଥିଲି–ତେବେ ? ପରେ ପରେ ଚାଲି ଆସିଲି । ସେ ସମ୍ଭବତଃ ମୋରି ଗତିପଥକୁ ଚାହିଁ ଦଣ୍ଡେ ଠିଆ ହୋଇଥିବ ଏବଂ ସେମାନଙ୍କଠୁ ପଦେ ଦି’ପଦ ଅଶ୍ଳୀଳ କମେଣ୍ଟ କାନିରେ ଗଣ୍ଠିଲି କରିଥିବ ।

 

ଆଘାତ ସହି ନ ପାରିଲେ ମଣିଷ କ’ଣ ନିଜକୁ ନିଃଶେଷ କରିବାକୁ ଚେଷ୍ଟା କରିଥାଏ ? କେ ଜାଣେ....

 

ତା’ର ସମ୍ଭବତଃ ଚାରିଦିନ ପରେ ତା’ସହ କଲେଜରେ ଦେଖାହେଲା । ମୁଁ ଜାଣେ, ମୋର ତେବେ...? ଟା ତା’ ମନରେ ନିଶ୍ଚୟ ଶକ୍ତ ଆଘାତ ଦେଇଛି । ତଥାପି ସେ ଅଭିମାନ କଲାନି । ମୋ’ ଅଫିସ୍‍ ରୁମ୍‍କୁ ଆସିଲା । କିଛି ନ କହି, ନ ପଚାରି ସ୍ଥାଣୁ ଭଳି ଠିଆହେଲା । ତାକୁ ବିଡ଼ିବାପାଇଁ ମୁଁ ବି କିଛି କହିଲି ନାହିଁ । ବାଧ୍ୟ ହୋଇ ସେ ଆରମ୍ଭ କଲା–ଆପଣ ସତରେ ସେଦିନ ରାଗିଲେ ? ତା’ ଆଖିରେ ସନ୍ତୁଷ୍ଟ ଚାହାଣି । ନା । ସେ କିନ୍ତୁ ବିଶ୍ୱାସ କଲାନି । ତା’ପରେ ମୁଁ କାହିଁକି, କାହାକୁ ଭୟକରେ ତା’ର ଏକ ମାର୍ମିକ ବିଶ୍ଳେଷଣ ଦେଲି–ତମେ ମତେ ରାସ୍ତା ଘାଟରେ କିଛି ପଚାରନି । ସତ କହିବାକୁ ଗଲେ ମୁଁ ଏ ସମାଜକୁ ଡରେ । ମତେ କେନ୍ଦ୍ରକରି ତୁମ ନାଁରେ ଯଦି କିଛି ଗୁଜବ ପ୍ରଚାରିତ ହେବ ମୁଁ ତାକୁ ସହିପାରିବିନି । କାରଣ ଏଇ ଭେଜାଲ ସମାଜରେ ଯେଉଁମାନେ ଖାଣ୍ଟି ମଣିଷର ଅଭିନୟ କରନ୍ତି ସେମାନେ ତମଭଳି ଏକ ନିର୍ଭୀକା ଝିଅକୁ କେବେ ଗ୍ରହଣ କରିପାରିବେନି । ଯଦି କିଏ ତମକୁ ସ୍ୱୀକୃତି ଦେବାପାଇଁ ଆଗେଇ ଆସେ ଏ ସମାଜ ତା’ ରାସ୍ତାରେ କଟା ବରଗଛର ଗଣ୍ଡି ଥୋଇ ବାଟ ଓଗାଳିବ, ପଛରୁ ଟେକା ପଥର ଫିଙ୍ଗିବ । ଏ ସମାଜ ଭିତରେ ନିଜକୁ ସର୍ବଦା ରହସ୍ୟମୟ କରି ରଖିବା ଆବଶ୍ୟକ । ତମେ ଯଦି ଅଭିନୟ କରିପାରିବନି ତେବେ ତମେ ମଣିଷ ହୋଇପାରିବନି । ଆଉ ଏ ସମାଜରେ ବଞ୍ଚିବାର ଅଧିକାରରୁ ବି ବଞ୍ଚିତ ହେବ-

 

: ତେବେ ଆତ୍ମହତ୍ୟା ?

 

: ଆତ୍ମହତ୍ୟା କ’ଣ ସମାଧାନର ପ୍ରକୃତ ପନ୍ଥା ?

 

: ନ ହେଉ । ତେବେ ମୁକ୍ତି ଦେବ ତ !

 

: ହୁଏତ ତମେ ଏ’ ଜୀବନରୁ ମୁକ୍ତି ପାଇବ । କିନ୍ତୁ ପର ଜନ୍ମରେ...? ମର୍ତ୍ତ୍ୟରେ ଜନ୍ମ ପାଇବନି କି ସ୍ୱର୍ଗର ପାରିଜାତ ବନରେ ମାଳୀ ବି ହୋଇପାରିବନି । ବରଂ ନର୍କର ହରିତ୍‍ବର୍ଣ୍ଣ ଅଗ୍ନିଶିଖାର ରଜ୍ଜୁରେ ଛନ୍ଦି ହେବ ।

 

ତାକୁ ବିରକ୍ତ ଲାଗିଲା । କଥାର ମୋଡ଼ ବୁଲେଇ ଆଣିଲା । ଘରକୁ କେବେ ଯିବେ ?

 

: ଆଜି ।

 

ମୁଁ ଲକ୍ଷ୍ୟ କରିଛି ତା’ର ସବୁ ଆତ୍ମୀୟତାରେ ଯେମିତି ଦିଗହଜା ଆନନ୍ଦର ଲହରୀ ବାଟବଣା ହେଉଛି । ପାହାଡ଼ର ପ୍ରତିବନ୍ଧକ ମାନୁନି କିମ୍ୱା ଢେଉର ତାନରେ ଗୁରେଇ ହୋଇ ଫେରୁନି । ତା’ପରେ ମୋ’ ହାତରେ ମୁଦା ଲଫାପାଟିଏ ଧରାଇଦେଇ ସେ ରୁମରୁ ଅନ୍ତର୍ଧାନ ହେଲା-। ଲଫାପା ଖୋଲି ଅନ୍ତର୍ନିହିତ ପଦାର୍ଥକୁ ଦେଖିବାର ଆଗ୍ରହକୁ ସମ୍ୱରଣ କରିପାରିଲି ନାହିଁ-। ସିଏ ତା’ ଭାଉଜକୁ (ମୋ ବାସର ରାତିର ନାୟିକାକୁ) ଲେଖିଛି–ଭାଉଜ, ‘‘ପ୍ରତି ଗୁରୁବାର ଦିନ ତମେ ମନ୍ଦିରକୁ ଯାଉଥିବ ନିଶ୍ଚୟ । ଦିଅଁଙ୍କ ସିନ୍ଦୂର ନିଜ କପାଳରେ ଟିପା ଦେବା ଆଗରୁ ତାଙ୍କ ମୁଣ୍ଡରେ ଗାର ଟାଣିବ । ସିନ୍ଦୂର ନିଶ୍ଚୟ ବଳିବ । ତାକୁ ନିଜ କପାଳ ଆଉ ସୀମନ୍ତରେ ମାଖିବ ଏବଂ ପରିଶେଷରେ ଅବଶିଷ୍ଟାଂଶ ନିଜ ଚୁଡ଼ିରେ ନେସି ଦେବ । ହାତ ସଫା କରିବାପାଇଁ ଶାଢ଼ିକାନି ବ୍ୟବହାର କରିବା ପରିବର୍ତ୍ତେ ତାଙ୍କ ପାପୁଲିରେ ପୋଛିଦେବ ।’’

 

ମୁଁ କିଛି ସମୟପାଇଁ ଅନ୍ୟ ଇଲାକାକୁ ଚାଲିଗଲି । ମୁଁ ତା’ଠୁଁ ପ୍ରେମ, ପ୍ରଣୟ ଶିଖିଲି ।

 

ମୋ’ ବିବାହ ପରର ଘଟଣା । ମତେ ଯେ ଫେର୍‍ ମୃତ୍ୟୁର ଯନ୍ତ୍ରଣା ଚାଖିବାକୁ ପଡ଼ିବ–

 

ସେଦିନ ରାତି ତିନିରେ ମୋ’ସହ ସିଏ ଅନ୍ଧାର ଗଳିରେ ଆସିଲା । ତା’ର ଟିକେ ସଙ୍କୋଚ ନାହିଁ । ମୁଁ କିନ୍ତୁ ଡରି ଯାଇଥିଲି । କାରଣ ମତେ ମୁଖାପିନ୍ଧି ଅଭିନୟ କରିବାକୁ ପଡ଼ିବ । ଯଦି କିଏ ଆଜି ଆମ ଦୁହିଁଙ୍କୁ ନିର୍ଜନ ଗଳିରେ ଦେଖି ନେଲା, କାଲି ହୁଏତ ମତେ ଅନେକ ସଙ୍ଗୀତ ଶୁଣିବାକୁ ପଡ଼ିବ । ମନଖୋଲି ହସିବାକୁ ଅନେକ ଇଚ୍ଛା ଥିଲେ ବି କଲେଜରେ ମତେ ନିହାତି ଗମ୍ଭୀର ହେବାକୁ ପଡ଼ୁଛି । ଅନ୍ୟକୁ ନିଜର କରିବାପାଇଁ ନିଜ ଭିତରେ ଭୀଷଣ ଅଭିଲିପ୍‍ସା ଥିଲେ ବି, ମଧୁଲୀତାର ସ୍ୱପ୍ନ ଥିଲେ ବି ଆମ ସାମାଜିକ ପଦ୍ଧତି ମତେ ସ୍ୱୀକୃତି ଦେବନି । ଚେତେଇ ଦେଉଛି–ତମେ ଅଧ୍ୟାପକ, ତମେ ସାର୍‍ । ତମେ ପ୍ରେମ କରିପାରିବନି, ପ୍ରେମଟା ତମପାଇଁ ମନା; ତମେ କୌଣସି ଝିଅକୁ ଭଲ ପାଇପାରିବନି, କାରଣ ସେମାନଙ୍କ ପାଇଁ ତମେ ନିଷିଦ୍ଧ କୋଠରୀ । କୁକୁରମାନେ ଭୁକିଲେ । ମତେ ଡର ମାଡ଼ିଲା । ନିଜ ଭୟକୁ କାଟିବାପାଇଁ କଥା ଆରମ୍ଭ କଲି–ଦିନର ଆଲୁଅରେ ଏଇ ସମାଜର ମଣିଷମାନେ କୁକୁର ହୋଇ ବାଟୋଇ ପ୍ରତି ଭୁକନ୍ତି । ରାତିହେଲେ ମଣିଷର କୁକୁରମାନେ ବାଟୋଇକୁ ଭୟ ଦେଖାଇ ବାଟ ଭୁଲେଇ ଦେବାର ଚେଷ୍ଟା କରନ୍ତି-

 

: ସାର୍‍, ମଣିଷ କାହିଁକି ଭୟ କରେ ?

 

: ଯେହେତୁ ତା’ଠି ନିପାରିଲା ପଣ ଥାଏ ।

 

: ଯଦି ସେ ନିପାରିଲା, ଯଦି ସେ ଦୁର୍ବଳ, ଯଦି ସେ ବିପଦକୁ ମୁକାବିଲା କରିବାପାଇଁ ଅକ୍ଷମ, ତେବେ ତା’ ପକ୍ଷେ ଆତ୍ମହତ୍ୟା କ’ଣ ଉପାଦେୟ ନୁହେଁ ?

 

: କାହିଁକି ? ତମେ ଯେଉଁ ଆତ୍ମହତ୍ୟା କଥା କହୁଛ ସେଥିରେ ମଣିଷର ଲାଭ କ’ଣ ? ସେ କାହିଁକି ଆତ୍ମହତ୍ୟା କରିବ ? ତା’ ଆତ୍ମହତ୍ୟାର ନଚିକେତା କ’ଣ ସବୁ ସୁଧାରି ଦେବ ? ଯିଶୁ କ୍ରୂଶବିଦ୍ଧ ହେଲେ, ଯନ୍ତ୍ରଣା ପାଉଥିଲେ ବି ଭଗବାନଙ୍କୁ ପ୍ରାର୍ଥନା ବାଢ଼ିଥିଲେ–ପ୍ରଭୁ ! ସେମାନଙ୍କୁ କ୍ଷମା ଦିଅ । ସେମାନେ କ’ଣ କରନ୍ତି ନିଜେ ବି ଜାଣନ୍ତିନି । ସେଥିରେ କ’ଣ ଏ ମଣିଷ ବଦଳି ଗଲା-?

 

: ସିଏ ତ ଭିନ୍ନକଥା ।

 

ଭିନ୍ନ କଥା ନୁହେଁ, ମୃତ୍ୟୁ–କଥା ।

 

ସେ ଚୁପ୍‍ ରହିଲା । ଘୁମେଇ ହୋଇ ବାଟ ଚାଲିଲା ।

 

ଆମ ଘର ପାଖେଇ ଆସିଲା । ନିଜ ଘରପାଇଁ ବିଦାୟ ନେବା ପୂର୍ବରୁ ମତେ ଅନୁରୋଧ କଲା–ସାର୍‍, ଆମ ଘରକୁ ଆସନ୍ତୁ । ଆପଣଙ୍କୁ ମୋ’ ସାଥିରେ ମା’ ଦେଖିଲେ ସେ ହୁଏତ ମୋ’ ଉପରେ ସେତେ ରାଗିବନି ।

 

: ନା, ମିଛ କଥା, ମତେ ଦେଖିଲେ ବରଂ ତାଙ୍କରି ସନ୍ଦେହ ଦ୍ୱିଗୁଣିତ ହେବ । ତମ ପିଣ୍ଡାର ମାଟି ନେଇ ତାନ୍ତ୍ରିକ ବିଦ୍ୟା ସାଧନପାଇଁ ସେ ଯୋଗାସନରେ ବସିବେ । ମୁଁ ଜାଣେ ତମେ ଗାଳି ଶୁଣିବ, ଆଘାତ ପାଇବ । ତମର ଆଘାତ ମତେ କନ୍ଦାଇବ । ମୁଁ କ’ଣ କାନ୍ଦିବାପାଇଁ, ତମ ଆଖିର ଲୁହ ବିନ୍ଦୁ ଗଡ଼ିବାପାଇଁ ଏତେ ରାତିରେ ତମ ଘରକୁ ଯିବି ? ଝିଅ ହିସାବରେ ତମେ ହୁଏତ ମା’ଙ୍କ ଗାଳି ସହିଯାଇପାର । କିନ୍ତୁ ମୁଁ ବା ତମ ମା’ଙ୍କର କିଏ ?

 

: ହଁ...ସାର୍‍...

 

ସିଏ ଚାଲିଗଲା । ତା’ ଗତିକୁ ଉଦ୍‍ବିଗ୍ନ ଆଖିରେ ଦେଖିଲି ! ଆଉ ଫେରିନି ।

 

ମୋ’ ଜାଣତରେ ସିଏ ଆତ୍ମହତ୍ୟା କରିନି ।

 

ସେ ମୋର ଏ, ଦ୍ୱିତୀୟ ସହରରୁ (ତା’ର ପ୍ରଥମ ସହରରୁ) ତା’ର ଦ୍ୱିତୀୟ ସହରକୁ (ମୋର ତୃତୀୟ ସହରକୁ) ବିଦାୟ ନେଲାଣି । ଆଶାୟୀ ହୋଇ ପ୍ରତୀକ୍ଷା କରିଛି–ତେବେ ଆମ ଉଭୟଙ୍କ କେଉଁ ତୃତୀୟ ସହରରେ ଭେଟ ହେବ ? ମୋର ବା ତା’ସହ କିମ୍ୱା ତା’ର ବା ମୋ’ସହ ସାକ୍ଷାତ ହେବ ?

 

ଚତୁର୍ଥ ଛିନ୍ନ ପୃଷ୍ଠା–ମୋର ଅନ୍ୱେଷଣ । ସେ’ ପୃଷ୍ଠା ପବନରେ ଠେଲି ହୋଇ ହୋଇ ମୋ’ ହାତମୁଠାକୁ ଆସିଛି । ତାକୁ ମୁଁ ନିଜ ଘରବାଡ଼ି ପଟରୁ ମରୁଭୂମିରେ ସୁପ୍ତ ଓଏସିସ୍‍ପରି ଠିଆହୋଇଥିବା ଡେଙ୍ଗା ଆମ୍ୱଗଛ ମୂଳରେ ସମାଧି ଦେବି । ତେଣୁ ଖାତ ଖୋଳି ଚାଲିଛି । ମୋ’ ମୁନିଆ ନଖରେ ମାଟି ରାମ୍ପୁଡ଼ା ଲାଗିଛି ।

 

ମୋ ସ୍ତ୍ରୀ ରନ୍ଧାଘରୁ ଡାକ ଛାଡ଼ୁଛନ୍ତି...ସେ’ ଅସନା ଜାଗାରେ କାହିଁକି ଖାତ ଖୋଳୁଛ । କୋଦାଳଟା ନିଅ ।

 

ମୁଁ ହସିଦେଲି । ଚତୁର୍ଥ ଛିନ୍ନ ପୃଷ୍ଠାଟି (ଖିନ୍ନ ଭିନ୍ନ ହେବା ପରେ) ହସ୍‍ପିଟାଲ୍‍ର କେଉଁ ନିଭୃତ ଅପରେସନ୍‍ ଥିଏଟର ପାଇଁ ଷ୍ଟ୍ରେଚରରେ ବୁହା ହୋଇ ନିଆ ଯାଉଥିବା ରୋଗୀପରି ମଉଳା ଦିଶୁଛି, ତା’ର ସର୍ବାଙ୍ଗ ମହଳଣ ପଡ଼ିଗଲାଣି ।

Image

 

Unknown

କକ୍ଷଚ୍ୟୁତ

 

–ହଇଗୋ, ଆଜି ଦାସଙ୍କର ମୂଲ ଲାଗିଥିଲ ପରା ? କେତେ ଟଙ୍କା ଦେଲେ ?

 

–କିଛି ଦେଲେ ନାହିଁ । କହିଲେ, ଯା, ପରେ ନେବୁ...

 

–ହେଲେ ତ ଘରେ କିଛି ଖାଇବାକୁ ନାହିଁ, ତେଣେ ରାମୁ ଦେହରେ ତାତି ଖଇ ଫୁଟୁଛି । ଯାଅ କାହାଠୁ ଧାର ଉଧାର ମାଗି ଦି’ଚାରିଟଙ୍କା ଆଣିବ ।

 

–ନେତି ! କୁହ, ଆଉ କାହାକୁ ଧାର ମାଗିବି ? ଯାହାକୁ ମାଗିବା କଥା ତ ତାଙ୍କଠାରୁ ପାଞ୍ଚ ଦଶ କରି ପ୍ରାୟ ପାଞ୍ଚଶ ଟଙ୍କା ଧାର, କରଜ କରି ସାରିଲିଣି ।

 

–କିନ୍ତୁ....ପୁଅର ଯେ ଦେହ ବାଧିକା...... ।

 

ମୁଁ କ’ଣ କରିବି ? ମତେ ଆଉ ବେଶୀ ବିରକ୍ତ କରାଅନି । ମୋ’ ମନ ଜମାରୁ ଭଲ ନାହିଁ ଆଜି । ମୁଁ ଯାଇପାରିବିନି ।

 

ଯିବନାହିଁ ତ କ’ଣ ଛୁଆଟି ଭୋକଶୋଷରେ ରହିବ ? ସକାଳ ପହରୁ ଯେ ଏ ଯାଏଁ ସାଗୁପାଣି ଟୋପାଏ ପାଟିରେ ବାଜିନି ।

 

–ଓଃ, ମଣିଷ କେତେ ମରିବ ହୋ’ ? ଯାଉ ସେ ଛୁଆ, ମର ତୁମେ, ମୁଁ ବି ମରିବି । ଯାଉ, ସବୁ ଯାଉ । ମୁଁ ଯିବିନି ।

 

ରଙ୍କ ବିରକ୍ତ ହୋଇ ଉଠିଲା ।

 

–ଆରେ ! ଏ ନିଉଛୁଣା କଥାଗୁଡ଼ାକ ତୁଣ୍ଡରେ ଧରନ୍ତି ! ଦ୍ୱାର ପାଖେ କୁଞ୍ଚାଏ କଳମ ସାଗରୁ ଘାସ ବାଛୁ ବାଛୁ ନେତ କହିଲା ।

 

ରଙ୍କ ଦାଣ୍ଡ ବାରଣ୍ଡା ଉପରେ ଗୁମ୍‍ ହୋଇ ବସି ପଡ଼ିଲା । ତା’ ମୁଣ୍ଡ ଭିତରେ ଭାବନାର ସୁଅଗୁଡ଼ିକ ଜାଲ ବୁଣୁଥିଲା । ରଙ୍କ ଅନେକ ଭାବିଗଲା ଆକାଶ ପାତାଳ । ଆହୁରି ଭାବୁଛି ସେ.... ।

 

ହଁ, ଏଇ ନେତ, ମୋର ସ୍ତ୍ରୀ, ମୋ’ପାଇଁ, ମୋର ଛୁଆ ବକଟେ ରାମୁପାଇଁ କେତେ ଦହଗଞ୍ଜ ଯେ ନ ହେଉଛି ! ନିଜେ ନ ଖାଇ ମୋତେ ଖୁଆଉଛି । ନିଜେ ମରି ବି ମୋତେ ବଞ୍ଚାଉଛି-। କେତେ ଚିନ୍ତିତା ହୋଇ ନ ପଡ଼ୁଛି ମୋର ରାମୁପାଇଁ ! ପିଲାଟାକୁ ଦୁଇଦିନ ହେଲା ଜ୍ୱର ବୋଲି କହୁଥିଲା । ହେଲେ ବି ମୁଁ ବାପା ହୋଇ ତା’ ତୁଣ୍ଡରେ ଔଷଧ ଟୋପାଏ କି ବାର୍ଲି, ସାଗୁ ଟିକେ ଦେବାପାଇଁ ଅକ୍ଷମ । କାରଣ ମୋର ସମ୍ୱଳ ନାହିଁ । ଧିକ୍‍ ମୋ’ ଜୀବନ, ଧିକ୍‍ ମୋର ବାପା ପଣିଆ ଦାବି ।

 

‘‘ହେ...ହେ...ଶଳାର ଗାଈ । ହଇଓ କାହାର ଏ ଗାଈ ? କ’ଣ ଗୁହାଳ ଘରେ ସ୍ଥାନ ନାହିଁ କି ? ପଘା ଫିଟାଇ ଛାଡ଼ି ଦେଉଛି ଯେ,’’ ରଙ୍କ ପିଣ୍ଡା ଉପରେ ବସି ଡାକ ଛାଡ଼ିଲା । ରାଗରେ ଗାଈ ପିଠି ଉପରେ ଠେଙ୍ଗାଦ୍ୱାରା ଦୁଇ ଚାରିପାହାର କସି କରି ଥୋଇଲା ।

 

‘‘କିରେ, କ’ଣ କହିଲୁ ? ତୋତେ କ’ଣ ମଣିଷ ଦେଖାଯାଉ ନାହାନ୍ତି ? କାହାର ଗାଈ ବୋଲି ଭାବିଲୁ ? ଏଁ....ଦେଖିଥା, ବିଷୟଟା ମୋଟେ ଭଲ ହେବ ନାହିଁ ।’’ ଗାଁ ପୁରୋହିତ ଲଡ଼ୁ ଦାସଙ୍କ ଗର୍ଜନ । ସେ ରାଗରେ ତମ ତମ ହୋଇ ଅଗ୍ନି ପିଣ୍ଡୁଳାପରି ଦୁଇଟି ଆଖିରେ ରଙ୍କକୁ ଖାଇଦେଲାଭଳି ଅନେଇ ରହିଛନ୍ତି ।

 

‘‘ନା ଗୋସେଇଁ ମାହାପ୍ରୁ ! ମୁଁ ନଜାଣି ଭୁଲ୍‍ କରିଛି । ମୋତେ କ୍ଷମାକର । ଆପଣଙ୍କ ଗାଈ ଜାଣିଥିଲେ ଦେହରେ ହାତ ସୁଦ୍ଧା ଦେଇ ନଥାନ୍ତି ।’’

 

ବାଃରେ...ପିଲାର କେଡ଼େ ସକ ସକ । ସାଗ କାଟି ବାଳ ବାଛିଲେ ଚଳିବକିରେ ପୁତ ! ହଁ, ‘‘ଦେଖହେ ଗାଈଟା କ’ଣ ବୋଲି ଦି’ଟା ଧାନ ଖାଇଛି କି ନ ଖାଇଛି ତା’ ଉପରେ କେମିତି ପାହାର ପକାଇଛି ।’’ ଲଡ଼ୁ ଦାସେ ଗାଁ ବାସୀଙ୍କୁ ବୁଝାଇବାରେ ରତ । ଗାଁ ଲୋକଙ୍କର ତୁଣ୍ଡରେ ବାଡ଼ବତା କିଛି ନଥାଏ । ସେମାନେ ଯାହାପାରୁ ତାହା ରଙ୍କକୁ ବକି ଚାଲିଛନ୍ତି । ସିଂହ ଆଗରେ ଠେକୁଆପରି ରଙ୍କ ଥରୁଛି । ବାଇଗଣ ଫୁଲପରି ମୁଣ୍ଡକୁ ତଳକୁ ନୁହାଁଇ ଦେଇ ଗୋଡ଼ ଆଙ୍ଗୁଠିରେ ଭୂମିରେ ଗାର ଟାଣୁଛି ।

 

କିନ୍ତୁ ସହିବାର ଗୋଟିଏ ସୀମା ଅଛି ତ । ଯେତେବେଳେ ଅସହ୍ୟ ହେଲା, ‘‘ରଙ୍କ ପାଟି ଖୋଲିଲା ।’’ ଦେଖନ୍ତୁ ମହାପ୍ରୁ ଆଜ୍ଞା, ଟଙ୍କାକୁ ଧାନ ବୋଲି ଦି’ଅଡ଼ା । ସେଥିରେ ପୁଣି ଗୋଡ଼ି ପୋଷେ, ବାଲି ଅଧେ । ଯଦି ଆପଣଙ୍କ ଗାଈଟା ଗଉଣିଏ ହେବ ଧାନ ଖାଇଦେବ, କିଏ ତୁନିହବ-? ଆପଣଙ୍କର ହୋଇଥିଲେ ଆପଣ ତୁନି ପଡ଼ିଥାନ୍ତେ ?’’

 

‘‘ନୋଇଲେ, ତୋରପରି ଝଗଡ଼ା କରିଥାନ୍ତି ? ନୀଚ ବୁଦ୍ଧି ଆଚରଣ କରନ୍ତି ? ଗୋମାତାଙ୍କୁ ପିଟିଥାନ୍ତି ? ଲଜ୍ଜା ନାହିଁ ତୋ’ ଥୋବରା ମୁହଁକୁ ।’’ ଲଡ଼ୁ ଦାସେ ବିଦ୍ରୂପତା ପ୍ରକାଶ କଲେ ।

 

‘‘ଗତକଥା ଶୋଚନା ନାସ୍ତି । ଆଉ ସେଥିରେ କଳିକଲେ ଲାଭ କ’ଣ ? ତା’ର ବୁଦ୍ଧି ସେତିକି । ହଉ, ଆସ ବାପା, ଖାଇବ ଆସ ।’’ ଦାସଙ୍କର ପୁଅ ପ୍ରମୋଦ ଡାକିଲା ।

ଏ ଯାଏଁ ବି ଲଡ଼ୁ ଦାସଙ୍କର କ୍ରୋଧ ପଞ୍ଚମ ଉପରେ ।’’ ହଉରେ ପୁଅ, ଦେଖିବି ତୋ’ ବହପ । ବଡ଼ଲୋକି ପଣିଆ ! ରାଣ୍ଡି ପୁଅ ଅନନ୍ତା ! ଘରେ ଲୁଣ ମୁଠାଏ କି ଚାଉଳ ସୋଲେ ନାହିଁ, ୟାର ପୁଣି ଆମ ସଙ୍ଗେ ତର୍କ ବିତର୍କ ! କଳି ତକରାଳ ! ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଉଛି । ହଉ, ହଉ, ଥା...ଥା...ସମୟ କୁଆଡ଼େ ଯାଇନି ଯେ...ତୋତେ ଯଦି ମୁଁ ଠିକ୍‍ ନ କରିଛି, ତୁ ଯଦି ମୋ’ ଗୋଡ଼ତଳେ କାଲି ସକାଳକୁ ମୁଣ୍ଡିଆ ନ ମାରିଛୁ ତେବେ ତୋର ଚାକର ହୋଇରହିବି । ଆଉରି ଦେଖିବି, ତୁ ଏ ଗାଁରେ, ଏ ସାଲରେ କିପରି ରହିବୁ ? ନଈରେ ଘର କରି କୁମ୍ଭୀର ସଙ୍ଗେ କଳି ! ଲୁହ ପୋଛୁଥାରେ ପୁଅ...ଲଡ଼ୁ ଦାସଙ୍କୁ କଥା ସାରିବାକୁ ନ ଦେଇ ପ୍ରମୋଦ ତାଙ୍କ ହାତ ଭିଡ଼ିଧରି ଗୃହାଭିମୁଖେ ଚାଲିଗଲା । ଗାଁବାସୀମାନେ ବି ତାଙ୍କ ପଛେ ଗୋଡ଼ ବଢ଼ାଇଲେ । ସମସ୍ତ ଯୋଡ଼ା ଯୋଡ଼ା ଘୃଣାପୂର୍ଣ୍ଣ ଚକ୍ଷୁ ତା’ ଉପରେ ଥରେ ଥରେ ବୁଲି ଆସିଲା ।

ମୁଁ ତୁମକୁ କହୁଥିଲି, ତାଙ୍କ ସହ ବଚସା କର ନାହିଁ । ସେମାନେ ବଡ଼ଲୋକ । ଆମେ ତ ନୀଚ । ଆମେ କୋ ଗାଈର ଗୋବର ଯେ ତାଙ୍କ ସହ ସରିହେବା । ଆସ, ଖାଇବ ।

–କ’ଣ ? ଖାଇବି !

–ହଁ ।

–ଘରେ କିଛି ନ ଥିଲା ବୋଧେ । ଆଉ ଖାଇବା ଯୋଗାଡ଼ କଲ କେମିତି ।

–ପଡ଼ିଶା ଘରୁ ଚାଉଳ, ଖୁଦ ଅଡ଼େ ଆଣିଛି । କାଲି ତାଙ୍କୁ ଫେରାଇ ଦେବି ।

ରଙ୍କ ଖାଇ ବସିଲା । ନେତ ରସ ଥାଳିଆରେ ତବତ ଭାତ ଓ ପଥୁରି ଥାଳିଆରେ କଳମ ସାଗ କାଞ୍ଜିଟିକେ ଆଣି ଥୋଇଲା । ପିତା ଶୁଖୁଆ, ସଜନା ଚୁଇଁ ରାଇତା ଟିକେ ବାଢ଼ିଦେଲା-। କାଞ୍ଜିର ବାମ୍ଫରେ ଓ ରାଇତାର ବାସନାରେ ରଙ୍କର କ୍ଷୁଧା ମାତ୍ରାଟା ଟିକିଏ ବଢ଼ିଗଲା-। ହେଲେ ବି ତା’ ତୋଟିକୁ ଭାତ ଗଳିଲା ନାହିଁ । ଏଣେ ପିଲାର ଦେହ ବାଧିକା । ତେଣେ ଲଡ଼ୁ ଦାସଙ୍କ କଥା ତା’ ମନ ଉପରେ ବାରମ୍ୱାର ଆଘାତ କଲା । ବାଧିକା ପୁଅକୁ ଗରମ ପାଣିରେ ଚିନି ଟିକେ ଗୋଳି ପିଆଇବା ପାଇଁ ନେତ ବାରିପଟକୁ ଚାଲିଗଲା ।

ଏଁ ! ମୋ’ ପୁଅକୁ କ’ଣ ହେଲା ! ଆଉ ହଲଚଲ ହେଉ ନାହିଁ ! ହଇଗୋ...ନେତର ଡାକରେ ଭୟପୂର୍ଣ୍ଣ ମାତ୍ରାରେ ଜଡ଼ିରହିଥିଲା । ନେତି ଛାନିଆ ହୋଇଥିଲା । ରଙ୍କ ପାଟିରେ ଭାତ ଗୁଣ୍ଡାଟା ଅଟକି ଗଲା । ଦେଖିଲା ବେଳକୁ ସବୁ ଶେଷ । ପୁଅ ତା’ର କୋଳ ତୁଚ୍ଛାକରି ସେ ପୁରକୁ ଚାଲିଗଲା । ପୁଅର ଶବ ସତ୍କାର ପାଇଁ ଗାଁବାସୀ କିମ୍ୱା କୁଳ ସାଇଲୋକେ କେହିହେଲେ ଆସିଲେ ନାହିଁ । କାରଣ ଲଡ଼ୁ ଦାସଙ୍କ ପ୍ରଚେଷ୍ଟାରେ ରଙ୍କକୁ ଧୋବା, ଭଣ୍ଡାରି, ବନ୍ଧ ତୋଠ ମନା । ତାକୁ କୁଳରୁ ବାଛନ୍ଦ କରାଯାଇଛି । ଏକଘରିଆ ସେ । ରଙ୍କ କିମ୍ୱା ନେତ ଆଖିରେ ଆଉ ଲୁହ ନ ଥିଲା । ପୁଅର ଚିତା ନିଜେ ହିଁ ଜାଳିଲା ।

ଓଦା ଲୁଗା କାନିରେ ଲୁହ ବୁନ୍ଦାଏ ପୋଛୁ ପୋଛୁ ରଙ୍କ ଅନେକ କିଛି ଭାବିଗଲା । ତା’ ଜୀବନର ଗତକଥା କେଇଟି ଚଳଚ୍ଚିତ୍ରପରି ତା’ ମନ ପରଦା ଉପରେ ନାଚି ଉଠିଲା । ପୁଅର ସ୍ନେହ ଅପାସୋରା ହେଲା । ଲଡ଼ୁ ଦାସଙ୍କ ପୂର୍ବକୀର୍ତ୍ତି ମନେପଡ଼ିଲା..... ।

 

ଏଇ ଲଡ଼ୁ ଦାସେ, ରଙ୍କର ଭାଗ୍ୟାକାଶରେ ଏକ ଲଞ୍ଜାତାରା । ତାଙ୍କଲାଗି ହିଁ ତା’ର ଏଇ ପରିଣତି । ରଙ୍କ ଆଜିର ତେଲ ଲୁଣର ସଂସାରେ ଏମିତି ଏତେ ଗରିବ ନ ଥିଲା । ଧନୀ ହେଲେ ବି ତା’ ହାତରେ ଥିଲା ଜମି ତିନିମାଣ, ବଳଦ ହଳେ, ସୁନା ରୂପା ବୋଲି ପାଞ୍ଚ ଛଅ ତୋଳା-। କିନ୍ତୁ ଏହି ସବୁ ଉଭେଇ ଯାଇଛି ଏଇ ନରରାକ୍ଷସ ଲଡ଼ୁ ଦାସଙ୍କ ଲାଗି । ରଙ୍କର ବାପା ମଦନ ପ୍ରଧାନର ମୃତ୍ୟୁ ହୋଇଥିଲା, ୟାଙ୍କ କୂଟ ଚକ୍ରାନ୍ତରେ । ମଦନ ଗାଁରେ ଥିଲା ବିଖ୍ୟାତ ଗୋରୁ ମାହାଁର ଓ ଚାଷୀ ।

 

ବେଳ ରତ ରତ ହେଉଥାଏ । ଲଡ଼ୁ ଦାସେ ହାତରେ କ’ଣ କାଗଜ ଖଣ୍ଡେ ଧରି ଗାଁ ଦାଣ୍ଡଆଡ଼େ ମୁହାଁଉ ଥିଲେ । ମଦନକୁ ଗୋରୁ ବାନ୍ଧିବା ଦେଖି ସେଠି ଅଟକି ଯାଇ ପଚାରିଲେ, ‘‘କିରେ ମଦନ, ଆଜିକାଲି କ’ଣ କରୁଛୁ ?’’

 

‘‘ଆଉ କରିବି କ’ଣ ଆଜ୍ଞା । ବର୍ଷାର ତ ନାଁ ଗନ୍ଧ ନାହିଁ । ଜମି ଚାଷ ତ ନାହିଁ । ଖାଲି ବସିଛି । ବସନ୍ତୁ ମହାପ୍ରୁ !’’ ଘର ଭିତରୁ କାଠ ପିଢ଼ାଟିଏ ଆଣି ଦାଣ୍ଡ ପିଣ୍ଡାରେ ପକାଇଲା ।

 

ପିଢ଼ା ଉପରେ ଲଡ଼ୁ ଦାସେ ଆସ୍ଥାନ ଜମେଇଲେ । ବଟୁଆରୁ ଚୂନଟିକେ ଓ ଧୂଆଁ ପତ୍ରଟିକେ ମଳି ପାଟିରେ ପକାଇଲେ । ମଦନକୁ ବି ଯାଚିଲେ ।

 

‘‘ଆଉ ଚାଷବାସ କଥା କାହିଁକି ଧରୁଛ ? ସେ ଚାଷ କଥା ଛାଡ଼ । ଦେଖୁଛୁ ତ ଏ ଯୁଗର ରୀତିନୀତି । ହଁ, ଶୁଣ୍‍ ଗୋଟିଏ କଥା ।’’ ଦାସେ ଗଳା ଖଙ୍କାର ମାରି ଆରମ୍ଭ କଲେ ।

 

କଥା ଶୁଣିବାର ଆତୁରତା ସମ୍ୱରଣ କରିନପାରି ମଦନ ପଚାରିଲା, ‘‘କି କଥା ଆଜ୍ଞା ! କହନ୍ତୁ ।’’

 

ନାଇଁ ଯେ ମୁଁ ଆଜି ଗାଁ ସାଇବ ପାଖକୁ ଯାଇଥିଲି । ସେ କହିଲେ–ତମେ ସବୁ ଗାଁ ଲୋକେ ଲେଖି ମୋତେ ଗୋଟିଏ ଦରଖାସ୍ତ ଦିଅ । ମୁଁ ସବୁ ବନ୍ଦୋବସ୍ତ କରି ତୁମକୁ ଖାଦ୍ୟ, ବସ୍ତ୍ର ଓ ତଗାବି ଋଣ ମିଳିବାର ବନ୍ଦୋବସ୍ତ କରିବି–ତା’ପରେ ମୁଁ ତୋ’ ପାଖକୁ ଆସିଛି । ତୁ ତ ଗରିବ ଲୋକ । ତୋତେ ମିଳୁ.... ।’’

 

ହେଉ ଆଜ୍ଞା ! ଆପଣଙ୍କ ବଡ଼ତିରୁ ବଡ଼ତି ହେଉ । କେମିତି ହେଲେ ମୋ’ପାଇଁ ଟିକିଏ ବନ୍ଦୋବସ୍ତ କରନ୍ତୁ ।’’

 

‘‘ସୁବିଧା ଆଉ କ’ଣ ? ତୁ ତ ଏ କାଗଜ ଉପରେ ସନ୍ତକଟିଏ ମାରିଦେଲେ କାଲିଯାଇ ଟଙ୍କା ପାଇଯିବୁ ।’’ ଲଡ଼ୁ ଦାସେ ନିଜର ମୁରବି ପଣିଆ ପ୍ରକାଶ କଲେ ।

 

ମଦନର ଆନନ୍ଦ ସୀମା ଦେଖେ କିଏ ! ସେ ଆଉ କିଛି ଭାବିପାରିଲା ନାହିଁ । ଏଡ଼େ ବଡ଼ ସୁଯୋଗ ହାତରୁ ଛାଡ଼ିବାର ନୁହେଁ । ଛାଡ଼ିଲେ ଆଉ ମିଳିବ ନାହିଁ ।

 

‘‘ମହାପ୍ରୁ ! ମୋତେ ସନ୍ତକ ଆସୁନି । ଟିପଚିହ୍ନ ଦେଲେ... ।’’

 

‘‘ବେଶ୍‍ ଚଳିବ ।’’ ମଦନର ବାକ୍ୟକୁ ଦାସେ ପୂର୍ଣ୍ଣ କଲେ । ‘‘ହଉ ପଚାରୁଛୁ କ’ଣ ? ଜଲ୍‍ଦି ଟିପ ଚିହ୍ନ ଦେ । କାଳେ କିଏ ଆସିବ ? ସେମାନେ ଦେଖିଲେ ସକେଇ ହେବେ, ମହାପ୍ରୁ ଆମପାଇଁ ।’’

 

ମଦନ କାଗଜରେ ଦିଆହୋଇଥିବା ଟିକଟ ଉପରେ ଟିପଚିହ୍ନ ଦେଲା । ଦାସଙ୍କ ମନଟି ଆନନ୍ଦରେ କୁରୁଳି ଉଠିଲା । ପକ୍ଷୀ ଠିକ୍ ବସା ମାନିଲା ! ଦାସେ ସନ୍ଦିଗ୍‍ଧ ନୟନରେ ଚାରିଆଡ଼କୁ ଚାହୁଁଥିଲେ । ଦୃଷ୍ଟି ତାଙ୍କର କେଜାଣି କେତେଦୂର ।

 

‘‘ମୁଁ ଯାଉଛିରେ ମଦନ । କାଲି ଘରଆଡ଼େ ଟିକେ ଆସିବୁ ।’’

 

‘‘ହଉ ଆଜ୍ଞା ! ଭୁଲି ଯିବେନି । ମୋ’ କଥା ଆପଣଙ୍କୁ ଲାଗିଲା ।’’

 

‘‘.........’’ ଲଡ଼ୁ ଦାସେ ଚଞ୍ଚଳ ପଦକ୍ଷେପରେ ମଦନଘରୁ ନିଷ୍କ୍ରାନ୍ତ ହେଲେ । ମଦନର ଆଖି ଦୁଇଟା ତାଙ୍କ ଚଲାପଥକୁ ଚାହୁଁଥିଲା ।

 

ଦୁଇ ଚାରିଦିନ ପରେ–

 

ମଦନକୁ ତା’ ପଡ଼ୋଶୀ କହିଲା, ‘‘ହଇରେ ମଦନ, ତୁ କେବେ ଲଡ଼ୁ ଦାସଙ୍କ ପାଖରୁ ହେଣ୍ଡନୋଟ ଲେଖି ୧୦୦୦ ଟଙ୍କା ଘରଖର୍ଚ୍ଚ ପାଇଁ ଆଣିଥିଲୁ ! ହଉ, ଆଣିଲୁ । ଆଣିଲୁ ଯଦି ଶୁଝିଦେବା କଥା ନା...ଏବେ ତୋର ସେ ବଗଉ ମାଳର କିଆରିଟା ତାଙ୍କ ନାଁରେ ହୋଇଗଲା । ଆଉ ଜଳକାପରି ଅନାଇଛୁ କ’ଣ ?’’

 

‘‘କ’ଣ ତୁ କହୁଛୁ ?’’

 

‘‘ଆଉ କ’ଣ ମୁଁ ତୋତେ ମିଛ କହିବି ? ଯାଉନୁ ଦାସଙ୍କ ପାଖକୁ ।’’

 

ଲଡ଼ୁ ଦାସଙ୍କ ପିଣ୍ଡାରେ ମଦନ ଦୁଇଦିନ ଦୁଇରାତି ଧରି ତୁଣ୍ଡରେ ତିରଣ ଦେଇ ପଡ଼ିରହିଲା । କେତେ ଅକୁନୟ, ବିନୟ ହେଲା । କାକୁତି ମିନତି କଲା । ହେଲେ ମଧ୍ୟ ଦାସଙ୍କର ପଥର ହୃଦୟ ସେତିକିରେ ତରଳି ନ ଥିଲା । ମଦନ ନିଜ ପୁଅ ରଙ୍କକୁ ଏହି ସବୁକଥା ଗୋଟି ଗୋଟି କହିଲା । ମଦନର ମା’ ତାଟକା ହୋଇ ସ୍ୱାମୀ ମୁହଁକୁ ଚାହିଁ ରହିଲେ । ଏହାର ଦୁଇମାସ ପରେ ମଦନର ଇହଲୀଳା ସମ୍ୱରଣ ହେଲା । ରଙ୍କ ବହୁତ ଭାବନା ରତ ।

 

ଘର ଭିତର ଦ୍ୱାର ମୁହଁରେ ନେତ ହାତରେ ଡିବିଟିଏ ଧରି ଡାକୁଛି ‘‘ଆସ, ରାତି ଅନେକ ହେଲାଣି, ଶୋଇବ ଆସ । ବର୍ଷା କାକରଟାରେ ବସିଛ ଯେ ।’’

 

ରଙ୍କ କବାଟ କିଳିଲା, ହେଲେ ବି ଆଖିପତା ପଡ଼ିଲା ନାହିଁ । ସେ ଖାଲି ଭାବିଲା–ଭାବିଲା ଖାଲି–ପୁଅ ରାମୁର ହସିଲା ମୁହଁଟି ତା’ ଆଗରେ ଦିଶିଯାଉଥିଲା । ଲଡ଼ୁ ଦାସଙ୍କ ଉଗ୍ରମୂର୍ତ୍ତି ତା’ ଆଖିଆଗରେ ନିଆଁ ହୋଇ ଠିଆ ହେଉଥିଲା । ପ୍ରାୟ ରାତି ଦି’ଘଡ଼ିକୁ ରଙ୍କର ଆଖିକୁ ନିଦ ଆସିଲା-। ନେତ କଡ଼ ଲେଉଟୁ ଥାଏ ।

 

ନିଶା ସାଇଁ ସାଇଁ ଗର୍ଜୁଛି । ଅଫିମ ଅନ୍ଧାର ନେସି ହୋଇଯାଇଛି । ରାତ୍ରି ନିଜର କବରି ଫିଟାଇ ଦେଇ ଘୁମେଇ ପଡ଼ିଛି । ଆକାଶ ଗାଲିଚାରେ ଝରାଫୁଲପରି ତାରାଗୁଡ଼ିକ ବିଛେଇ ହୋଇ ପଡ଼ିଛନ୍ତି । ଗାଁ ଗହିର ବିଲରୁ ଭାସିଆସୁଛି ବିଲୁଆମାନଙ୍କର ହୁକେ ହୋ ରାବ । ମଶାଣି ଭୂମିରେ ଡାହାଣୀ ନିଆଁ ଦିକ୍‍ ଦିକ୍‍ ହେଉଛି । ଏହି ରାତ୍ରିରେ ନିଶାଚର ସାଜି ଗୋଟିଏ ଛାୟାମୂର୍ତ୍ତି ରଙ୍କ ବାଡ଼ିପଟ ଆଡ଼େ ଅଗ୍ରସର ହେଲା । ପିଣ୍ଡା ଚକୁଟିଲା । ପ୍ରାୟ ଦୁଇ ମିନିଟ ପରେ ରଙ୍କର ଛଣ ଛପର ଚାଳରୁ ନିଆଁ ଦିକ୍‍ ଦିକ୍‍ ହେଲା । ଚାରିଆଡ଼େ ଧୂଆଁର ରାଜତ୍ୱ ।

 

ପାହାନ୍ତା ପ୍ରହର । ଲୋକମାନେ ଘରପୋଡ଼ି ଦେଖି ନିଆଁ ଲିଭାଉଥିଲେ । ରଙ୍କର ଘର ଭିତରପଟୁ ବନ୍ଦ । ଦୁଇ ଚାରିଜଣ କବାଟ ତାଡ଼ି ଦେଖିଲେ ରଙ୍କ ଓ ତା’ ସ୍ତ୍ରୀ ନେତର ହୃଦ ପିଞ୍ଜରାରୁ କେତେବେଳୁଁ ପ୍ରାଣପକ୍ଷୀ ଉଡ଼ି ଚାଲିଗଲାଣି । ଘରଟାସାରା ଧୂଆଁ ଭର୍ତ୍ତି । ପ୍ରବେଶ କରିବା କଠିନ ହେଉଥିଲା ।

 

ନରମ ସୁକୋମଳ ଶଯ୍ୟା ଉପରେ ଲଡ଼ୁ ଦାସେ ବସି ବସି ହସିକରି ହାଇ ମାରୁଥିଲେ । ଅଳସ ଭାଙ୍ଗୁଥିଲେ । ପାହାନ୍ତାର ଚାନ୍ଦ ଉପହାସ କରୁଥିଲା ତାଙ୍କୁ । ଅନିଦ୍ରା ହେତୁ ଦେହଟା କିପରି ଅବଶ ଲାଗୁଥିଲା । ମନଟା ଶତ ଭୟରେ ପୂର୍ଣ୍ଣଥିଲା ।

 

ମାଲଭାଇମାନେ ରଙ୍କ ଓ ନେତର ଶବ ଧରି ଗାଁ ଦାଣ୍ଡରେ ଦ୍ରୁତ ପଦକ୍ଷେପରେ ଚାଲିଯାଉଥିଲେ ।

 

ଦୂରରେ ମିଳେଇ ଯାଉଥିଲା...ରାମ ନାମ ସତ୍ୟ ହେ.......ହରି ନାମ ସତ୍ୟ ହେ.......।

Image

 

ମଲାଜହ୍ନ ସେ ନଷ୍ଟସଞ୍ଜର

 

[ନିତା, ଲୁନା ହୁଏତ ମାଗି ନ ଥିଲା ମୋତେ ଆକାଶ ନୀଳିମାରୁ କାଣିଚାଏ ନତୁବା ଚନ୍ଦ୍ରର କଳଙ୍କରୁ ଜ୍ୟୋତ୍ସ୍ନା ଟୁକୁରାଏ କିମ୍ୱା ହୀରକ ତାରାରୁ ଜ୍ୟୋତି ବିନ୍ଦୁଟିଏ; ଲୁନା ଚାହିଁଥିଲା ମୋ’ ଦେହର କଠିନ ମାଂସରୁ ମେଞ୍ଚାଏ ଆଉ ମୋ’ ଧମନୀର ଲାଲ ଟୁକୁ ଟୁକୁ ରକ୍ତରୁ ଆଞ୍ଜୁଳାଏ । ତା’ ମାତୃତ୍ୱର ଅଭିଳାଷ ମୁଁ ପୂର୍ଣ୍ଣ କରିପାରିନଥିଲି ନିତା, କାରଣ ସେ ମୋ’ ବନ୍ଧୁ ଅମରର...ତା’ପରେ ସେ ସମସ୍ତ କୃଷ୍ଣଚୂଡ଼ାର ମଞ୍ଜୁଳ ପରାଗ ଶୁଖିଯାଇଥିଲା–ସେ ଚାଲିଗଲା ସେ ପ୍ରଥମ ଫଗୁଣର ଫଗୁଣ ରାତ୍ରିରେ ମୋ’ପାଇଁ ଛାଡ଼ିଦେଇ ତା’ ହୃଦୟର ଅନେକ ଭାଷା ଓ ତା’ ମନର ଅନେକ ବାସନା । ଲୁନାର ସ୍ମୃତି ମୁଁ ସାଇତି ରଖିଛି ମୋର ସଜ୍ଜଳ ଆଖିର ମଲା ମଲା ଆଖିପତା ପରେ ଆଜିର ଏ ଫୁଲ ଶେଯର ମିଳନ ତିଥିରେ.......]

 

ପ୍ରଥମ ଗ୍ରୀଷ୍ମର ଏକ ନମନୀୟ ଗୋଧୂଳି । ବାହାର ରାସ୍ତାର ଜନଗହଳିପୂର୍ଣ୍ଣ ସନ୍ଧ୍ୟାରେ ଆସନ୍ନ ରାତ୍ରିର କୁହେଳିକା । ମୁହଁରେ ମୋର କଲେଜ ଫେରନ୍ତା କ୍ଳାନ୍ତି । ବେକରୁ ଟାଇଟାର ନଟ୍‍ ଫିଟାଉଛି ଭାଉଜ କହିଲେ ‘‘ଅବିର, ତୁମକୁ ନନା କାହିଁକି ଡାକୁଛନ୍ତି, ଶୁଣିଯାଅ ।’’

 

ଭାଉଜଙ୍କ ଚିପା ଓଠତଳେ ଚପା ହସର ଇଙ୍ଗିତ ସ୍ପଷ୍ଟ । ରହସ୍ୟମୟ ହସ କିଛି କହିବାକୁ ବ୍ୟାକୁଳ । କୌତୂହଳ ଏଡ଼ିନପାରି ପଚାରିଲି–କଥା କ’ଣ କି ଭାଉଜ ? କ’ଣ ଆଜି ଭାରି ହସ । କୁହ କଥା କ’ଣ ? ଭାଉଜ ...ଆଖିରେ ମୋର ଅନୁରୋଧ, ବିସ୍ମୟର ଚିହ୍ନ । କଥାରେ ମୋର ମିନତି ଅଜଣା କଥା ଜାଣିବାର । ଭାଉଜଙ୍କ ହାତଟା ଧରିପକେଇ ପଚାରିଲି ।

 

‘ଭାଉଜ, କୁହମ, କ’ଣ ହେଇଛି, ଆରେ, କୁହ....ଏଁ ଏମିତି ହସ, ବାପରେ !’ ‘ଛାଡ଼, କିଛି ନାହିଁମ, ମୁଁ ଜାଣିବି କିପରି ? କି ଆଶ୍ଚର୍ଯ୍ୟ, ଆହେ ଛାଡ଼, ଯାଉନ, ନନା ଡାକୁଛନ୍ତି ।’

 

‘ନନାଙ୍କ ପାଖକୁ...ତୁମେ କହିଦେଲେ କ’ଣ ବେଦମାରା ହୋଇଯିବ ? ହେଉ, ନ କୁହ । ଯାଉଛି...।’ ନନାଙ୍କ ରୁମ୍‍କୁ ପାଦ ବଢ଼ାଉଥିଲି । ପଛରୁ ଭାଉଜ, ଡାକି କହିଲେ, ହେଉ ଶୁଣ, ଆଖି ବନ୍ଦକର । ତା’ପରେ ତୁମ କାନରେ ମୁଁ କହିବି । ବନ୍ଦକର ନା...’ ତାଙ୍କର କଣ୍ଠରେ ଆଦେଶ କୃତ୍ରିମତାର । ଛୋଟଛୁଆପରି ମୁଁ ଆଖି ବନ୍ଦକଲି । ଭାଉଜ ମୋର ବାଁ ହାତରେ ଫୋଟ ଖଣ୍ଡେ ବଢ଼ାଇ ଦେଇ କହିଲେ, ‘ଶୁଣ ଆଖି ଖୋଲନି । ମୁଁ ଗଲାପରେ ଖୋଲିବ । ବୁଝିଲ...ସାବଧାନ୍‍ ।’ ଭାଉଜ ଚାଲିଗଲେ । ହଠାତ୍‍ ଆଖି ଖୋଲି ଦେଖିଲାବେଳକୁ ହାତରେ ମୋର କେଉଁ ଅପରିଚିତା ଅଚିହ୍ନା ଝିଅର ଫଟଟିଏ । ଫଟଟି ଧରି ଦେଖୁଥାଏ ।

 

ପଛରେ କାହାର ଖିଲ୍‍ ଖିଲ୍‍ ହସ ଶୁଣି ମୁହଁ ବୁଲାଇଲି । ଭାଉଜଙ୍କ ଉପରକୁ ଫଟଟି ଫିଙ୍ଗିଦେଇ ବାଥ୍‍ରୁମ୍‍କୁ ଚାଲିଗଲି । ଗୋଡ଼ହାତ ଧୁଆଧୋଇ ହୋଇ ଫେରୁ ଫେରୁ ଭାଉଜ ଡାକିଲେ ‘ଅବିର, ଆସ ଖାଇବା ।’ ମୁଁ ଶୁଣି ନ ଶୁଣିଲାପରି ଚାଲି ଯାଉଥିଲି । ପରେ ରାଗ ଓ ଥଟ୍ଟା ମିଶା ସ୍ୱରରେ କହିଲି, ‘ଓଃ, ଏଇ ଫଟଟାପାଇଁ କଥା ଏତେ । ଯା ହେଉ, ତୁମରିପରି ସେ ବି ପୂରା ଆଲ୍‍ଟ୍ରା–ମଡ଼ର୍ନ, ମୁଣ୍ଡରେ ହାତେ ଲମ୍ୱର ଓଢ଼ଣା, ହାତରେ ବଜରାଏ ଲେଖା ଚୁଡ଼ି...ଭାଉଜ, ତୁମର ଯେଉଁ ବୟସ ନା, ତାରିଫ୍‍ ନ କରି ରହି ହେଉନି । ଆଉ...., ମୋର କଥା ଅପୂର୍ଣ୍ଣ ରହିଲା । ‘ହେଉ ବାବୁ, କ୍ଲାସରେ ତ ଲେକ୍‍ଚର ଦେଇ ଦେଇ ତୋଟି ଶୁଖିଯାଇଥିବ । ଏଠି ଆଉ କାହିଁକି ? ଛାଡ଼, ଆସିବନା କହିଲ ? ଏତିକିରେ ରାଗଟା ଶାନ୍ତ ହେଉ, ତେଣେ କଫି ଥଣ୍ଡା ହେବଣି । ଆସ ଖାଇବ–’

 

ନା, ମୁଁ ଖାଇବିନି ।

 

କ’ଣ, ଫଟଟା ଦେଖୁ ଦେଖୁ ପେଟ ପୂରିଗଲା ! ଆଉ ସେ ଯଦି ଆସନ୍ତି ଜମା...ଥାଉ । ଭାଉଜଙ୍କ ପଛେ ପଛେ ଡାଇନିଂ ରୁମ୍‍କୁ ପାଦ ବଢ଼ାଇଲି ।

 

ନିର୍ଜନ ରାତି । ଅଫିମ ନେସା ଅନ୍ଧାର । ଚାରିପଟେ ଉଦାସର ବାଡ଼ । ବାହାରେ ବର୍ଷାର ରାଜୁତି । ଆକାଶରେ ବାଦଲ୍‍ର ସମାରୋହ, ମଲାଜହ୍ନଟି ମରି ଲାଖି ରହିଛି । ଦି’ଚାରିଟା ତାରା କଳାରାତ୍ରିର ବକ୍ଷରେ ଏଣେତେଣେ ବୁଣିହୋଇ ପଡ଼ିଛି । ଭୋଜି ଘରର ଧୁମ୍‍ଧାମ୍‍ କମି ଆସିଲାଣି-। ଯେ ଯା’ ବିଛଣା ଧରିଲେଣି । ଆଜି ମୋ’ ମନରେ ବାସନ୍ତି ରାତି ଆନନ୍ଦ ଆଣିବା ପରିବର୍ତ୍ତେ ଭୟ ଆଣିଛି । ନାନା ଆଶଙ୍କା ନେଇ ମୁଁ ଛଟପଟ ହେଉଥାଏ । ଚିଠିଟା ଖୋଲିଲି । ବହୁଗ୍ରାମରୁ ଅମର ଲେଖିଛି ....ଦି’ଧାଡ଼ିରେ ଚିଠି–

 

ଅବିର,

 

ଏହି ହସ୍‍ପିଟାଲରେ ଲୁନାର ଗୋଟିଏ ପୁଅ କାଲି ରାତ୍ର ତିନିରେ ଜନ୍ମ ହୋଇଛି । ମା’ ଓ ପୁଅ ଉଭୟେ ଭଲ ଅଛନ୍ତି ।

 

Wish you a happy and prosperous wedded life. ଦୁଃଖ କରିବୁନି । ମୁଁ ତୋର ବାହାଘରେ ଯୋଗଦେଇ ପାରିଲିନି । ଭାଇ, ତୋତେ ମାଗୁଛି କ୍ଷମା, ଏହି ମୋଇ ଭିକ୍ଷା । ତୋର ହନିମୁନ୍‍ ନାଇଟ୍‍ କାହାଣୀଟା ମୋତେ ଜଣାଇବୁ, ମୋର ଭାରି ଆଗ୍ରହ ସେଥିରେ ।

 

ଉପହାର ଏ ତିଥିରେ ତୋ’ପାଇଁ ଗୋଟିଏ ରକ୍ତ ଗୋଲାପ, ତୋର ତାଙ୍କପାଇଁ ମୁଁ କିଛି ଦେଇପାରୁନି । ଲୁନା ଦେଉଛନ୍ତି ତାଙ୍କୁ ଛନ୍‍ ଛନ୍‍ ମୁନ୍ନା ଆଉ କୁନି କୁନି ମାମିର ଆଶୀର୍ବାଦ...ନେବୁତ ? ନା, ଫେରାଇ ଦେବୁ ରାଗରେ...–ଅମର ।

 

ଚିଠିଟା ପକେଟରେ ପୂରାଇଲି । ମୁଁ ଭାବୁଥାଏ ବର୍ତ୍ତମାନ ଏକ ଅଜଣା, ଅଚିହ୍ନା ଝିଅକୁ ନିଜ ଜୀବନର ଚିର ସାଥିନୀରୂପେ ପାଇ ବାସ୍ତବରେ ମୁଁ କ’ଣ ଜୀବନସାରା ସୁଖୀ ହୋଇପାରିବି ! ମୋ’ ଆଗରେ ଅନେକ ପ୍ରଶ୍ନ । ଅନେକ ଦ୍ୱନ୍ଦ୍ୱ ମୋ’ ମନରେ, ଅସର ଭାବନା ମୋର ମୁଣ୍ଡରେ । କହିଉଠିଲି–ନା....ନା । ତା’ପରେ ହୋସ୍‍କୁ ଫେରିଆସିଲି । ‘କେବେ ନୁହେଁ, ଲୁନା ଯାଇଛି । ତା’ର ସାଥେ ମୋର ସବୁ ଯାଇଛି ? ଲୁନା...’ ପ୍ରକୃତିସ୍ଥ ହେଲି ପରେ ପରେ ।

 

ଚଉଠି–ଫୁଲଶେଯର ରାତ୍ର ।

 

ଆଜି ବାସର ରାତି, ମଧୁରାତି ଜୀବନର ନୂଆ ଆଉ ପ୍ରଥମ ରୋମାଣ୍ଟିକ ଅନୁଭୂତି । ପ୍ରତ୍ୟେକଙ୍କ ଜୀବନରେ ଏହି ରାତିଟା ଗୋଟାଏ ବହୁ ଆକାଂକ୍ଷିତ, ଈପ୍ସିତ ମୁହୂର୍ତ୍ତ । ଏ ରାତ୍ରରେ ମନର ବାସନା ରୂପ ପାଏ, ହୃଦୟର ରୁଦ୍ଧ କବାଟ ଖୋଲିଯାଏ । ଯୁଗଯୁଗାନ୍ତରର କାମନା ସରିଯାଏ । ସ୍ତ୍ରୀର ନହ ନହକା ସୁନା ପାତିଆ ଦେହ ସ୍ପର୍ଶରେ ପୁରୁଷ ଦେହରେ ଖେଳେ ସ୍ପନ୍ଦନ, ମନରେ ଉଠେ ଶିହରଣ । ଅସର ସୁନେଲି ସ୍ୱପ୍ନ ବାସ୍ତବତାର ରୂପପାଏ । ଅତୀତ ମଲାପରି ଜଣାଯାଏ ।

 

ମୋ’ ପାଖରେ କିନ୍ତୁ ଏସବୁ ଅନୁଭୂତି ନିରର୍ଥକ, ମିଛ । ମୋର ସରଳ ଆଉ ତରଳ ମନରେ ଆଜି ଅତୀତର ଗରଳ ମିଶିଯାଇଛି । ମଧୁରାତି–ହେ, ୟା ଖାଲି Rubbish, trash ! ଏ ରାତ୍ରରେ, ଆଜିର ରାତିରେ ନାହିଁ ଜ୍ୟୋତ୍ସ୍ନାର ସ୍ନିଗ୍‍ଧତା, ନା ଚାନ୍ଦିନୀ ରାତିର ଶୀତଳତା । କପୋଳରେ ମୋର ବିନ୍ଦୁ ବିନ୍ଦୁ ଝାଳ, ଭାରି ଶୋଷ ମାଡ଼ିଲାଣି । ଶୁଖିଲା ଓଠ, ଓଦା କପୋଳ ନେଇ ମୁଁ ଖଟ ଉପରେ ବସିଥାଏ ।

 

ଟିକି ଦୀପଟିଏ ଦିକ୍‍ ଦିକ୍‍ ଜଳୁଛି । ଅନ୍ୟ କୋଣରେ ଥୁଆ ହୋଇଛି ଟେବୁଲ୍‍ ଉପରେ ହୋମର ପୋଡ଼ା ନଡ଼ିଆ ଆଉ ପାଣି ଗ୍ଲାସ । ସାମନାର ଟେବୁଲ୍‍ ଉପରେ ନାନା ଉପହାର, ଟେଲିଗ୍ରାମ୍‍ ଇତ୍ୟାଦି ।

 

କବାଟ ଖୋଲି ତାଙ୍କୁ ଘର ଭିତରକୁ ପୂରେଇ ଦେଇଗଲେ କିଏ ଦି’ଜଣ । ମୋଟ ଉପରେ ସରସତା ମୋର ମରିଯାଇଛି । ତଥାପି ମଧୁରାତି ତ ! କେତେ ନୀରବ ମୁହୂର୍ତ୍ତ ପରେ ମୁଁ ପଚାରିଲି ‘Miss, ତୁମର ନାମ ?’ କିନ୍ତୁ ସେ ନିରୁତ୍ତରା । ସେ କାନ୍ଥକୁ ଲାଗି ଠିଆ ହୋଇଥାନ୍ତି । ତାଙ୍କୁ ଆଉ କିଛି ପଚାରିବାକୁ ଇଚ୍ଛା ନଥାଏ । ପରେ ପରେ ପଚାରିଲି । ‘କ’ଣ, ଘରୁ ଆସିଲାବେଳେ କିଛି ଗୋଟାଏ ଶପଥ ନେଇ ଆସିଛ କି–ଆଜି ରାତ୍ରସାରା ମୋଟେ ଲିପସ୍‍ ଖୋଲିବ ନାହିଁ-। ପାରେ କି ଜାଣି ତୁମର ନାଁଟା କ’ଣ ?’ ତା’ପରେ ଗୋଟିଏ ପଦର ଉତ୍ତର–ନିତା-

 

ଧରିଥିବା ସିଗାରେଟ୍‍ ପେକେଟଟା ତଳେ ପଡ଼ିଗଲା । ବାହାରର ଦଲ୍‍କାଏ ଶୀତଳ ପବନରେ ଦୀପଟି ବି ଲିଭିଗଲା । ଘର ଭିତରେ ଅନ୍ଧାର ଘୁମେଇ ପଡ଼ିଛି । ସିଗାରେଟ୍‍ ଖୋଜିବାପାଇଁ ଦିଆସିଲି ଜାଳିଲି । ଦେଖିଲି, ଗୋଟାଏ କଣରେ ନିତା ଲୁଗା ପାଲଟୁଛନ୍ତି । ଅପ୍ରତିଭ ହୋଇପଡ଼ିଲି ମୁଁ । ନୀରବରେ ପଞ୍ଜାବି ଧୋତି ବଦଳାଇ ଖଟ ଉପରେ ବସି ରହିଲି । ତା’ପରେ କହିଲି–ଆସ ନିତା, ଠିଆ ହୋଇ ରହିଲ ଯେ...ବସ ।

 

ଫାୟାର୍‍ ଷ୍ଟେସନ୍‍ ଘଣ୍ଟାରେ ଠନ୍‍ ଠନ୍‍ ହୋଇ ଦି’ଟା ବାଜିଲା । ମୋର ଦେହ ଶୀତେଇ ଉଠୁଛି ବିନା ଶୀତରେ । ଦେଖିଲି ନିତା ଗୋଟିଏ ଧଳା ଶାଢ଼ି ପିନ୍ଧି ଖଟ ଉପରକୁ ଆସୁଛନ୍ତି । ମଶାରି ଟାଣିଲେ । ଶେଯରେ ପଡ଼ି ରହିଥାଏ ମୁଁ ମୁଣ୍ଡରେ ଅସର ଭାବନା ନେଇ । ଖଟ ଉପରେ ଆମ ଦୁହିଁଙ୍କୁ ଢାଙ୍କି ରଖିଥାଏ ଗୋଟାଏ ନୂଆ ପ୍ଲାଷ୍ଟିକ୍‍ ମଶାରି ।

 

ବାହାରେ ଝଡ଼ ଥମିନି, ଅନ୍ଧାର ପାଣିଚିଆ ହୋଇନି । ସେପଟେ ଝିଙ୍କାରିର ଶବ୍ଦ....

 

ନିତା ପିଲାଳିଆ କଣ୍ଠରେ ପଚାରିଲେ, ‘ଆପଣ ମତେ ପାଇବା ଆଗରୁ ଆଉ କାହାକୁ ଭଲପାଇଥିଲେ ?’ ଘାବରେଇ ଗଲି ମୁଁ । ନିଜକୁ ଯଥାସମ୍ଭବ ସଞ୍ଜତ କରିନପାରି କହିଦେଲି, ‘ହଁ-।’ ତା’ପରେ ଅନୁଭବ କଲି–ନିତାଙ୍କ ଶକ୍ତ ବାହୁବନ୍ଧନ ଶିଥିଳ ହୋଇଆସୁଛି । ଆସନ୍ନ କାନ୍ଦଣାର ଆଭାସ ତାଙ୍କ ସ୍ୱରରେ ପାଇଲି । କାହିଁକି ମୋର ଏ ଦୁର୍ବଳତା ! ନିତା ବୋଧେ ବୁଝିସାରିବେଣି । କଣ୍ଠ ମୋର ବାଷ୍ପରୁଦ୍ଧ ହେଲା । ସେ ପଚାରିଲେ ‘କିଏ ସେ ?’ ନିଜକୁ ମୁଁ ଆଉ ଅକ୍ତିଆରରେ ରଖିପାରିଲିନି । ମୁଁ ଭାବପ୍ରବଣ ହୋଇଉଠିଲି । ତା’ପରେ ପାଗଳଙ୍କ ପରି ବକିଗଲି-

 

ନା ନିତା, ମୋ’ ଜୀବନରେ ଆଉ ମଧୁରାତି କେବେ ଫେରିବନି । ମୁଁ ଏ ରାତ୍ରର ମାୟା ଭୁଲିଯାଇଛି । କହିଯିବି ତୁମକୁ ମୋର ଗତ ବିଗତ ଦିନର ଅଶ୍ରୁଳ ଇତିହାସ । ତୁମେ ଶୁଣ ନିତା, ତୁମେ ଶୁଣ–ଆଉ ତା’ରି ବଦଳରେ ତୁମରି ବାହୁବନ୍ଧନ ତଳେ, ନୀଳ ପଣତ ତଳେ ମତେ ବଞ୍ଚିବାକୁ ଦିଅ । ମୁଁ ବଞ୍ଚିବି ନିତା, ମୁଁ ବଞ୍ଚିବି । ତୁମରିପାଇଁ, ଖାସ୍ ତୁମରିପାଇଁ ବଞ୍ଚିବି । ଯାଉ ସେ ଲୁନା...ଲୁନା ! ଅଜଣାରେ ନିତାଙ୍କ ପାଟିରୁ ଉଚ୍ଚାରିତ ହୋଇଗଲା । ପ୍ରଥମ ରାତିରେ, ପହିଲି ସାନ୍ନିଧ୍ୟରେ ମୋର ଏ ଭାବପ୍ରବଣତା ଦେଖି ସେ ବିପଦ ମଣୁଥିଲେ । ତା’ପରେ କିଛି ମୁହୂର୍ତ୍ତର ନୀରବତାକୁ ଭାଙ୍ଗି ସେ କହିଲେ, ‘ମୋ ରାଣ, ତୁମେ ତୁନି ରହ । ଆରେ, ପିଲାଙ୍କପରି ଏମିତି କାନ୍ଦୁଛ କାହିଁକି ? ଛି....ମୋ ମୁଣ୍ଡ ଖାଅ...ତୁମେ ତୁନି ରହ । ନତୁବା...ନିତାଙ୍କ କଥା ଅପୂର୍ଣ୍ଣ । ନତୁବା ! ନତୁବା ତୁମେ ମତେ ଛାଡ଼ି ଏ ରାତ୍ରର ଅନ୍ଧାରରେ ଚାଲିଯିବ । ରକ୍ତ ଗୋଲାପର ଲାଲ ଶାଢ଼ି ପିନ୍ଧି ମୋ’ ପାଖକୁ ଆସିଥିଲ, ଆଉ ଫେରେ ଧୂଆଁଳିଆ ଆକାଶ ରଙ୍ଗର ଧଳାଶାଢ଼ି ପିନ୍ଧି ତୁମେ ଫେରିଯିବ ? ମୁଁ ସହିପାରିବିନି ନିତା । ମୁଁ ମରିଯିବି ତୁମେ ଚାଲିଗଲେ । ମୁଁ ତୁମକୁ ନେଇ ବଞ୍ଚିବି । ଲୁନାଗଲା–ତାହା ଆଜି ମତେ ଜଳାଇ ପୋଡ଼ାଇ ମାରୁଛି । ଆଉ ତୁମେ ଚାଲିଗଲେ ମୁଁ ସମୂଳେ ଲିଭିଯିବି ନିତା-। ଲୁନା ଗଲା, ଯାଉ...କିନ୍ତୁ ତୁମେ ଆସିଲ । ତୁମେ ମୋର ନିତା ଆଉ ନିତା...ମୁଁ କହି କହି ତାଙ୍କୁ ଶକ୍ତ ଆବେଗରେ ଭିଡ଼ି ଧରିଥିଲି । ମୋ’ ଛାତି ଉପରେ ମୁଣ୍ଡ ରଖି ସେ କେତେ କାନ୍ଦିଲେ । ପରିଶେଷରେ କହିଲେ, ‘‘ଆପଣ କୁହନ୍ତୁ ସେ ଅତୀତର ତିକ୍ତ ଅନୁଭୂତି । ମୁଁ ଶୁଣିବି । ତା’ପରେ ତୁମକୁ ନେଇ ବଞ୍ଚିବି । କୁହନ୍ତୁ...କୁହନ୍ତୁ ।’’ ମୁଁ ଚୁପ୍‍ ହେବା ଦେଖି ସେ କହିଲେ–କୁହନ୍ତୁନା...ବୋଧେ ସେ ମୋର ଏ ପିଲାଳିଆ ଢଙ୍ଗ ଦେଖି ଭାଙ୍ଗିପଡ଼ିଛନ୍ତି ।

 

ହଁ, କହିବି ନିତା । ଭିକ୍ଷା ମୋର ତୁମକୁ ଏତିକି–ତୁମେ ଶୁଣିଯାଅ ମୁଁ ଯାହା କହୁଛି । ସେ ବହୁତ ଦିନର କଥା । ମୁଁ ଦୀର୍ଘନିଃଶ୍ୱାସ ତ୍ୟାଗ କଲି । ତା’ପରେ ଆରମ୍ଭ କଲି–

 

ହଁ, ଦୀର୍ଘ ତିନିବର୍ଷ ତଳର କଥା । ଲୁନା ମୋର ଏ ଜୀବନର ପରିଧି ଭିତରକୁ କିପରି ଡେଇଁ ଆସିଲା, ମୁଁ ଜାଣେନା । କ’ଣ ଲୁନା ମୋ’ ଆଗରେ ସେଦିନର ଏକ ଉଦାସ ମୁହୂର୍ତ୍ତରେ କାହିଁକି ଦେଖାଦେଇ ମତେ ଆଜି ଏମିତି ଜଳାଇ ପୋଡ଼ି ମାରୁଛି ? ମୁଁ ଜାଣିପାରିନି, ଜାଣେ କେବଳ ସେ ପଥର ଭଗବାନ । ଆମର ବିବାହକୁ ସମାଜ ଅନୁମତି ଦେଇପାରିଲାନି । କାରଣ ଲୁନା ଥିଲା ବଙ୍ଗାଳି । ଆଉ ମୁଁ ଥିଲି ଓଡ଼ିଆ । ସବୁ ଗୋଟାଏ ଏକ୍‍ସିଡ଼େଣ୍ଟ ନିତା, ନିରାଟ ଆଉ ବିରାଟ ଦୁର୍ଘଟଣା । ସେତେବେଳେ ମୁଁ ଏ କଲେଜରେ ଚାକିରି ପାଇନଥାଏ । ଦିନେ ଅନ୍ୟମନସ୍କଭାବେ ସାଇକେଲ୍‍ ଚଳାଉ ଚଳାଉ ହଠାତ୍‍ ସାଇକେଲ୍‍ଟି ଲୁନାକୁ ଧକ୍‍କା ଦେଲା । ଲୁନା ପଡ଼ୁ ପଡ଼ୁ ନିଜକୁ ସମ୍ଭାଳି ନେଲା । କିନ୍ତୁ ଭୀଷଣ ରାଗିଯାଇ ମତେ ପଚାରିଲା–କ’ଣ ନିଶା ଖାଇଛନ୍ତି କି ଯେ ମନୁଷ୍ୟ ଆଖିକୁ ମଧ୍ୟ ଦେଖାଯାଉ ନାହାନ୍ତି ? ମୁଁ ପୂରା ଅପରାଧୀ ମନେ କରି ଉତ୍ତର ଦେଇଥିଲି, ‘ନା । କ୍ଷମା କରିବେ, ଆଜ୍ଞା । ଜାଣି ଜାଣି ତ ଏକ୍‍ସିଡ଼େଣ୍ଟ କରିନି । ଏମିତି....

 

ତା’ପରେ ସେ ମୋ’ ଉପରକୁ ଚିହିଁକି ଆସି ପଚାରିଲା–କ’ଣ କହିଲେ ଭଦ୍ରଲୋକ ? କ’ଣ ଏମିତି ??–ତା’ ଆଖିରେ ତାତ୍ସଲ୍ୟତା । ତଥାପି ମୁଁ ଜାଣିପାରିଲିନି କାହିଁକି ସେ ଘୃଣା, ତାତ୍ସଲ୍ୟତା ମତେ ଏତେ ଭଲଲାଗିଥିଲା । ମୁଁ ସାଇକେଲରେ ଉଠି ଚାଲିଗଲି । ଲୁନା ପଛରେ ପଡ଼ିରହିଲା ।

 

ନିତା ଲୁହ ପୋଛୁ ପୋଛୁ କହିଲେ ‘ହଁ, ତା’ପରେ...’

 

ତା’ପରେ ଖରାଛୁଟି ପରେ ମୁଁ ଏ କଲେଜରେ ଅଧ୍ୟାପକରୂପେ ଚାକିରି ପାଇଲି । ପ୍ରଥମ ଅଧ୍ୟାପନାର ସ୍ମୃତି ହିଁ ଆଜି ଆଣିଛି ମୋ’ ମନରେ ପଶୁତ୍ୱ । କ୍ଲାସରେ ଦିନେ ଏଟେଣ୍ଡାନ୍‍ସ ରୋଲ୍‍ ଡାକୁ ଡାକୁ କାହାର ପରିଚିତ ସ୍ୱର ଶୁଣି ହଠାତ୍‍ ମୁହଁ ଟେକି ଦେଖିଲି । ଦେଖିଲାବେଳକୁ ଆଉ କେହି ନୁହେଁ–ସେ ଗୋଲାପି ସନ୍ଧ୍ୟାର ସେହି ଲୁନା । ତା’ପରେ ମୁହଁ ବୁଲାଇ ନେଲି । ସେଦିନଠାରୁ ତା’ କଥା ନିରୋଳାରେ ମୁଁ ଅନେକ ଭାବିଛି । କେତେ ବିନିଦ୍ର ରଜନୀ ତା’ରି କଳ୍ପନାରେ ବିତାଇ ଦେଇଛି ।

 

ଗୋଟାଏ ଅଳସ ମୁହୂର୍ତ୍ତ ସେଦିନର । ଶେଯରେ ପଡ଼ି ଗୋଟିଏ ଇଂରାଜୀ ନୋଭେଲ୍‍ ପଢ଼ୁଥାଏ । କାହାର ପାଦ ଶୁଣି ଦେଖିଲାବେଳକୁ ଆବିଷ୍କାର କଲି ଲୁନାକୁ ମୋର ସାମ୍ନାରେ । ତାକୁ ଭିତରକୁ ଡାକି ପଚାରିଲି–‘ଲୁନା, କ୍ଲାସରେ ଲେସନ୍‍ ବୁଝୁଛନା ?’

 

ହଁ, ସାର୍‍ ।’

 

ଆଉ ହଠାତ୍‍ ଆଜି କେମିତି ?

 

‘ନାଇଁ ସାର୍‍ ।’ ଲୁନା କିଛି କହିବାକୁ ଚାହୁଁଥିଲା ।

 

ତା’ପରେ ଥଟ୍ଟାରେ ତାକୁ ପଚାରିଥିଲି–‘What ନାଇଁସାର୍‍, କୁହ...ଆଗମନର କାରଣ-।’ ମୁଁ ଲକ୍ଷ୍ୟ କରିଥିଲି ତା’ ମୁହଁରେ ଲାଜ ଲାଜଭାବ, ତା’ ଓଠତଳେ କିଛି କହିବାର ଜିଜ୍ଞାସା, ତା’ ଆଖିରେ ଅନନ୍ତ ତୃଷ୍ଣା ।

 

‘କ’ଣ କି ସାର୍‍, ଘରଟାକୁ ଏମିତି ଅସନା କରି ପକାଇଛନ୍ତି କାହିଁକି ?’’ ମୁଁ ଉତ୍ତର ଦେବା ପୂର୍ବରୁ ଲୁନା ହସି ହସି ମୋର ଘର ଆଜି ସଜେଇବାରେ ଲାଗିଲା । ଟେବୁଲ ଉପରେ ଇତସ୍ତତଃ ହୋଇ ପଡ଼ିଥିବା ମେଗାଜିନ୍‍ଗୁଡ଼ାକୁ ସଜାଇ ଦେଲା । ଏସଟ୍ରେରୁ ସିଗାରେଟ୍‍ ଖଣ୍ଡ ଫିଙ୍ଗିଦେଲା । ଏମିତି କିଛି ।

 

‘‘କ’ଣ ଶୁଣୁଛ ନିତା ?’’

 

ନିତାଙ୍କ ଓଠରୁ ଗୋଟିଏ ଛୋଟିଆ ‘ହୁଁ ।’

 

ଲୁନା ଆରମ୍ଭ କଲା–କ’ଣ କି ସାର୍‍, ମୋର ଆଜି ଜନ୍ମଦିନ । ବାପା କହିଛନ୍ତି ଆପଣଙ୍କୁ ଆସିବାପାଇଁ । ନିମନ୍ତ୍ରଣ ରହିଲା ।

 

ନିମନ୍ତ୍ରଣ ପତ୍ର ଖଣ୍ଡେ ପାଇ ପଚାରିଲି ‘ହେଉଯିବି, ତେବେ...କେତେବେଳେ ଆଜି ?

 

ସାର୍, ଅବିକା ଆସୁନାହାନ୍ତି ?

 

ଅବିକା !

 

ହଁ–ଅବିକା, ବର୍ତ୍ତମାନ, ଏହି ମୁହୂର୍ତ୍ତରେ । କ’ଣ ଆସିବେ ନା ? ଉଠନ୍ତୁ–ଲୁନା ମୋର ହାତଧରି ଉଠାଇବାକୁ ଚେଷ୍ଟା କଲା । ପରେ କ’ଣ ଭାବି ମୋ’ ହାତ ଛାଡ଼ି ଦେଲା ।

 

ରକ୍ତିମ ସନ୍ଧ୍ୟାର ବହୁ ଆଡ଼ମ୍ୱର ଭିତରେ ତା’ର ଜନ୍ମଦିନ ଉତ୍ସବ ପାଳିତ ହେଲା । ମୋର କେତେକ ତରୁଣ ଅଧ୍ୟାପକ ବନ୍ଧୁ, ବହୁତ କଲେଜ ଛାତ୍ରୀ, ଆଉ ତା’ର କେତେକ ସଙ୍ଗିନୀ ନିମନ୍ତ୍ରିତ ହୋଇ ଆସିଥାନ୍ତି । ଲୁନା ଦେହରେ ଇନ୍ଦ୍ରଧନୁର ରଙ୍ଗ...ତା’ ଆଖିରେ ଅଦ୍ୟମ କ୍ଷୁଧା । ନିତା, ତୁମେ ବିଶ୍ୱାସ କରିବ କି ନାହିଁ–ମୁଁ ଜାଣେନା । ଗୋଟାଏ ବହି ତାକୁ ଉପହାର ଦେଲାବେଳେ ମୁଁ ଯେମିତି ଅନୁଭବ କରୁଥାଏ ଉପହାର ତଳେ ଲଗାଲଗି ହୋଇ ରହିଥିବା ଲୁନାର ହାତର ଉଷ୍ମତା-। ଅପଲକ ଆଖିରେ ମୁଁ ଶୁଣୁଥାଏ ତା’ର ନୀଳ ଆଖିର ନିମନ୍ତ୍ରଣର ଆହ୍ୱାନ–ତା’ ପେଲବ ଓଠ ତଳର ପ୍ରଥମ ପ୍ରଣୟର ନୂତନ ଭୀତି । କେତୋଟି ଅସହ୍ୟ ମୁହୂର୍ତ୍ତ ପରେ ଲୁନା ପ୍ରଶ୍ନ କରିଥିଲା–‘ମୋ ମୁହଁରେ କ’ଣ ଦେଖୁଛନ୍ତି ସାର୍‍ ।’ ମୁଁ ନିଜକୁ ଅପ୍ରତିଭ ମନେକରି ସାଦା ଉତ୍ତର ଦେଇଥିଲି ‘ତୁମକୁ’ । ସେ ହସିଦେଇ ଚୁପ୍‍ ହୋଇଗଲା । କାରଣ ମୋର ବନ୍ଧୁ ଅମର ସେତେବେଳେ ଆମର ଏ ଦୃଶ୍ୟ ଦେଖୁଥିଲା । ସେଦିନର ଅମର ଆଜିର ଆଇ.ପି.ଏସ. ଅଫିସର ଏଠାରେ, ଏହି ସହରରେ ।’

 

ଅମର କିଏ ? ନିତା ପଚାରିଥିଲେ ।

 

ଅମର ! ଅମର ମୋର ଅନ୍ତରଙ୍ଗ ବନ୍ଧୁ । ଅମର ଗାଙ୍ଗୁଲି । ଲୁନାର ସ୍ୱାମୀ ସେ ଆଜି ।

 

ସ୍ୱାମୀ !

 

‘ହଁ, ତୁମେ ଏମିତି ଚମକି ଯାଉଛ କାହିଁକି ନିତା ? ଶୁଣ ମୋ’ ଅତୃପ୍ତଆତ୍ମର କାହାଣୀ । ନିତା ହଁ ଭରିଲେ । କଥାର ଖିଅ ଛିଣ୍ଡିନି ।

 

ଏଣିକି ମୁଁ ପ୍ରାୟ ପ୍ରତି ସନ୍ଧ୍ୟାରେ ଲୁନା ଘରକୁ ଯିବା ଦେଖି ବନ୍ଧୁ ମହଲରେ ସମାଲୋଚନା ହେଲା । ଛାତ୍ରଛାତ୍ରୀ ମହଲରେ ମୋ’ ବିରୁଦ୍ଧରେ ନାନାକଥା । ଏସବୁ ସତ୍ତ୍ୱେ ବି ତା’ ଘରକୁ ମୁଁ ପ୍ରାୟ ଯାଉଥାଏ । ଦିନେ ତାକୁ କଲେଜରେ ନ ଦେଖିଲେ ମନଟା ଖାଲି ଖାଲି ଲାଗେ । ତା’ ପରେ ପରେ ମୋ’ ଜୀବନ ଆକାଶରେ ହଠାତ୍‍ ଏକ ଧୂମକେତୁ ଦେଖାଦେଲା । ଜାଣ ନିତା, ସେ ଧୂମକେତୁର ସଂଜ୍ଞା ? ସେ ଧୂମକେତୁ କ’ଣ ?

କ’ଣ ? ନିତାଙ୍କର ବିସ୍ମୟ ମାତ୍ରାଟା ବଢ଼ି ଯାଇଥିଲା ଯେମିତି ଚାରିଗୁଣ ।

ନା, ସେ କିଛି ନୁହେଁ । ହଁ ନିତା, ଦିନେ ହଠାତ୍‍ ଶୁଣିଲି ଲୁନା କଲେଜ ଛାଡ଼ିଦେଇଛି । ସେ ଅମରକୁ ବାହା ହେଉଛି । କିନ୍ତୁ ଏଥିରେ ବିଶ୍ୱାସ କରିପାରିଲିନି । ମନର ସମସ୍ତ ଆବେଗକୁ ଚାପିରଖି ଦିନେ ଅମରକୁ ଥଟ୍ଟାରେ ପଚାରିଥିଲି । ‘‘ଅମର, ତୁ ବାହା ହେଉଛୁ ବୋଲି ଶୁଣୁଛି । ତେବେ ଜାଣିପାରେକି କିଏ ସେହି ଅଜଣା ତିଥିର, ପ୍ରଥମ ରାତ୍ରିର ନାୟିକା ?’’

ଅମର ପ୍ରଶ୍ନ କରିଥିଲା–ଆଶ୍ଚର୍ଯ୍ୟ, ଜାଣିନୁ ତୁ ଏଯାଏଁ !

‘‘ନା ଭାଇ, କହ କହମ କିଏ ସେ ଭାଗ୍ୟବତୀ ।’’

‘‘କହିବି ? ଶୁଣ ସେ କିଏ ନୁହେଁରେ । ସେ ତୁମ କଲେଜର ବି.ଏ. ଶେଷବର୍ଷ ଛାତ୍ରୀ ଲୁନା ସିହ୍ନା ।

‘ଲୁନା !! ମୁଁ ଆଶ୍ଚର୍ଯ୍ୟରେ ତା’ ମୁହଁକୁ ଅନାଇ ରହିଲି ।’

ମନେ ମନେ ଅମରର ଅଶୁଭ ମନାସିଲି–ଅମର, ତୁ କିପରି ଗଲୁ ମୋର ମାନସୀକୁ ତୋର ପ୍ରେୟସୀରୂପେ ପାଇବାପାଇଁ । ମୁଁ ଭାରି ଖୁସି ହେଲି ବାହାରେ, ଏଣିକି ଅମରର ଆଉ ଅଶୁଭ ନ ମନାସି ଶୁଭ ମନାସିଲି–ଅମର ସୁଖୀ ହେଉ, ଲୁନା ବଞ୍ଚୁ । କିନ୍ତୁ ଭିତରେ ମୁଁ ଜଳିଗଲି ।

ନିତାଙ୍କ ଦୀର୍ଘଶ୍ୱାସର ଆବାଜ । ଜାଣେନା ସେ ଦୀର୍ଘ-ଶ୍ୱାସ ବେଦନାର କି ନୁହେଁ ।

ତା’ପରେ ମୋର ଏକ ବିରାଟ ପରିବର୍ତ୍ତନ.....

ତା’ ପରଦିନ ଲୁନାକୁ ଏକ ଚିଠି ଲେଖିଲି । ଆଜି ସେ ଚିଠି ଏ ରାତ୍ରିରେ ସମ୍ପୂର୍ଣ୍ଣ ମନେପଡ଼ୁନି । ତଥାପି ଏତିକି ଲେଖିଥିବି ତ ।

ଲୁନା,

ତୁମେ ଅମରକୁ ପାଇ ମତେ ଭୁଲିଯାଅ । ଦେହର ଲାଳସା, ମାଂସର ଲୋଭ ପ୍ରେମପାଇଁ କିଛି ନୁହେଁ, ପ୍ରେମପାଇଁ ମାଂସର ଆକର୍ଷଣ, ଦୈହିକ କାମନା କିଛି ଦରକାର ନାହିଁ । ଏଣିକି ମତେ ଭୁଲିଯାଅ, ଅମରକୁ ଭଲପାଅ । ଯଦି ଭୁଲି ପାରୁନ, ମୁଁ ଆଉ ତୁମପାଇଁ କ’ଣ କରିବି ଲୁନା-? ମୁଁ ଆଜି ନାଚାର । ମୁଁ ଆଜି କକ୍ଷଚ୍ୟୁତ, ବାସ୍ତୁହରା । ଲୁନା, ମିଛ ଲେଖୁନି–ତୁମେ ମୋର ଅନ୍ତରଙ୍ଗ ବନ୍ଧୁ ଅମରକୁ ନେଇ ସୁଖୀ ହୁଅ । ସେଥିରେ ମୋର ଆନନ୍ଦ, ସେ ଟିକକରେ ମୋର ତୃପ୍ତି, ବିଶ୍ୱାସ କର, ଏଯାଏଁ ବି ମୁଁ ତୁମକୁ ଭଲପାଉଛି । କିନ୍ତୁ ନିଜର ଏ କ୍ଷଣିକ ସ୍ୱାର୍ଥପାଇଁ–ମୁଁ ତୁମ ଡାଡ଼ି ମାମିଙ୍କ ଆଖିରେ ଲୁହ ଦେଖିପାରିବିନି, ଜାଣି ଜାଣି ମୋ’ ଅମରର ନିଷ୍କପଟ ହୃଦୟରେ ଗରଳ ଭରିପାରିବିନି । ତୁମେ ମତେ କ୍ଷମାକର, ମୁଁ ସମାଜ ଭୀରୁ । ତୁମକୁ ମୁଁ ବାହା ହୋଇପାରିବିନି । ତୁମେ ସୁଖୀ ହୁଅ, ଅମର ଖୁସି ହେଉ । ଡାଡ଼ି ମାମି ତୁମର ବଞ୍ଚନ୍ତୁ–ଏତିକି ମୋର ତୁମ ପାଖରେ ମାଗୁଣି । ଯଦି ତୁମେ ଏତିକି ମତେ ଦିଅ ତେବେ ମୁଁ ଭାବିବି ଲୁନାଙ୍କ ଦେହ ପରିବର୍ତ୍ତେ ସବୁକିଛି ପାଇଲି । ତୁମକୁ ପାଇଲି–ନ ହୋଇପାରେ ପାଖରେ ଶଯ୍ୟା ସଙ୍ଗିନୀରୂପେ, ଜୀବନ ସାଥିନୀରୂପେ; କିନ୍ତୁ ମନର ମାନସୀରୂପେ–ଲୁନା ତୁମେ ହୋଇନପାର ମୋ’ ପ୍ରେମର ପ୍ରେୟସୀ, କିନ୍ତୁ ମନର ମାନସୀ ତ.....

ତା’ର କିଛିଦିନ ପରେ ଲୁନା ତା’ ଲୁହର କାଳିରେ ମୋ’ ପାଖକୁ ଏକ ଚିଠି ଲେଖିଥିଲା–‘ସାର୍‌, ଲୁନାର ଅଭ୍ୟର୍ଥନା ଆପଣଙ୍କ ନିକଟରେ କେବେ ବ୍ୟର୍ଥ ହୋଇପାରେନା । ଏହା ସତ ନା ମିଛ, ମୁଁ ବହୁ ଚେଷ୍ଟା କରି ଆପଣଙ୍କ ନିକଟରେ ପରୀକ୍ଷା କରିଛି । ଆପଣ ଜିଣିଛନ୍ତି-। ହେଉ, ଦୁନିଆର ସବୁକୁ ବଞ୍ଚେଇବା ପାଇଁ ମୁଁ ମରିବି । କିନ୍ତୁ ଆପଣଙ୍କୁ ନେଇ ମୁଁ ବଞ୍ଚିବି, ମୁଁ ନାରୀ-ନାରୀ ଖେଳ ଖେଳିପାରେ । ମୁଁ କାହିଁକି ସେଥିରୁ ବାଦ୍‌ଯିବି । ମୋ’ପାଇଁ ଦେବଦାରୁ ବଣର ମାୟା ଅଛି । କିନ୍ତୁ ଇଉକାଲିପଟସ୍‌ ବଣର କାୟା ନାହିଁ । ମୁଁ ବିଷ, ମୁଁ ପିୟୁଷ ବି । ମୁଁ ଭାରତୀୟ ନାରୀ–ମୁଁ ଦେବୀ, କିନ୍ତୁ ବାରର ଦେବୀ ନୁହେଁ । ଆପଣଙ୍କର କାମନା–ଅମରବାବୁ ମତେ ନେଇ ସୁଖୀ ହୁଅନ୍ତୁ । ମୋର ଆଶା, ଆପଣ ବି ମତେ ପାଇ ଖୁସି ହୁଅନ୍ତୁ ମୋ’ ପାଖରେ ଆପଣଙ୍କର କୌଣସି ସ୍ମୃତି ନାହିଁ ଆପଣଙ୍କୁ ମନେରଖିବା ପାଇଁ । ମୁଁ ତାହା ଇଲେ ମାଗୁନି । ଦିନ ଆସିବ । ମୁଁ ତାହା ମାଗିବି । ଦୃଢ଼ ବିଶ୍ୱାସ, ଆପଣ ମନାକରିପାରିବେନି–ମୁଁ ଜାଣେ । ଏ ରାତିତ ଅସରା, ଆଉ ଲେଖିବି କ’ଣ ? ବେଡ଼୍‌ରୁମରେ ମୁଁ ଏକା । ମୋର ସାଥୀ ଦି’ଟା ଲୁହଭିଜା ତକିଆ ଓ ଅନ୍ଧାରର ମେଞ୍ଚାଏ । ଆକାଶରେ ମଲାଜହ୍ନ । ଅନ୍ୟର ହୋଇଯିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ମାଗୁନି । ପରେ ମାଗିବି–ନମସ୍କାରାନ୍ତେ–’’

 

ଏତେକଥା କହି ମୁଁ ଦମ୍‌ ନେବା ଦେଖି ନିତା ପଚାରିଲେ ‘ତା’ପରେ ଲୁନା ଅମରବାବୁଙ୍କୁ ବାହାହେଲେ....’ ତାଙ୍କର କଥା ଅପୂର୍ଣ୍ଣ ରହିଲା ।

 

‘ହଁ, ଲୁନା ଅମରକୁ ବିବାହ କଲା । ମୁଁ ବି ଏଥିରେ ବହୁତ ସାହାଯ୍ୟ କରିଥିଲି । ଭୋଜି ଖାଇଲି, ଉପହାର ଦେଲି । କିନ୍ତୁ ଲୁନାକୁ ଦେଖା ନ ଦେଇ ଫେରିଆସିଲି । ଅମର ଶେଷରେ କହିଥିଲା, ‘‘ଅବିର, ଯେମିତି ଭାଇ ତୋର ନୂଆବୋଉଟାକୁ ଭୁଲିଯିବୁନି । ଘରଆଡ଼େ ବୁଲି ଆସୁଥିବୁ ।’’ ସେଦିନ ରାତିରେ ଅନ୍ଧାର ଚିରି ମୁଁ ଘରକୁ ଫେରିଲି । ମୁଣ୍ଡଟା ମୋର ଭାରାକ୍ରାନ୍ତ, ମନଟା ତପ୍ତ । କିନ୍ତୁ ହୃଦୟରେ ଅଜଣା ଆନନ୍ଦ, ଦେହରେ ଅକୁହା ସ୍ପନ୍ଦନ । ଦିନେ–ତା’ ବିବାହ ପୂର୍ବରୁ ଯେଉଁଦିନ ଅମର ସହିତ ଲୁନାର ବିବାହ କଥା ସବୁ ଠିକ୍‌ଠାକ୍‌ ହୋଇଗଲା–ସେଇଦିନ ଏମିତି ଏକ ବର୍ଷଣ ରାତି । ଚାରିଆଡ଼େ ନୀରବ, ନିସ୍ତବ୍ଧ । ସବୁକିଛି ଅନ୍ଧାରରେ ଲୀନ ହୋଇଯାଉଛି-। ହଠାତ୍‌ ଦରଜାରେ କାହାର କରାଘାତ ଶୁଣି ଦରଜା ଖୋଲିଲି । ନୀରବରେ ଘର ଭିତରକୁ ସଚଞ୍ଚଳେ ପଶି ଆସିଲା ଲୁନା । ମୋର ପାଦ ଦି’ଟା ଧରି ସେ ବହୁତ କାନ୍ଦିଲା ।’

 

ତା’ ଆଖିର ତତଲା ଲୁହ ମୋ’ ହାତର ପାପୁଲିରେ ପୋଛିଲି । ଲୁନା କହିଗଲା–ସାର୍‌, ମୁଁ ଆଉ ଦି’ଦିନ ବାଦେ ଚାଲିଯିବି ଅମରଙ୍କ ପାଖକୁ । କିନ୍ତୁ ଆଜି ଏହି ବର୍ଷା ରାତ୍ରିରେ ଭିଜି ଚାଲିଆସିଛି କେବଳ ଆପଣଙ୍କ ଭରସାରେ । ଅନ୍ଧାରର ମାୟା ମତେ ଅଟକାଇ ପାରିନି, ଭୁଲାଇ ପାରିନି । ବର୍ଷା ରାତ୍ରିର ଘନଘୋଟା ମୋତେ ଆଗକୁ ଠେଲି ଆପଣଙ୍କ ପାଖକୁ ପଠାଇ ଦେଇଛି । ଆପଣ ମୋତେ ଆପଣଙ୍କ ଛାତି ଉପରେ ଆଶ୍ରୟ ଦିଅନ୍ତୁ । ନତୁବା ମୁଁ ମରିଯିବି ସାର୍‌, ମରିଯିବି ।’ ନାନାକଥା କହି ତାକୁ ଭୁଲାଇ ଦେଲି । ସେ ଅନ୍ଧାରରେ ହଜିଗଲା । ତା’ ପର ଦି’ଦିନ ପରେ ତା’ ବିବାହର ରୋଶଣି ଜଳିଉଠିଲା, ସାହାନାଇ ଗର୍ଜିଉଠିଲା ।

 

ନିତା, ତା’ପରେ । ସେଦିନ ରାତି ପରଠୁଁ ମୋର ମନେହେଲା–ପ୍ରକୃତ ପ୍ରେମପାଇଁ, ହୃଦୟର ମିଳନପାଇଁ, ମନର ସଙ୍ଗମପାଇଁ ଦେହର ଆକର୍ଷଣଟା କେବଳ ଗୋଟାଏ ବାହାନା; ଯାହାକିଛି ପ୍ରକୃତ ପ୍ରେମ, ଶାଶ୍ୱତ ସ୍ନେହ ନିର୍ଭର କରେ ମନୁଷ୍ୟର ହୃଦୟ ଆଉ ମନ ଉପରେ, ମାଂସଟା କେବଳ ଗୋଟାଏ ଆଭିମୁଖ୍ୟ ମାତ୍ର । ଏହି ଦୃଷ୍ଟିକୋଣ ନେଇ ମୁଁ ଲୁନାକୁ ଭୁଲିପାରିଲିନି, ପାସୋରିଲିନି ଜମା । ମୁଁ ଜାଣେ ସେ ବି ।

 

ଲୁନା ଜୀବନରେ ଦେଖାଦେଲା ବ୍ୟତିକ୍ରମ । ଅମର ଆଇ.ପି.ଏସ୍‌. ପାଇ ବଡ଼ ଅଫିସର ହେଲା । ସମାଜରେ ତା’ର ଆସନ ସୁପ୍ରତିଷ୍ଠିତ । କିନ୍ତୁ ଲୁନା ଅମରର ପାଦ ସହ ପାଦ ମିଳାଇ ପାରିଲାନି । ଆଗେଇ ପାରିଲାନି । ପାରିଲାନି ନୁହେଁ ମାନେ, ତା’ର ନାରୀତ୍ୱ ଓ ତା’ର ବିବେକ ତାକୁ ମନାକଲା । ସେ ଉପରିସ୍ଥ କର୍ମଚାରୀଙ୍କ ସହ ବାରରେ, କ୍ଲବରେ ହାତକୁ ହାତ ଛନ୍ଦି, ବାହୁକୁ ବାହୁ ଛନ୍ଦି ବଲ୍‌ଡାନ୍‌ସ କରିପାରିଲା ନାହିଁ । ଅମରର ହାତକୁ ବ୍ରାନ୍ଦିଭରା ଗ୍ଲାସ ଓଠରେ ହସଟାଣି ବଢ଼ାଇ ପାରିଲାନି ସେ । ତଥାପି ସେ ତା’ର ଶତ ଅନିଚ୍ଛା ସତ୍ତ୍ୱେ ଅମର ସହିତ ଡିନରରେ ଯୋଗ ଦେଇଛି । ଅମରର କଥା ପାଖରେ, ତା’ର ଲାଲଆଖି ଆଗରେ ଲୁନାର ସବୁ ଆକୁଳ ଆବେଦନ ବ୍ୟର୍ଥ ହୋଇଛି । ଦିନରାତି ଅମର ବାହାରେ କଟାଏ । ଯେଉଁ କେତୋଟି ଘଣ୍ଟା ଘରେ ରହେ ଲୁନା ସହିତ ଅମରର ପାର୍ଥକ୍ୟ ସୃଷ୍ଟି ହୁଏ । ମଦ ଆଉ କ୍ଲବ୍ ପାର୍ଟି ଅମର ଆଗରେ ସବୁକିଛି । ଲୁନା ତା’ ଆଗରେ ଯେମିତି ଗୋଟାଏ ପ୍ରାଣହୀନ, ରକ୍ତହୀନ, ମନବିହୀନ ନାରୀ । ଲୁନାର ସମସ୍ତ ସ୍ୱପ୍ନ ମିଳେଇ ଗଲା । ସୁଖର ଆଶା ଦୂରେଇ ଗଲା । ଅମର ଜାଣେ ଲୁନାକୁ ନେଇ ଖାଲି ଖେଳିବା । ଲୁନା ବହୁବାର ନିଜକୁ ବଡ଼ ଅସହାୟା ମନେକରିଛି । ସ୍ୱାମୀର ଘରସଂସାର ଭିତରେ ସେ ନିଜକୁ ହଜେଇପାରିଲା ନାହିଁ । ସଳିତା ହୋଇ ସେ ଜଳିଲା, ତଥାପି ତା’ ଘର ସଂସାର ଅନ୍ଧାର ହୋଇ ପଡ଼ିରହିଲା । ଅତୀତ ତା’ ମନରେ ସର୍ବଦା ଜୀବିତ । ରାତି ରାତି ସେ ଅମରପାଇଁ ପ୍ରତୀକ୍ଷା କରିଛି, କିନ୍ତୁ ଅମର କ୍ଲବ୍, ପାର୍ଟି ନେଇ ବ୍ୟସ୍ତ । ବାରଙ୍ଗନା ନାରୀର ବାହୁ ବନ୍ଧନ ତଳେ ପିୟୁଷ ପରିବର୍ତ୍ତେ ବିଷ ଚାଖୁଥିଲା । ଅମରର ନିମନ୍ତ୍ରଣ କ୍ରମେ ତା’ ଘରକୁ ମୁଁ ବହୁତଥର ଯାଇଛି । ତାଙ୍କର ଦାମ୍ପତ୍ୟ ଜୀବନ ଦେଖି ମୁଁ ଖୁସିଥାଏ । ଲୁନା ମୋତେ କୌଣସି କଥା କହିନି ଅମର ବିରୁଦ୍ଧରେ । ଅଭିନେତ୍ରୀ ସାଜି ସେ ସବୁ ଭୁଲିପାରିଥିଲା ବୋଧେ । ମୁଁ ଆନନ୍ଦିତ ଥିଲି ଯେ ଅମର ଆଉ ଲୁନା ନୀଡ଼ ରଚି ପାରିଛନ୍ତି, ଜୀବନର ମରୁଭୂମି ଭିତରେ ମରୁଦ୍ୟାନର ସତ୍ତା ପାଇପାରିଛନ୍ତି । ଶୁଣୁଛ ନିତା ? ତା’ପରେ ଏକ କଦର୍ଯ୍ୟ ରାତ୍ରିର ଘଟଣା, ଶୁଣ ।

 

କଦର୍ଯ୍ୟ ରାତ୍ରି ! ନିତାଙ୍କ ଆଖିରେ ଅଶ୍ରୁର ବନ୍ୟା ।

 

ହଁ, କଦର୍ଯ୍ୟ ଘଟଣା ମଧ୍ୟ ।

 

ସେଦିନ ଥାଏ ରବିବାର...ରାତ୍ରର ଦ୍ୱିପ୍ରହର । ବାହାରେ ଶରତର ନୀଳ ଆକାଶ, ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ଭୂଇଁ ଉପରେ ରାଶିଫୁଲପରି ବୁଣିହୋଇ ପଡ଼ିଛି । ମୁଁ ଭାବପ୍ରବଣ ହୋଇ ଅଗଣା ବାରଣ୍ଡାରେ ଠିଆ ହୋଇ ଚାନ୍ଦ ଆଉ ବାଦଲର ଲୁଚକାଳି ଭିତରେ ନିଜର ସ୍ଥିତିକୁ ଲୀନ କରିଦେବା ପାଇଁ ଚେଷ୍ଟା କରୁଥିଲି । ଅମର କ୍ଲବରେ । ଘରେ ଏକାକୀ ଥାଏ ଲୁନା । ଲୁନା ମନରେ ଭାବିଲା ‘ଦୀର୍ଘ ତିନିବର୍ଷ ହେଲାତ ସାର୍‌ଙ୍କ ବସାକୁ ଯାଇନି, ଆଜି ଯିବି ।’ ସେ ଭିତରକୁ ଆସିଲା ବାଡ଼ିପଟ ଦେଇ । ମନଟା ଥରୁଥାଏ ମୋର । ହୃଦୟରେ ଆସନ୍ନ ଭୟର ଆଶଙ୍କା । ନିତା, ସେ କଥା ମନେପଡ଼ିଲେ ଆଜି ବି ଦେହ ଥରୁଛି । ଓଃ ଭାରି ଶୋଷ, ନିତା ପାଣି ମୁନ୍ଦେ......

 

ନିତା ଖଟରୁ ଓହ୍ଲାଇ ମତେ ପାଣି ଗ୍ଲାସେ ଦେଲା । ପାଣି ପିଇ ମୁଁ ଆରମ୍ଭ କଲି–ଶୁଣୁଛ ନିତା, ତା’ପରେ ମୁଁ ତାକୁ ପଚାରିଥିଲି ‘ଲୁନା’ ତୁମେ ଏତେ ରାତିରେ ଏକାକୀ । କୁହ, କ’ଣ ହୋଇଛି ତୁମର ?’ ସେ ଖାଲି କାନ୍ଦୁଥାଏ ।

 

‘ମୁଁ ଏକାକୀ ନୁହେଁ ସାର୍‌ । ମୋ’ ସାଥିରେ ଅଛନ୍ତି ମୋ’ ହୃଦୟର ଆବେଗ, ମନର ଆଶା, ଆଉ ଦେହର ବାସନା । ଏଣିକି ମୁଁ ଆଉ ଖେଳ ଖେଳି ପାରିବିନି ସାର୍‌, ଅଭିନେତ୍ରୀ ସାଜି ପାରିବିନି । ମୁଁ ସେ ଖେଳରେ ଆଜି ହାରିଯାଇଛି, ଅଭିନୟ ଭୁଲିଯାଇଛି । ଆପଣଙ୍କୁ ମୁଁ ଏ ରାତ୍ରରେ ମାଗୁଛି ଗୋଟାଏ ଜିନିଷ । ଆପଣଙ୍କୁ ମତେ ଦେବାକୁ ହେବ । Promise କରନ୍ତୁ ଦେବେ କି ନାହିଁ....ନତୁବା ଦେଖୁଛନ୍ତି ମୋ’ ଆଙ୍ଗୁଠିରେ ହୀରାମୁଦି ।’

 

‘ଛି ଲୁନା’ ତା’ର ହାତ ଧରିପକାଇ କହିଲି । ନିତା, ତୁମେ ଅବିଶ୍ୱାସ କରିପାର । ମୁଁ ସତ କହୁଛି, ପ୍ରଥମ ଆଉ ଶେଷଥର ପାଇଁ ମୁଁ ତା’ର ଦେହରେ ହାତ ଛୁଇଁଥିଲି । ତା’ପରେ ତାକୁ ତୋଳିଧରି କହିଥିଲି ‘ମୁଁ ତ କିଛି ବୁଝିପାରୁନି । କାହିଁକି ତୁମେ ଆଜି ଏ ରାତ୍ରରେ ପାଗଳିନୀ । ମୋ’ ବନ୍ଧୁର ପତ୍ନୀ ହୋଇ...’ ମୁଁ ଆଉ କହିପାରିନି । ତା’ପରେ ମୋ’ ହାତରୁ ସେ ହାତଟା ମୁକୁଳାଇ ନେଇ ପ୍ରତ୍ୟୁତ୍ତର ଦେଇଥିଲା, ‘ହଁ ସାର୍‌–ଆପଣ ମତେ କହୁଛନ୍ତି ପାଗଳୀ ? ଆପଣଙ୍କ ପାଇଁ ମୁଁ ପାଗଳୀ-। ଆପଣଙ୍କ Friendର wife ହେଲେ କ’ଣ ହେଲା ?’

 

ଛି ଲୁନା, ତୁମେ ଏପରି ପାରୁଛ ? ତୁମେ ଭାରତୀୟ ନାରୀ-ଦେବୀ । ହିନ୍ଦୁ ନାରୀ । ତୁମେ ଫେର୍‌.....

 

ଫେର୍‌ ପୁଣି କ’ଣ ? ରଖନ୍ତୁ ଆପଣଙ୍କର ସେ ନୀତିବାଣୀ । ସେସବୁ Rubbish ଶୁଣିବାକୁ ମୁଁ ପ୍ରସ୍ତୁତ ହୋଇ ଆସିନି । ମୁଁ ଆସିଛି ଆପଣଙ୍କର ଦେହ ଚାଖିବାକୁ.....

 

ଦେହ ଚାଖିବାକୁ ! ନିତା ଯେମିତି ଅନୁଭବ କରୁଥିଲେ ଲୁନା ହୃଦୟର ବ୍ୟଥା ।

 

ଶୁଣ ନିତା, ତା’ପରେ ସେ ମତେ ହୀରାମୁଦିର ଭୟ ଦେଖାଇଲା । ମୁଁ ଅନ୍ୟୋନ୍ୟପାୟ ହୋଇ ହଁ ଭରିଲି ।

 

ହଁ, ଭରିଲେ !

 

ନା, ନିତା, ଶୁଣ୍‌, ମୁଁ ଏତେ ଦୁର୍ବଳ ନୁହେଁ । ନିତା ଖଟ ଉପରେ ଗୁମ୍‌ମାରି ବସିଥିଲେ ।

 

ଶେଷରେ ମୁଁ ଲୁନାକୁ ଦେଇଥିବା ଶପଥ ରଖିପାରିଲିନି । ଲୁନା ସେ ଅନ୍ଧାରରେ କାନ୍ଦି କାନ୍ଦି ବିଦାୟ ନେଲା । ତା’ ବିଦାୟ ମୋ’ ମନରେ ତୋଳିଲା ଅନେକ ପ୍ରଶ୍ନବାଚୀ । ଲୁନା ଚାହିଁଲା ମୋ’ଠାରୁ ତା’ର ପ୍ରଥମ ସନ୍ତାନ । ସେ ଆସିଥିଲା ଅନେକ ଆଶାରେ–ମୋ’ଠାରୁ ମୋ’ ଔରସରେ ତା’ର ରକ୍ତ ନେଇ ଏକ ସନ୍ତାନ ପାଇବାପାଇଁ । କିନ୍ତୁ ମୁଁ ତାକୁ ଦେଇପାରିଲିନି ନିତା, ଫେରାଇ ଦେଲି । ସେ ଚାଲିଗଲା । ଶେଷରେ ମତେ ଶୁଣାଇ ଦେଲା ତା’ର ଅଦମ୍ୟ ପିପାସା । ଶୁଣେଇ ଦେଇଗଲା ତା’ ବିବାହ ଜୀବନର ତିକ୍ତ ଅନୁଭୂତି । ତା’ପରେ କାନ୍ଦି କାନ୍ଦି ମୋ’ ପାଦ ଦି’ଟା ଭିଜେଇ ଦେଇ କହିଲା ।

 

ସାର୍‌–ମୁଁ ତାକୁ ନେଇ ମୋଟେ ସୁଖୀ ହୋଇପାରିନି । ବହୁତ ଚେଷ୍ଟା କରିଛି, ଅଭିନୟ କରିଛି । କିନ୍ତୁ ପାରିନି । ସାର୍‌ ଆପଣଙ୍କୁ ମୋର ପ୍ରାର୍ଥନା–ମୋର ପ୍ରଥମ ଗର୍ଭ ଆପଣଙ୍କର ସ୍ୱାକ୍ଷର ବହନ କରୁ । ସେ ହିଁ ହେବ ମୋ’ ନିକଟରେ ଆପଣଙ୍କର ଜୀବନ ସ୍ମୃତି । ଦେଇପାରିବେ ସାର୍‌– ? ତା’ ଆଖିରେ ଆକୁଳ ନିବେଦନ । କିନ୍ତୁ ମୁଁ ପାରିଲିନି ନିତା...

 

‘ସାର୍‌, ମୁଁ ଯେତେବେଳେ ଜାଣେ ଯେ ଅମରବାବୁଙ୍କ ପିତୃତ୍ୱ ନେଇ ତାଙ୍କରି ସନ୍ତାନ ମୋ’ ପେଟକୁ ଆସୁଛି । ସେତେବେଳେ ନାନା ଅପ୍ରାକୃତିକ ଅସଦ୍‌ ଉପାୟ ଅବଲମ୍ୱନ କରିଛି । ଶେଷରେ ମୋର ଜଣେ ଲେଡ଼ି ଡାକ୍ତର ବନ୍ଧୁଙ୍କ ସାହାଯ୍ୟ ନେଇଛି । କେବଳ ଏଇ ରାତ୍ରପାଇଁ, ଆପଣଙ୍କ ସାନ୍ନିଧ୍ୟପାଇଁ ସବୁ ମୁଁ ପାରିଥିଲି । ମୁଁ ଆଜି ସବୁ ଫିଙ୍ଗିଦେଇ ଆପଣଙ୍କ ପାଖକୁ ଆସିଛି-। ସାର୍‌, ମୁଁ ଚାହେଁ ଆପଣଙ୍କ ଠାରୁ ମୋର ପ୍ରଥମ ସନ୍ତାନ–ଆମର ଜୀବନ୍ତ ସ୍ମୃତି । ଦେଇପାରିବେନି ସାର୍‌ ?’

 

ନା, ଲୁନା । ମୁଁ ପାରିବିନି । ମୁଁ ନାଚାର ତୁମେ ଚାଲିଯାଅ...ମୁଁ ଏ ଜଘନ୍ୟ ପାପ କରିପାରିବିନି । ତୁମକୁ ନେଇ ମୁଁ ଖେଳିପାରିବିନି । ତୁମେ ଅମରର ସ୍ତ୍ରୀ । ଅମର ମୋର ବନ୍ଧୁ । ତୁମେ ମୋର ବନ୍ଧୁପତ୍ନୀ । କିନ୍ତୁ ମୋର ପତ୍ନୀ ନୁହଁ । ତୁମେ ଚାଲିଯାଅ ଲୁନା, ଚାଲିଯାଅ–ମୁଁ ଉତ୍ତେଜିତ ହୋଇଉଠୁଥିଲି ।

 

ଲୁନାର ସକରୁଣ ଆଖିଦ୍ୱୟ ମୋ’ ଆଖିର ଭାଷା ବୁଝିବାକୁ ଚେଷ୍ଟା କରୁଥିଲା । ପାରିଲାନି କିନ୍ତୁ । ତା’ପରେ ରାତ୍ରର ନୀରବତା ଭଙ୍ଗକରି ଗର୍ଜିଉଠିଲି–ତୁମେ ଚାଲିଯାଅ ଲୁନା...ଚାଲିଯା...ମୁଁ ପାରିବିନି । ରାତ୍ରର ନିଥର ଢେଉ ଚହଲି ଗଲା । ମୋ’ ପାଦ ତଳେ ମୁଣ୍ଡ ଲଗାଇ ଲୁନା ଚାଲିଗଲା...ଅନେକ ବେଦନା ନେଇ । ସେ ରାତ୍ରଟା ବି ଆଜିର ରାତ୍ରପରି, ନିତା । କିନ୍ତୁ ସେ ଆକାଶରେ ନ ଥିଲା ମେଘ, ଥିଲା ପୂର୍ଣ୍ଣମୀ ତିଥିର ଚାନ୍ଦ ଆଉ ତାରା ପଂକ୍ତି ।

 

ନିତା, ଅମର ଚିଠି ଦେଇଛି, ଲୁନାର ଗୋଟିଏ ପୁଅ ଜନ୍ମ ହୋଇଛି । ଏଇ ନିଅ । ଶେଯରୁ ଉଠିଲି । ସିଗାରେଟରେ ନିଆଁ ଧରାଇଲି ।

 

ବାହାରେ କିଛି ଗୋଟାଏ ଦୁର୍ଘଟଣା ଘଟିଲା ଭାବି ଝରକା ଖୋଲି ଦେଖିଲାବେଳକୁ ଆଲୁଅର ଢେଉ । ମଧୁ-ରାତିର ରାତ୍ର, ଚଉଠି ରାତିର ନିଶା ହଜିଯାଇଛି । ନିତାଙ୍କ ଆଖିରେ ରାତ୍ର ଜାଗରଣର ଛାପା । ଚଟାଣସାରା ବିଞ୍ଛି ହୋଇ ପଡ଼ିଛି ଦରପୋଡ଼ା ସିଗାରେଟ୍‌ ଖଣ୍ଡ ଓ ପୋଡ଼ା ଦିଆସିଲି । ନିତା କାନ୍ଦୁଥିଲେ–ମୁଁ ଦେଖିଛି । ସତେ ଯେମିତି ବାହୁନି ଉଠୁଥିଲା ନିତାଙ୍କ ନାରୀ ସୁକୋମଳ ଆତ୍ମା ଗୋଟାଏ ନାରୀର ଅତୃପ୍ତ ମନପାଇଁ ।

 

ଏପଟେ ଭାଉଜଙ୍କ ଥଟ୍ଟାଳିଆ ଡାକ, କିହୋ ଅବିର, କବାଟ ଖୋଲ । ରାତି ପାହିଲାଣି ନା ନାହିଁ ? ନିତା ନିଜ ଅଞ୍ଚଳରେ ଚଞ୍ଚଳ ଆଖି ପୋଛୁଥିଲେ । ମୁଁ ଅପ୍ରତିଭ ହୋଇ ଚାଲି ଆସିଲି ଦରଜା ଖୋଲି । ଭାଉଜ ପଛରୁ କହୁଥିଲେ ‘ଅବିର, ରାତ୍ରସାରା ଭୀଷଣ ବର୍ଷା, ଭଲରେ ନିଦ ଜମା ହୋଇନଥିବ । ନା ?’

 

ନିତା, ହୋମର ପୋଡ଼ା ନଡ଼ିଆ ତାକୁ ଦେଇନୁ ?

 

ଉଁ...ହୁଁ...ସେ ଯେମିତି... । ନିତାଙ୍କ ଆଖିରେ ତୃପ୍ତିର ହସ ।

 

ଭାଉଜ ରୁମ୍‌ରୁ ନିଷ୍କ୍ରାନ୍ତ ହେଉଥିଲେ । ନିତା ଖଟର ବାଡ଼ା ଉପରକୁ ନୂଆ ମଶାରି ଟେକୁଥିଲେ ।

 

(ଗଳ୍ପର ସମସ୍ତ ଚରିତ୍ର କଳ୍ପନାରେ ଗଢ଼ା)

Image

 

ଛାଇର ଡେଣା

 

ରାତିର ହୃଦୟକୁ ବିଦାରି ଦେଲା ଜେଲ୍‌ ଘଣ୍ଟାର ଠନ୍‌...ଠନ୍‌...ଶବ୍ଦ । ଯେମ୍‌ତି ମେଘ ବଳୟିତ ଆକାଶର ବୁକୁରେ ବିଜୁଳିର ଆଘାତ ଦି’ମୁଠା କଞ୍ଚା ଉଷ୍ମ ରକ୍ତ ଫିଙ୍ଗିଦେଲା । ଯୁବିନାର ଅତୀତର ବିସ୍ଫୋରଣରେ ଘଟିଲା–ଯେଉଁ ବିସ୍ଫୋରଣରେ ତା’ ଆଜିର କୋଠା ଭୁଷୁଡ଼ିଗଲା । ଅତୀତର ଛାତି ବିଦାରି ସ୍ମୃତିର ଲାଭା ସ୍ରୋତ ତାକୁ କବଳିତ କଲା । ଲାଭା ସ୍ରୋତର ଉଜାଣି ସୁଅରେ ମତେ ସେ ଛଟପଟ ହେଲା । ଚିତ୍କାର କଲା–ମତେମୁକ୍ତି ଦିଅ । ମୁଁ ସ୍ୱାଧୀନ । ମୁଁ ଏ’ ସମାଜର ଏତେ ଅତ୍ୟାଚାର ସହିପାରିବିନି । ମୁଁ ମୁକ୍ତି ଚାହେଁ । ଶାନ୍ତି ଚାହେଁ, ମୃତ୍ୟୁ ଚାହେଁ–ସତକୁ ସତ ନିଜ ଚିତ୍କାରରେ ସେ ଶିହରି ଉଠିଲା, ସଚେତନ ହେଲା...

 

ଯୁବିନା ନିଜକୁ ନିଜେ ପ୍ରଶ୍ନ କଲା–ତା’ର ଦୋଷ କ’ଣ ? କେଉଁ ଦୋଷପାଇଁ ତାକୁ ଏ ଜେଲ୍‌ର ଅନ୍ଧାରି ମୂଲକରେ ସାରା ଜୀବନ ବିତେଇବାକୁ ପଡ଼ିବ । ଜୀବନରେ ଜୀବନ୍ତ ମରଣକୁ ନିଜର କରିବାକୁ ବାଧ୍ୟ ହେବ ?–ନିଜର ଅତୀତ ତାକୁ ଅତିଷ୍ଠ କଲା । ସେ ହିଂସ୍ର ହୋଇ ଉଠିଲା । ମୁଠା ମୁଠା କରି ଦି’ମୁଠା କେଶ ଛିଣ୍ଡାଇ ଆଣିଲା । ଜେଲ୍‌ର ରେଲିଂ ଦେଇ ବାହାର ବାରଣ୍ଡାକୁ ଫିଙ୍ଗିଦେଲା । ଏକ ବିକଟାଳ ହସରେ ନିଜକୁ ହଜେଇ ଦେଲା ।

 

ତା’ର ଏ’ ଆକାଶ-ଫଟା ହସରେ ସାରା ଦୁନିଆ ସଜାଗ ହେଲା । ରାତ୍ରିର ନୀରବତା ରକ୍ତାକ୍ତ ହେଲା । ବାହାରେ ମିଞ୍ଜି ମିଞ୍ଜି ଜଳୁଥିବା ଆଲୋକର ଆଖିରୁ ରକ୍ତର ବହ୍ନିମାନ ଶିଖା ଶାଖା ମେଲି ଦେଲା ।

 

ଏ’ ପାଗଳୀ ! କ’ଣ ମଣିଷକୁ ଟିକେ ଶାନ୍ତିରେ ଶୁଆଇ ଦେବୁନି ? ଏ ରାତି ଅଧଟାରେ ଏମିତି ହସୁଛୁ କାହିଁକି ? –ତା’ କୋଠରୀର ଅନ୍ୟ ଏକ ନାରୀ କଏଦୀ ରୂପା ବିରକ୍ତ ହେଲା । କିନ୍ତୁ ବିରକ୍ତିର ଅନ୍ତରରେ ଅନୁକମ୍ପାର ଫୁଲ ରେଣୁ ବିଞ୍ଛି ହୋଇପଡ଼ୁଥିଲା ।

 

: ଆ ମୋ’ କଥା ମାନ୍‌...ଏମିତି ହେଲେ ଆଉ କ’ଣ ହେବ ? ଯାହା ଯାଇଛି ସେ କ’ଣ ଆଉ ଫେରିବ ? ଏମିତି ହସିଲେ, ତୁ ଏଠି ସାରା ଜୀବନ ବିତେଇବୁ କେମିତି ? ମନର ସାଧ ମେଣ୍ଟାଇବାକୁ ହେଲେ କାନ୍ଦିବାକୁ ପଡ଼ିବ, ମୁଁ ଯେମିତି କାନ୍ଦୁଛି ଏବଂ ସେଇ କାନ୍ଦଣା ମଧ୍ୟରେ ନିଜକୁ, ଗତଦିନର କଥାକୁ ଭୁଲିଯାଉଛି.......

 

ରୂପାର ସମ୍ୱୋଦନଶୀଳ କଥାଗୁଡ଼ିକ ଯୁବିନାକୁ ଯେମିତି ନରମ ମନେହେଲା । ତଥାପି ତା’ର ଉତ୍ତେଜନା ପ୍ରଶମିତ ହୋଇପାରୁନି । ଅପା, ମୋର ଦୋଷ କ’ଣ ? ମୋ’ ପିଲାଙ୍କର ତୋଟି ମୁଁ ତ ଚିପିଛି । ମୁଁ ଜନ୍ମ ଦେଇଥିଲି, ମୁଁ ସେମାନଙ୍କୁ ମାରିଦେଲି କି ସମୁଦ୍ରରେ ଫିଙ୍ଗିଦେଲି–ଏଥିରେ ଏ ସମାଜର କ’ଣ କ୍ଷତି ହେଲା, ଅନ୍ୟ ମଣିଷର କ’ଣ ଅନିଷ୍ଟ ହେଲା ? ଆଉ ମୁଁ କେଉଁ ଅପରାଧ ପାଇଁ ଏ ମଣିଷ ହାତରେ, ସମାଜର ବନ୍ଦିଶାଳାରେ ଏମିତି ସନ୍ତୁଳି ହେବି, କଲବଲ ହେବି ? ଅପା ଏ ଅନ୍ଧାରରୁ କ’ଣ ମୁକ୍ତି ନାହିଁ ?

 

ନା, ମୁକ୍ତି ନାହିଁ ଏ ଜୀବନରେ ତୋର ମୃତ୍ୟୁରେ ହିଁ ତୋର ମୁକ୍ତି...

 

କିନ୍ତୁ ପ୍ରାପ୍ତିରେ... !

 

କି ପ୍ରାପ୍ତି ? କ’ଣ ଲା ତୁ ପାଇବୁ ଚାହିଁଛୁ ? –ରୂପାର ସନ୍ଦେହଶିକ୍ତ ଆଖି ଦି’ଟା ଯୁବିନାର ମୁହଁରୁ ହୃଦୟର ଆକାଂକ୍ଷିତ ଆଶାକୁ ପଢ଼ିବାପାଇଁ ଚେଷ୍ଟା କଲା ।

 

ହଠାତ୍‌ ଯୁବିନାର କଥାର ମୋଡ଼ ବୁଲିଗଲା–ଅପା, ମୁଁ ମୁକ୍ତ ଚାହେଁ; ବଞ୍ଚିବାକୁ ଚାହେଁ-। ପ୍ରାପ୍ତି ଚାହେଁ । ମୋର ଆଶା ଅଛି । ଏଣୁ ମୁଁ ପ୍ରତୀକ୍ଷା କରିବି । ଅପା, ଆଖିର ଲୁହ ଅତୀତକୁ ମାରି ଦେଇପାରେ ଆଖିର ଲୁହ ଭବିଷ୍ୟତକୁ ରଙ୍ଗିନ୍‌ କରିପାରେ ?

 

ହଁ...ରୂପାର ନିର୍ଜୀବ ଉତ୍ତରରେ ଯୁବିନା ସନ୍ତୁଷ୍ଟ ହେଲା ।

 

ହଁ, ମୁଁ ପାଇଛି । ଦିପ ପାହିଛି । ମୁଁ ଏଣିକି କାନ୍ଦିବି, ଖାସ କାନ୍ଦିବି, ଦିନ-ରାତି ସଞ୍ଜ–ସକାଳ ସବୁବେଳେ କାନ୍ଦିବି ।

 

ଯୁବିନା କାନ୍ଦିବାକୁ ଚେଷ୍ଟା କଲା । ବାହାର ବାରଣ୍ଡାରେ ରାତି ଡ୍ୟୁଟିରେ ନିଯୁକ୍ତି ସିପାହିର ଠକ୍‌ ଠକ୍‌ ଯୋତା ଶବଦରେ ତା’ର ମୋହ କଟିଗଲା । ତା’ କାନରେ ଟାଇଁ ଟାଇଁ ବାଜି ଯାଉଥିଲା–ଏ ବେସରମୀ, ଏ ଯାଏଁ ଚେଇଁଛୁ କାହିଁକି ?

 

ଯୁବିନା ଚୁପ୍‌ ହେଲା ।

 

ମୁଁ ପଚାରୁଛି ପରା ? ଶଁ କିଲୋ, କାହାପାଇଁ ଏ’ ରାତି ଉଜାଗର, ଶାଢ଼ି ତୋ’ ଟାଣିବ କେଉଁ ନାଗର ?

 

ଯୁବିନା ହସିଉଠିଲା ।

 

ଆହା...ହା...କି’ ମନମୋହିନୀ ହସ...

 

ସିପାହିର ବ୍ୟକ୍ତିତ୍ୱ ଉତ୍ୟକ୍ତ ହେଲା । ସେ ଗର୍ଜିଉଠିଲା–ଚୁପ୍‌ ହୋ...ରକ୍ତାକ୍ତ ବ୍ୟକ୍ତିତ୍ୱ ନେଇ ସିପାହିଟି ଲେଉଟି ଯାଉଥିଲା । ତା’ ପଛରେ ଯୁବିନାର ନିଶ୍ଚୁପ ତାତ୍ସଲ୍ୟ ଯେମ୍‌ତି ଅଳି କରୁଥିଲା ।

 

ସାରା ଜଗତ ତା’ ଆଖିରେ ଯେମ୍‌ତି ଅନ୍ଧପୁଟୁଳି ବାନ୍ଧିଦେଲା । ତା’ ଅନ୍ତର ଭିତରେ, ଆତ୍ମା-ଅଭ୍ୟନ୍ତରରେ ମଧ୍ୟ ଅନ୍ଧାରମାନେ ଶତଶତ ବିଷଧର ସର୍ପର ଜିହ୍ୱା ନେଇ ଦଂଶନ କଲେ । ସେ ଯନ୍ତ୍ରଣାରେ ଛଟପଟ ହେଲା । କିନ୍ତୁ ପ୍ରତିବାଦ କଲାନି । କାହିଁକି ସେ ପ୍ରତିବାଦ କରିବ, ପ୍ରତିରୋଧ କରିବ ? ଏଇ ସମାଜର ବିଷଧର ସର୍ପମାନଙ୍କ ବିରୁଦ୍ଧରେ ପ୍ରତିବାଦ କରି ଲାଭ କ’ଣ-? କିଏ କ’ଣ ତା’ ପ୍ରତିବାଦକୁ ଖାତିର୍‌ କରିବ ? ବରଂ ଏ ସମାଜିକ ପ୍ରାଣୀମାନେ ତାକୁ ବିଦ୍ରୂପ କରିବେ–କିଲୋ, ଭୋକ ସମ୍ଭାଳି ନପାରି ଏ ଭେରଣ୍ଡା ରଡ଼ି ଦେଉଛୁ କାହିଁକି ? ନିଜର ପେଟ ଜଳୁଛି ବୋଲି ସମାଜରେ ନିଆଁ ଜାଳିବୁ ? ସେଇ ନିଆଁରେ ସମାଜ ଜଳିଗଲାବେଳେ ନିରୋଭଳି ବଂଶୀବାଦନ କରି ମଣିଷକୁ ନୀତିଶିକ୍ଷା ବଖାଣିବୁ–ବନ୍ଧୁଗଣ ! ନୂତନର ସୃଷ୍ଟିପାଇଁ ପୁରାତନର ଧ୍ୱଂସ ଅନିବାର୍ଯ୍ୟ, ମାତୃତ୍ୱର ଗର୍ବପାଇଁ ପ୍ରସବ ବେଦନା ଆବଶ୍ୟକ, ସୂର୍ଯ୍ୟର ଉଦୟନ ପାଇଁ ରକ୍ତିମ ଆଭା ପୂର୍ବାଭାସ...ତୋର ମତବାଦ ‘‘ଅବରୁଦ୍ଧ ଯୁବ ପ୍ରାଣର ଅସଂଯତ, ଉଚ୍ଚୃଙ୍ଖଳ ପରିପ୍ରକାଶର କ୍ରାନ୍ତିକାରୀ ମାଧ୍ୟମ’’ । ତୋର ମତବାଦ ଅସନ୍ତୁଷ୍ଟ ମଣିଷର ମତବାଦ ! ଦଳିତ ପତିତ ମଣିଷ କ’ଣ ତୋର ଦେବତା ? ସେ’ ପଥରୁ ଓହ୍ଲେଇ ଆ ଆମ ରାସ୍ତାକୁ, ଯେଉଁ ରାସ୍ତାରେ ଦୁଃଖ ନାହିଁ, ଶୋକ ନାହିଁ ହଜେଇବା ଭୟ ନାହିଁ କି ହରେଇବା ଯାତନା ବି ନାହିଁ ।

 

ଯୁବିନା ଆଉ ଭାବିପାରୁନି । ତଥାପି ଅତୀତରୁ ତା’ର ମୁକ୍ତି ନାହିଁ । ଭବିଷ୍ୟତ ହିଁ ତା’ର ଆଶା, ଆଶାପାଇଁ ପ୍ରତୀକ୍ଷା, ପ୍ରତୀକ୍ଷା ହିଁ ତା’ର ମୁକ୍ତି । ଅତୀତର ଗୋଟି ଗୋଟି କଥା ତା’ର ମନେପଡ଼ି ଯାଉଛି । ଆଉ ସେଇ ଅତୀତରୁ ତା’ ସ୍ୱାମୀର ସ୍ମୃତି ଓ ସେମାନଙ୍କ ସନ୍ତକମାନେ ଗୋଟି ଗୋଟି ହୋଇ ଏ ଜେଲ୍‌ର ଅନ୍ଧାରି ମୂଲକକୁ ଆଗେଇ ଆସୁଛନ୍ତି ।

 

ଅତୀତ ଓ ତା’ ସ୍ୱାମୀ–

 

ଯୁବିନାର ବାସର ରାତି । ବଇଠାର କ୍ଷୀଣ ଆଲୋକ । ଭଙ୍ଗା କୁଡ଼ିଆର ନଗ୍ନ ଚଟାଣ । ସ୍ୱାମୀ ଆସିଲେ । ତାଙ୍କ ମୁହଁ–ଅସମ୍ଭବ ଗାମ୍ଭୀର୍ଯ୍ୟରେ ଦୀପ୍ତିମନ୍ତ । ତାଙ୍କ ଆଖି–ସତେ ସେମିତି ଦୁଇଟି ଜଳନ୍ତା ସୂର୍ଯ୍ୟ । ତାଙ୍କ ପୋଷାକ–ନିଷ୍ପେଷିତ ଜନଗଣ ମନର ପ୍ରତୀକ...ବିରାଟ ବ୍ୟକ୍ତିତ୍ୱ । ସେ ବ୍ୟକ୍ତିତ୍ୱର ପାଦତଳେ ଯୁବିନାର ମୁଣ୍ଡ ନଇଁ ଯାଇଥିଲା । ସ୍ୱାମୀ ତାକୁ ଛାତି ଉପରକୁ ତୋଳି ନେଇଥିଲେ । ପରେ ପରେ ତାଙ୍କର ବାହୁବନ୍ଧନ ଶିଥିଳ ହୋଇଯାଇଥିଲା । ଯୁବିନା ଚମକି ଯାଇଥିଲା ଏକ ବିରାଟ ପ୍ରଶ୍ନବାଚୀରେ, ଶିହରି ଉଠିଥିଲା ଅନାଗତ ଭୟର ଭାବନାରେ ।

 

ପରେ ପରେ ସ୍ୱାମୀଙ୍କ ଗମ୍ଭୀର ସ୍ୱର ଘୋଷଣା କରିଥିଲା–ଯୁବି, ଯେଉଁ ସମାଜରେ ମଣିଷ ମୁଠାଏ ଖାଦ୍ୟ ନପାଇ ମରିଯାଇପାରେ, ଯେଉଁଠି ମଣିଷ ଅଇଁଠା ପତ୍ରକୁ ଗୋଟାଇ ଆଣିବାପାଇଁ କୁକୁରର ପ୍ରତିବାଦୀ ହୋଇପାରେ, ଯେଉଁ ସମାଜରେ ତୁମର ଏ ଜରିଲଗା ଶାଢ଼ି, ଅତର ମଖା ଦେହ...ମତେ ତୁମେ ଭଲପାଇଥିଲ କ’ଣ ଏ’ ଅତର ଭିଜା ଦେହର ବାସ୍ନା ପରଶିବା ପାଇଁ ?

 

ଯୁବିନା ଅହେତୁକ ଅପମାନରେ ଝାଉଳି ଯାଇଥିଲା । ପରେ ପରେ ସାହସ ସଞ୍ଚୟ କରି କହିଥିଲା–ମୋର ଭୁଲ୍‌ ହୋଇଛି । କେବଳ ସଉକିପାଇଁ ଏମ୍‌ତି...ହଁ, ମୁଁ ସହାନୁଭୂତିର ମଣିଷ । କିନ୍ତୁ ସୋହାଗର ନୁହେଁ...

 

ସେ, ରାତିର କଥା ତା’ର ସାରା ବୈବାହିକ ଜୀବନକୁ ନିୟନ୍ତ୍ରିତ କରିଥିଲା । ନଲ୍‌, ନିରୁ ନିମି ଜନ୍ମ ହେଲେ । ଦୁଃଖର ଭାରା ଦିନକୁ ଦିନ ବଢ଼ିଲା । ଭୋକିଲା ମଣିଷ ମୁହଁରେ ମୁଠାଏ ଆହାର ଅନ୍ୱେଷଣ ପାଇଁ ସେ ସମାଜର ବଡ଼ପଣ୍ଡାମାନଙ୍କ ସାମ୍ନାରେ ଦାବି କଲେ...ଦାବିରୁ ଜେଲ୍‌ ଗଲେ...ଜେଲ୍‌ରୁ ଆରପାରିକୁ ଚାଲିଗଲେ ।

 

ଏଥର ଯୁବିନାର ଆଖିରେ ଲୁହ ବିନ୍ଦୁମାନେ ରାତିର ଆକାଶରେ ତାରାଭଳି ଝଟକି ଉଠିଲେ ।

 

ଅତୀତର ବେଣୀରେ ସ୍ୱାମୀର ମୃତ୍ୟୁ ମଥାମଣିଭଳି ଚହଟି ଉଠିଲା...ସେଇ ଏକ କାଳରାତ୍ରୀ...ଦିନ ବା ତାରିଖ ମନେପଡ଼ୁନି...ବଡ଼ପଣ୍ଡାମାନଙ୍କ କିଣା ଚାକର କୋକୁଆ ଦଳିତ ମଣିଷର ସମାଜକୁ, ନିଷ୍ପେଷିତ ମଣିଷର ଦାବିକୁ ରାଜଦରବାରରେ ହାଜିର୍‌ କରାଉଥିବା ମଣିଷମାନଙ୍କ ପାଖକୁ ଧସେଇ ପଶି ଆସିଲା । କୋକୁଆର ଅନୁପ୍ରବେଶକୁ କେହି ଜାଣିପାରିଲେନି-। ହାତରେ ତା’ର ଲୁହାର ମୁଦ୍‍ଗର, ଆଖିରେ ତା’ର ନର୍କର ଅନ୍ଧାର, ସତ୍ତାରେ ତା’ର କାଳ-ଫାଶର ବିସ୍ତୃତି...କୋକୁଆ ମଣିଷକୁ ଅକ୍ତିଆର କଲା, ଘୋଷଣା କଲା–ତମେ ସମ୍ରାଟଙ୍କ ଦ୍ରୋହ ଆଚରଣ କରିଛ, ତମେ ସାମ୍ରାଜ୍ୟର ଦ୍ରୋହୀ, ରାଜାଜ୍ଞା ମିଳିଛି–ତମେ ବନ୍ଦି, ବନ୍ଦିଶାଳାରେ ତମମାନଙ୍କ ଜୀବନର ଅବସାନ...

 

ତା’ପରେ କଙ୍କାଳସାର ମଣିଷର ହାତଗୋଡ଼ରେ ଲୁହାର ବେଡ଼ି ପିନ୍ଧେଇ ଦେଲା କୋକୁଆ, ମଣିଷକୁ ଲୁହାର ପାଚେରୀ ଘେରା ଅନ୍ଧାରି ସାମ୍ରାଜ୍ୟର ଗହ୍ୱରରେ ଫିଙ୍ଗି ଦେଲା । ସେମାନେ ହସିଥିଲେ, ତା’ ସ୍ୱାମୀ ବି ହସିଥିଲେ–ସବୁବେଳେ ଆକାଶରେ ମେଘ ରହେନି କି ସର୍ବଦା ଅନ୍ଧାରରେ ରାଜତ୍ୱ ଭିତରେ ପୃଥିବୀ ବଞ୍ଚେନି, ସୂର୍ଯ୍ୟ ଉଇଁବ, ଆକାଶ ଫର୍ଚ୍ଚା ବି ଦିଶିବ, ତୋର ଓ ତୋ’ ସମ୍ରାଟ ବାଦଶାହୀ ରାଜତ୍ୱ ଅଚିରେ ଲୋପ ପାଇବ...

 

ଯୁବିନା ପ୍ରାଶ୍ଚିତ୍ତତ କଲା––ତା’ ସ୍ୱାମୀଙ୍କୁ ସେ ହିଁ ହାଣ ମୁହଁକୁ ପଠାଇଥିଲା । ବିପ୍ଳବର ବହ୍ୱିମାନ ଶିଖାରେ ଲମ୍ଫ ଦେବାପାଇଁ ସିଏ ହିଁ ତାକୁ ପ୍ରେରଣା ଦେଇଥିଲା...କିନ୍ତୁ ଏ’ ପ୍ରେରଣାର ମୂଲ୍ୟ କ’ଣ ଦେଲା ? ଯେଉଁଦିନ ସେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଥିଲା ତାଙ୍କ ସ୍ୱାମୀଙ୍କ ବନ୍ଧୁ ଅମର ପାଖରୁ ।

 

ସେଇ କାଳରାତ୍ରିର ରାଜତ୍ୱ ପରର ମାସକ ପରର ଗୋଟିଏ ନିଷ୍ପ୍ରାଣ ସନ୍ଧ୍ୟା । ଅମର ଘର ଭିତରକୁ ପଶି ଆସିଲା । ଅଗଣା ଖଞ୍ଜାରେ ଯୁବିନା କୁଲେଇରେ ଦି’ମୁଠା ଖୁଦ ସଜାଡ଼ିବାରେ ନିମଗ୍ନା...

 

ଅମର କାନ୍ଦିଉଠିଲା ପିଲାଙ୍କ ପରି...

 

କ’ଣ ହେଲା, ଏମିତି କାନ୍ଦୁଛ ଯେ...

 

ଭାଇନା...

 

ଭାଇନା । କ’ଣ ହେଲା ?

 

ସେ ଆଉ ନାହାନ୍ତି...

 

ଗଲେ କୁଆଡ଼େ ? ଯୁବିନା ନିଜ ପ୍ରଶ୍ନରେ ନିଜେ ଭୟ ପାଇଲା ।

 

ତାକୁ ଗୁଳିକରି ଦିଆଗଲା ।

 

ଯୁବିନା ଆଉ କିଛି ଶୁଣିପାରିଲାନି । ତା’ର ହୋସ୍‌ ଆସିବା ପରେ ସେ ଅମର ପାଖରୁ ସବୁ ଜାଣିବାକୁ ପାଇଲା–ସମ୍ରାଟର ଆଦେଶ ମୋ’ ସାମ୍ରାଜ୍ୟରେ ବିରୋଧାଭାସର ସ୍ଥାନ ନାହିଁ... ସାମ୍ରାଜ୍ୟର ମର୍ଯ୍ୟାଦାପାଇଁ ବିପ୍ଳବୀମାନଙ୍କ ମୃତ୍ୟୁ ଆବଶ୍ୟକ ।

 

ଜେଲ୍‌ ଘଣ୍ଟାରେ ଫେର୍‌ ଠନ୍‌–ଠନ୍‌ ଶବ୍ଦ । ରାତି ଚାରି । ଦିଗହଜା ପକ୍ଷୀଶାବକ ଭୟରେ ଚିତ୍କାର କରି ଜେଲ୍‌ର ରେଲିଂ ଦେଇ ଯୁବିନା ବାହାର ପୃଥିବୀକୁ ଦେଖିନେଲା–ସମସ୍ତେ ସୁପ୍ତ, ତା’ ସାଥିରେ ରାତିର ଆକାଶ ଓ ଶିତାକ୍ତ ପୃଥିବୀ । ଉତ୍ତେଜନା ବଶତଃ ତା’ ତୋଟି ତୃଷାରେ ଶୁଖି ଯାଉଥିଲା । ମାଟି ସୁରେଇରୁ ସେ ଆଞ୍ଜୁଳା ଆଞ୍ଜୁଳା କରି ଦି’ଢୋକ ପାଣି ପିଇଲା । ତଥାପି ଛାତି ଭିତରଟା ଯେମିତି ଜଳି ଯାଉଛି । ଜ୍ୱଳନର ସାଥେ ସାଥେ ଅମରର କଥାଗୁଡ଼ିକ ବେଶୀ ବେଶୀ ମନେପଡ଼ୁଛି–ଭାଉଜ, ମୋ’ ଭାଇନା କ’ଣ ଡରକୁଳା ? ସେ କ’ଣ ଏ କଳଙ୍କିତ ସମ୍ରାଟପରି କାପୁରୁଷ ! ନାଃ, ସେ ଜେଲ୍‌ର ଲୁହା କବାଟ ଭାଙ୍ଗି ନପାରନ୍ତି, ଲୁହାର ପାଚେରୀ ଡେଇଁ ଦୁର୍ଦ୍ଦାନ୍ତ ଡକାୟତମାନଙ୍କ ପରି ଅନ୍ଧାରରେ ଆତ୍ମରକ୍ଷା କରି ନପାରନ୍ତି ! ଏସବୁ ମିଛ ! ଇଏ ସେଇ କାପୁରୁଷ ସମ୍ରାଟ ଚାଲ୍‌ କେବଳ । ମୋ’ଭାଇଙ୍କୁ ଗୁଳିକରି ମାରିଦିଆଗଲା । ତାଙ୍କର ପବିତ୍ର ଦେହକୁ କୁକୁର ବିଲୁଆଙ୍କ ଆହାର କରି ଦିଆଯାଇଛି; ଅମର କାନ୍ଦିଉଠିଲା ।

 

ସେ’ଦିନ ଯୁବିନା କାନ୍ଦିପାରିନଥିଲା । କୁଆଡ଼େ ଗଲା ତା’ ଆଖିର ଲୁଣିଆ ପାଣି । ସେ ସମ୍ରାଟକୁ ଅଭିଶାପ ଦେଇଥିଲା–ତୋରି ଅନ୍ଧାରି ମୂଲକର ରାଜତ୍ୱ ତୋର ହିଁ ନାଗ-ଫାଶ ହେବ....

 

ଅମର ଭାରାକ୍ରାନ୍ତ ମନନେଇ ଫେରିଗଲା । କହିଦେଇଗଲା–ଭାଉଜ, ବିପ୍ଳବୀର ମୃତ୍ୟୁ ହୋଇପାରେ, କିନ୍ତୁ ବିପ୍ଳବର ନୁହେଁ, ମୁଁ ସେଇ ବିପ୍ଳବକୁ ବଞ୍ଚେଇବି, ବିପ୍ଳବକୁ ଜିଆଁଇ ରଖିବାପାଇଁ ମତେ ଏ ସମ୍ରାଟର ଆଲୋକିତ ନର୍କ ଛାଡ଼ି ଅନ୍ଧାରି ସ୍ୱର୍ଗକୁ ଯିବାକୁ ପଡ଼ିବ...ଯାଉଛି....ତା’ପରେ ଅମର ଯୁବିନାର ପାଦତଳେ ମୁଣ୍ଡ ଛୁଆଇଁ ଅନ୍ଧାରରେ ମିଶି ଯାଇଥିଲା ।

 

ସେ ବିପ୍ଳବ ପ୍ରତି ବିମୁଖ ହୋଇ ଉଠିଲା–ତା’ ବିପ୍ଳବୀ ସ୍ୱାମୀର ମୃତ୍ୟୁ ତାକୁ ଅନ୍ଧୁଣୀ କରିଦେଲା । ସେ ରାତିର ଭାବଧାରା ଆଜି ବି ଏ ଅନ୍ଧାରରେ ଦିହୁଡ଼ି ଜାଳୁଛି । ତା’ର ସେ ଅଶରୀରୀ ସ୍ୱାମୀଙ୍କ ପାଖରେ ଅଭିମାନ କରିଥିଲା–ତୁମେ କୋଟି ହୃଦୟର ବ୍ୟଥା ଜାଣିପାରିଲ; କିନ୍ତୁ କିପରି ବୁଝିପାରିଲନି ମୋ’ ହୃଦୟର ବେଦନା, ତୁମ ଛୁଆମାନଙ୍କ ବିକଳ କାନ୍ଦଣା ! ତୁମେ କେମିତି ଟିକେ ସ୍ୱାର୍ଥପର ହୋଇପାରିଲନି ନିଜ ପାଇଁ କି ନିଜ ପରିବାର ପାଇଁ ? ସମାଜର ସ୍ୱାର୍ଥପାଇଁ ତମେ ନିଜକୁ ତିଳ ତିଳ ଜାଳି ଦେଇ ଆମକୁ ଏଇ ଯେଉଁ ଅକୁହା ବେଦନା ଦେଇଗଲ, ସେଇ ବେଦନାର, ବ୍ୟଥାର କାହାଣୀର ଅନ୍ତ କେଉଁଠି ? ତା’ ସାମ୍ନାରେ ସେଇ ମହାଶୂନ୍ୟରୁ ତା’ ମୃତ ସ୍ୱାମୀ ଶତ ସୂର୍ଯ୍ୟର ତେଜ ନେଇ ଓହ୍ଲେଇ ଆସୁଛନ୍ତି । ତା’ର କାନେ କାନେ କହିଯାଉଛନ୍ତି–ଯୁବି, ଚାଲିବା ହିଁ ଜୀବନ । ମୁଁ ଚାଲିପାରିଲିନି, ମତେ ଏ ସମାଜ ଚଳେଇ ପାରିଲାନି । ଏଣୁ ମୁଁ ଆରପାରିକୁ ଚାଲିଗଲି, ତମେ ଏମିତି ଭାଙ୍ଗିପଡ଼ିଲେ ମୋର ଶପଥ ଯେ ଅପୂର୍ଣ୍ଣ ରହିଯିବ ଯୁବି; ମୋର କୋଟି କୋଟି ମଣିଷର, ଏ ବିରାଟ ମାନବ ଜାତିର ଆର୍ତ୍ତନାଦ ଯେ ଉପଶମିତ ହେବନି । ମୋର କାର୍ଯ୍ୟ ଶେଷହେବା ପୂର୍ବରୁ...

 

ଯୁବିନା ଆଉ କିଛି ଶୁଣିପାରିଲାନି...ମଣିଷପାଇଁ ତା’ର ସର୍ବାଙ୍ଗ ଚେତନା ଘୃଣାରେ ପ୍ଳାବିତ ହୋଇଗଲା । ସେ ମନେ ମନେ ଭାବିନେଲା–ଏଠି ଆଉ ପଡ଼ିରହି ଲାଭ କ’ଣ ? ରାତି ପାହିଲେ ସେ ତା’ର ସନ୍ତାନମାନଙ୍କୁ ନେଇ ତା’ ବାପା ଘରର ରାଜନଅରକୁ ଫେରିଯିବ । ବାପା ! ବାପା–ତା’ ବାପା–ଏଇ ପଣ୍ଡାମାନଙ୍କ ପ୍ରତିନିଧି–ଙ୍କ ଗୋଡ଼ତଳେ ପଡ଼ି ନେହୁରା ହେବ–ବାପା, ମୁଁ ତମ ପାଖକୁ ଫେରିଆସିଛି...ତା’ ଆଖି ସାମ୍ନାରେ ତା’ ବାପାଙ୍କ ସେଇ ବିରାଟ ହାତ ଦୁଇଟା ପ୍ରସାରିତ ହୋଇଉଠୁଥିଲା–ଝିଅ, ଅଯଥାରେ ମାତିଲୁ, ଭିକାରୁଣୀ ହେଲୁ ? ଆ, ମୁଁ ତତେ ମୋର ଏ’ ରାଜନଅରର ମାଲିକାଣୀ କରେଇବି...

 

ସେ ଘୃଣାରେ ଗର୍ଜିଉଠିଲା–ନାଃ, ନାଃ, ମୁଁ ସ୍ୱର୍ଗରେ ଭିକାରୁଣୀ ହେବି ସିନା ନର୍କରେ ରାଜରାଣୀ ହେବିନି...ନାଃ...ନାଃ...ଅନ୍ଧାରରେ ନିଥରର ଢେଉ ଚହଲି ଗଲା । ସେ ପ୍ରକୃତିସ୍ଥ ହେଲା-। ସେ ମୁକ୍ତି ଚାହେଁ, ପଳାୟନ ଚାହେଁ । ଜୀବନରୁ ମୁକ୍ତି । ଜୀବନରୁ ପଳାୟନ ମୃତ୍ୟୁରେ ହିଁ ସମ୍ଭବ ।

 

ଚତୁର୍ଦ୍ଦିଗରେ ଅନ୍ଧାର । ତା’ କୁଡ଼ିଆର ସାମ୍ନାରେ ବଡ଼ପଣ୍ଡାମାନଙ୍କ ପାଦଧୂଳି ଚଲା ରାସ୍ତା-। ପଛରେ ସମୁଦ୍ରର ଉନ୍ମାଦିତ ସଙ୍ଗୀତ । ସେ ସମୁଦ୍ରକୁ ସଙ୍ଗ କରି ନେଲା, ନିଜକୁ ସେଥିରେ ହାରି ଦେବ । ଜୀବନ ପ୍ରତି ବିତୃଷ୍ଣା ଜନ୍ମିଲା । ଜୀବନରୁ ଆଗ୍ରହ କମିଗଲା ।

 

ଛିଣ୍ଡା କନ୍ଥା ଉପରେ ନିଜ ରକ୍ତର ତିନୋଟି ସନ୍ତକ–ନିଲୁ, ନିରୁ ନିମି–ଶୋଇଛନ୍ତି । ଯୁବିନା ଡିବି ଜଳେଇଲା । ଭଙ୍ଗା ଟିଣ ବାକ୍ସଟି ଅଣ୍ଡାଳି ଖୋଜିଲା । ପ୍ରାପ୍ତିରେ ତା’ ଅନ୍ତର ଝଲସି ଉଠିଲା ।

 

ଅଫିମ କରାଟଟିଏ ସିମିତି ପଡ଼ି ରହିଛି । ତା’ ଶାଶୂଙ୍କ ଦରକାରୀ ଜିନିଷ । କିନ୍ତୁ ଏଇ ଦି’ମାସ ହେଲା ସେ ଆରପାରିରେ । ଯୁବିନା ଆଜି ସେ ଅଫିମର ସଦୁପଯୋଗ କରିବ ।

 

ପୁଅ, ଝିଅଙ୍କୁ ଗୋଟି ଗୋଟି ଶେଯରୁ ଉଠାଇ ଅଫିମ ସରବତ୍‌ ପିଆଇ ଦେଲା । ନିଜେ ବି ପିଇଲା–ସେଇ ରାତ୍ରିର ନିଝୁମ୍ ସ୍ପର୍ଶରେ ସମସ୍ତେ ଶୋଇଗଲେ । ତା’ର ଆଉ କିଛି ମନେ ନାହିଁ ।

 

ରାତି କଟିଗଲା, ଆଲୁଅ ଜଳିଲା । ଆଲୋକରେ ଲହଡ଼ି ଭିତରେ ଯୁବିନା ନିଜକୁ ଆବିଷ୍କାର କଲା ପୂର୍ତ୍ତିଗନ୍ଧମୟ ହସ୍‌ପିଟାଲରେ ଲଙ୍ଗଳା ଚଟାଣ ଉପରେ ।

 

ରକ୍ତର ତିନୋଟି ସନ୍ତକ ଆରପାରିକୁ ଚାଲିଗଲେ, ସେ ବଞ୍ଚିଗଲା । ତାକୁ ନେଇ ବଡ଼ପଣ୍ଡାମାନଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ କରାଗଲା । ସେମାନଙ୍କ ବିଧବା ଦ୍ୱାରରୁ ନ୍ୟାୟ ମିଳିଲା–ତୋର ଆଜୀବନ କାରାବାସ, ନର୍କବାସ...

 

ରାତିର ଅନ୍ତ ନାହିଁ । ଯୁବିନାର ଭାବନାର ଦିଗନ୍ତ ନାହିଁ । ପାହାନ୍ତିଆ ପବନର ସ୍ପର୍ଶରେ, ଦୈହିକ କ୍ଳାନ୍ତିରେ ଓ ଭାବନାର କ୍ରାନ୍ତିକାରୀ ସ୍ମୃତିର ହାତ ଥାପୁଡ଼ାରେ ତା’ ଆଖି ଦି’ଟା ନୀମିଳିତ ହୋଇ ଉଠିଲା, ସେ ଘୁମେଇ ପଡ଼ିଲା, ଶାନ୍ତି ପାଇଲା । ଶାନ୍ତିରେ ସେ ସ୍ୱପ୍ନ ଦେଖୁଛି–ସ୍ୱପ୍ନରେ ହସିଉଠୁଛି; କିଏ ଜଣେ ଦିବ୍ୟପୁରୁଷ ଊର୍ଦ୍ଧ୍ୱରୁ ଓହ୍ଲେଇ ଆସୁଛନ୍ତି...ତାଙ୍କରି ଆଗମନରେ କୋକୁଆ ସମୁଦ୍ରରେ ଆତ୍ମହତ୍ୟା କରୁଛି । କଳଙ୍କିତ ସମ୍ରାଟର ଶିରଚ୍ଛେଦ ପାଇଁ ଶୁଭଦିନ ନିର୍ଦ୍ଦିଷ୍ଟ ହୋଇଯାଉଛି । ଯୁବିନା ତୃପ୍ତିରେ ହସିଉଠିଲା । ପ୍ରାପ୍ତିରେ ହସିଉଠିଲା...ଓଠ ଉପାନ୍ତରେ ଚେନାଏ ପ୍ରାପ୍ତିର ହସ ଲାଖି ରହିଲା ।

 

ସେ ନିଜକୁ ନିଜେ ଘୃଣା କଲା । ସେ’ଦିନର କଥା ତା’ର ମନେପଡ଼ିଯାଉଥିଲା । ତା’ର ଇଚ୍ଛା ହେଉଥିଲା ଯେଉଁଦିନ ଅମରକୁ ଚେତେଇ ଦେବାପାଇଁ–ଏଇ ବିପ୍ଳବରୁ କ’ଣ ପାଇବ ଅମର-? କେଉଁ ବା ଯଶ, କୀର୍ତ୍ତି ଅର୍ଜିବ ? ଯଦିବା ଅର୍ଜିବ, ସେସବୁ ତମର ପର ଜୀବନରେ କି କର୍ମରେ ଆସିବ ? ମଣିଷ ମଲାପରେ ତା’ର କ’ଣ ହୁଏ କି ନହୁଏ ସେ ତ ଜୀବିତାବସ୍ଥାରେ ଜାଣିପାରେନି-। ଏଣୁ ମଣିଷର ମୃତ୍ୟୁପରେ ତାକୁ କିଏ ଫୁଲମାଳା ପିନ୍ଧେଇଲା କି, ଜୋତାର ମାଳ ବେକରେ ଲମ୍ୱେଇ ଦେଲା–ସେଥିରେ ମୃତ-ମଣିଷର ମାଟିର ଜୀବନ କିଛି ଜାଣିପାରିବ ? ଆସ, ମୋ’ ଛୋଟ କୁହାମାନ । ସେ’ କଣ୍ଟକିତ ବନ୍ଧୁର ପଥ ଛାଡ଼ିଦିଅ । ବଡ଼ପଣ୍ଡାମାନଙ୍କ ସମାଜକୁ ଫେରିଯାଅ । ସେମାନଙ୍କ ଗୋଡ଼ତଳେ ଦାନ୍ତରେ ତିରଣ ନାଇ ଶରଣ ନିଅ–ହେ ସମାଜ ! ମତେ ଜାତିଆଣ କର । ମୁଁ ଅଜାତି ହୋଇଥିଲି । ବର୍ତ୍ତମାନ ଜାତିକୁ ଫେରିଆସିଲି...କିନ୍ତୁ ଯୁବିନା ପାଟି ଫିଟେଇ ନ ଥିଲା ସେଦିନ । କାରଣ ତା’ ବଗିଚାରୁ ସ୍ୱାମୀଙ୍କ ମୃତ୍ୟୁ ତା’ ସମସ୍ତ ରଙ୍ଗ ଯେମିତି ଛଡ଼େଇ ନେଇଥିଲା ।

 

ଜେଲ୍‌ ଠନ୍‌–ଠନ୍‌–

 

ଯୁବିନା, ଉଠ୍‌......

 

ରୂପାର କର ସ୍ପର୍ଶରେ ଯୁବିନାର ନିଦ ଭାଙ୍ଗିଲାନି । ନିଦ ତା’ର ଭାଙ୍ଗିଲାନି ଆଉ । ନିଦରୁ କାହିଁକି ବା ସେ ଉଠିବ ? ନିଦ ଭାଙ୍ଗିଲେ ନିଜେ କାନ୍ଦିବ, ରୂପାକୁ କନ୍ଦେଇବ ! ତା’ ଶୀତଳ ଦେହଟା ଆଗାମୀ ଦିବ୍ୟପୁରୁଷର ସ୍ପର୍ଶ ସାନ୍ତ୍ୱନା ପାଇବାପାଇଁ ବଞ୍ଚି ରହିପାରିଲାନି । ଆଲୋକର ଯଜ୍ଞଶାଳାରେ କାଳରାତ୍ରିର ଅଙ୍କନ ସମୂଳେ ଲିଭିବା ପୂର୍ବରୁ, ଜନତାର, ଅଦାଲତରେ କଳଙ୍କିତ ସମ୍ରାଟ ଦୋଷୀ ସାବ୍ୟସ୍ତ ହେବା ଆଗରୁ ଯୁବିନା ଆରପାରିକୁ ଚାଲିଗଲା, ଯେଉଁ ପାରିରେ କି ତା’ର ସ୍ୱାମୀଙ୍କ ଓ ସନ୍ତାନମାନଙ୍କ ସମ୍ଭାଷଣ ତାକୁ ହାତଠାରି ଡାକୁଥିଲା ।

Image

 

ଶବ ଓ ସବାରି

 

ସେ ନିତି ଏଇ ରାସ୍ତାରେ ମନ୍ଦିରକୁ ଯାଏଁ । ତା’ ନିଷ୍କଳଙ୍କ ବେଶ ମତେ ପାଗଳ କରିଛି । ତା’ର ଏ ପୂଜାରିଣୀ ବେଶରୁ ତାକୁ ଚିହ୍ନିବାପାଇଁ ମୁଁ ଚେଷ୍ଟାକରି ହାରିଯାଇଛି । ତାକୁ ଦେଖିଲେ ମନରେ ଅନେକ ପ୍ରଶ୍ନର ତାରା ଜିକ୍‌ ଜିକ୍‌ କରେ–କିଏ ଏଇ ତରୁଣୀ ? ଯାହାର ନୀଳ ନୀଳ ସମ୍ମୋହନଶୀଳ ଆଖି ଦୁଇଟିରେ ନଥାଏ ବିଷଧର ସର୍ପର ହଳାହଳ ନିମନ୍ତ୍ରଣ; ବରଂ ସେଠି ଗଭୀର ଦିଗହଜା ସମୁଦ୍ରର ପ୍ରଶାନ୍ତି, ଚନ୍ଦ୍ର କିରଣରେ ଫିକ୍‌ ଫିକ୍‌ ହସୁଥିବା ପଲ୍ଲୀ ପ୍ରାନ୍ତରର ଜ୍ୟୋତି । ତା’ର ସେ ବ୍ରୀଡ଼ାନତ ଆଖିର ଫରୁଆରେ ମୁଁ ଭଅଁରଟିଏ ହୋଇ ହଜିଯିବା ପାଇଁ ଚାହିଁଛି । କିନ୍ତୁ...ଅନ୍ୟକୁ ହଜେଇବା ଯେତେ ସହଜ ନିଜେ ଅନ୍ୟରେ ହଜିଯିବା ସେତେ କଷ୍ଟଦାୟକ ।

 

ପିଚୁ ଢଳା କଳା ମଚ୍ ମଚ୍‌ ରାସ୍ତାରେ ସେ ଚାଲିଯିବାବେଳେ ମୋ’ ମନରେ ଭୀଷ୍ମଙ୍କ ଶର-ଶଯ୍ୟା ଯନ୍ତ୍ରଣା ଖୁନ୍ଦି ହୋଇଯାଏ । ତା’ ପାଦର ଘୁଙ୍ଗୁର ମତେ ଅନ୍ୟ ଜଗତକୁ ଠେଲି ପେଲି ନେଇଯାଏ । ଯେଉଁ ଜଗତରେ ତା’ ପାଦର ନୂପୁର ଧ୍ୱନି ମତେ ବାଉଳା କରେ । ମରଣର ସ୍ତୂପ ଉପରେ ଜୀବନ୍ତ ପଶୁପରି ବଞ୍ଚିବା ଅପେକ୍ଷା ବରଂ ଭଲ ତା’ ପାଦତଳେ ଧୂଳି ହୋଇ ଲୋଟିଯିବା । ଏମ୍‍ତି ଅନେକ କାବ୍ୟିକ ଚେତନାର ଚୈତାଳି ମତେ ଚେତେଇ ଦେଉଛି–କୁନା, ଇଏ ତୋର ତୃତୀୟ ସହର; ଯେଉଁ ସହରର ଛାତି ଉପରେ ତୋ’ ଭିଟାମାଟି ଅଭିଆଡ଼ୀ କିଶୋରୀର ଆଡ଼ରୁଷାଭଳି ଉତ୍ତେଜନା ଦିଏନି, ଯେଉଁ ସହରର ତ୍ରିଛକିରେ ଚିହ୍ନା ମଣିଷର ହସନ୍ତ ସମ୍ଭାଷଣ ତତେ ପାଛୋଟି ନିଏନି...

 

ଏମିତି ମୁଁ ଭାବୁଛି । ପୂଜାରିଣୀ ସମ୍ଭବତଃ ମନ୍ଦିର ବେଢ଼ା ଭିତରେ ପହଞ୍ଚି ସାରିବଣି, ଧୂପ ଦୀପର କୁଣ୍ଡଳୀ ଭିତରେ ହଜିଯିବଣି ।

 

ଏଇ ସହରରେ ଆଜି ମୋର ଶେଷ ଦିନ । ଆଜି ମତେ ଫେରିଯିବାକୁ ହେବ ମୋର ଦ୍ୱିତୀୟ ସହରକୁ । ଯେଉଁଠି ମୋର ବ୍ୟବସାୟ ପ୍ରତିଷ୍ଠାନ, ସ୍ୱର୍ଣ୍ଣ-ଅନ୍ୱେଷଣ । ସଙ୍ଗହୀନଭାବେ ଏଠି ଚାରିଦିନ ରହିଲା ପରେ ଘରୁ, ପ୍ରଥମ ସହରରୁ ଟେଲିଗ୍ରାମ୍‌ ପାଇଲି । ବାପା ଲେଖିଛନ୍ତି–ଜରୁରୀ କାମ । ମତେ ଶୀଘ୍ର ଫେରିଯିବା ପାଇଁ ତାଗିଦ୍‌ । ମୁଁ ବାପା ବୋଉଙ୍କର ଏକମାତ୍ର ସନ୍ତାନ-। ଯେଉଁ ସନ୍ତାନ ନିଜେ ସଳିତାଭଳି ଜଳିଯାଏଁ ଏବଂ ମୋର ଏ ଦେହାନ୍ତ ଜ୍ୱଳନରେ ବାପାଙ୍କ ବ୍ୟାଙ୍କ୍‌ବାଲାନ୍‌ସ ବୃଦ୍ଧି ପାଏ । ବାପା ମୋ’ ଉପରେ ସନ୍ତୁଷ୍ଟ । ପିଠି ଥାପୁଡ଼େଇ ଆଉରି ଆଗେଇ ଯିବାପାଇଁ ଉତ୍ତେଜନା ଦିଅନ୍ତି । କିନ୍ତୁ ସେ କ’ଣ ବୁଝିପାରନ୍ତିନି ଯେ ମୁଁ ମଣିଷ–ଯାହାର ମନ ଚିଟାଧରେ ଯେକୌଣସିର ଅତ୍ୟଧିକ ପ୍ରାପ୍ତିରେ ।

 

ପୂଜାରିଣୀ ପଥର ଦେବତାଙ୍କ ପାଦତଳେ ମୁଣ୍ଡ ଛୁଆଇଁ କାହାର ଶୁଭ ମନାସୁଥିବ ! ମନେପଡ଼ୁଛି–ଦେହରେ ତା’ର ସୋରିଷ ଫୁଲ ରଙ୍ଗର ଶାଢ଼ି । ଏଇ ହରିତ୍‌ ବର୍ଣ୍ଣର ଶାଢ଼ି ରିତା ସାନ୍ୟାଲ୍‌ ତ ପିନ୍ଧେ; କିନ୍ତୁ ସିଏ କ’ଣ ଏଇ ପୂଜାରିଣୀପରି ନିଷ୍ପାପ ? ପୂଜାରିଣୀ ଗୋଡ଼ରେ ରୁପାର ପାଉଁଝ । ଏପରି ପାଉଁଝ ସପନୀ ବେହେରାଣୀ ଗୋଡ଼ରେ ନାଇଥାଏ; କିନ୍ତୁ ସପନୀ କ’ଣ ଆଜିର ପୂଜାରିଣୀପରି ପବିତ୍ର ? ରିତା ସାନ୍ୟାଲ୍‌ ସିନା ପ୍ରତ୍ୟୁଷରେ ମନ୍ଦିରଯାଏ କିନ୍ତୁ ସ୍ୱାମୀର ଟୁର୍‌ ପ୍ରୋଗ୍ରାମ ଜାଣିବା ପରେ ପରପୁରୁଷ ସହିତ ଦେହଦାନରେ ମଜ୍ଜିଯାଏ । ସପନୀ ତା’ ଛୁଆ ମୁହଁରେ ଦି’ଟା ଆହାର ଦେବ ବୋଲି ପ୍ରୌଢ଼ ସୁମା ଅଜାର ଜଙ୍ଘ ଉପରେ ଗେଲେଇ ହୁଏ ।

 

ପୂଜାରିଣୀର ମୁକୁଳା କେଶରେ ସୂର୍ଯ୍ୟୋଦୟ ହୁଏ ଗୋଲାପର ରକ୍ତ ରଙ୍ଗରେ । ତେବେ କିଏ ଏଇ ପୂଜାରିଣୀ ? କାହାର ଝିଅ ? ପତ୍ନୀ ଓ ପ୍ରେମିକ ବା ?

 

ସେ ମନ୍ଦିର ଭିତରୁ ଆଉରି ଏ ଯାଏଁ ଫେରିନି । ମୁଁ ସେଇ ନିଧିଆ ପାନ ଦୋକାନ ସାମ୍ନାରେ ସିଗାରେଟ୍‌ ଟାଣିଲି । ମତେ ଭାରୀ ବ୍ୟସ୍ତ ଲାଗିଲାଣି । ଗାଡ଼ିବେଳ ଗଡ଼ିଯିବ ବୋଧେ । ଯାଃ...ସେ ଫେରିବନି ଏବେ ? ମୁଁ ଆଗକୁ ପାଦ କାଢ଼ିଲି । କାହାର ଇଙ୍ଗିତରେ ମନ୍ଦିର ଅଭିମୁଖେ ଚାଲିଲି । ହଠାତ୍‌...ପଛରୁ କିଏ ଡାକୁଛି–କୁନା, କୁନା...

 

ଲେଉଟି ଦେଖିଲି । ସୁମିତ୍ରା, ସ୍ଥାନୀୟ କଲେଜରେ ଦର୍ଶନଶାସ୍ତ୍ରର ଅଧ୍ୟାପକ । ମୋ’ ମନ ଫିକା ପଡ଼ିଗଲା–ଯାଃ, ଏଇଟା ଆସିଲାଣି; ବକର୍‌ ବକର୍‌ ହେବ, ବୋର୍‌ କରିବ...

 

କୁନା ତୁ ! କେତେବେଳେ ? କିବେ, ଆମେ କ’ଣ ତୋର ପର ? ହଁରେ ବାବୁ, ତୁ ଶିଳ୍ପପତି । ଆଉ ଏ’ ବିଡ଼ିଆ ଚାକିରିରେ ଲଟପଟ ହେଉଥିବା ବନ୍ଧୁକୁ ଚିହ୍ନିବୁ ଭଲା କାହିଁକି ? ଆଚ୍ଛା ଶୁଣେ, କେବେ ?

 

ଏହି ଆଜି ପାହାନ୍ତା ଗାଡ଼ିରେ...

 

ଅବିକା ? ତେବେ ତୁ କ’ଣ ଜାଣୁନା ମୁଁ ଏଠି ଅଛି ?

 

ଏଇ ଗୋଟାଏ ବିଜିନେସ୍‌ ଡିଲ୍‍ପାଇଁ ଆସିଥିଲି । ଆଜି ଫେରିଯିବି ।

 

ନାଃ, ତା’ କେମିତି ହେବ ? କିରେ ପଇସାର ମୋହ ତତେ ଏମିତି ଅନସୋସିଆଲ୍‌ କରିଦେଲା ? ଆ, ଯିବା ଦେବ ଦର୍ଶନ କରି ଫେରିବା ଘରକୁ । ବୁଝିଲୁ ? ପଇସାପାଇଁ ଯେତେ ପାପ କରିଛୁ, ଆଜି ସେଥିରୁ ମୁକ୍ତି ପାଇବୁ । ସୁମିତ୍ରା ତା’ ସ୍ୱଭାବସୁଲଭ ଭଙ୍ଗିରେ ହସିଲା ।

 

ଆମେ ମନ୍ଦିର ପଟେ ଚାଲିଲୁ, କିନ୍ତୁ ମୁଁ ପୂଜାରିଣୀ ପ୍ରତି ମୋର ଏ ଦୁର୍ବଳତାକୁ ସୁମିତ୍ରା ପାଖରେ ଲୁଚେଇବା ପାଇଁ ଚାହିଁଲି । କାରଣ, ଏ ଧନତନ୍ତ୍ର ଯୁଗରେ ସତ୍ୟର ଆଲୋକ ମିଥ୍ୟାର ଅନ୍ଧକାର ସାମ୍ନାରେ ମହଳଣ ପଡ଼ିଯାଏଁ, ତାରା ଅପେକ୍ଷା ତିମିର ବେଶ୍‌ ବନ୍ଦନୀୟ । ସ୍ତ୍ରୀ ତୁଳନାରେ ପ୍ରେମିକା ଆଉରି ନମନୀୟ, ନଈର କୁଳୁ କୁଳୁ ତାନ ଅପେକ୍ଷା ସାଓ୍ୱାରର ରିମ୍‌ଝିମ୍‌ ଆଶ୍ଳେଷ ବେଶ୍‌ କମନୀୟ ।

 

ଆମକୁ ହାତ ପାଆନ୍ତାରେ ପାଇ ମନ୍ଦିର ବେଢ଼ାରେ ଶିକାରୀମାନେ ବେଶ୍‌ ଲୋଭିଲା ଆଖି ନେଇ ଆମ ଆଡ଼କୁ ଆଗେଇ ଆସିଲେ । ମୁଁ ନିରୀହ ପ୍ରାଣୀଭଳି ସେମାନଙ୍କ ବ୍ୟୂହରେ ଖାଲି ଛଟପଟ ହେଲି । ମୋର ଖୋଲିଲା ଖୋଜିଲା ଆଖି ଚାରିଆଡ଼କୁ ଅନିଷା କରୁଥିଲା–କାହିଁ ସେ ପୂଜାରିଣୀ ? ସୁମିତ୍ରା ସେଇ ସପ୍ତରଥୀଙ୍କ ବ୍ୟୂହରୁ ମୁକୁଳିବାପାଇଁ ଅଭିମନ୍ୟୁ ସାଜିଲା ।

 

ଆଜ୍ଞା, ବାବୁ, ଆପଣ ଟଙ୍କାଟିଏ ଦେବାର । ମୁଁ ତମକୁ ସବୁ ମହାପ୍ରୁ ବୁଲେଇବାର, ଦେଖେଇବାର ।

 

ହେଉ ନିଅ । ମୁଁ ବିରକ୍ତିରେ ସେଇ ପୂଜକ ହାତକୁ ଟଙ୍କାଟିଏ ବଢ଼ାଇ ଦେଲି । ସୁମିତ୍ରାର ହାତ ଟାଣି ଆଗକୁ ଆଗେଇଲି ।

 

ଦେବତାଙ୍କ ଗମ୍ଭୀରା ଭିତରୁ ସଙ୍ଗୀତର ଆସର ଅବଶିଷ୍ଟ ପୃଥିବୀକୁ ମୁକୁଳି ଆସୁଛି । ଇଏ କିଏ ଆଖି ସାମ୍ନାରେ । ପୂଜାରିଣୀ ନାଟ ମଣ୍ଡପର ଚଟାଣ ଉପରେ ନାଚୁଛି । ମଞ୍ଚ ଉପରେ ନର୍ତ୍ତକୀର ନୂପୁର ବନ୍ଧା, ଘୁଙ୍ଗୁର–ଛନ୍ଦା ପାଦର ଆଶ୍ଳେଷ । ଚଟାଣରେ ତା’ ନାଚର ମୁରୁଜ ବିଞ୍ଚିହୋଇ ପଡ଼ୁଛି । ମୁରୁଜ–ଝୋଟିର ଛନ୍ଦାୟିତ ବନ୍ଧନରେ ହରେକ୍‌ ରଙ୍ଗର ରୋଶଣି ଶୁଭ୍ରଶିଖା ମେଲି ଦେଉଛି । ପୂଜରିଣୀ ନାଚୁଛି । ସେଇ ନାଚରେ ନିଜକୁ ଦେଖେଇ ହେବାର ଭାବ, ନିଜ ଯୌବନର ମାଂସାଶୀ ଆଲୋକ ବୁଣି ଦେବାର ଛଟା ନ ଥିଲା । ପୂଜାରିଣୀର ଏ ନାଚରେ ପୁରୁଷର ଅନ୍ଧାରି ଗୁହାରୁ ବାଘ ହେଣ୍ଟାଳ ଦିଏନି–କି ପୁରୁଷ ରକ୍ତର କୋଣ ଅନୁକୋଣରେ ଦେହଜ ଝଙ୍କାର ମୂର୍ଚ୍ଛିତ ହୁଏନି । ନର୍ତ୍ତକୀର ଶରୀର ଉପରେ ଓଡ଼ିଶୀ ନୃତ୍ୟର ତରଙ୍ଗ ଛାଇ ଯାଉଛି । ତା’ ସୁଲଳିତ କଣ୍ଠର ସଙ୍ଗୀତ ମଣିଷକୁ ସ୍ୱର୍ଗ ଦେଖାଏ । ସେ ନାଚୁଥିଲା ଦମ୍‌ ନେଉଥିଲା...କଣ୍ଠରୁ ତା’ର ଅମୃତର ଧାରା ରେଣୁ ରେଣୁ ହୋଇ ନିଗିଡ଼ି ପଡ଼ୁଥିଲା । ତା’ ସଙ୍ଗୀତର ବାୟବୀୟ ଧ୍ୱନି ଅମୃତର ତାରଲ୍ୟ ମୋ’ ପ୍ରାଣର ପାପୁଲି ଉପରେ ଉଜାଡ଼ି ପଡ଼ନ୍ତା କି ? ମୁଁ ଅମୃତ ପିଅନ୍ତି । ଅମର ହୁଅନ୍ତି ।

 

କୁନା !

 

ନର୍ତ୍ତକୀ କ୍ଳାନ୍ତ । ସେ ତଳେ ମୁଣ୍ଡ ଛୁଆଇଁ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ବାଢ଼ିଲା । ନାଟ୍ୟ ମଣ୍ଡପରୁ ଜନଗହଳି କମି ଆସୁଛି । ନର୍ତ୍ତକୀ, ପୂଜାରିଣୀ ଗମ୍ଭୀରା ଭିତରକୁ ଆସିଲା । ଦେହର ବାସ ସାମାନ୍ୟ ଅସ୍ତବ୍ୟସ୍ତ । ମୁଣ୍ଡର ମୁକୁଳା କେଶ ଆଲୁଳାୟିତ । ତା’ ସ୍ଥିତିର ସରହଦରେ ଅଗୁରୁ ଚନ୍ଦନର ହଂସ ଶିଆର କାଟୁଛି । ମୋ’ଆଖି ତା’ ଉପସ୍ଥିତିର ଭୁରୁଭୁରୁ ବାସ୍ନାରେ ମୋହାଶକ୍ତ ହେଉଥିଲା ।

 

ସୁମିତ୍ରା ! ଏଇ ପୂଜାରିଣୀ କିଏରେ ?

 

କାହିଁକିରେ ? ତା’ଠି କ’ଣ ମନ ନାଖିଗଲା ?

 

ମୁଁ ଚୁପ୍‌ ରହିଲି ।

 

ନର୍ତ୍ତକୀ କେତେବେଳୁ ତା’ ଘର ଧରିବଣି । ଆମେ ବେଢ଼ାଭିତରୁ ଲେଉଟି ଆସିଲୁ ଧୂଳିଆ ଦାଣ୍ଡକୁ ।

 

ସୁମିତ୍ରା ! କିଏରେ ସେ ?

 

ଶୁଣ, ତା’ ବିଷୟରେ କିଛି ଜାଣିନୁ ବୋଲି ଜିଜ୍ଞାସୁ ହୋଇଉଠୁଛୁ; କିନ୍ତୁ ଥରେ ତା’ ପରିଚୟ ପାଇଲା ପରେ ତୋ’ ମନ ତା’ ପ୍ରତି ବିଷେଇ ହୋଇ ଉଠିବ ।

 

ମଣିଷ କ’ଣ ମଣିଷକୁ ଘୃଣାକରେ ?

 

ସୁମିତ୍ରା ହସିଲା–ଆଚ୍ଛା, ତୁ ଏ’ ଭିତରେ ବେଶ୍‌ ଗୋଟିଏ ଫିଲାଥ୍ରୋପିଷ୍ଟ ପାଲଟି ଗଲୁଣି, ଦେଖୁଛି । ତୋର ସେଇ ପୂଜାରିଣୀ ଏଇ ସହରର ବିଖ୍ୟାତ ବେଶ୍ୟା...

 

ବେଶ୍ୟା ! ମୁଁ ସୁମିତ୍ରାର କଥା ଛଡ଼େଇ ନେଲି ।

 

ଏମିତି ଅଧୈର୍ଯ୍ୟ ହେଉଛୁ କାହିଁକି ? ସିଏ ବେଶ୍ୟା ନୁହେଁ । ତା’ ମା’ ଏ ସହରର ବିଖ୍ୟାତ ବେଶ୍ୟା ଥିଲା । ଆଜି ସିଏ ଆଉ ନାହିଁ । କେଉଁ କାଳରୁ ମଲାଣି ।

 

ତେବେ...ମୋର ପ୍ରଶ୍ନରେ ସନ୍ଦେହର ଛାଇ ଛିଟିକି ଗଡ଼ିଲା ।

 

କିନ୍ତୁ ଇଏ ବେଶ୍ୟା ନୁହେଁ । ତା’ ମା’ ବେଶ୍ୟା ହେଲା ବୋଲି ଇଏ କ’ଣ ବେଶ୍ୟା ହେବ-? ତାକୁ ବେଶ୍ୟାରେ ରୂପାନ୍ତର କରିବାପାଇଁ ଏଇ ସହରରେ କାମୁକ ପୁରୁଷର ଅଭାବ ନାହିଁ-। ଖାଣ୍ଟି ସୁନା, ତାଡ଼ା ତାଡ଼ା କରେନସିର ଅଭାବ ନାହିଁ, କିନ୍ତୁ ସମସ୍ତେ ଏଇ ନର୍ତ୍ତକୀ ପାଖରେ ହାର ମାନିଛନ୍ତି ।

 

ଆମେ ରାସ୍ତାରେ ବଢ଼ିବାରେ ଲାଗିଲୁ । ନାଃ...ମୁଁ ଏ କ’ଣ ଭାବୁଛି । ପୂଜାରିଣୀ ମାନବୀ ନୁହେଁ, ଦେବୀ ! ସେ କ’ଣ କାହାର ପତ୍ନୀ ହୋଇପାରିବନି ? ସ୍ୱାମୀର ସନ୍ତାନକୁ ଗର୍ଭକୋଷରେ ଧରିପାରିବନି ? ସେ କ’ଣ ନଇଁ ନଇଁକା ବିବାହର ବେଦି ଉପରକୁ ଉଠିଆସିବନି-?

 

ସୁମିତ୍ରା ! ଟଙ୍କା, ସୁନାକୁ ଗୋଡ଼ରେ ଆଡ଼େଇ ଦେଇ ସେ’ ବଞ୍ଚୁଛି କେମିତି ? ତା’ର କ’ଣ ଧନ, ଦୌଲତପାଇଁ ଟିକେ ଲୋଭ ନାହିଁ ?

 

କୁନା, ଶୁଣିବୁ ତା’ କାହାଣୀ ? ସିଏ କେମିତି ସୁତୀର୍ଥା, ପବିତ୍ର, ନିଷ୍କଳଙ୍କ, ମହନୀୟା ଓ ପ୍ରାତଃସ୍ମରଣୀୟା... !

 

କୁନା, ତୁ ରଥିଆକୁ ଚିହ୍ନିଛୁ ? ରଥିନ୍ଦ୍ର ଦାସ । ଯିଏ ଆମ ସଙ୍ଗରେ ରେଭେନ୍‌ସାରେ ପଢ଼ୁଥିଲା । ସିଏ ଆଜିକାଲି ରାଉରକେଲାରେ । ଦିନେ ସେ ମୋ’ ପାଖକୁ ଆସି ତା’ରି ଏଇ ତୋର ପୂଜାରିଣୀ ସହିତ ଅନୁଭୂତି ବର୍ଣ୍ଣନା କରୁଥିଲା ।

 

ରଥିଆ ! ସିଏ ପରା ବାହାହୋଇଛି !

 

ସେଠୁ କ’ଣ ହେଲା ? ଶୁଣ୍‌ । ରଥିଆ ରସନା ପାଖକୁ ଦିନେ ଅନ୍ଧାର ରାତିରେ ବେଶ୍ୟା ପଡ଼ାକୁ ଯାଇଥିଲା ।

 

ରସନା ?

 

ହଁ । ତୋ’ ପୂଜାରିଣୀର ନାଁ ।

 

ଅନ୍ଧାର ରାତି । ପ୍ରତ୍ୟେକ ଅସନା ଘରଦ୍ୱାର ସାମ୍ନାରେ ଅଶ୍ଳୀଳ ଇଙ୍ଗିତ । ରଥିଆ ସେଠି କେଉଁ ବେଶ୍ୟାକୁ ପଚାରିଲା–ଏ ରସନା ଘର କେଉଁଠି ?

 

: କାହିଁକି ବାବୁ ? ସିଏ ତ ମାହାରୀ । ସେଠି ତ କାରବାର ହୁଏନି ।

 

: ମୁଁ ତ କାରବାର ପାଇଁ ଆସିନି । ରଥିଆ ସେଇ ପ୍ରୌଢ଼ା ବେଶ୍ୟା ଉପରେ ଚିଡ଼ି ଉଠିଲା ।

 

ହେଇଟି ବାବୁ ସେଇ ଝଙ୍କା ବରଗଛ ପାଖରେ...

 

ବୁଝିଲୁ କୁନା, ରଥିଆ ରସନାର ତାଟିରେ ଟିପା ମାରିଲା । ସେ ତାଟି ମାରିଲା । ସେ ତାଟି ମାରିଲା । ଘର ଭିତରେ ଛୋଟିଆ ମାଟି ବଇଠାରୁ ପୁଳାଏ ଆଲୁଅ ବାରଣ୍ଡାରେ ବିଞ୍ଛାଡ଼ି ହୋଇ ପଡ଼ିଲା । ରସନା ଦେଖିଲା ତା’ରି ସାମ୍ନାରେ ଜଣେ ସୌମ୍ୟକାନ୍ତ ଯୁବକ ଠିଆ ହୋଇଛି । ରଥିଆ ତ ଡ୍ରିଙ୍କ କରିଥିଲା । ଆଖି ଦି’ଟା ମନ୍ଦାର ଫୁଲଭଳି ଲାଲ ଦିଶୁଥିଲା । ତୋ’ର ସେଇ ପୂଜାରିଣୀ ରଥିଆକୁ ନିର୍ଦ୍ଦେଶ ଦେଲା–ଆପଣ ଅନ୍ୟ କେଉଁଠିକି ଯାନ୍ତୁ ?

 

: କାହିଁକି ? ତୁମ ପାଖକୁ ଆସିବାକୁ ମନା ?

 

: ହଁ କାରଣ ମୁଁ ଦେବଦାସୀ । ମୁଁ ବେଶ୍ୟା ନୁହେଁ । ବେଶ୍ୟାର ଝିଅ ମୁଁ ।

 

ତା’ପରେ ରଥିଆ ରସନାକୁ ତାଡ଼ା ତାଡ଼ା କରେନ୍‌ସି ଯାଚିଲା, କିନ୍ତୁ କେଉଁଥିରେ ଫଳ ନ ହେବାରୁ ସେ ବିରକ୍ତି ପ୍ରକାଶ କଲା–ରସନା, ତୁମେ ମାହାରୀ ହେଲ ବୋଲି କ’ଣ ଭୋଗ୍ୟା ନୁହଁ ?

 

: ନା । ଯେମିତି ବଜ୍ର କୁଢ଼େଇ ହୋଇ ପଡ଼ୁଛି । ମୁଁ ଦେବଦାସୀ–ଦେବତାଙ୍କ ଭୋଗ୍ୟା; କିନ୍ତୁ ମଣିଷର ନୁହେଁ । ମୁଁ ମଣିଷର ନର୍କ ଚାହେଁନି । କାମ୍ୟ ମୋର ଦେବତାଙ୍କ ସ୍ୱର୍ଗ...ତା’ପରେ ସେ ଧଡ଼୍‌କିନି ଦରଜା ବନ୍ଦ କଲା । ରଥିଆ ବିଫଳ ମନୋରଥ ହୋଇ ଫେରିଲା, ଅନ୍ୟ କାହା ପାଖରେ ରାତି ବିତେଇ ସକାଳୁ ମୋ’ ପାଖକୁ ଆସି ତା’ର ଏ ଅନୁଭୂତି ବର୍ଣ୍ଣନା କଲା ।

 

ସୁମିତ୍ରା ବେଶ୍ ଗମ୍ଭୀର ଜଣାଗଲା । କିନ୍ତୁ ମୁଁ–ମଣିଷ–ଇଚ୍ଛାର ଏକ ସୁସଙ୍ଗଠିତ ସମାହାର-। ମୋର ଇଚ୍ଛା ହେଉଥିଲା–ରସନାର ପାଦତଳେ ମୁଣ୍ଡ ନୁଆଁଇ ଦେବାପାଇଁ । ରସନା । ନର୍ତ୍ତକୀ । ମାହାରୀ । ପୂଜାରିଣୀ । ସିଏ ତ ମଣିଷ । ସିଏ କ’ଣ ବାସର ରାତିର ସ୍ୱପ୍ନ କେବେ ଦେଖିବନି । ପ୍ରଥମ ରାତିରେ ପୁରୁଷର ସାନ୍ନିଧ୍ୟପାଇଁ ସିଏ ପ୍ରତୀକ୍ଷା କରିନି ? ତା’ର କ’ଣ ମନହେଉନଥିବ ଯେଉଁ ପୁରୁଷ ବେକରେ ବରଣମାଳା ଦେବ, ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବ, ସେଇ ପୁରୁଷ–ଛାତିର ସମୁଦ୍ରରେ ନିଜେ ନଈ ହୋଇ ସତ୍ତା ହଜେଇ ଦେବାପାଇଁ ? ପୁରୁଷ–ଦେହର ସ୍ୱର୍ଣ୍ଣିମ ସ୍ପର୍ଶରେ ତା’ ଜୀବନର ଆକାଶରେ କେବେ ବର୍ଣ୍ଣାଳୀର ଛଟା ଫୁଟିବ ? ନିଜ ସ୍ୱାମୀର ବାହୁ-ବନ୍ଧନ ତଳେ ତା’ର କାନମୁଣ୍ଡା ଲାଲ ହେବନି ? ନା ତା’ ସ୍ନାୟୁର ସହରରେ ଚହଳ ପଡ଼ିବନି ? ମୋର ଦୀର୍ଘଶ୍ୱାସ ଦେଇ ଯେମିତି ନିର୍ଗତ ହୋଇଯାଉଥିଲା ହୃଦୟର ଶୁଭ୍ର କାମନା-ତୁମେ ମାଟିର ମଣିଷ ନୁହଁ, ଦେବୀ ସ୍ୱର୍ଗର...

 

କୁନା, ଏମିତି ମଉନ କାହିଁକି ? ପଇସା ଦେଇ ସିନା ପଇସାର ମୂଲ୍ୟ କରିପାରିଲୁ, ପଇସାକୁ ଚିହ୍ନିଲୁ ? କିନ୍ତୁ ମନ ବିନିମୟରେ ମଣିଷ ମନର ମୂଲ୍ୟ କରିପାରିବୁ ? ମଣିଷକୁ ଗଢ଼ି ପାରିବୁ ?

 

ହଁ । (ମୋର କ୍ଳାନ୍ତ ଉତ୍ତର ନୁହେଁ) । ସୁମିତ୍ରା, ରସନାର ମା’ ବେଶ୍ୟା ହେଲା କାହିଁକି ?

 

ସେ ବେଶ୍ୟା ହେଇନି । ତାକୁ ଏ ମଣିଷ ସମାଜ ବେଶ୍ୟା କରିଦେଲା । ଏଇ ଦେଖିପାରୁଛୁ ଆଗରେ ସେ ରଙ୍ଗଛଡ଼ା ଦି’ତାଲା କୋଠାକୁ ? ତା’ ମାଲିକ ଥିଲା ଅମର ଘଟସୂତ୍ର । ଅମର ମଲାଣି ତା’ ସ୍ତ୍ରୀ ଏଇ କିଛି ମାସ ହେଲା ମଲା । ଆଉ ସେଇ ଅମରର ପୁଅ ଅଜୟ କ’ଣ କରେ ଜାଣୁ ? ଏଇ ସହରର ପ୍ରତ୍ୟେକ ଭିକାରି, ଭିକାରୁଣୀର ଥାଳର ପଇସା ଝାମ୍ପି ନିଏ, ପିକ୍‌ପକେଟିଂ କରେ, ଦେଖ କୁନା, ସତ୍ୟ କେବେ ଲୁଚି ପାରେନି । ଅଜୟ ଘଟସୂତ୍ର କେତେ ଝିଅ ବୋହୂଙ୍କୁ ବେଶ୍ୟାର ପଡ଼ା ଭିତରକୁ ଟାଣିଆଣିଥିଲା–ତା’ର ହିସାବ ଏ ସହର ଦେବ । ଆଉ ରସନାର ମା’ ଅମରର ଶରବ୍ୟ ହୋଇଥିଲା । ଦିନେ...ଅଜୟ କେଉଁଠୁ ଗୋଟାଏ ସୁନାହାର ଚୋରିକରି ରସନା ପାଖରେ ହାଜର ହେଲା । ରସନା ଠିକ୍‌ ସେତିକିବେଳେ ମନ୍ଦିରରୁ କ୍ଳାନ୍ତ ଦେହ ନେଇ ଫେରିଥାଏ । ଅଜୟ ରସନାର ପାଦତଳେ ସେଇ ଚୋରିସୁନା ହାରଟି ରଖି ଅନେକ କାକୁତି ମିନତି କଲା–ରସ, ତୁ ଯଦି ଆଜି ହଁ ନ କରିବୁ, ମୁଁ ଏଠି ସୁଇସାଇଡ଼୍‌ କରିବି !

 

ରସନା ଭୀଷଣ ହିଂସ୍ର ହୋଇ ଉଠିଲା–ଲାଜ ନାହିଁ । ଭାଇ ହୋଇ ଭଉଣୀର ଦେହ କିଣିବାକୁ ଆସିଛ ? ତୁମ ବାପାଲାଗି ମୋ’ ବୋଉ ତିଳ ତିଳ ହୋଇ ମଲା । ଆଜି ତୁମେ ଏଠି ପ୍ରାଣ ହାରିଲେ ମୋର କ’ଣ କ୍ଷତି ହେବ ? ନିକଲ, ଅଭଦ୍ର କେଉଁଠିକାର ?

 

ତା’ପରେ କୁନା, ନାନା ହଟ୍ଟଗୋଳ । ବେଶ୍ୟାମାନେ ଆସି ଅଜୟକୁ ବୁଝେଇବାରେ ଲାଗିଲେ–ବାବୁ, ରସନା ହେଉଛି ମାହାରୀ । ସିଏ ଭଲା ତମ ସହିତ କେମିତି କାରବାର କରନ୍ତା ? ଏତେ ରାଣୀ ଏ’ ପଡ଼ାରେ । ଆସ ମୋ’ ପାଖକୁ ଆସୁନ ! ଅଜୟକୁ ଗୋଟାଏ ପରେ ଗୋଟାଏ ବେଶ୍ୟା ଟାଣିଲେ । ସେଇ ଟଣାଓଟରା ଭିତରେ ସୁନାହାର କୁଆଡ଼େ ଉଭେଇ ଗଲା । ତା’ପରେ ପୋଲିସ ହାଜତରେ ସେ ଛ’ମାସ ରହିବା ପରେ ଏଇ ମୁକୁଳି ଆସିଛି । ଏମିତି ଅନେକ ଘଟଣା ।

 

ମୁଁ ନିରୁତ୍ତର ।

 

ରସନାର ଦେହ ଉପଭୋଗ ପାଇଁ ଏଇ ମୋର ତୃତୀୟ ସହରରେ ଅନେକ ବ୍ୟାକୁଳ । ତା’ ପାଦତଳେ ସମସ୍ତ ଢାଳିଦେଇ ତା’ ଦେହର ସାମାନ୍ୟ ସ୍ପର୍ଶ ପାଇବାପାଇଁ ଅନେକ ଆତୁର, କିନ୍ତୁ ରସନା ନିଜକୁ କାହାରି ହାତରେ ଢାଳି ଦେଇନି । କାରଣ ଦେବୀ କ’ଣ ବାରନାରୀ ହୋଇପାରେ ? ଅନେକ କାମୁକ ନିଜକୁ ନିଜେ ବୁଝେଇ ଦେଇ ପାରିଛନ୍ତି–ରସନା ଦେବ–ଭୋଗ୍ୟା-। ତାକୁ ମଣିଷ ଭୋଗକଲେ ଦେବତା କୃଦ୍ଧହେବେ ।

 

ସୁମିତ୍ରା ! ମୁଁ ଯିବି ? ମୋ’ ଆଖିରୁ ନିଗିଡ଼ି ପଡ଼ୁଥିବା ଲୁହକୁ ରୁମାଲରେ ପୋଛି ଆଣିଲି-

 

କୁନା, ତୁ କାନ୍ଦୁଛୁ ?

 

ନା–ଏମିତି...

 

ମତେ ଲୁଚାଇ ଲାଭ ନାହିଁ ।

 

ସୁମିତ୍ରା ! ତୁ ମୋତେ ପିଲାଟି ଦିନୁ ଜାଣୁ । ମୁଁ ଜଣେ ବିଜିନେସ୍‌ ମ୍ୟାନ୍‌ । ଜୀବନରେ ଏଇ ଅଳ୍ପ ସମୟ ମଧ୍ୟରେ ମୁଁ ଅନେକ ଝିଅ ବୋହୂଙ୍କୁ ଦେଖିଛି, ଚିହ୍ନିଛି, କିନ୍ତୁ ରସନାଭଳି ନିଷ୍ପାପ ଝିଅଟିଏ...ଆମର ଦୁଷ୍କୃତିପାଇଁ ରସନାର ଆଜି ଏ’ ଦୟନୀୟ ଅବସ୍ଥା । ସେ ବେଶ୍ୟାର ଝିଅ । ଏଥିପାଇଁ କ’ଣ ସିଏ ଦାୟୀ ? ନା ତା’ ମା’ ? ଏଇ ସୋସାଇଟିରେ ସିଏ କ’ଣ କେଉଁ ପୁରୁଷର ଧର୍ମପତ୍ନୀ ହୋଇପାରିବନି ? କେଉଁ ଦରୋଟି ଦରୋଟି ଭାଷା ଶିଖି ନଥିବା ଛୁଆର ମା’ ହୋଇପାରିବନି ?

 

ସେ ପତ୍ନୀ ହୋଇପାରିବ, ମା’ ହୋଇପାରିବ, କିନ୍ତୁ ତାକୁ ଏ କରପଟେଡ଼୍‌ ସୋସାଇଟିର କିଏ ଗ୍ରହଣ କରିବ ଜୀବନ ସଙ୍ଗିନୀରୂପେ...

 

ଯଦି ମୁଁ...

 

ତୁ ! ତୁ ରସନାର ହାତଧରି ବିବାହ ବେଦିରେ ବସିପାରିବୁ ?

 

ହଁ ! ମୋ’ କଣ୍ଠ ସ୍ୱରର ‘ହଁ’ରେ କେତେ ଯେ ବଜ୍ରର ଦୃଢ଼ତା ତା’ ସୁମିତ୍ରା ବିଶ୍ୱାସ କରିପାରେନି, କିନ୍ତୁ ମୋ’ ବାପା ରସନାକୁ ବୋହୂର ସମ୍ମାନ ଦେବେ ? ନିଶ୍ଚୟ ଦେବେ । କାରଣ ବାପା ପଇସା ଅର୍ଜିଲେ ବି ଅମର ଘଟସୂତ୍ରପରି ନିର୍ଦ୍ଦୟ, ଅବିବେକୀ ନୁହଁନ୍ତି । ତାଙ୍କର ହୃଦୟ ଅଛି-। ଏଇ ସମାଜକୁ ନୂଆ ଢାଞ୍ଚାରେ ଗଢ଼ିବାପାଇଁ ତାଙ୍କର ଇଚ୍ଛାଅଛି । ଏଠି ଯେଉଁମାନେ ନିଷ୍ପେଷିତ ତାଙ୍କର ସେମାନଙ୍କ ପାଇଁ ଦରଦ ଅଛି । ତେବେ...ରସନାକୁ ? ସେ ଦାଣ୍ଡରେ ଫିଙ୍ଗି ଦେବେ ? ନା...ନା...ନା...

 

କୁନା, ଆରେ, ଏଇ କ’ଣ ? କ’ଣ ନା...ନା...

 

ନା, କିଛି ନୁହେଁ ।

 

ବୈଶାଖର ସେଇ ଉଦୁଉଦିଆ ଦି’ପ୍ରହରରେ ଆମେ ବେଶ୍ୟାପଡ଼ାକୁ ଗଲୁ । ରସନା ଦାଣ୍ଡ ବାରଣ୍ଡା ସଫାକରୁଛି । ସାମ୍ନାରେ ମତେ ଓ ସୁମିତ୍ରାକୁ ଦେଖି ସେ ଲାଜରେ ଓଢ଼ଣାକୁ ଆଉ ଟିକେ ଟାଣି ଆଣିଲା ମୁଣ୍ଡ ଉପରକୁ । ସେଇମିତି ଢଳ ଢଳ ଆଖି । ଆଲୁଳାୟିତ କେଶ । ଫିକା ନୀଳ ଶାଢ଼ି, ଗୋଡ଼ରେ ପାଉଁଝ...

 

ତୁମେ...ରସନା ?

 

ହଁ । ମୋ’ପ୍ରଶ୍ନର ସଂକ୍ଷିପ୍ତ ଉତ୍ତରଟିଏ ଦେଇ ରସନା ଚୁପ୍‌ ରହିଲା ।

 

ମୁଁ ଏଇ କଲେଜର ଅଧ୍ୟାପକ । ଏଇ ମୋର ବନ୍ଧୁ ସୀତାପତି...

 

ଆପଣ ! ସୀତାପତି ସାକସେନା । ବିଶିଷ୍ଟ ଶିଳ୍ପପତି...ରସନା ଆଖି ଉପକୂଳରେ ଆଶ୍ଚର୍ଯ୍ୟର ଢେଉ ଲୋଟି ପଡ଼ୁଥିଲା ।

 

ଆମେ ଆସିଥିଲୁ ।

 

ମୁଁ ଜାଣେ । ଭିତରକୁ ଆସନ୍ତୁ ।

 

ବେଶ୍ୟାପଡ଼ାର ବିଷପାତ୍ର ଚହଲି ଗଲା–ଛି, ଛି...ମାହାରୀ ହୋଇ କାମ କରି ବସିଲା ?

 

ରସନାର ଘର କାନ୍ଥରେ ବୁଦ୍ଧ, ରାମକୃଷ୍ଣ, ଗାନ୍ଧି, ଅରବିନ୍ଦଙ୍କ ହସ ମୁହଁ ସକାଳର କାକର ଧୁଆ ଫୁଲଭଳି ଶୋଭାପାଉଛି । ଘର କୋଣର ଉପରେ ଛ’ଟି କରୁଣାସିକ୍ତ ଆଖି–ବଳରାମ ଜଗନ୍ନାଥ, ସୁଭଦ୍ରା ।

 

ରସନା ଛିଣ୍ଡା ସପଟିଏ ତଳେ ବିଛେଇଦେଇ ଅନୁରୋଧ କଲା–ଏକ ବଖୁରିଆ ଘରର ପ୍ରତ୍ୟେକ କୋଣରେ ଉପୁଚି ଉଠିଛି ..... ଛାପ ।

 

ରସନାର ମୁହଁକୁ ସିଧା ଭରସି ଚାହିଁ ପାରୁନଥାଏ । ତା’ ଆଖିର ..... ମୋ’ ଆଖିର ଦୃଷ୍ଟି ଯେମିତି ଭସ୍ମ ପାଲଟି ଯାଉଛି । ରସନା...ମୁଁ ଛେପ ଢୋକି କଥା ଆରମ୍ଭ କରୁଥିଲି । ରସନା, ତୁମେ ଦେବୀ ହେଲ ବୋଲି କ’ଣ କେଉଁ ପୁରୁଷର ଧର୍ମପତ୍ନୀ ହେବନି ।

 

ମୋ ଲୁହ ଭିଜା ଦୃଷ୍ଟି ତା’ ଆଖିରୁ ନିଗିଡ଼ି ପଡ଼ୁଥିବା ଲୁହକୁ ଦେଖିପାରୁନଥିଲା । ରସନାର ଓଠ ଥରୁଛି । ସେ କିଛି କହିବ କହି ହେଉଛି, କିନ୍ତୁ କଣ୍ଠର କୋହ ତାକୁ କିଛି କୁହାଇ ଦେଉନି । ତା’ ଆଖି ଲୁହ ତା’ ହୃଦୟର ଭାଷା ଯେମ୍‌ତି ?

 

ରସନା, ତୁମେ ବିବାହ ବେଦିରେ ଅଗ୍ନିକୁ ସାଖୀ ରଖି...

 

ଥାଉ...ବନ୍ଦ କରନ୍ତୁ ଆପଣ ଏ’ସବୁ ? ଯିଏ ମତେ ଦଳିଚକଟି ରାସ୍ତାକୁ ଫିଙ୍ଗି ଦେଇଛି, ସିଏ କ’ଣ ମତେ ଫେର୍‌ ହାତଉପରକୁ ତୋଳି ନେଇ ପାରିବ ? ଏଥର ରସନା ଅବୋଧ୍ୟ ଶିଶୁଭଳି କଇଁ କଇଁ ହୋଇ କାନ୍ଦିଲା ।

 

ତାକୁ ବା ମୁଁ କି ସାନ୍ତ୍ୱନା ଦେବି । ଯେଉଁ ସମାଜ ତାକୁ ବେଶ୍ୟାପଡ଼ାକୁ ଟାଣି ଆଣିଛି, ସେଇ ସମାଜର ପ୍ରତିନିଧି ମୁଁ ...ମୁଁ ନିଜେ କ’ଣ ସବୁ ଭୁଲିଗଲି । ତା’ ହାତ ଧରି ଅଳିକଲି ଲୁହର କୁହୁଡ଼ି ଢଙ୍କା କଣ୍ଠରେ–ରସନା । ମୋର ତୀର୍ଥଟିଏ ହେଲେ ହେବନି । ମୁଁ ସୁତୀର୍ଥ ଚାହେଁ, ତୁମେ ମୋର ସୁତୀର୍ଥ...ଏଇ ତିନି ଯୋଡ଼ା ଆଖି ସାମ୍ନାରେ ମୁଁ ...ମୁଁ ଶପଥ କରୁଛି ତୁମେ, ତୁମେ...ମୋର...

 

ଧର୍ମପତ୍ନୀ ! ସୁମିତ୍ରାର କଣ୍ଠସ୍ୱର ସାରା କୋଠରୀରେ ପ୍ରତିଧ୍ୱନିତ ହେଲା ।

 

ମୋ ସାମ୍ନାରେ ମୋର ରସନା...ଆମ ସାମ୍ନାରେ ସେଇ କଳା ମଚ ମଚ ଚକା ବିରାଟ ମୁହଁ । ଦୁଇ ଚକା ଆଖିରେ ପ୍ରୀତି ଓ ପ୍ରଶାନ୍ତି, ଓ.... ତାଙ୍କର ତୃପ୍ତି ଓ ଖଣ୍ଡିଆ ହାତର ସମ୍ଭାଷଣ ମୋ’ ଆଗାମୀଙ୍କ ଆଗ.... ପ୍ରତୀତି...ମୋର ଏ’ ତୃତୀୟ ସହରରେ ରସନାର ଶବଦାହ ହେବ । ଶ୍ରୀମତୀ ରସନା ସାକସେନା ସବାରୀରେ ମୋ’ ପ୍ରଥମ ସହରକୁ ଆସିବେ ।

 

ବ୍ରହ୍ମପୁର ଗୋପୀନାଥ ପ୍ରେସରେ, ଶ୍ରୀ ଯତୀନ୍ଦ୍ରନାଥ ଦାସଙ୍କ......

Image